Unknown

 

 

 

 

 

 

 

 

 

 

 

ସ୍ୱପ୍ନ ନୀଡ଼

ଶ୍ରୀମତୀ ପ୍ରଫୁଲ୍ଲ କୁମାରୀ ରାୟ

 

ଉପହାର

 

ଟୁକୁ,

 

ଦିନ ଥିଲା ମୁଁ ଧାଡ଼ିଟିଏ ଲେଖୁଥିଲେ ତୋର ଟିକି ହାତରେ ଉଠାଇ ନେଇ ତୁ ଆଗ୍ରହରେ ପଢ଼ୁଥିଲୁ–, ସେହି ଅନଭିଜ୍ଞ–ପିଲାଳିଆ ବିଚାରରେ କହୁଥିଲୁ–ଅପା, ତୋ’ ଲେଖା ମତେ ଭାରି ଭଲ ଲାଗୁଛି–ତୁ’ ବେଶି ଲେଖ୍‍–ମୁଁ ପଢ଼ିବି । ତୋର ସେ ଆଗ୍ରହ, ମତେ ଉତ୍ସାହ ଯୋଗାଉଥିଲା, ପ୍ରେରଣା ଦେଉଥିଲା–ମୋର କଲମ ଚାଲୁଥିଲା ଆଗେଇ... ।

 

ଆଜି, ଗୃହିଣୀ...ଜନନୀର ଜଞ୍ଜାଳ ଭିତରେ ତୋର ସେ ଟିକି ହାତକୁ ତିଳେ ବିଶ୍ରାମ ନାହିଁ । ସେ ଦିନର ସେ ଟିକି ହାତ ଆଜି ଦୁନିଆଁ ଆଖିରେ ବଡ଼ ହୋଇଛି...ହେଲେ ବି ମୋ ଆଖିରେ ତାହା ଚିରଦିନ ସେହି ଟିକି ହାତ ।

 

ତୋର ସେହି ଟିକି ହାତରେ, ମୁଁ ଟେକି ଦେଉଛି ମୋର ‘ସ୍ୱପ୍ନନୀଡ଼’–ତୋ ଅପାର ଦାନ ସାଦରେ ଗ୍ରହଣ କରିବୁ । ଇତି ।

 

ତୋର ଅପା

ଶ୍ରୀମତୀ ପ୍ରଫୁଲ୍ଲକୁମାରୀ ରାୟ

Image

 

“ଅଲୋଡ଼ା–ଅଖୋଜା ହୋଇ କେତେ କେତେ ବଣ-ଫୁଲ ଲୋକର ଆଖି ଆଢ଼ୁଆଳରେ ମଉଳି ପଡ଼େ । “ସ୍ୱପ୍ନ ନୀଡ଼’’ ସେହିପରି ଲୁଚିଛପି ରହିଛି ।

 

ଏ ଉପନ୍ୟାସଟିର ଲେଖିକା ଶ୍ରୀମତୀ ପ୍ରଫୁଲ୍ଲ କୁମାରୀ ରାୟ ସଂସାରର ସାରା ଜଞ୍ଜାଳ ଭିତରେ ସବୁବେଳେ ବ୍ୟସ୍ତଥାଇ ଏ ‘ସ୍ୱପ୍ନ ନୀଡ଼’ ରଚନା କରିଛନ୍ତି ।

 

ବିଷୟ ଉପସ୍ଥାପନା–ଆମ ଦେଶର ନିପଟ ଘରୋଇ, ଦୁଇଟି ଜୀବନର ଅଭୁଲା କଥାକୁ ଲେଖିକା ଚିତ୍ର କରିଛନ୍ତି ସରଳ, ତରଳ କଥାରେ । ଦୁନିଆଁର ନିତିଦିନିଆଁ ଘଟଣା ତାଙ୍କ ମନକୁ ଛୁଇଁଛି ବୋଲି ପ୍ରତ୍ୟୟ ହୁଏ । ଭାଷାରେ କେଉଁଠାରେ କୁହେଳିକା ନାହିଁ । ଥରେ ଆଖି ପକାଇଲେ ‘ସ୍ୱପ୍ନ ନୀଡ଼’ ରଚନାର ଶେଷ ଦେଖିବାକୁ ମନ ବଳେ ।

 

ଶ୍ରୀମତୀ ରାୟ ଘରଗହଳିରୁ ବେଳ ବାହାର କରି ଏଭଳି ସୁନ୍ଦର ରଚନାଟିଏ ଦେଇ ପାରିଛନ୍ତି । ମୁଁ ତାଙ୍କର ସାଧନାକୁ ସାଧୁବାଦ ଦେବାସଙ୍ଗେ, ତାଙ୍କ ଲେଖନୀରେ ମାଆ ସରସ୍ଵତୀଙ୍କର ଆଶିଷ ବରଷୁ ବୋଲି କାମନା କରୁଛି ।

 

କାଳୀଚରଣ ପଟ୍ଟନାୟକ

ତା ୫ । ୧୦ । ୬୯

Image

 

ଚନ୍ଦ୍ର ଆଉ କୁମୁଦ...ପଦ୍ମ ଆଉ ସୂର୍ଯ୍ୟ ଜଣେ ଜଳରେ ତ ଜଣେ ଆକାଶରେ; କିନ୍ତୁ ତାଙ୍କ ପ୍ରେମ ଅଭିନ୍ନ ଅମଳିନ ଆଉ ଚିରନ୍ତନ । ମଣିଷର ବା ସେପରି ନହେବ କାହିଁକି ? ରକ୍ତ ମାଂସର ଦେହରେ କାମନା ତ୍ୟାଗ ନ’କଲେ...ପ୍ରେମ ଶବ୍ଦର ଅପବ୍ୟବହାର ହେବ କେବଳ ।

 

ସବୁ ଅବସ୍ଥାରେ ସବୁ ସମୟରେ ସୁକାନ୍ତର ଏ କେତେପଦ କଥା ନିରୋଳାରେ ଭାବେ ମାଧୁରୀ ।

 

ବର୍ଷଣମୁଖରେ ସନ୍ଧ୍ୟା...ପହିଲି ଆଷାଢ଼ର ମେଘମାଳା ଗୁରୁଗମ୍ଭିର ନାଦରେ ଖେଳି ବୁଲୁଛି ଫାଙ୍କା ଆକାଶରେ । ତର ତରିଆ ଉତ୍ତରା ପବନ ବହିଚାଲିଛି ସାଇଁ, ସାଇଁ...ଚନ୍ଦ୍ରର ସତ୍ତା ନାହିଁ । ତାରାମାନେ ବି ବଉଦ କୋଳରେ ମୁହଁ ଲୁଚାଉଛନ୍ତି ।

 

ହେନାଫୁଲର ବାସନା ବାରିବଗିଚାରୁ ଭାସିଆସି ଦେହ ମନରେ ସୃଷ୍ଟି କରୁଛି ଶିହରଣ । ଖୋଲା ଝରକା ପାଖେ ଅନ୍ୟମନସ୍କ ହୋଇ ସୃଷ୍ଟିର ଏହି ବୈଚିତ୍ରତା ଅନୁଭବ କରୁଛି ମାଧୁରୀ–

 

ମାଧୁରୀ ଯୁବତୀ...ଏହି ଦେହରେ ତା’ର ଷୋହଳଟି ବର୍ଷାଋତୁ ସେ ବିତାଇ ସାରିଲାଣି । ବାପା ମାଆଙ୍କର ଗୋଟିଏ ଗେହ୍ଲାଝିଅ ହେଇଥିଲା–କେଡ଼େ ଆଦରରେ ତା’ର ପିଲାଦିନଟା କଟିଥିଲା । ଯେତେ ସୁଖରେ ରହିଲେ ବି ତା’ର ମାଆ ନଥିବା ଦୁଃଖଟା ସବୁବେଳେ ମନରେ ବ୍ୟଥା ଦେଉଥିଲା–

 

ପ୍ରଫେସର ଶିବପ୍ରସାଦ ମହାପାତ୍ର...ଆଧୁନିକ ରୁଚିସମ୍ପନ୍ନ, ଯେମିତି ମେଳାପି, ସେମିତି ଧୀରଭାଷୀ । କଲେଜରେ ଛାତ୍ରମାନଙ୍କ କଥାଛାଡ଼, ଅନ୍ୟ ପ୍ରଫେସରମାନେ ତାଙ୍କୁ ଖୁବ୍ ସମ୍ମାନ ଦେଖାନ୍ତି । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ । ପୁଅ ବିନୟକୁ ବାରବର୍ଷ ଓ ମାଧୁରୀକୁ ସାତବର୍ଷ...ସେତେବେଳେ ପତ୍ନୀ ଲୀଳାବତୀ ସେ ପୁରର ଡାକରା ପାଇ ଚାଲିଗଲେ ।

 

ଅତିଅଳ୍ପ ବୟସରେ ଶିବବାବୁ ସାଥିହରା ହୋଇ ପଡ଼ିଲେ, ପିଲାଙ୍କ ଦାୟିତ୍ୱ ନିଜେ ନେଲେ । ବନ୍ଧୁମାନେ ଯେ ଯେତେ ଅନୁରୋଧ କଲେ ବି ଦ୍ଵିତୀୟ ଥର ବିବାହ ପାଇଁ ସେ ମୋଟେ ରାଜି ହେଲେ ନାହିଁ ।

 

ତାଙ୍କଭଳି ସରଳ, ସୁନ୍ଦର, ଶିକ୍ଷିତ ଧନୀବ୍ୟକ୍ତିଙ୍କୁ କନ୍ୟାପ୍ରଦାନ କରିବା ନିମନ୍ତେ କନ୍ୟାକର୍ତ୍ତାମାନେ ବ୍ୟଗ୍ରହୋଇ ଉଠୁଥିଲେ; କିନ୍ତୁ ସେ ମୋଟେ ରାଜିହେଲେ ନାହିଁ, ମୃତପତ୍ନୀଙ୍କ ସ୍ମୃତିକୁ ଧରି ପିଲାଙ୍କର ଯତ୍ନ ନେଲେ ।

 

ବିନୟ ଅପେକ୍ଷା ମାଧୁରୀ ବେଶି ବାପାଙ୍କର ଆଦରର ହୋଇପଡ଼ିଲେ । ସେ ଛୋଟପିଲା ମାଆକୁ କିପରି ନ ଖୋଜିବ ସେଥିପାଇଁ ଶିବବାବୁ ବେଶି ଯତ୍ନବାନ । ଯେତେବେଳେ ମାଧୁରୀ ଯାହା ଚାହେଁ ବିନା ବାକ୍ୟବ୍ୟୟରେ ତା’ର ସେ ଆଶା ପୂରଣ କରନ୍ତି ଶିବବାବୁ । ଚାକିରିର ଚାପ୍–ପୁଣି ପିଲାଙ୍କ ଦାୟିତ୍ୱ ଭିତରେ ବି ସେ ସଦାସର୍ବଦା ପ୍ରସନ୍ନ ଆଉ ଶାନ୍ତ ରହୁଥାନ୍ତି । ମନର ବ୍ୟଥା କାହାକୁ ଜଣାଇ ଦିଅନ୍ତି ନାହିଁ ।

 

ଦିନ ତ ଆଉ କାହାକୁ ଅପେକ୍ଷା କରେନା–ସେ ଛୁଟେ ଆଗକୁ । ସୁଖ ଆଉ ଦୁଃଖ ଭିତର ଦେଇ ୟା’ ଭିତରେ କେତେଟା ବର୍ଷ ବିତିଗଲାଣି । ମାଆର ମୃତ୍ୟୁ ବ୍ୟଥାରେ ଆଗଭଳି ଅଧୀର ହୋଇ କାନ୍ଦି ଗଡ଼ୁନାହାନ୍ତି ଏବେ ବିନୟ ଓ ମାଧୁରୀ । ସମୟର ବ୍ୟବଧାନରେ ସେମାନେ ବି ବଦଳିଛନ୍ତି–ସେମାନେ ଆଜି ପୂର୍ଣ୍ଣ ଯୁବକ ଯୁବତୀ ।

 

ବିନୟ ପଢ଼େ କଲେଜରେ–ଆଉ ମାଧୁରୀ ପଢ଼େ ସ୍କୁଲରେ । ଦୀର୍ଘଦିନପରେ କର୍ମକ୍ଷେତ୍ରରୁ ଅବସର ନେବାକୁ ବାହାରିଲେଣି ଶିବବାବୁ । ତାଙ୍କର ଏଣିକି ପ୍ରଧାନ ଚିନ୍ତା ମାଧୁରୀର ବିବାହ– । ମାଧୁରୀ ଆଉ ପିଲା ନୁହେଁ...ବୟସ ତାକୁ ବଡ଼ କରି ଦେଇଛି, ମାଆ ନଥିବା ଘରେ ଝିଅଟାକୁ ଆଉ ବେଶିଦିନ ରଖିବା ଉଚିତ ନୁହେଁ ।

 

ଯୋଗ୍ୟ ପାତ୍ର କାହିଁ ? କାହା ହାତରେ ଟେକିଦେବେ ତାଙ୍କର ସୁନାପ୍ରତିମା ମାଧୁରୀକୁ-? ପିଲାଦିନୁ ମାଆ ନ’ଥିବାରୁ ଉଭୟଙ୍କ ସ୍ଥାନ ପୂରଣ କରିଥିଲେ ବାପା । ଆଜି ଏ ବୟସରେ ମଧ୍ୟ ମାଧୁରୀ ତା’ ବାପାଙ୍କୁ ଆଦୌ ସଂକୋଚ କରିପାରେ ନାହିଁ । ଆଜି ମଧ୍ୟ ସେ ବାପାଙ୍କ ପାଖରେ ପିଲାଟିଏ ଭଳି ଚଳେ । ଏଣୁ ତେଣୁ ପ୍ରଶ୍ନ ପଚାରି ବିବ୍ରତ କରିପକାଏ ।

 

ଏହି ଅଲିଅଳ ଝିଅଟିର ଭବିଷ୍ୟତ ସଂବଧେ ବହୁତ ଚିନ୍ତା କରନ୍ତି ଶିବବାବୁ । ଭାବନା ସରେ ନାହିଁ–ସେ ଯେ ଅସରନ୍ତି । ଲୀଳାବତୀ ଥିଲେ ତାଙ୍କୁ ଏତେ ଭାବିବାକୁ ପଡ଼ନ୍ତା ନାହିଁ । ବିନୟ ତ ପୁରୁଷ ପିଲା–ତା’ ପାଇଁ ଚିନ୍ତା କରିବାର କିଛି ନାହିଁ–ନିଜ ଗୋଡ଼ରେ ସେ ନିଜେ ଠିଆହୋଇ ପାରିବ, ତା’ର ବିବାହ ଡେରି ହେଲେ ବି କିଛି କ୍ଷତି ନାହିଁ; କିନ୍ତୁ ମାଧୁରୀ–ତା’ର ବିବାହ ଯେ ନିହାତି ଶୀଘ୍ର କରିବା ଦରକାର । କେତେଦିନ ଆଉ ଚିନ୍ତା କରିବେ ଶିବବାବୁ–କେଉଁଠି ମିଳିବ ତାଙ୍କର ମନୋନୀତ ପାତ୍ର ?

 

ଦୀର୍ଘନିଶ୍ୱାସ ତ୍ୟାଗ କରନ୍ତି ଶିବବାବୁ । ତାଙ୍କ ଆଖିରେ ମାଧୁରୀ ଏବେ ବି ପିଲା...କିମିତି ସେ ପରଘରେ ଯାଇ ଚଳିବ । ବାପାଙ୍କ ସଙ୍ଗେ ନ ଖାଇଲେ ଯା’ର ମନବୋଧ ହୁଏନା–ବାପାଙ୍କ ସଙ୍ଗେ ବୁଲି ଯିବାପାଇଁ ଯିଏ ଅସ୍ଥିର ହୋଇ ଉଠେ–ଦିନେ ବୁଲି ନ ଗଲେ ପାଗଳୀ ପରି ହୁଏ, ସେ ପୁଣି ଚଳିବ ପରଘରେ ?

 

ଶିବବାବୁ ପୁଣି ଭାବନ୍ତି ହଁ–ନ ହବ ବା କାହିଁକି ? ଘରେ ତ ମାଆ ନାହିଁ–ସାନ ଭାଇ କି ଭଉଣୀଟିଏ ବି ନାହିଁ; ବିନୟ ତ ତା’ ସାଙ୍ଗମାନଙ୍କ ସଙ୍ଗେ ବୁଲିଲା–ସେ ଏବେ ଏକା କେତେ ଘରେ ରହିବ ? କୋଉଦିନ କେମିତି ତା’ ସାଙ୍ଗସାଥି ଜଣେ ଜଣେ ଆସନ୍ତି–ବହିପଢ଼ା ଆଉ ରେଡ଼ିଓ ଶୁଣାରେ କ’ଣ ମଣିଷ ଖାଲି ତୃପ୍ତିପାଏ ?

 

ମାଧୁରୀର ନିଃସଙ୍ଗ ଜୀବନର ବ୍ୟଥାଟା ଶିବବାବୁଙ୍କୁ ମଧ୍ୟ ବ୍ୟଥାଦିଏ । ପ୍ରତିକାର ପାଇଁ ସେ ବିବ୍ରତ ହୋଇପଡ଼ନ୍ତି ।

 

‘‘କେତେଥର ଭଲ ଛବିଟିଏ ମାଗିଛି ସୁକାନ୍ତବାବୁ ! କାହିଁ ଏ ଯାଏଁ ତ ଖଣ୍ଡେ ବି ମିଳିଲା ନାହିଁ...ମତେ ଯେବେ ସେମିତି ଆଙ୍କି ଆସୁଥାନ୍ତା ନାଁ–ମୁଁ ବା ଆପଣଙ୍କୁ ମାଗନ୍ତି କାହିଁକି ?’’ ଅଭିମାନିଆଁ ସ୍ୱରରେ କହି କାଗଜ ଉପରେ ଅନ୍ୟମନସ୍କ ହୋଇ ଗାର ଟାଣୁଥିଲା ମାଧୁରୀ–

 

କାଗଜଖଣ୍ଡ ଟାଣିନେଇ ସୁକାନ୍ତ କହିଲା–କାହିଁକି... ? ତମକୁ କ’ଣ ଆସେନା ? ସେ ଦିନର ସେ ସ୍କେଚଟା ତ ମନ୍ଦ ହେଲା ନାହିଁ ତମର ? ଚାହିଁଦେଖ ଗୋଧୂଳୀର ପଶ୍ଚିମ ଆକାଶକୁ–କେତେରଙ୍ଗରେ ଚିତ୍ରିତ ହୋଇଛି ଚକ୍ରବାଳ–ଅସ୍ତଗାମୀ ସୂର୍ଯ୍ୟଙ୍କର ଲାଲରଶ୍ମି ବିଛାଡ଼ି ହୋଇ ପଡ଼ିଛି ଧରା ବୁକୁରେ...ଉଡ଼ି ଯାଉଛନ୍ତି ବସାବାହୁଡ଼ା ପକ୍ଷୀଦଳ...ଆଉ ବୃକ୍ଷ ଲତାରେ ପ୍ରସ୍ଫୁଟିତ ହୋଇଆସୁଛି ସଦ୍ୟ କୁସୁମ ।

 

ଚିତ୍ର ଆଙ୍କିବସିଲେ ମନଭିତରେ ୟା’ର ପ୍ରଭାବ ନିଶ୍ଚୟ ପଡ଼ିଯିବ । ତେଣିକି ପେନ୍‍ସିଲ୍‍ ଚଳିବ ଆଗେଇ...ରୂପ ରଙ୍ଗ ତ ଆପଣାଛାଏଁ ଦେଇ ହୋଇଯିବ, କ’ଣ ମନଦେଇ ଦେଖୁଛିଟି ???

 

–“ହଁ...ଦେଖୁଛି’’

 

–ନାଁ, ଏମିତି ଅନ୍ୟମନସ୍କ ହେଲେ ଚଳିବ ନାହିଁ । ଟିକିଏ ଚେଷ୍ଟାକଲେ ତମେ ଅଳ୍ପଦିନରେ ମତେ ବଳେଇଯିବ, ଏଇଟା ତ ପାଠପଢ଼ା ନୁହେଁ ଯେ–ଘୋଷି ଘୋଷି ମନେ ରଖିବାକୁ ହେବ । ଖାଲି ଗଭୀର ଭାବଧାରା ଆଉ ଟିକିଏ ଟିକିଏ ଅଭ୍ୟାସ...କଣ ଶୁଭୁଛି ??

 

“ହଁ, ହଁ, ସବୁ ଶୁଭୁଛି । ଆପଣ ମତେ ଏତେ ଅନ୍ୟମନସ୍କ ବୋଲି ଭାବନ୍ତୁ ନାହିଁ’’ ହସି ହସି ଉତ୍ତର ଦେଲା ମାଧୁରୀ ।

 

ଅସ୍ତଗାମୀ ସୂର୍ଯ୍ୟଙ୍କର ଲାଲରଶ୍ମି ବିଞ୍ଚିହୋଇ ପଡ଼ିଥାଏ ମାଧୁରୀର ସୁନ୍ଦର ମୁଖମଣ୍ଡଳଟିରେ । ସେ ଦିଶୁଥାଏ ଆହୁରି ସୁନ୍ଦର । ସୁକାନ୍ତ କାଗଜ ଆଉ ପେନ୍‍ସିଲ୍‍ ନେଇ ଆଙ୍କି ବସିଲା ଗୋଟିଏ ଛବି–

 

ଅଙ୍କାବଙ୍କା କେଇଟା ଗାର ଭିତରେ ଫୁଟି ଉଠିଲା ଗୋଟିଏ ନାରୀର ପ୍ରତିମୂର୍ତ୍ତି । ସୁକାନ୍ତର ଆଙ୍କିବା ଠାଣୀକୁ ଏକ ଲୟରେ ଚାହିଁରହିଲା ମାଧୁରୀ । ସେ ଏତେ ଶୀଘ୍ର ମୋଟେ ଗାରଟାଣି ପାରୁନାହିଁ–କି ଫୂର୍ତ୍ତି ସୁକାନ୍ତବାବୁଙ୍କ ହାତ ।

 

ପଛପଟରୁ ଆସି ଛବିଟା ଟାଣି ନେଲା ବିନୟ ।

 

–ବାଃ, ଚମତ୍କାର ଆଙ୍କିଛୁ ସୁକାନ୍ତ ! ଆଉ ତୁ କେତେ ଦୂର ଆଗେଇଲୁ ମାଧୁରୀ । ସୁକାନ୍ତ ତ ଚିତ୍ର ଆଙ୍କିବା ପାଇଁ ପାଗଳ....ଆଉ ତୁ’ବି ସେମିତି ହେବାକୁ ବସିଛୁ ମାଧୁରୀ ? ସେ ତ ବଡ଼ ଘରର ପିଲା....ଅଭାବ ନାହିଁ....ଅସୁବିଧା ନାହିଁ....ଭବିଷ୍ୟତରେ ପେଟଚିନ୍ତା ବି କରିବାକୁ ପଡ଼ିବ ନାହିଁ; ଛବିଆଙ୍କି ଅବସର ସମୟଟା ବିତେଇ ଦେଲେ କିଛି କ୍ଷତିନାହିଁ । ଆଉ ତୁ ? ପରଘରେ ଚୁଲି ଫୁଙ୍କୁ ଫୁଙ୍କୁ ଛବି ଆଙ୍କୁଥିବୁ ଅଙ୍ଗାରକାଳିରେ ?

 

ଲାଜରେ ଝାଉଁଳି ପଡ଼ିଲା ମାଧୁରୀ–ସେ ସେଠାରୁ ଉଠିପଡ଼ି କହିଲା, “ଯାଃ....ଭାଇଙ୍କର ଯେଉଁ କଥା....ମୁଁ କାହିଁକି ପରଘରକୁ ଯିବି ଯେ–ମୋର ଦୁଃଖ ସରୁ ନାହିଁ ।’’

 

ତା’ କଥା ଶୁଣି ସୁକାନ୍ତ ହସିଲା–ବିନୟ ବି ହସିଲା । ସୁକାନ୍ତ କହିଲା, “ଦେଖୁଛି, ବେଶ୍ ବାଗେଇ ବାଗେଇ କଥା ତତେ କହିଆସେ ବିନୟ....ଏବେଠୁ ତୋ’ ଉପରେ ପରିବାର ଚିନ୍ତା ପଡ଼ିଲାଣି ଯେପରି ।’’

 

“ଏବେଠୁଁ ନ ହେଲେ ବି ଯେବେହେଲେ ତ ନିଶ୍ଚୟ ପଡ଼ିବ । ମୁଁ ତ ଆଉ ତୋ’ ଭଳି ଜମିଦାର ଘରର ପିଲା ନୁହେଁ–ଅୟସରେ ବୁଲିବି, ଛବି ଆଙ୍କିବି ? ମତେ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ, କୌଣସିମତେ ସାର୍ଟିଫିକେଟ ଖଣ୍ଡେ ହାସଲ କଲେ ତେଣିକି ଜୀବନଯାତ୍ରାପାଇଁ ଲୋଡ଼ା ଖଣ୍ଡେ ଚାକିରି ।’’ ଅନ୍ୟମନସ୍କ ଭାବରେ ଟେବୁଲ୍ ଉପରେ ବହିଗୁଡ଼ାକ ଓଲଟାଉ ଓଲଟାଉ କଥାକହି ଚାଲିଥିଲା ବିନୟ ।

 

ସୁକାନ୍ତ ମୃଦୁ ହସିଲା । କହିଲା, “ତୁ କ’ଣ ଭାବୁଛୁ ବିନୟ ଶିକ୍ଷାଟା ଜୀବିକାନିର୍ବାହର ସହାୟତା ଛଡ଼ା ଅନ୍ୟକିଛି ନୁହେଁ ?’’

 

“ନାଁ, ନାଁ, ତା’ କାହିଁକି ଭାବିବି ? ଶିକ୍ଷାର ଆସନ ସବୁବେଳେ ଉପରେ, ମାତ୍ର ତମଭଳି ବଡ଼ଲୋକ, ରାଜା ଜମିଦାର ପିଲାମାନେ ପାଠପଢ଼ନ୍ତି କେବଳ ସଉକରେ । ଆମଭଳି ମଧ୍ୟବିତ୍ତ ପରିବାର ପିଲାଙ୍କର ପଢ଼ାପଛରେ ରହିଛି, ବଡ଼ ଚାକିରି ଆଉ ବଡ଼ ସମ୍ମାନ ଲାଭ କରିବାର ଅଦମ୍ୟ ପିପାସା । ତେଣୁ କାନ୍ଦି କୁନ୍ଥେଇ ଯେପରି ହେଉ ଆମକୁ ପଢ଼ିବାକୁହିଁ ହେବ ।’’

 

ବିନୟ କଥାଶୁଣି ସୁକାନ୍ତ ହସି ଉଠିଲା–ବିନୟକୁ ହଲାଇ ଦେଇ ସେ କହିଲା, “ଓଃ.....ତୁ ତା’ହେଲେ ମତେ ଆକ୍ଷେପ କରି କହୁଛୁ ବିନୟ ? ତୁ ନିଶ୍ଚୟ ରାଜା, ଜମିଦାରମାନଙ୍କୁ ଘୃଣାକରୁ–ପ୍ରକୃତରେହିଁ କରିବାର କଥା ଏକା–ନିଜର କିଛି ଯୋଗ୍ୟତା ଥାଉ ନଥାଉ ପୁରୁଷାନୁକ୍ରମେ ଗୋଟାଏ ଗୋଟାଏ ବିରାଟ ସମ୍ପତ୍ତିର ମାଲିକ ହୋଇ ଅସଦ୍ ଖର୍ଚ୍ଚ କରି ଧନ ଉଡ଼ାଇବା ଓ ପରଉପରେ କ୍ଷମତା ବିସ୍ତାର କରିବା ଅନ୍ୟାୟ ନିଶ୍ଚୟ ।

 

ଯା ହେଉ ସେ ଯୁଗ ଯାଇଛି । ଆମ ସରକାର ଏବେ ରାଜା ଜମିଦାରମାନଙ୍କୁ ଦେଶର ସାଧାରଣ ନାଗରିକଙ୍କ ସଙ୍ଗେ ସମାନ କରି ଥୋଇ ଦେଇଛନ୍ତି । ବାପା ସିନା ଜମିଦାର ହୋଇଥିଲେ, ମାତ୍ର ମୁଁ ତ ହେବି ନାହିଁ । ସେମାନଙ୍କ ସଙ୍ଗେ ମତେ ଯେପରି ଗଣନା ନ କରୁ ।’’

 

ବିନୟ ହସିଲା ଫିକା ହସ–କି ସୁନ୍ଦର ପିଲା ଏଇ ସୁକାନ୍ତ–ଟିକିଏ ବି ଗର୍ବ ଅହମିକା ନାହିଁ । ଯେତିକି ଶାନ୍ତ, ସେତିକି ନମ୍ର, ପ୍ରକୃତରେ ତାକୁ ଦେଖିଲେ ସ୍ୱତଃ ଶ୍ରଦ୍ଧା ଆସେ ।

 

ବିନୟର ନୀରବତା ଦେଖି, ସୁକାନ୍ତ କହିଲା, “ଏତେ କ’ଣ ଭାବୁଛୁ ବିନୟ... ? ତୋର ନିଶ୍ଚୟ ମୋ ଉପରେ ମନରେ ଘୃଣା ଅଛି ।’’

 

“ହଁ, ସୁକାନ୍ତ ଅଛି’’ ମୁଁ ଘୃଣାକରେ କେମିତି କହିଲୁ–“ଯେପରି କୋକିଶିଆଳି ଅଙ୍ଗୁରକୁ ଖଟାଫଳ କହେ’’ ଯେଉଁଟା ମୋର ନାହିଁ କିମ୍ବା ହୋଇ ପାରିବ ନାହିଁ, ତାକୁ ଘୃଣାକରି ମନର ଓରିମାନା ମେଣ୍ଟାଇ ଦବାଛଡ଼ା ଆଉ କ’ଣ ଅଛି ?

 

ସୁକାନ୍ତ କଥା ଶୁଣି ବିନୟ ଜୋରରେ ହସି ଉଠିଲା । ମାଧୁରୀ ୟା’ ଭିତରେ କେତେବେଳେ ଘର ଭିତରକୁ ପଶି ଯାଇଛି ସେକଥା କାହାକୁ ଜଣାନାହିଁ, କେତେବେଳ ଯାଏ ଦୁହେଁ ହସିଥାନ୍ତେ କେଜାଣି ଶିବବାବୁ ଆସୁଥିବା ଦେଖି ଦୁହେଁ ଚୁପ୍ ହୋଇ ଠିଆହେଲେ ।

 

ଶିବବାବୁ ଗୋଟିଏ ଚେୟାର ଉପରେ ବସିପଡ଼ି କହିଲେ, “ଆରେ ତମେ ସବୁ ଠିଆହେଲ କାହିଁକି ବସିପଡ଼ ।’’ ବାଧ୍ୟ ଶିଶୁପରି ଦୁହେଁ ବସିଲେ । ପଢ଼ାପଢ଼ି ବିଷୟନେଇ ଆଲୋଚନା କରୁ କରୁ ହଠାତ୍ ଶିବବାବୁଙ୍କ ନଜରରେ ପଡ଼ିଗଲା ସୁକାନ୍ତର ଆଙ୍କିଥିବା ଅସମ୍ପୂର୍ଣ୍ଣ ଛବି ଖଣ୍ଡିକ ଉପରେ । ସେ ତାକୁ ଆଗ୍ରହରେ ଉଠାଇଆଣି ମୁଗ୍ଧ ଦୃଷ୍ଟିରେ ଚାହିଁ ଚାହିଁ କହିଲେ, “ବାଃ, ସୁନ୍ଦର ହୋଇଛି–କିଏ ଆଙ୍କିଛି ୟା’କୁ ?’’

 

ଭୟ ଓ ଲଜ୍ଜାରେ ସୁକାନ୍ତର ମୁହଁ ସେତେବେଳକୁ ଲାଲ୍ ପଡ଼ିଗଲାଣି । ଶିବବାବୁ ପ୍ରଫେସର, ସେ ଛାତ୍ର–କାଳେ ସେ କହିବେ–ପଢ଼ାପଢ଼ି ଛାଡ଼ି ପିଲାଏ ଏପରି ଚଗଲା ହେଉଛନ୍ତି ବୋଲି; ମାତ୍ର ତାଙ୍କ ମୁହଁରୁ ପ୍ରଶଂସା ଶୁଣି ସେ ଟିକେ ଆଶ୍ୱସ୍ତ ହେଲା । ବିନୟ ସୁକାନ୍ତକୁ ଚାହିଁ ମୃଦୁ ହସି କହିଲା–

 

“ବାପା, ୟା’କୁ ସୁକାନ୍ତ ଆଙ୍କିଛି ପରା–ଏଟା ତ ସରିନାହିଁ-ଭାରି ସୁନ୍ଦର ସୁନ୍ଦର ଛବି ସେ ଆଙ୍କେ...ଆପଣ ସେସବୁ ଦେଖିଲେ ଅତି ଖୁସିହୁଅନ୍ତେ ।’’

 

ଶିବବାବୁଙ୍କ ଗମ୍ଭୀରତା କଟିଗଲା–ସେ ହୋଇ ଉଠିଲେ ପ୍ରଗଳ୍‍ଭ...ସେ ଖୁସିହୋଇ କହିଲେ, “ସତେ ? ବେଶ୍ ଭଲକଥା–ମୋର ଯେମିତି ଖିଆଲ ହେଉଛି, ସୁକାନ୍ତର ଛବି ଅନ୍ୟ କେଉଁଠି ଦେଖିଛି; କିନ୍ତୁ ସେ କଥାକୁ ମୁଁ ଏତେ ଜୋର୍ ଦେଇ ନଥିଲି, ଦେଖିଛି, ଦେଖିଛି ।’’

 

ହଁ, ବାପା–ଦେଖିଥିବେ ନିଶ୍ଚୟ । ସୁକାନ୍ତ ଏ ପର୍ଯ୍ୟନ୍ତ ନୀରବରେ ବସିଥିଲା, ଶିବବାବୁ ତା’ଛବି ଦେଖି ଖୁସିହୋଇଛନ୍ତି ଜାଣି ରହି ରହି ସେ କହିଲା–ସେମିତି କିଛି ଭଲହେଉନି ସାର୍, ବିନୟ ମତେ ଉପହାସ କରୁଛି, ଚିତ୍ରଅଙ୍କା ସାମାନ୍ୟ ଆସେ ମତେ–

 

ଶିବବାବୁ ଜୋର୍‍ ଦେଇ କହିଲେ, “ନାଁ, ନାଁ ଉପହାସ କାହିଁକି ? ତମ ଛବି ତ ଖୁବ୍ ଭଲ ହେଉଛି । ପାଠପଢ଼ା ସଙ୍ଗେ ସଙ୍ଗେ, ଅନ୍ୟ କୌଣସି ଆର୍ଟସ୍‍ ରହିବାଟା ତ ନିହାତି ଭଲ ଅଭ୍ୟାସ । ଏହି ଲେଖାଲେଖି, ଚିତ୍ରଅଙ୍କା, ସଙ୍ଗୀତ, କିଛି ନା କିଛି–ଆମ ବିନୟଦ୍ୱାରା କିଛି ହେଲାନାହିଁ ।’’

 

ମୋର ସିନା ହେଲାନାହିଁ ବାପା–ଆମ ମାଧୁରୀ ମଧ୍ୟ ସୁନ୍ଦର ଛବି ଆଙ୍କିଲାଣି । ଲେଖାଲେଖି ବି ଅଳ୍ପ ଅଳ୍ପ କରୁଛି । ବଳିପଡ଼ି କହିଲା ବିନୟ । ଶିବବାବୁ ଆଶ୍ଚର୍ଯ୍ୟ ଆଉ ଆନନ୍ଦ ହୋଇ କହିଲେ–

 

“ଏଁ–ଆମ ମାଧୁରୀ ? ସତେ ନା କ’ଣ ?’’

 

ହଁ ବାପା–ଉତ୍ତର ଦେଲା ବିନୟ ।

 

“ମାଧୁରୀ, ମାଧୁରୀ–ଏଣେ ଆ’ତ ମାଆ–ବଡ଼ ପାଟିରେ ଶିବବାବୁ ଡାକଛାଡ଼ିଲେ । ମାଧୁରୀ ଟିକିପିଲା ପରି ଧାଇଁ ଧାଇଁ ଆସି ବାପାଙ୍କ ପାଖରେ ପହଞ୍ଚିଲା ।

 

କଣ ବାପା ମତେ ଡାକିଲେ ?

 

ସସ୍ନେହରେ ମାଧୁରୀର ମୁଣ୍ଡରେ ହାତବୁଲାଇ ଶିବବାବୁ କହିଲେ, “ତୁ କାଳେ ଛବିଆଙ୍କୁଛୁ, ଗୀତ ଲେଖୁଛୁ,–କାହିଁ ଏ ଯାଏଁ ତ ମତେ କହିନୁ ମାଆ–କାହିଁ କେମିତି ସବୁ ଚିତ୍ର ଆଙ୍କୁଛୁ ଗୀତ ଲେଖୁଛୁ ଆଣ ତ ମୋ’ ପାଖକୁ, ମୁଁ ଦେଖିବି ।’’

 

ମାଧୁରୀ ଲାଜରେ ସଢ଼ିଗଲା । କହିଲା, ଯୋଉ ବାଜେ ଛବି, ଆଉ ଗୀତ ତାକୁ ମୁଁ କ’ଣ ସାଇତି ରଖୁଛି ବାପା ! ଏଣୁ ତେଣୁ ଗାରେଇ ଦେଇ ଚିରି ଦେଉଛି ପରା । ସୁକାନ୍ତବାବୁ ବହୁତ ଭଲଚିତ୍ର ଆଙ୍କନ୍ତି–ତାଙ୍କୁ ଯେତେଥର କହୁଛି ଶିଖାଇ ଦେବାକୁ–ସେ’ କ’ଣ ଦେଉଛନ୍ତି କି ?

 

ଶିବବାବୁ ହସିଲେ ମାଧୁରୀର ପ୍ରଗଳ୍‍ଭରେ ! କହିଲେ, ‘‘ଆରେ ପାଗଳୀ ! ଏକାଥରେ କେହି ତ ବଡ଼ ହୋଇନାହିଁ, ଯାହା ଆଙ୍କୁଛୁ, ଯାହା ଲେଖୁଛୁ ତାକୁ ସବୁ ନଷ୍ଟ ନ କରି ସାଇତି ରଖ । ଆସ୍ତେ ଆସ୍ତେ ଖରାପରୁ ଭଲ ହୋଇଯିବ । ଆଚ୍ଛା, ବାପା ସୁକାନ୍ତ ତମେ ଯେତେବେଳେ ଯେମିତି ଆସୁଛ ଛବିଅଙ୍କାର ଶୈଳୀ ଟିକେ ଆମ ମାଧୁରୀକୁ ବତାଇ ଦେଇ ପାରିବ ? ତମେ ତ ଏ ଘରର ପୁଅପରି–ଅନ୍ୟ କିଛି ଭାବିବ ନାହିଁ ? ତମର ଅସୁବିଧା ହେବ କି ?

 

ସୁକାନ୍ତ ମୄଦୁହସି କହିଲା, “ନାଇଁ ସାର୍–ମୋର ଅସୁବିଧା କିଛିନାହିଁ, ଯେତେବେଳେ ଆସିବି, ଯେତିକି ମୁଁ ଜାଣେ ସେତିକି ସାହାଯ୍ୟ ନିଶ୍ଚୟ କରିବି । ମାଧୁରୀର ପ୍ରତିଭା ଅଛି ଟିକିଏ ପରିଶ୍ରମ କଲେ ଭଲ ଆର୍ଟିଷ୍ଟ ହୋଇଯିବ ।’’

 

‘ବେଶ୍–ବେଶ୍ ତମେ ତ ବାପା ଜମିଦାର ଘରର ପୁଅ–କଥାଟାକୁ ଖରାପ ଦୃଷ୍ଟିରେ ଯେପରି ନ ନିଅ ।’

 

କଥା ଛଡ଼ାଇ ନେଇ ସୁକାନ୍ତ କହିଲା, “ଆପଣ ବି ସେୟା କହିଲେ ସାର୍, ଜମିଦାର ଘର ପୁଅ କହି ମତେ ଆଉ ଲଜ୍ଜିତ କରନ୍ତୁ ନାହିଁ ।’’

 

–“ମୁଁ ଜାଣେ, ତମଠାରେ ସେ ଅହମିକା ଆଦୌ ନାହିଁ । ତମଭଳି ପିଲାକୁ ଲଜ୍ଜିତ କରିବା ମୋର ଅନ୍ୟାୟ ହେବ ସୁକାନ୍ତ–ତମେ ମୋର ପୁଅପରି । ହଁ, ମା-ମାଧୁରୀ ପୁଝାରୀକୁ କହ ତ ଏଇଠିକି ସମସ୍ତଙ୍କ ପାଇଁ ଜଳଖିଆ ଆଣୁ ।’’

 

ମାଧୁରୀ ଚାଲିଗଲା । ପୁଝାରୀ ଜଳଖିଆ ଧରି ଅଳ୍ପ ସମୟ ପରେ ଆସିଲା । ଶିବବାବୁଙ୍କ ଅନୁରୋଧରେ ସୁକାନ୍ତ ବାଧ୍ୟରେ ଖାଇଲା । ନାନାପ୍ରକାର ପାଠକଥା, ଦେଶକଥା ଭିତରେ ଖାଇବା ସମୟଟି ସୁନ୍ଦର ଭାବରେ କଟିଲା ।

 

ମାଧୁରୀର ବିବାହ ଚିନ୍ତାରେ ବିବ୍ରତ ହୋଇ ପଡ଼ନ୍ତି ଶିବବାବୁ । କୋଉଠି ବିଭାଦେବେ ତାଙ୍କ ମାଧୁରୀକୁ । ମାଧୁରୀ ଆଉ ପିଲା ନୁହେଁ–ଏଣିକି ସେ ତା’ର ସଂସାର ଗଢ଼ିବ । ଉପଯୁକ୍ତ ପାତ୍ରଟିଏ ଲୋଡ଼ା । ବହୁତ ଆଡ଼ୁ ବହୁତ ପ୍ରସ୍ତାବ ଆସେ–ମାତ୍ର ସର୍ବଗୁଣସମ୍ପନ୍ନ ପାତ୍ର ଶିବବାବୁଙ୍କ ଆଖିରେ ପଡ଼େନାହିଁ–ମନ ମାନେ ନାହିଁ ।

 

ଶେଷରେ ତାଙ୍କ ମନକୁ ଆସିଲା ଭଳି ପ୍ରସ୍ତାବଟିଏ ଆଖିରେ ପଡ଼ିଲା–ମନ ମାନିଲା । ସେ ସ୍ଥିରକଲେ ଯାହାପାଇଁ ଏ ଆୟୋଜନ ସେହି ମାଧୁରୀ ସଙ୍ଗେ ପ୍ରଥମେ ଏସବୁ କଥା ଆଲୋଚନା କରିବା ଦରକାର । ଝିଅ ହେଲେ ବି ତା’ର ମତାମତ ତ ଅଛି ।

 

ଦିନେ କଥା ପ୍ରସଙ୍ଗରେ ଶିବବାବୁ କହିଲେ–“ଗୋଟିଏ ପ୍ରଶ୍ନ ପଚାରିବି ମାଆ–ତୁ ନିଶ୍ଚୟ ଠିକ୍ ଠିକ୍ ଉତ୍ତର ଦେବୁ ବୋଲି ମୋର ଆଶା ।’’

 

ମାଧୁରୀ ବିସ୍ମିତ ହୋଇ କହିଲା–କଣ ବାପା, ସଫା କହୁନାହାନ୍ତି କାହିଁକି ? ଟିକିଏ ନୀରବ ରହି ଶିବବାବୁ ପୁଣି ଆରମ୍ଭ କଲେ ‘ଦିନରାତି ତୋ ଚିନ୍ତା ମତେ ବ୍ୟସ୍ତକଲା ମାଆ–ତୋ ମାଆ ଯଦି ଆଜି ଥାଆନ୍ତେ, ତେବେ ଏତେ କଷ୍ଟ ଲାଗନ୍ତା ନାହିଁ–’

 

ଶିବବାବୁଙ୍କ କଣ୍ଠରୋଧ ହୋଇ ଆସିଲା । ମୃତପତ୍ନୀଙ୍କ ସ୍ମୃତି ଆଖି ଆଗରେ ନାଚି ଉଠିଲା, ଆଖିରୁ ଝରିଲା ଦି’ଠୋପା ଲୁହ–ଜୀବନ ଯୌବନର ସାଥି ଲୀଳା ଆଜି କେଉଁଠି ? ଯେଉଁ ପୁଅ ଝିଅଙ୍କ ଦାୟିତ୍ୱ ସେ ତାଙ୍କ ଉପରେ ଦେଇ ଯାଇଥିଲେ, ଏ ଯାଏଁ ସେ ଠିକ୍ ବହନ କରି ଆସିଛନ୍ତି । କେବେ ପିଲାମାନେ ମଣିଷ ହେବେ ଦାୟିତ୍ୱ ମୁଣ୍ଡ ଉପରୁ ଯିବ ।

 

ବାପାଙ୍କ ବ୍ୟଥା ଅବୁଝା ରହିଲା ନାହିଁ ମାଧୁରୀକୁ । ବାପା ଯେ ତା’ପାଇଁ ବ୍ୟସ୍ତ ସେ ବେଶ୍ ବୁଝି ପାରିଲା ।

 

ସେ ବ୍ୟସ୍ତ ହୋଇ କହିଲା, ‘ଥାଉ ବାପା, ମୁଁ ତ ବେଶ୍ ଭଲଅଛି–କାହିଁକି ଯେ ଆପଣ ମୋ ପାଇଁ ବ୍ୟସ୍ତ ହେଉଛନ୍ତି ମୁଁ ବୁଝି ପାରୁନାହିଁ । ଆପଣଙ୍କ ଭଳି ଯାର ବାପା ଅଛି–ତା’ର ପୁଣି ଅଭାବ କ’ଣ ?’

 

କୋଠାଛାତରେ ଡାଆଁଣିଆ ଖରା.....ପାରା ଦୁଇଟି ଖୁମ୍ପୁରା ଖୁମ୍ପୁରି ହେଉଛନ୍ତି । ବାଜଟାଏ ଉଡ଼ିଯାଉଛି ଆକାଶରେ । ପିଞ୍ଜରା ଭିତରେ ଶୁଆଟା କଟର କଟର ହେଉଛି । ଝିଅ ମୁଣ୍ଡରେ ସ୍ନେହରେ ହାତ ବୁଲାଇଲେ ଶିବବାବୁ । ନାଁ, ରେ ମାଆ–ତୋର ବିବାହ ନ ସରିବା ଯାଏଁ ମୁଁ ଶାନ୍ତି ପାଉନାହିଁ । ପ୍ରସ୍ତାବ ତ ବହୁତଆଡ଼ୁ ଆସୁଛି–ଗୋଟିଏ ପ୍ରସ୍ତାବ ମୋର ବନ୍ଧୁ ଆଡଭୋକେଟ୍ ରାମଚନ୍ଦ୍ରର ପୁଅ ଇଞ୍ଜିନିୟର ପରେଶପାଇଁ ଆସିଛି । ସେ ଭାରି ଭଲପିଲା.....ତା’ର ବାପା ନିଜେ ପ୍ରସ୍ତାବ ଦେଇଛି ।

 

ପରେଶ ଗଲାବର୍ଷଠାରୁ ଚାକିରି କଲାଣି । ତା’ ବାପା ବିରାଟ ଧନୀ । ସେଇ ଗୋଟିଏ ବୋଲି ପୁଅ ତାଙ୍କର । ଚାକିରି ସେ କରିଛି.....ମୋର ବିଶ୍ୱାସ ସେଠାରେ ତୁ ଶାନ୍ତି ପାଇବୁ ? ଯଦି ସେଠାରେ ମନକୁ ନ ଯାଏ ଅନ୍ୟଠି ବୁଝିବା ।

 

ମାଧୁରୀ ନୀରବ–ଜୀବନ ସାରାପାଇଁ ସେ’ ବାଛିବ ଜଣକୁ । .....ପରେଶ । ନାଁ ଟା ଶୁଣିଛି, ଅତି ପିଲାବେଳେ ପିଲାଳିଆ ଚେହେରା ତା’ର ଥରେ ଅଧେ ଦେଖିଛି, ଭଲକି ମନେ ପଡ଼ୁନାହିଁ, ହେଲେ ସେ ସୁନ୍ଦର, ସେ ଶିକ୍ଷିତ । ବାପାଙ୍କର ମନୋନୀତ; କିନ୍ତୁ ବାପା ତା’ ଉପରେ ଏ ଦାୟିତ୍ୱ ଛାଡ଼ି ଦେଉଛନ୍ତି କାହିଁକି ? କି ଉତ୍ତର ଦେବ ସେ ?

 

ମାଧୁରୀର ନୀରବତା ଲକ୍ଷ୍ୟକରି ଶିବବାବୁ ପୁଣି ପ୍ରଶ୍ନକଲେ “ନୀରବ ରହିଲୁ କାହିଁକି ମାଆ–ତୋ’ ମନକଥା ତୁ ନିଃସଙ୍କୋଚରେ କହ । ତୋ’ ମତାମତ ନ ନେଇ ମୁଁ କିଛି କରିପାରିବି ନାହିଁ । ଏଥିରେ ତୋର ଲାଜ କରିବାର କିଛିନାହିଁ ।’’

 

ମାଧୁରୀ ଏତେଶୀଘ୍ର ତା’ର ଭାଗ୍ୟ ନିଷ୍ପତ୍ତି କରିପାରୁ ନଥିଲା–ତା’ଛଡ଼ା.....ଯେଉଁ ବାପାଙ୍କୁ ସେ ଜୀବନଭଳି ଭଲପାଏ, ତାଙ୍କୁ ଛାଡ଼ି କୁଆଡ଼େ ଦୂରକୁ ଚାଲିଯିବ–ଏହା ଭାବିଦେଲେ ତା’ ଦେହ ଥରି ଉଠୁଥିଲା । ଶାଶୁଘର କାଳେ ବଡ଼ ଯନ୍ତ୍ରଣାଦାୟକ, କିମିତି ସେଠାରେ ଚଳିବାକୁ ହୁଏ, ସେ ଜ୍ଞାନ ମାଧୁରୀର ନାହିଁ । ବିବାହ..... ପିଲାଛୁଆ..... ଘରଜଞ୍ଜାଳ–ଏତେ ଶୀଘ୍ର ? ଏତେ ଶୀଘ୍ର ସେ ହେବ ବୋହୂ ? କେବେ ଯଦି ମନହୁଏ ସମୟର ବ୍ୟବଧାନରେ ସେ କଥା ବିଚାର ହେବ–ମୋଟ କଥା ଏତେ ଶୀଘ୍ର ବିଭା ହେବାକୁ ମାଧୁରୀର ଇଚ୍ଛା ନଥିଲା । ସେ ମୋଟ ଉପରେ ଶାଶୁଘରକୁ ଭୟ ବି କରୁଥିଲା ।

 

ବାପାଙ୍କର ପୁଣି ଥରେ ପ୍ରଶ୍ନ ଶୁଣି ବିଚଳିତ ହୋଇ ଛୋଟପିଲା ଅଳିକଲା ପରି କହିଲା, “ନାଇଁ ବାପା, ବର୍ତ୍ତମାନ ସେ ସବୁକଥା ଥାଉ–ସେସବୁ ଆପଣ ପରେ ନିଷ୍ପତ୍ତି କରିବେ–ଏତେ ଶୀଘ୍ର ମତେ ପାଖରୁ ତଡ଼ିଦେଇ ଆପଣ କ’ଣ ଶାନ୍ତି ପାଇପାରିବେ ? ମୋର ନୂଆ ବୋହୂଟିଏ ଆଗ ଆମ ଘରକୁ ଆସୁ–ତା’ ପରେ ମୁଁ ପଢ଼ିବି କି ନାହିଁ ବିଚାର କରିବା ।’’

 

ମନା କରନ୍ତୁ ନାହିଁ ବାପା–ଭାଇଙ୍କର ବାହାଘର କରିବା । ନୂଆବୋହୂଟିଏ ଆସିଲେ ଏ ଘର ହସି ଉଠିବ, ମୁଁ ସାଙ୍ଗ ପାଇ ଖୁସି ହେବି । ମିରା ଇଭା ହେରିକା କେତେ ଖୁସି ହେଉଛନ୍ତି, ମୁଁ ସବୁବେଳେ ଏକୁଟିଆ ରହୁଛି ।

 

ମାଧୁରୀର ଏ ପିଲାଳିଆ କଥାଶୁଣି ହସି ପକାଇଲେ ଶିବବାବୁ । ମାଧୁରୀର ଉତ୍ତରଟା ବି ମନ୍ଦନୁହେଁ–ସେ ଯିବା ପୂର୍ବରୁ ବୋହୂଟିଏ ନ ଆସିଲେ ପ୍ରକୃତରେ ଏ ଘରଦ୍ୱାର ତ ନଷ୍ଟ ହୋଇଯିବ; ଏକଥା କେବେ ତାଙ୍କ ମୁଣ୍ଡରେ ପଶି ନଥିଲା କେମିତି କେଜାଣି..... ?

 

ତା’ଛଡ଼ା ମାଆ ମଲାଦିନୁ ମାଧୁରୀ ପିଲାବେଳୁ ଏକା ସେମିତି ବଢ଼ି ଆସିଛି–ସ୍ତ୍ରୀ ଲୋକଙ୍କ ସଂସ୍ପର୍ଶରେ ଆସିନାହିଁ । କିଛି ଘରକରଣା ମଧ୍ୟ ଜାଣିନାହିଁ, ବୋହୂଟିଏ ଆସିଲେ ତାଠାରୁ କିଛି ବି ଶିଖିବ, ଯେତେ ପାଠ ପଢ଼ିଲେ ବି ଘରକରଣା ନ ଜାଣିଲେ ଘର ଚଳାଇ ହେବନାହିଁ । ଶାଶୁଘରେ ଗଞ୍ଜଣା ସହିବ ।

 

ନାଁ, ନାଁ, ଝିଅ ଭଲ ପ୍ରସ୍ତାବ ଦେଇଛି–ଶିବବାବୁଙ୍କ ମନକୁ କଥାଟା ପାଇଲା । ସେ ସସ୍ନେହରେ ମାଧୁରୀର ମୁଣ୍ଡ ସାଉଁଳେଇ କହିଲେ–

 

“ପାଗଳୀଟାର କଥା ଶୁଣ–ତୋ’କଥା ଭଲ ଯେ ମାଆ ଏବର୍ଷ ତୋ’ ଭାଇର ବିଭାଘର କରିବାକୁ ମୋର ଅମତ ନାହିଁ–

 

ପ୍ରଥମ କଥା ବିନୁ ପଢ଼ାପଢ଼ି ଭିତରେ ବିଭାହେବାକୁ ଆପତ୍ତି କରିପାରେ, ତା’ପର ତୋର ମନୋନୀତ ଭାଉଜଟିଏ ମିଳିଲେ ତ ?’’

 

“ମିଳିବ ନାହିଁ କାହିଁକି ବାପା–ନିଶ୍ଚୟ ମିଳିବ । ଦେଖିବେ ମୁଁ ମୋର କେମିତି ଭାଉଜଟିଏ ଠିକ୍‍ କରିନେବି । ମୋ’ଉପରେ ସେ ଦାୟିତ୍ୱ ଛାଡ଼ିଦେଇ ଆପଣ ଖାଲି ବାହାଘରର ଆୟୋଜନ କରନ୍ତୁ–ସବୁ ଠିକ୍‍ ହେଇଯିବ । ଆଉ ଭାଇ ? ସେ ପୁଣି ଆପଣଙ୍କ କଥାରୁ ବାହାରି ଯିବେ ?’’

 

ହସି ହସି ଡେଇଁ ଡେଇଁ ପ୍ରଜାପତି ଭଳି ଚାଲିଗଲା ମାଧୁରୀ–ମ୍ୟାଟ୍ରିକ୍‍ ପରୀକ୍ଷା ଦେଲାଣି ତଥାପି ତା’ର ପିଲାଳିଆ ଭାବ ତ ଗଲାନାହିଁ, ଏଭଳି ଝିଅକୁ କେମିତି ପରଘରକୁ ପଠାଇ ନିଶ୍ଚିନ୍ତ ରହିବେ ସିଏ । କିନ୍ତୁ ଝିଅ ଜନମ ଯେ ପରଘରକୁ..... । ସେହି ପରଘର ତା’ର ନିଜଘର ।

 

ସବୁ ଜାଣି ମଧ୍ୟ ତାଙ୍କର ପିତୃହୃଦୟ କି ଏକ ଅବ୍ୟକ୍ତ ବେଦନାରେ ଗୁମୁରି ଉଠିଲା ।

 

ପୁଣି ଭାବିଲେ, ପିଲାଦିନୁ ମାଧୁରୀ ତ ନିଃସଙ୍ଗ ଜୀବନଯାପନ କରୁଛି–ଶୀଘ୍ର ଆସୁ ତା’ର ଭାଉଜଟିଏ । ଖୁସିରେ କଟାଉ ଦିନ କେଇଟା–ବରଂ ଆସନ୍ତା ବର୍ଷକୁ ବାହାଘର ହେବ–କିନ୍ତୁ ବିନୟ ? ତା’ର ଏଇଟା ଫିପ୍‍ଥ୍‍ଇୟର, ତା’ର ଭବିଷ୍ୟତ ବି ଦେଖିବାକୁ ହବ ତାଙ୍କୁ । ଅବଶ୍ୟ ବିନୟ ଖୁବ୍ ଭଲଛାତ୍ର, ଆଉ ଖୁବ୍ ପିତୃଭକ୍ତ–ବାପା କହିଲେ ନିଆଁକୁ ଡେଇଁ ପଡ଼ିବା ଭଳି ପିଲା ସିଏ, ତଥାପି ଯଦି ନିହାତି ଆପତ୍ତି କରେ ତେବେ ତା’ ବାହାଘର ବନ୍ଦ ହେବ–ନହେଲେ ହେବ ।

 

ଏହିବର୍ଷ ହିଁ ତା’ର ବାହାଘର ହେବ..... । ଏକଥା ଶୁଣିଲାମାତ୍ରେ ପ୍ରଥମେ ବିନୟ ମୋଟେ ରାଜିହେଲା ନାହିଁ । ତା’ର ଏମ୍.ଏ. ପରୀକ୍ଷା ସରିନାହିଁ, ସେ’ ବାହାହେବ କେମିତି ?

 

କିନ୍ତୁ ବାପା ଯେତେବେଳେ ଜିଦ୍‍ଧରି କହିଲେ–“ଯିଏ ଭଲପିଲା ବା ଭଲ ପଢ଼ୁଥାଏ, ସେ ନିଶ୍ଚୟ ଭଲ ନମ୍ବରରଖି ପାସ୍‍କରିବ ହିଁ କରିବ, ବାହାହେଲେ ପଢ଼ା ନଷ୍ଟହେବ ଏହା ଭାବିବାହିଁ ଭୁଲ୍‍କଥା ।’’

 

ବିନୟ ଚୁପ୍ ରହିଲା । ବାପାଙ୍କର କେବେ ଅବାଧ୍ୟ ହୋଇ ନାହିଁ, ବାପାଙ୍କ ଇଚ୍ଛାହିଁ ତା’ର ଇଚ୍ଛା । ମାଧୁରୀର ଖୁସି କହିଲେ ନସରେ । ନାନାସ୍ଥାନରୁ କନ୍ୟାକର୍ତ୍ତାମାନେ ଆସିବାକୁ ଲାଗିଲେ । କନ୍ୟାଦେଖିବା କିମ୍ବା ବାହାଘରର କୌଣସି ଦାୟିତ୍ୱ ଭିତରେ ବିନୟ ପଶିଲା ନାହିଁ ।

 

କନ୍ୟା ମନୋନୀତ କରିବା ଦାୟିତ୍ୱ ତ ଆପେ ମାଧୁରୀ ନେଇଥିଲା–କେତେ ସ୍ଥାନରେ କନ୍ୟା ଦେଖି ତା’ ମନକୁ ପାଇଲା ନାହିଁ । ତାକୁ ମୁଗ୍ଧକଲା ତା’ର ସହପାଠିନୀ ଆଡଭୋକେଟ୍‍ ଗୋବିନ୍ଦବାବୁଙ୍କ ଝିଅ ପ୍ରମିଳା । ଶେଷରେ ସେ ବାଛି ବାଛି ପ୍ରମିଳାକୁ ହିଁ ସ୍ଥିରକଲା ।

 

ପ୍ରମିଳା ସହ ବିନୟର ବାହାଘର..ମାଧୁରୀକୁ ଦଣ୍ଡେ ଫୁରସତ୍ ନାହିଁ । ବନ୍ଧୁ ବାନ୍ଧବଙ୍କ ମେଳରେ ଘର ପୂରିଉଠୁଛି । ମହାଆଡ଼ମ୍ବରରେ ବିନୟ ବିଭାଘରର ଆୟୋଜନ ହେଲା । ସୁକାନ୍ତ ପୂର୍ଣ୍ଣମାତ୍ରାରେ ଯୋଗ ଦେଇ ସବୁ କାମରେ ଶିବବାବୁଙ୍କୁ ସାହାଯ୍ୟ କରୁଥାଏ ।

 

ସର୍ବଶୁଭରେ ବିଭାଘର ସରିଲା । ପ୍ରମିଳା ବୋହୂ ହୋଇ ଆସିଲା ଘରକୁ । ମାଧୁରୀର ଗୋଡ଼ ଆଉ ତଳେ ଲାଗିଲା ନାହିଁ ।

 

ମାଧୁରୀ ସଙ୍ଗେ ସେହିବର୍ଷ ପ୍ରମିଳା ମ୍ୟାଟ୍ରିକ୍‍ ପାସ୍ କରିଥିଲା, ମାତ୍ର ପଢ଼ିବାର ଆଉ ସୁବିଧା ନଘଟି ତା’ର ଆରମ୍ଭ ହେଲା ଗୃହିଣୀ ଜୀବନ । ପ୍ରମିଳା ଦେଖିବାକୁ ଯେପରି ସୁନ୍ଦରୀ, ସେହିଭଳି ଶାନ୍ତକୋମଳ ମଧ୍ୟ ତା’ର ବ୍ୟବହାର । ଏସବୁ ତା’ର ପୂର୍ବରୁ ଥିଲେ ମଧ୍ୟ ବୋହୂ ହୋଇ ଆସିବା ପରେ ତାହା ଯେପରି ଦ୍ଵିଗୁଣ ହୋଇ ବଢ଼ିଗଲା । ଶଶୁରଙ୍କ ସେବା ଯତ୍ନ ଆଉ ମାଧୁରୀପ୍ରତି ଆନ୍ତରିକତା ଶ୍ରଦ୍ଧାଦ୍ୱାରା ଦିନ କେଇଟାରେ ଗୃହିଣୀ ନଥିବା ପରିବାରକୁ ସେ ଓହ୍ଲାଇ ଆଣିଲା ସ୍ୱର୍ଗ...... ।

 

ମାଧୁରୀପ୍ରତି ପ୍ରମିଳାର ଯେପରି ସ୍ନେହ ପ୍ରମିଳାପ୍ରତି ମାଧୁରୀର ବି ସେହିପରି ମମତା । ମାଧୁରୀ ଏତେଦିନେ ତା’ର ମନୋନୀତ ଭାଉଜଟିଏ ପାଇ ଜୀବନକୁ ସୁନେଲି ସ୍ୱପ୍ନପରି ଉପଭୋଗ କଲା ।

 

ସୁକାନ୍ତର ଏ ପରିବାରକୁ ପୂର୍ବରୁ ଥିଲା ଅବାରିତ ଗତି–ବିନୟର ବିଭାଘର ପରେ ସୁକାନ୍ତ ତାହା ପ୍ରଥମେ କମାଇ ଦେଲା । ଏସବୁ ଦେଖି ବିନୟ ପୁଣି ଜୋଅରକରି ସୁକାନ୍ତ ଉପରେ ବନ୍ଧୁତ୍ୱ ଜାହିର କଲା । ଆଉ ତା’ର ପରିଚର୍ଯ୍ୟାର ଭାର ଦେଲା ପ୍ରମିଳାକୁ–କହିଲା, “ଦେଖ୍‍, ସୁକାନ୍ତ......ଇଆରି ପାଇଁ ତୁ ଆମ ଘରକୁ ଆସୁନାହୁଁ, ଏଥର ଏଇ ତୋର ସବୁଖବର ବୁଝିବ–’’

 

ପ୍ରମିଳା ପ୍ରଥମେ ଲାଜରେ ସଢ଼ିଗଲା...ମାତ୍ର ଶିବବାବୁ ଯେତେବେଳେ କହିଲେ, “ଏ କ’ଣ ମାଆ ! ସୁକାନ୍ତ ତ ମୋର ପୁଅପରି ତାକୁ ତମର ଲାଜ କରିବା ଅନୁଚିତ; ତମେ ସୁକାନ୍ତର ଖବର ବୁଝ ।’’

 

ପ୍ରମିଳା ଆଦେଶ ପାଳନ କଲା । କିଛିଦିନ ପରେ ସୁକାନ୍ତର ବି ସଂକୋଚ ଛାଡ଼ିଗଲା । ପ୍ରମିଳାକୁ ସେ ନୂଆବୋହୂ ନୂଆବୋହୂ ଡାକିଲା । ପ୍ରମିଳା ଛୋଟ ଦିଅର ପରି ସୁକାନ୍ତପ୍ରତି ମଧ୍ୟ ବ୍ୟବହାର କଲା । ବିନୟ ଓ ସୁକାନ୍ତର ବୟସ ହିସାବ କରାହୋଇ ଦେଖାଗଲା ଯେ, ବିନୟ ଠାରୁ ସୁକାନ୍ତ ତିନିମାସ ସାନ ପଡ଼ୁଛି; ତେଣୁ ଆଉ ଅସୁବିଧା ରହିଲା ନାହିଁ ।

 

ଅଧିକାଂଶ ଦିନ ସୁକାନ୍ତ ଆସେ ବିନୟ ଘରକୁ । ନୂଆବୋହୂର ହାତପରଶା ତାକୁ ଭାରି ସୁଖଲାଗେ । ଶିବବାବୁ ନାନା ହିତୋପଦେଶ ଦିଅନ୍ତି । ମାଧୁରୀ ବେଳେ ବେଳେ ବିନୟଠାରୁ ଚିତ୍ରଅଙ୍କା ଶିଖେ ।

 

ମାଧୁରୀକୁ ସେତେ ସମୟ ନାହିଁ । ଏବେ ସେ କଲେଜରେ ପଢ଼ିଲାଣି । ପ୍ରଥମ ବାର୍ଷିକ ବିଜ୍ଞାନ ଛାତ୍ରୀ ସେ । ବିଜ୍ଞାନରେ ଅଗ୍ରଗତି ଦେଖି ବିଜ୍ଞାନ ପଢ଼ିବାକୁ ତା’ର ଭାରି ଝୁଙ୍କ୍ ।

 

ସୁକାନ୍ତ ପାଖରେ ବସିଥିବା ବେଳେ...ବେଳେ ବେଳେ ମାଧୁରୀର ମନରେ ଖେଳିଯାଏ କି’ ଏକ ନୂଆ ଶିହରଣ ନିଜକୁ ନିଜେ ଚମକି ଉଠେ, ଏ କ’ଣ ? କାହିଁକି ତା’ ମନ ଏପରି ବିଚଳିତ ହେଉଛି ? ୟାକୁଇ କ’ଣ କହନ୍ତି ପ୍ରେମ ?

 

ଛି, ଛି, ଛି,.....କି’ ଲଜ୍ଜ୍ୟାର କଥା–ମାଧୁରୀର ମନେ ପଡ଼େ ବାପା ତା’ର ବିବାହ କରେଇବାକୁ ଚାହିଁଥିଲେ, ସେ ପାଠପଢ଼ା ପାଇଁ ମନା କରିଥିଲା । ସେ ପଢ଼ିବ, ଚିତ୍ର ଆଙ୍କିବ...ଦେଶ ବିଦେଶରେ ନାଁ କରିବ, ନିଜକୁ ସ୍ଥିର କରିନିଏ ମାଧୁରୀ–ତା’ର ଚପଳତା ଗାମ୍ଭୀର୍ଯ୍ୟତା ଦେଖାଦିଏ ବେଶି ।

 

ସୁକାନ୍ତ ମାଧୁରୀକୁ ଚିତ୍ରର ନମୁନା ସବୁ ବତାଇ ଦିଏ । ନିଜେ ଆଙ୍କିଥିବା ଭଲ ଭଲ ଚିତ୍ରସବୁ ଆଣିକରି ଦିଏ । ଝିଅଟାର ପ୍ରତିଭା ଅଛି–ଠିକ୍ ଧରି ନେଉଛି । ସୁକାନ୍ତର ମନେପଡ଼େ ପ୍ରଥମେ ଯେତେବେଳେ ସେ ଏ ଘରେ ଗୋଡ଼ ଦେଇଥିଲା ମାଧୁରୀ ଥିଲା କେତେ ଛୋଟ–। ଫ୍ରକ୍‍ଟିଏ ପିନ୍ଧି...ଝାମ୍ପୁରା ବାଳ ମୁହଁରେ ପକାଇ ଡେଇଁ ବୁଲୁଥିଲା–

 

ମାଇନର କ୍ଲାସ୍‍ର ଛାତ୍ରୀ.....କେବେ କେମିତି ଅଙ୍କଟାଏ ପଚାରିଦିଏ ଭାଇକୁ ତା’ର–ତା’ପରେ ସୁକାନ୍ତ ପୁରୁଣା ହୋଇ ଆସିବାରୁ ତାକୁ ବି ପଚାରେ । ସୁକାନ୍ତ ବତାଇ ଦିଏ–ମାଧୁରୀ ତା’ ଚାରିପାଖ ଘୂରିବୁଲେ, ଶାର୍ଟର କଲର ଟାଣେ, ପକେଟରେ ରୁମାଲ ଦେଖେ, ବାସ୍ନା ଏସେନ୍‍ସ୍‍ର ତାରିଫ କରେ । ପ୍ରଫେସରଙ୍କ ଗେହ୍ଲାଝିଅ କିଛି କହେନା ସୁକାନ୍ତ ବରଂ ନିଜର ଭଉଣୀ ନଥିବାରୁ ଛୋଟ ଭଉଣୀଟି ପରି ତା’ର ଅତ୍ୟାଚାର ସହିନିଏ । ବେଳେ ବେଳେ ବିନୟ ଚିଡ଼େ । “ଛି, ମାଧୁରୀ । ଭଦ୍ରଲୋକଙ୍କ ସଙ୍ଗେ ଏମିତି ଲାଗୁଛୁ–’’

 

–“ଭଦ୍ରଲୋକ କିଏ ଭାଇ–ସୁକାନ୍ତବାବୁ ତ ତମର ସାଙ୍ଗ, ମୋର ବଡ଼ଭାଇ ପରି; ତା’ହେଲେ ତମସାଙ୍ଗେ ବି ଲାଗିବି ନାହିଁ ।’’

 

ମାଧୁରୀର ଉତ୍ତରରେ ଦୁହେଁ ଖୁସି ହୁଅନ୍ତି, ହସନ୍ତି–ମାଧୁରୀ ଫୁଲଗଛ ସାଙ୍ଗରେ ଖେଳେ, ଆଉ ତ କେହି ଭାଇ ଭଉଣୀ ନାହିଁ କ’ଣ କରିବ ?

 

ସେ ଦିନ ଯାଇଛି–ପାଞ୍ଚବର୍ଷ ୟା ଭିତରେ ବିତି ଗଲାଣି । ମାଧୁରୀର ସେହି ଝାମ୍ପୁରା ଚୂଳ ଏବେ ବଢ଼ି ବଢ଼ି ଲମ୍ବା ଲମ୍ବା ବେଶି ହେଲାଣି.....ସେ ଦିନର ଫ୍ରକ୍‍ ପ୍ୟାଣ୍ଟ ଛାଡ଼ି ସେ ଏବେ ଶାଢ଼ୀ, ଶାୟା, ବ୍ଲାଉଜ୍‍ ପିନ୍ଧିଲାଣି...ମାଧୁରୀ ଯେତିକି ବଢ଼ିଛି ସେତିକି ତା’ର ଚପଳତା କମୁଛି । ସେ ଏବେ ଗାମ୍ଭିର୍ଯ୍ୟମୟୀ ଏକ ପୂର୍ଣ୍ଣାଙ୍ଗ ଯୁବତୀ । ସୌନ୍ଦର୍ଯ୍ୟର ବନ୍ୟା ଉଛୁଳି ଉଠିଛି ତା’ର ପ୍ରତି ଅବୟବରେ ।

 

ସୁକାନ୍ତ ସଙ୍ଗେ ପିଲାବେଳୁ ଚଳି ଆସିଛି କିନା ସେଥିପାଇଁ ନିହାତି ଦୂରେଇ ରହି ପାରେନା । ଛବି ଆଙ୍କିବା ପ୍ରତି ଅଧିକ ଅନୁରାଗ ଯୋଗୁଁ....ଘଣ୍ଟା ଘଣ୍ଟାଧରି ସେ ଦିନେ ଦିନେ ସୁକାନ୍ତର ପାଖରେ ବସେ । ବାପା, ଭାଇ ବା ନୂଆବୋହୂଙ୍କର ଜଗୁଆଳ ଦରକାର କରେନା–ଦୁହିଁଙ୍କ ହୃଦୟ ଦୁହିଁଙ୍କର ଜଗୁଆଳ । ଦୁହେଁ କଥାବାର୍ତ୍ତାରେ ଖୁବ୍ ସଂଯତ, ପରସ୍ପରଠୁ ବ୍ୟବଧାନ ଆପେ ଆପେ ବାଛି ନିଅନ୍ତି–ଦୁହେଁ ଦୁହିଁଙ୍କୁ ଭୟ କରନ୍ତି, ସ୍ନେହ କରନ୍ତି ।

 

ସୁକାନ୍ତ ଭାବେ କାଲିର ପିଲା ମାଧୁରୀ, ବଡ଼ଭାଇ ପରି ଭକ୍ତି କରେ, ଛବି ଶିଖିବାକୁ ଅଳିକରେ, ସେ କ’ଣ ପ୍ରେମିକା ହୋଇପାରେ ? ମୋ ହୃଦୟ ବେଳେ ବେଳେ ତା’ ସଂସ୍ପର୍ଶରେ ଆସି ଏତେ ଚହଲି ଯାଉଛି କାହିଁକି ? କାହିଁକି ନାକପୁଡ଼ାରୁ ବାହାରି ଆସୁଛି ଗରମ ନିଶ୍ୱାସ ? ଶିବବାବୁ କେତେ ଶ୍ରଦ୍ଧା କରନ୍ତି ପୁଅପରି । ବିନୟର ଅନାବିଳ ବନ୍ଧୁତ୍ୱ ଆଉ ପ୍ରମିଳାର ସ୍ନେହ....ମାଧୁରୀର ଭକ୍ତି ଭିତରେ ପ୍ରେମର ସ୍ଥାନ କାହିଁ, ଛି, ଛି, ଛି ଏଡ଼େ ଦୁର୍ବଳମନାସିଏ ? ମାଧୁରୀ ଯଦି ଜାଣିପାରେ କ’ଣ ଭାବିବ ?

 

ତଥାପି ଲୁହା ଆଉ ଚୁମ୍ବକର ଆକର୍ଷଣ–ଦୁହେଁ ଯେତେ ମନକୁ ସଂଯତ କରୁଥିଲେ ସେତିକି ସେତିକି ମନ ତାଙ୍କର ଟାଣିହୋଇ ଆସୁଥିଲା । ହେଲେ କେହି କାହାକୁ ମୁହଁରେ ବା ବ୍ୟବହାରରେ ମନକଥା ଜାଣିବାର ସୁଯୋଗ ଦେଇ ନଥିଲେ । ଶେଷଯାଏଁ ବି ଦେଇ ନଥାନ୍ତେ–ଉଭୟଙ୍କର ଆଶଙ୍କା, କାଳେ ଜଣେ ଅନ୍ୟଜଣଙ୍କୁ ଭୁଲ୍‍ ଭାବିବ । ଏ ସ୍ୱର୍ଗୀୟ ପ୍ରେମ କେଇଜଣଙ୍କଠାରେ ବା ଦେଖାଯାଏ ? ବୋଧେ ନିଜକୁ ସଂଯତ କରିବାରେ ଦୁହେଁ ଦୁହିଁଙ୍କଠାରୁ ଅଜ୍ଞାତରେ ଯେପରି ବଡ଼କରି ନିଜକୁ ତିୟାର କରି ନେଉଥିଲେ ।

 

ମାଧୁରୀର ସମବୟସୀ ହେଲେ ବି ଏହି ବର୍ଷ ଗୋଟାକ ଭିତରେ ପ୍ରମିଳା ପକ୍କା ଗୃହିଣୀ ପାଲଟି ଯାଇଛି । ସେ ଯେଉଁ ପରିବାରରେ ବଢ଼ିଛି ସେଠାରେ ତା’ର ଥିଲେ ମାଆ, ଭାଉଜ, ଭଉଣୀ, ଜେଜେମା, ଖୁଡ଼ୀ ସମସ୍ତେ–ସମସ୍ତଙ୍କଠାରୁ ସେ ଦେଖି ଶିଖି ପିଲାବେଳୁ ଯେପରି ସୁଗୃହିଣୀ ହେବାପାଇଁ ତାଲିମ୍‍ ନେଇଛି, ପ୍ରତିକଥାରେ ମାଆ ଜେଜେମାଙ୍କ ଉପଦେଶ “ଏଟା, ସେଟା, ଶିଖି ଥାଆଲୋ ପ୍ରମିଳା ଶାଶୁଘରେ ଯେପରି ଆମ ନାଆଁ ନ ପକାଇବୁ ।’’

 

ସମସ୍ତ ଉପଦେଶ ସେ ମନେ ରଖିଛି । ଭାଉଜଙ୍କର ଥଟ୍ଟାଳିଆ କଥା, ବଡ଼ ଭଉଣୀ ଭିଣୋଇଙ୍କର ପ୍ରତିଟିକଥା ସେ ମନେ ରଖିଛି । ଯୋଗକୁ ଶାଶୁ ନଥିବା ପରିବାରରେ ସେ ହେଇଛି ବୋହୂ, ବୋହୂ ନୁହେଁ ତ ଏକରକମ ଗୃହକର୍ତ୍ତୀ କହିଲେ ଭୁଲ୍‍ ହେବ ନାହିଁ ।

 

ବିନୟ ପୂର୍ବପରି ତା, ପଢ଼ାପଢ଼ିରେ ବ୍ୟସ୍ତ । ମାଧୁରୀ ତ ତା’ ପାଠପଢ଼ା ଆଉ ସମୟ ମିଳିଲେ ଛବି ଅଙ୍କାରେ ବ୍ୟସ୍ତ । ସେମାନେ ଘରଖବର କାହିଁକି ବୁଝିବେ ? ଆଉ ଶଶୁର ? ମାସର ପହିଲା ଦିନ ଦରମା ପାଇ ଟଙ୍କାତକ ବୋହୂକୁ ଧରାଇ ଦେଇ ନିଶ୍ଚିନ୍ତ । ସେ କହନ୍ତି, ‘‘ମାଆ–ତୋ’ଶାଶୁ ମଲାଠାରୁ ଘରସଂସାର ଦାୟିତ୍ୱ, ପିଲାଙ୍କ ଦାୟିତ୍ୱ ସହ କଲେଜର ଦାୟିତ୍ୱରେ ଅଣନିଶ୍ୱାସୀ ହୋଇ ପଡ଼ିଲିଣି, ପିଲାଏ ଏବେ ବଡ଼ ହେଲେଣି ନିଜ ଦାୟିତ୍ୱ ନିଜେ ସେ ବୁଝି ପାରିଲେଣି, ତୋ ଭଳି ବୋହୂ ପାଇ ମୁଁ ଆଉ ସେ ଚିନ୍ତାରେ ଘାଣ୍ଟି ହେବି କାହିଁକି ? ଏ’ ଘର ତୁ’ ଯେମିତି ଚଳାଇବୁ ସେମିତି ଚଳିବ–ମୁଁ ଅଯଥା ସେ ଚିନ୍ତା କରିବି କାହିଁକି ?’’

 

ପ୍ରମିଳା ଶଶୁରଙ୍କ ଆଦେଶ ପାଳନ କରୁଛି । ଅନୁଭବ କରୁଛି ତାଙ୍କର ଅବସ୍ଥା । ତାଙ୍କ ଜୀବନରେ ବହୁତ ଧକ୍କା ସେ ସହିଛନ୍ତି ଆଜି ଯଦି ସଂସାର ଚିନ୍ତାରୁ ବିଶ୍ରାମ ନେବାକୁ ଚାହୁଁଛନ୍ତି ନିଅନ୍ତୁ । ସେ ଏ ଘରର ବୋହୂ, ଏ ଘରପ୍ରତି ତା’ର ଯାହା କର୍ତ୍ତବ୍ୟ ସେ କରିଯିବ, ଦୁଃଖକଣ ଅଛି ?

 

ଜଣେ ରୋଜଗାର କରିବ, ଦୁଇଜଣ କଲେଜରେ ପଢ଼ିବେ ଆଉ ଘରର ଅନ୍ୟାନ୍ୟ ଯାବତୀୟ ଖର୍ଚ୍ଚ... ଦେହ ପା’ ଭଲମନ୍ଦ ବି ଅଛି । ଆୟଠୁ ବ୍ୟୟ କମ୍‍ କରି ସେ ଯଦି ସଞ୍ଚୟ କରି ନ ପାରିବ ତା’ହେଲେ ସେ କି ଗୃହିଣୀ ।

 

ସେ ଦେଖିଲା ଏ ଘରେ ଜଣେ ଚାକର ଆଉ ଜଣେ ପୁଝାରୀ ଅଛି...ଦୁହିଁଙ୍କ ପାଇଁ ଖାଇବା ପିଇବା ଓ ଦରମାରେ ଅନ୍ତତ ଦେଢ଼ଶ’ ଦୁଇଶହ ଟଙ୍କା ଖର୍ଚ୍ଚ, ଅଯଥା ଦୁଇଟା ଲୋକ ରଖି ଲାଭ କ’ଣ । ସେ ପୁଝାରୀଟିକୁ ବିଦାକରି ଦେଲା । ଚାକରଟି ଘରର ଅନ୍ୟାନ୍ୟ କାମ କରେ ଆଉ ପ୍ରମିଳା ନିଜହାତରେ ରୋଷେଇ କରି ସ୍ୱାମୀ, ଶଶୁର ଓ ନଣନ୍ଦଙ୍କୁ ଶ୍ରଦ୍ଧାରେ ଖୁଆଏ ।

 

ପ୍ରଥମେ ପ୍ରଥମେ ଶିବବାବୁ ଆପତ୍ତି କରୁଥିଲେ ପୁଝାରୀକୁ ବିଦା କରିବା ପ୍ରସ୍ତାବରେ; ମାତ୍ର ପ୍ରମିଳାର ଜିଦ୍ ଦେଖି ଶେଷରେ ହଁ ଭରି କହିଲେ; “ହଉ ମା’ ତୋ ଇଚ୍ଛା, ତୁ ଯାହା କରୁଛୁ କର କିନ୍ତୁ ତତେ ଅଯଥା କଷ୍ଟ ଦେବାକୁ ମୋର ଇଚ୍ଛା ନୁହେଁ–’’

 

ପ୍ରମିଳା ଉତ୍ତରଦେଲା, ମୋର କଷ୍ଟ କ’ଣ ବାପା ! ଆପଣ ତ ଏ ବୟସରେ ବି କଲେଜରେ ପଢ଼ାଉଛନ୍ତି–ଆପଣଙ୍କ ପୁଅ ଝିଅ ତ ପରିଶ୍ରମ କରି ପଢ଼ୁଛନ୍ତି–ଚାକର ତ ଘରର ସବୁକାମ କରୁଛି, ମୁଁ ଗୋଟାଏ ଲୋକ ଖାଲି ବେକାରଟାରେ ବସିଛି ସିନା–ସାରା ଖରାବେଳଟା ତ ମୋର କିଛି କାମ ନାହିଁ, ଖାଲି ସଞ୍ଜ, ସକାଳେ ଦି’ ଦି’ ଘଣ୍ଟା ପରିଶ୍ରମ କଲେ ନିଜର ବ୍ୟାୟାମ୍‍ ହେବା ସଙ୍ଗେ ସଙ୍ଗେ ଅନ୍ତତ୍‍ ଶହେ ଟଙ୍କା ମାସକୁ ବଞ୍ଚାଇ ପାରିବା–’’

 

ପ୍ରମିଳା ହସିଲା–କହିଲା “ତାହା ସେମାନଙ୍କର ଅଭ୍ୟାସ ପରା । ସେଇଥିପାଇଁ ମୁଁ କହୁଛି ଆମେସବୁ ନିଜେ କରିବା ଭଲ ।’’

 

ମାଧୁରୀ କହେ, “ତମେତ ସ୍କୁଲରେ ପଢ଼ୁଥିଲ ନୂଆବୋହୂ ଏତେ କାମ କେମିତି ଶିଖିଲ-? ମୁଁ ତ କିଛି ଶିଖି ପାରୁନାହିଁ–’’

 

ପ୍ରମିଳା କହେ “ବୋଉ, ଖୁଡ଼ୀ ଯେତେବେଳେ ଯେଉଁ ନୂଆ ପ୍ରକାର ଜଳଖିଆ କିମ୍ବା ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ କରନ୍ତି–ଆମକୁ ସବୁ ଡାକନ୍ତି । ଆମେ ଦେଖି ଛୁଟିଦିନମାନଙ୍କରେ କେବେ କେମିତି ଛୋଟ ଛୋଟ ଜିନିଷ କରିଦବାକୁ ବରାଦ କରନ୍ତି, କେହି କୁଣିଆଁ ଆସିଲେ ତାଙ୍କପାଇଁ ଅଧିକା କିଛି ସବୁତ ହୁଏ, ସେତେବେଳେ ଦେଖିବା ଓ ସାହାଯ୍ୟ କରିବାକୁ ଡାକନ୍ତି.....ଏମିତି ହେଇ ହେଇ ଶିଖିଛି ଯାହା, ତା’ଛଡ଼ା ନିଜେ ବୁଦ୍ଧି ଖର୍ଚ୍ଚ କଲେ ଗୃହିଣୀ ସବୁ କରିପାରିବ । ତମେ ଏବେ ସମୟ ବେଳେ ଦେଖ ଶିଖିହୋଇଯିବ ।’’

 

ମାଧୁରୀ କହେ, “ସତକଥା–ମୋ’ର ତ ପିଲାଦିନୁ ବୋଉ ନାହିଁ–ଖୁଡ଼ୀ କି ବଡ଼ମା କେହି ନାହାଁନ୍ତି–ପାଠପଢ଼ା ଓ ବାପାଙ୍କ ପାଖରେ ବଢ଼ିଛି, ପୁଝାରୀ ପାଖକୁ ଆସିବାକୁ ବାପା ମନା କରିଥାନ୍ତି-। ମୋର ବି କେବେ ଇଚ୍ଛା ହୁଏନା ଆସିବାକୁ, ମୁଁ ଆଉ ଶିଖିଥାନ୍ତି କେମିତି ? ଏଣିକି ନିଶ୍ଚେ ଛୁଟିଦିନ ତମ ପାଖରେ ଶିଖିବି, ଭାରି ସୁନ୍ଦର ତମେ ରାନ୍ଧିଜାଣ ।’’

 

ପ୍ରମିଳା ଖାଲି ହସିଲା । କରେଇରେ ନିମିକି ଫୁଲୁଛି–ପ୍ରମିଳା ଖଣ୍ଡିଏ ଖଣ୍ଡିଏ ବେଲିକି ପକାଉଛି–ପୁଣି ହାତ ବନ୍ଦ କରି ଛାଣୁଛି, ଏ ଅସୁବିଧାଟା ଦେଖିପାରିଲା ମାଧୁରୀ–ବେଲଣା ପେଡ଼ିଟା ଟାଣିନେଇ କହିଲା, “ଦିଅ ଦିଅ ନୂଆବୋହୂ–ମୁଁ ବେଲିଦିଏଁ ତମେ ଛାଣ । ମତେ ଅବଶ୍ୟ ତମଭଳି ବେଲି ଆସିବା ନାହିଁ ।’’

 

ପ୍ରମିଳା ଉତ୍ତର ଦିଏ, “ହଉ, ଆସୁ ଆସୁ ଆସିଯିବ ଯେ’’ ଏହିପରି ଅଧିକାଂଶ କାମ ଆପେ କରିବସେ ମାଧୁରୀ । ଶିଖିବାକୁ ତା’ର ଭାରି ଆଗ୍ରହ ହେଲାଣି ଦେଖି ଶିବବାବୁ ବି ଖୁସି ହୁଅନ୍ତି–କହନ୍ତି “ତୁ ମୋର ବୋହୂ ନୁହେଁ ଯେ’ ସାକ୍ଷାତ୍‍ ଲକ୍ଷ୍ମୀ ପ୍ରତିମା–ମାଧୁରୀକୁ ତୋ’ରି ଛାଞ୍ଚରେ ଗଢ଼ ମାଆ ।’’

 

ତୃପ୍ତିର ହସ ଖେଳେ ପ୍ରମିଳା ମୁହଁରେ । ଉତ୍ତର ଦେଇ ପାରେନା । ସେ ସୁଖି–ଏ ପରିବାରର ସମସ୍ତଙ୍କ ମୁହଁରେ ସେ ହସ ଫୁଟାଇ ପାରିଛି । ଧନ୍ୟ ହୋଇଛି ତା’ର ନାରୀ ଜନ୍ମ । କେବଳ ମାଧୁରୀର ବିବାହ ସରିଲେ ସେ ନିଶ୍ଚିନ୍ତ ହେବ ।

 

ବିବାହ ବୟସ ହେଲାଣି–ଖାଲି ବାକି ଅଛି ଶୁଭ ଶଙ୍ଖଭେରି ମଙ୍ଗଳ ମହୁରିର ଦିନ.....କେବେ ସେ ଦିନଟି ଆସିବ ତା’ର ପ୍ରତୀକ୍ଷା କରିଛି ପ୍ରମିଳା ।

 

ଦିନ ଆଗେଇଛି–ପ୍ରମିଳା ଏଣିକି ଅନୁଭବ କରୁଛି ମାଧୁରୀର ମନକଥା । ସରଳା, ତରଳା, ତରୁଣୀଟିର ମନଗହନରେ ବାଜିଉଠିଲାଣି କାଉଁରି ପରଶ । ମନକାନନରେ ଫୁଟିଉଠିଲାଣି ପ୍ରେମର ରଜନୀଗନ୍ଧା; ମାତ୍ର ଅଜଣା ଲଜ୍ଜ୍ୟା ଭୟ ଓ ସଙ୍କୋଚରେ ସେ ତାହା ପ୍ରକାଶକରି ପାରୁନାହିଁ-

 

ନୂଆ ଶିକାରୀଟି ଅନଭିଜ୍ଞ...ଲକ୍ଷ ତା’ର ସ୍ଥିର ହୋଇ ପାରୁନି...ତରଳା ହରିଣୀଟି କନ୍ କନ୍ ହେବାକୁ–ଶିକାରୀ ହାତରୁ ଖସିପଡ଼ୁଛି ଶରଧନୁ । ....ନାଁ, ଆଉ ବେଶିଦିନ ନୁହେଁ ତାକୁ ଆବିଷ୍କାର କରିବାକୁ ପଡ଼ିବ ଏ ନୂତନ ତଥ୍ୟ ।

 

ତା’ ମନକହେ ମାଳତୀ ଲତାଟିକୁ ଯୋଗ୍ୟ ସହକାରେ ଦ୍ରୁମରେ ଲୋଟାଇ ଦେବାକୁ ହେବ, ମାଳତୀଟି ଲୋଟୁ, ଫୁଟୁ, ଦୁନିଆଁ ଆଖିରେ ତାହା ନିଶ୍ଚୟ ସୁନ୍ଦର ଦିଶିବ ।

 

ସେ ଏଣିକି ଲକ୍ଷ୍ୟ ରଖେ ସୁକାନ୍ତ ଓ ମାଧୁରୀକୁ–ଦୁହିଁଙ୍କୁ ଦୁହେଁ ଦେଖିଲେ ମୁହଁରେ ଭରିଯାଏ ଆନନ୍ଦର ଲକ୍ଷଣ । ଚିତ୍ର ଆଙ୍କୁ ଆଙ୍କୁ ମାଧୁରୀର ହାତ ସୁକାନ୍ତର ହାତରେ ବାଜିଗଲେ ଚମକି ଉଠେ ସେ.....ନାକରୁ ବାହାରିପଡ଼େ ଗରମ ନିଶ୍ୱାସ–କିନ୍ତୁ ପର ମୁହୂର୍ତ୍ତରେ ନିଜକୁ ବଦଳାଇନେଇ ସ୍ୱାଭାବିକ ଅବସ୍ଥା ଫେରାଇ ଆଣେ ।

 

ଆଉ ମାଧୁରୀର ବି ଅବସ୍ଥା ସେୟା–ବେଳେ ବେଳେ ତା’ ମୁହଁରେ ଫୁଟିଉଠେ ରକ୍ତଜବା-। ଦେହରେ କମ୍ପନ; କିନ୍ତୁ ପର ମୁହୂର୍ତ୍ତରେ ସେ ଛୋଟପିଲା ହୋଇଯାଏ ।

 

ପ୍ରମିଳା ହସେ.....ନାଁ–ଏମାନେ କେହି ନିଜକୁ ପଦାରେ ପକାଇବାକୁ ଚାହାଁନ୍ତି ନାହିଁ । ଯାହା କରିବାର କଥା କରିବ ସିଏ । ବିନୟକୁ ଦିନେ ଏକଥା କହିଲା ପ୍ରମିଳା । ବିନୟ ହସିଲା–ବେଖାତିର ହସ । ହଁ, କାଲିକାର ପିଲାଟା ମାଧୁରୀ–ସେ ଏସବୁ ଭିତରକୁ କାହିଁକି ଯିବ ? ତମେ କେବେ ଦେଖିଛ ତାଙ୍କ ଦୁହିଁଙ୍କ ବ୍ୟବହାରରେ କିଛି ପରିବର୍ତ୍ତନ ?

 

–ନାଁ, ଦେଖିନାହିଁ, ଦୁହେଁ ଭଦ୍ର ଓ ସଂଯତ, ସମ୍ମାନଜ୍ଞାନ ଅଛି ଉଭୟଙ୍କର । ଯାହା ଦେଖୁଛି ଶେଷ ପର୍ଯ୍ୟନ୍ତ ମୁହଁ ଖୋଲି କେହି କାହାକୁ କିଛି କହିବେ ନାହିଁ–ମାଧୁରୀ ସୁନ୍ଦରୀ ଶିକ୍ଷିତା, ନିଷ୍ପାପ ଫୁଲଟିଏ । ଆଉ ସୁକାନ୍ତ ଶିକ୍ଷିତ, ସତ୍‍ଚରିତ୍ର, ସଦ୍‍ବଂଶର ସନ୍ତାନ, ଦୁହେଁ ଦୁହିଁଙ୍କ ପ୍ରତି ଆସକ୍ତ.....ଏ ପ୍ରେମ ପାଶବ ପ୍ରେମ ନୁହେଁ ସ୍ୱର୍ଗୀୟ ପ୍ରେମ–କେହି ମୁହଁଖୋଲି ନ କହିଲେ ବି ସେ ଦୁହିଁଙ୍କ ମନକଥା ମୁଁ ଜାଣିଛି । ଯୋଗ୍ୟ–ଯୋଗ୍ୟାର ମିଳନ ମଣିକାଞ୍ଚନର ସଂଯୋଗ ଘଟିବ ।

 

ସମୟ ତ ହେଲା.....ଆଉ ଡେରି କାହିଁକି ? କେବଳ ଉଭୟପକ୍ଷ ମୁରବିଙ୍କ ସମ୍ମତ ପାଇଲେ ମୁଁ ବଜାଇ ବସନ୍ତି ଶୁଭଶଙ୍ଖ.....ଦୁଷ୍ମନ୍ତ ଶକୁନ୍ତଳାଙ୍କ ପ୍ରଣୟରେ ହୁଅନ୍ତି ପ୍ରିୟମ୍ବଦା–କୁହ ତମର ମତାମତ ଆଗେ କୁହ !!

 

ବିନୟ ହସିଲା...କି ଗଭୀର ଚିନ୍ତା ତମର ପ୍ରମିଳା । ମୁଁ ଦେଖୁଛି ତମେ ମୋ’ଠାରୁ ପାଞ୍ଚ ଛଅବର୍ଷ ସାନହୋଇ ବି ଦଶବର୍ଷ ବଡ଼ ଭଳି ଅଭିଜ୍ଞ କଥା ସବୁ କହୁଛ । ମାଧୁରୀ ସୁକାନ୍ତକୁ ବିଭାହେଲେ...ସବୁଠୁ ଖୁସିହେବି ମୁଁ । ତମେ ବାପାଙ୍କୁ ଏସବୁ ପଚାର, ସେ ରାଜିହେଲେ ମୋର କହିବାର କିଛିନାହିଁ ।

 

ଦିନେ କଥାପ୍ରସଙ୍ଗରେ ପ୍ରମିଳା ଶିବବାବୁଙ୍କୁ ପଚାରିଲା, “ବାପା, ମାଧୁରୀଙ୍କର ଏବର୍ଷ ବାହାଘର କରାଇଦେଲେ ତ’ ଭଲ ହୁଅନ୍ତା ।’’

 

ଶିବବାବୁ ଶାନ୍ତ ସରଳଲୋକ–ସେ ହସି ଦେଇ କହିଲେ, ସେ ଦାୟିତ୍ୱ ଏଣିକି ତୋ ଉପରେ ମାଆ, ତୁ ଆସିବାଦିନୁ ମୁଁ ନିଶ୍ଚିନ୍ତ । ତମେମାନେ ଭଲପାତ୍ର ଦେଖ । ଯେଉଁଠି ସ୍ଥିରକରିବ ସେଇଠି ହେବ । ମୋର ଜଣେ ସାଙ୍ଗର ପୁଅ ଇଞ୍ଜିନିୟରଟିଏ ବି ଅଛି । ଆଉ ଅନ୍ୟାନ୍ୟ ପ୍ରସ୍ତାବ କେତେଟା ଅଛି । ତମେମାନେ ବୁଝ–ଭଲ ପାତ୍ରଟିଏ । ପିଲାଦିନୁ ଅତିଗେହ୍ଲାରେ ବଢ଼ାଇଛି ତାକୁ–ମାଆ ତା’ର ନଥିଲା, ସେ କିଛି ଜାଣେନା–ଆଗେ ତୋ’ଠାରୁ ଘରକରଣା ଶିଖୁ ।

 

ପ୍ରମିଳା ଧୀରସ୍ୱରରେ କହିଲା, “ଘରକରଣା କେହି କାହାକୁ ଶିଖାଇବା ଦରକାର ହୁଏନା ବାପା, ନିଜଉପରେ ପଡ଼ିଲେ ଆପଣାଛାଏଁ ସବୁ ହୁଏ । ବିଶେଷତ୍‍ ମାଧୁରୀ ଖୁବ୍ ଶାନ୍ତ ଝିଅ-। ଏଇ ସୁକାନ୍ତବାବୁଙ୍କ ସଙ୍ଗରେ ତାଙ୍କର ଯଦି ବାହାଘର ହୁଅନ୍ତା ଖୁବ୍ ଭଲ ହୁଅନ୍ତା ବାପା । ଆପଣ ଏ ବିଷୟ ଚିନ୍ତାକରିଛନ୍ତି କି ନାଁ ଜାଣେନା । ସୁକାନ୍ତର ବ୍ୟବହାର ଅତି ଭଦ୍ର ।’’

 

ପ୍ରମିଳା କଥାରେ ଶିବବାବୁ ଚମକି ଉଠିଲେ । ସତେ ତ, ସୁକାନ୍ତ ଖୁବ୍ ଭଲପିଲା, ସେକଥା ମୁଁ ଥରେ ଅଧେ ଭାବିଛି, କିନ୍ତୁ ନିଷ୍ପତ୍ତି କରିନାହିଁ, ତୁ ଯେତେବେଳେ ତାକୁଇ ପସନ୍ଦ କରୁଛୁ ମୋର ଆପତ୍ତି କରିବାର କିଛିନାହିଁ ।

 

ତେବେ ଥରେ ମାଧୁରୀ ଓ ସୁକାନ୍ତଙ୍କର ମତାମତ ନେଇ ପରେ ପ୍ରସ୍ତାବ ଆଗେଇବା । ଆଜିକାଲି ପିଲା ତ–ଅବଶ୍ୟ ମୋ ବିନୁ କଥା ସ୍ୱତନ୍ତ୍ର ଥିଲା । ସେ ପିତୃଭକ୍ତ ରାମ । କିନ୍ତୁ ଏମାନଙ୍କ ଉପରେ ମୁଁ ଭରସା ରଖି ପାରୁନାହିଁ । ତା’ ଛଡ଼ା ତୁ ତ ଜାଣୁ ସୁକାନ୍ତ ଗୋଟାଏ ବିରାଟ ଜମିଦାରର ପିଲା–ସେ ଚାକିରି କରିବ ନାହିଁ । ଚିରଦିନ ଗୋଟାଏ ମଫସଲ୍‍ ଗାଁ’ର ପୁରୁଣାକାଳିଆ ପରିବାରରେ ବନ୍ଦିନୀପରି ରହିବାକୁ ହେବ ମାଧୁରୀକୁ । ସେ ପିଲାଦିନୁ ଟାଉନ୍ ବଜାରରେ ବଢ଼ି ଆସିଛି । ଏସବୁ ଶୁଣି ଯଦି ରାଜିହୁଏ ତା’ହେଲେ ମୋର ଆପତ୍ତି କ’ଣ ? ବରଂ ସୁକାନ୍ତପରି ପିଲା ପାଇବା ଭାଗ୍ୟର କଥା । ସୁକାନ୍ତକୁ ମୁଁ ପୁଅପରି ଶ୍ରଦ୍ଧା କରେ ।

 

ପ୍ରମିଳା ଶଶୁରଙ୍କ ପାଦ ଆଉଁସି ଦେଉଥାଏ । ଘର କଡ଼ିରେ ଫ୍ୟାନ ଘୂରୁଛି । ସେହି ଫ୍ୟାନ୍ ସଙ୍ଗେ ଶିବବାବୁଙ୍କ ମନ ବି ଘୂରୁ ଥାଏ । ସୁକାନ୍ତ, ମାଧୁରୀ ଦୁଇଟି ମୁହଁ.....ବହୁତଦିନ ଧରି ସେ ଯେଉଁ ଚିନ୍ତା କରୁଥିଲେ ସେହି ଚିନ୍ତା ଏବେ ଲାଘବ ହେବ, ମାଧୁରୀ ହୁଏତ ସୁଖି ହେବ ।

 

ପ୍ରମିଳା ନରମ ସ୍ୱରରେ କହିଲା, “ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ ବାପା । ସେ ଦାୟିତ୍ୱ ମୋର, ମୋର ବିଶ୍ୱାସ କେହି ଆପତ୍ତି କରିବେ ନାହିଁ । ସମୟଦେଖି ସୁକାନ୍ତବାବୁଙ୍କ ବାପାଙ୍କୁ ଜଣାନ୍ତୁ । ତାଙ୍କ ପୁରୁଣା କାଳିଆ ଘର ପାଇଁ ଟାଉନ୍ ଝିଅ ନେବାକୁ । ସେ ଆଗ ରାଜି ହେବେ କି ନାହିଁ ଏଇଟାହିଁ ଚିନ୍ତା । ମାଧୁରୀ ଯେପରି ପିଲା ସେ ଟାଉନ୍ ମଫସଲ୍‍ ସବୁଠି ଚଳି ପାରିବ ।’’

 

ଶିବବାବୁ ବିଛଣାରୁ ଉଠିବସିଲେ । କହିଲେ, “ଆଚ୍ଛା ସେସବୁ କଥା ମୁଁ ବୁଝିବି ସମୟ ହେଲେ । ଆଗ ସେମାନଙ୍କର ପରୀକ୍ଷା ସରୁ ୟା’ ଭିତରେ କ’ଣ କୋଉଠି ବାହାଘର ହେଇଯାଉଛି-। ମାଧୁରୀର ଆଇ.ଏସ୍.ସି. ଓ ସୁକାନ୍ତର ଏମ୍.ଏ. ସରିଯାଇଥିବ, ପରୀକ୍ଷା ପରେ ଗ୍ରୀଷ୍ମଛୁଟି–ସୁବିଧା ହେଲେ ତା’ରି ଭିତରେ ବାହାଘର କରାଇଦେବା ।

 

ସୁକାନ୍ତର ବାପା ଗୌରପ୍ରସାଦବାବୁଙ୍କୁ ମୁଁ ଦେଖିଛି । ଭଲଭାବେ ଚିହ୍ନାଅଛି । ଜମିଦାରୀ ତ ସରକାର ନେଲେଣି । ତଥାପି ତାଙ୍କର ଅମାପ ଧନସମ୍ପତ୍ତି । ଆଗକାଳର ଜମିଦାର ସେ ନୁହଁନ୍ତି-। ତାଙ୍କର ଯୁଗୋପଯୋଗୀ ରୁଚିଜ୍ଞାନ ଅଛି ।

 

ସୁକାନ୍ତ ତାଙ୍କର ଗୋଟିଏ ବୋଲି ପୁଅ । ତାକୁ ଖୁବ୍ ସେ ଶ୍ରଦ୍ଧା କରନ୍ତି । ସୁକାନ୍ତର ମତଥିଲେ ତାଙ୍କର ଅମତ ରହିବ ନାହିଁ । ଖାଲି ଆମର ଜାଣିବା କଥା ତାଙ୍କର ଦାବି କ’ଣ ? ସେ ସମୟ ହେଲେ ତା’ର ବନ୍ଦୋବସ୍ତ କରିବି । ତୁ ବ୍ୟସ୍ତ ହଅ ନାହିଁ ।’’

 

ଶିବବାବୁ ସବୁଦିନେ ଏହିପରି ଶାନ୍ତ ସରଳଲୋକ । କୌଣସି ବିଷୟ ଉପରେ ବେଶି ଗୁରୁତ୍ୱ ଦିଅନ୍ତି ନାହିଁ । ମାଧୁରୀ ଯଦି ଏ ବିବାହରେ ସମ୍ମତ ଦିଏ, ସେ ନିଶ୍ଚୟ କରିବେ । ଏହାହିଁ ତାଙ୍କର ସିଦ୍ଧାନ୍ତ ।

 

ନିଜେ ପ୍ରଫେସର.....ପରୀକ୍ଷା ମୁଣ୍ଡ ଉପରେ । ଏତେବେଳେ କୋଉ ହିସାବର ବିଭାଘର ପ୍ରସ୍ତାବ ସେ ପଠାଇବେ ? ତାଙ୍କର ଏସବୁ ବିଚାର କରିବା କଥା । ସୁବିଧା ସମୟ ଆସୁ ଯାହାହେବ । ପ୍ରମିଳା ଚୁପ୍‍ ରହିଲା ସେଦିନ । ଶଶୁରଙ୍କ କଥାରେ ଭୁଲ୍‍ ନାହିଁ । ହଉ ସେ ବେଳ ।

 

ଦିନ ଗଡ଼ିଚାଲେ ଆଗକୁ–ସୁକାନ୍ତ ଯାଏ ଆସେ–ମାଧୁରୀର ପାଠପଢ଼ା ସଙ୍ଗେ ଛବିଅଙ୍କାଟା ବି ଏବେ ଅଭ୍ୟାସରେ ପରିଣତ ହେଲାଣି । ହେଲେ ସୁକାନ୍ତର ଛବିଗୁଡ଼ିକ ଅତି ସୁନ୍ଦର ଆଉ ଚମତ୍କାର । ସେ ଯେଉଁ ନୂଆ ଛବିସବୁ ଆଙ୍କେ ତାହା ଆଣି ପ୍ରମିଳା ଓ ମାଧୁରୀଙ୍କୁ ଦେଖାଏ–

 

ପ୍ରମିଳା ଧନ୍ୟବାଦ ଦିଏ ସୁକାନ୍ତକୁ । “ଖୁବ୍ ସୁନ୍ଦର ହୋଇଛି ସୁକାନ୍ତବାବୁ ସତେକି ଜୀବନ୍ତ..... । ମୋର ଯଦି ସେ କଳା ଥାଆନ୍ତା ନାଁ–ମୁଁ ତୁମକୁ ନିଶ୍ଚୟ ଗୁରୁ କରନ୍ତି ।’’

 

ସୁକାନ୍ତ କହେ, “ଗୁରୁ ନାଁ ଗୋରୁ ନୂଆବୋହୂ–ତମେ ଇଚ୍ଛାକଲେ କ’ଣ ପାରନ୍ତ ନାହିଁ; ମାତ୍ର ତମର ସେ ଇଚ୍ଛା ନାହିଁ ।’’

 

ପ୍ରମିଳା ମୃଦୁ ହସି ଉତ୍ତର ଦିଏ–‘ଆଉ ଏ’ ବୟସରେ ଇଚ୍ଛା..... ?’ ଏ ବୟସରେ ଅର୍ଥ-? ତମେ ତ ମୋରି ସାଙ୍ଗର ନୂଆବୋହୂ । ସୁକାନ୍ତବାବୁ ତ ତମଠାରୁ ବହୁତ ବଡ଼ ବୟସରେ । ଏମିତି କ’ଣ କହୁଛ ମ’ ? ଉତ୍ତର ଦେଲା ମାଧୁରୀ ।

 

ପ୍ରମିଳା ବଳେଇ ପଡ଼ି କହିଲା, “ବିବାହ ପରେ ନାରୀର ବୟସ ବହୁତ ବଢ଼ିଯାଏରେ ପାଗଳୀ–ସୁକାନ୍ତବାବୁ ବୟସରେ ମୋ’ଠୁ ବଡ଼ ହୋଇ ପାରନ୍ତି, ମୁଁ ତାଙ୍କୁ ସାନବୋଲି ଭାବେ । ମତେ ତ ନିତି ନମସ୍କାର କରୁଛନ୍ତି ଦେଖୁଛ । ଏତିକରୁ ଅନୁମାନ କରି କୁହ ବଡ଼ କିଏ ?’’ ହସର ଲହରୀ ଖେଳିଯାଏ ।

 

ସୁକାନ୍ତର ହାତ କାଗଜ ତୂଳିରେ ଚାଲୁଥାଏ । ତାହା ନିରୀକ୍ଷଣ କରି ପ୍ରମିଳା କହେ, “ତମର ଏ ପ୍ରତିଭାର ମୂଲ୍ୟ ବୁଝିବା ଭଳି ଉପଯୁକ୍ତ ସାଥିଟିଏ ବାଛିବ ସୁକାନ୍ତବାବୁ । ତା’ ନହେଲେ ଜୀବନ ସାରା ବ୍ୟଥା ଅନୁଭବ କରିବ ଯେ–’’

 

ସୁକାନ୍ତର ମୁହଁରେ ଖେଳିଯାଏ ଭାବାନ୍ତର, ଦୀର୍ଘନିଶ୍ୱାସ ତ୍ୟାଗକରି ସେ କହେ, “ମଣିଷର ସବୁ ଆଶା କ’ଣ ପୂରଣ ହୁଏ ନୂଆବୋହୂ ?

 

ତା’ହେଲେ ମଣିଷ ତ କାମନାହୀନ ହୁଅନ୍ତା-। ସେଭଳି ସୌଭାଗ୍ୟ ଥିଲେ ସୁଖ ପାଇବି ନହେଲେ ଅଧିକାଂଶ ଶିଳ୍ପୀଙ୍କ ଭାଗ୍ୟରେ ଯାହାଘଟିଛି ତାହା ଘଟିବ ।’’ ମନର କଥାଟା ଅଜ୍ଞାତରେ କହିଦେଲା କି ? ଚମକି ଉଠେ ସୁକାନ୍ତ ।

 

ମାଧୁରୀ ମୁହଁରେ ରଙ୍ଗ ଉକୁଟେ–ଥରେ ନୂଆବୋହୂ ଓ ଥରେ ସୁକାନ୍ତକୁ ଚାହିଁ ସନ୍ତର୍ପଣରେ ସେ ଦୃଷ୍ଟି ଫେରାଇନିଏ । ମନେ ମନେ ଭାବେ ମୁଁ କ’ଣ ସୁକାନ୍ତବାବୁଙ୍କ ଯୋଗ୍ୟା ହୋଇପାରିବି ? ଛି ଛି, ଏ କି ଦୁର୍ଭାବନା ?

 

ଦୁହିଁଙ୍କ ଭାବାନ୍ତର ଲକ୍ଷ୍ୟକଲା ଚତୁରୀ ପ୍ରମିଳା । ମୃଦୁହସି ସେ ଦେଲା, କଥାରେ ଅଛି ଯତ୍ନ, ଅଧ୍ୟବସାୟ ଉଦ୍ୟମ ବଳେ, ଅସାଧ୍ୟ ହୋଇ କିଛି ନାହିଁ ଭୂତଳେ–ତମେ ଯାହା ଚାହଁ ତାହା ଚେଷ୍ଟା କଲେ ପାଇପାରିବ ନାହିଁ କାହିଁକି ? ଏ ପରା ଚାରୁକଳାର ପିଠ ଉତ୍କଳ । ଏ ଉତ୍କଳର ନିତ୍ୟାନ୍ତ ମୂର୍ଖ ପଲ୍ଲିଲଳନା ମଧ୍ୟ ଝୋଟି ଚିତାରେ କୁଟିକମ ଦେଇ ରଚନା କରୁଛି ଚାରୁଚିତ୍ର–ତମେ ତ ବଡ଼ଘରର ପିଲା–ଧନ, ଜ୍ଞାନ ସବୁ ଅଛି । କେଉଁ ସପନପୁରୀର ଅଲ୍ୟଳୀ ରାଜକୁମାରୀର କାଉଁରୀ ସ୍ପର୍ଶରେ ଧନ୍ୟ ହୋଇ ଉଠିବ ତୁମର ଜୀବନ । ବାପା ତମର ନିଶ୍ଚୟ ସେହିପରି ବୋହୂଟିଏ ନିଶ୍ଚୟ ବାଛିବେ, ଦୁଃଖ କାହିଁକି ?’’

 

ସୁକାନ୍ତ ହସିଲା । ସୁନ୍ଦର ବାଗେଇ କଥା କହିଆସେ ତମକୁ ନୂଆବୋହୂ । ଥରେ ତ କହିଛି ମନ ଆଉ ଭାଗ୍ୟ ଭିତରେ ବହୁତ ପ୍ରଭେଦ ।

 

–“ଆଚ୍ଛା, ଯଦି ମୁଁ ସେହିପରି କନ୍ୟାଟିଏ ଖୋଜିଦେବାର ଦାୟିତ୍ୱ ନିଏ, ତେବେ ତମେ ଓ ବାପା ଖୁସିହେବ ତ ? ମୋ ଜଣାଶୁଣା ଭିତରେ ସେମିତି ଝିଅଟିଏ ଅଛି ।’’

 

“–କିଏ ସେ ନୂଆବୋହୂ ? କାହିଁ ତା’ କଥା ତ ମତେ କେବେ କହିନା ।’’ ଚମକି ଉଠି ପଚାରିଦେଲା ମାଧୁରୀ । କଣ୍ଠରେ ତା’ର କେମିତିକା ଅଭିମାନ ଭରି ଆସୁଥିଲା ।

 

ସୁକାନ୍ତ କିନ୍ତୁ ଗମ୍ଭୀର ହୋଇ ଉଠିଲା । ଧୀର ସ୍ୱରରେ କହିଲା, ତମେ ଯାହାକୁ ପସନ୍ଦ କରିବ ସେ ନିଶ୍ଚୟ ଭଲ ହେଇଥିବ ନୂଆବୋହୂ ଏ ବିଶ୍ୱାସ ମୋର ଅଛି–ମୁଁ ପସନ୍ଦ କଲେ ବାପା ବୋଧହୁଏ ଅମତ ହେବେନାହିଁ । ସେ ମତେ ଅତି ଭଲପାଆନ୍ତି । କିନ୍ତୁ ବର୍ତ୍ତମାନ ସେ ଚିନ୍ତା କାହିଁକି-? ସେ ସମୟ ତ ବହୁତ ଡେରି ଅଛି । ସେ ବେଳହେଲେ ମୁଁ ତୁମକୁ କହିବି ।

 

ପ୍ରମିଳା ହସିଲା । ବୁଝିଲା ସୁକାନ୍ତ କିପରି ଏଡ଼େଇ ଯାଉଛି । ଉଠିପଡ଼ି ସେ ଉତ୍ତର ଦେଲା, “ମତେ କିଛି କହିବା ଦରକାର ନାହିଁ ଶିଳ୍ପୀ, ମୁଁ ସମସ୍ତଙ୍କ ମନକଥା ଜାଣିପାରେ ।’’

 

–ସତେ ? ବିସ୍ମିତ ହୋଇ ପଚାରିଲା ସୁକାନ୍ତ ।

 

–‘‘ହଁ ଶିଳ୍ପୀ ସେ ସମୟ ଆସିଲେ ମୁଁ ସବୁ ଠିକ୍ କରିଦେବି । ତମେ ଚିତ୍ର ଆଙ୍କ । ଆଜି ରବିବାର ବୋଲି ମୋର ବି ସମୟଜ୍ଞାନ ରହୁନାହିଁ, ଡେରି ହୋଇଗଲାଣି । ମୁଁ ଜଳଖିଆ କରେଁ । ହଁ, ଦେଖ, ଯିବା ପୂର୍ବରୁ ମତେ କହିକି ଯିବ । ଲୁଚି ପଳାଇବ ନାହିଁ ମୋ ରାଣ ।’’

 

ତୂଳିଟା ଥୋଇଦେଇ ସୁକାନ୍ତ ଠିଆହୋଇ ପଡ଼ିଲା । “ଛି ଛି, ସବୁବେଳେ ଖାଲି ଏହି ରାଣ ପକାଉଛ କାହିଁକି ନୂଆବୋହୂ । କହିଲଭଲା କୋଉଦିନ ତମକୁ ନକହି ପଳାଇଛି ?’’

 

–ହଁ, ସେଦିନ ମୁଁ ବଢ଼ାବଢ଼ି କରୁଛି ତମେ କେମିତି ଚାଲିଗଲ ?

 

ଓଃ...ଆର ରବିବାର କଥା । ଘଣ୍ଟା ଦେଖିଲି ଟାଇମ୍ ହେଇ ଯାଇଥିଲା, ହଷ୍ଟେଲର ଦି’ଜଣ ପିଲା ମତେ ପ୍ରଭାତ ସିନେମାରେ ଅପେକ୍ଷା କରିଥିବେ । ଆଗରୁ ଟିକେଟ୍‍ ହେଇଥିଲା । ଟାଇମ୍ ହେଇଗଲା । ଯିବାକୁ ବିନୟ ତ ମନାକଲା ମୁଁ ପଳାଇଗଲି । ନଯାଇ ଥିଲେ ପଇସା ତ ନଷ୍ଟ ତା’ ଛଡ଼ା ସେମାନେ ଭାରି ଖରାପ ଭାବିଥାନ୍ତେ । ଆମ ହଷ୍ଟେଲ ପିଲାଙ୍କ କଥା ତମେ ଜାଣିନା ନୂଆବୋହୂ ଭାରି ମିନ୍‍ମାଇଣ୍ଡ ।

 

ହସିଲା ପ୍ରମିଳା... “ଆଚ୍ଛା, ଆଚ୍ଛା ତମକୁ କ୍ଷମା ଦିଆଗଲା । ଆଉ ସଫେଇ ଦରକାର ନାହିଁ । ହଉ ଛବି ଆଙ୍କୁଥା–ବାପା ଉଠି ପଡ଼ିବେ, ଚା’ ଦରକାର ତାଙ୍କର ତମ ବନ୍ଧୁ ଏଇନେ ଆସିଯିବେ ବଜାର ଯାଇଛନ୍ତି । କ’ଣ କରିବେ ସେ, ଛାତ୍ର ଜୀବନକୁ ଘର ଚିନ୍ତା, ବଡ଼ ହଇରାଣ ହେଉଛନ୍ତି ।

କଥାଟା ଶେଷ କରିବା ପୂର୍ବରୁ ପ୍ରମିଳା ଚାଲି ଯାଉଥିଲା–ସୁକାନ୍ତ କହିଲା, “ପ୍ରକୃତରେ ନୂଆବୋହୂ ତମର ସୁଗୃହିଣୀ ହେବାର ସବୁ ପ୍ରକାର ଦକ୍ଷତା ଅଛି..., ସେଥିପାଇଁ ବିଶେଷ ଧନ୍ୟବାଦ ।’’

ମାଧୁରୀ ହସିଲା । କହିଲା, ସେହି ଗୃହିଣୀ ରତ୍ନର ଅନୁସନ୍ଧାନକାରିଣୀ ମୁଁ–ଏଇଟାହିଁ ମୋର ଗର୍ବ କରିବା କଥା ।

ପ୍ରମିଳା ଉତ୍ତର ଦେଲା, “ସେଥିପାଇଁ ଏକ ସ୍ୱତନ୍ତ୍ର ଉତ୍ସବରେ ତୁମକୁ ତମର ଆଶାତୀତ ଧନସମ୍ମାନ ପୁରସ୍କାର ଦେବାର ବ୍ୟବସ୍ଥା ମୁଁ ଶୀଘ୍ର କରୁଛି କିଛିଦିନ ଅପେକ୍ଷା କର ।’’ ମାଧୁରୀର କିଛି ଉତ୍ତର ଦେବା ପୂର୍ବରୁ ପ୍ରମିଳା ରୋଷେଇ ଘରକୁ ଚାଲିଗଲା ।

କିଛି ସମୟ ତା’ର ଗତିପଥକୁ ଚାହିଁ ମାଧୁରୀ ଛବିଅଙ୍କାରେ ମନଦେଲା । ତା’ର ଛବି କ୍ରମେ ଭଲ ହେଉଥିଲେ ମଧ୍ୟ ତା’ର ଦୋଷତ୍ରୁଟିକୁ ସଜାଡ଼ିଦିଏ ସୁକାନ୍ତ......ନିଜ ଛବି ଦେଖାଇ ଶିଖାଇ ଦିଏ ଭିନ୍ନ ଭିନ୍ନ ଛବି ଆଙ୍କିବାର ଶୈଳୀ ।

ମନଧ୍ୟାନ ଦେଇ ଗୋଟିଏ ଛବି ଆଙ୍କି ବସିଲା ମାଧୁରୀ–ସୁକାନ୍ତ ଏହା ଲକ୍ଷ୍ୟକରି ବିନୟର ପଢ଼ାଘରକୁ ଉଠିଯାଇ ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼ ପଢ଼ି ବସିଲା । ମାଧୁରୀ କେମିତି ଆଙ୍କୁଛି ସେ ପରେ ଦେଖିବ ।

ମାଧୁରୀ ଆଙ୍କି ଚାଲିଛି ଛବି । ମନରେ ତା’ର ଅସୀମ ଭାବନା । –ନୂଆବୋହୂ ଭାରି ସ୍ନେହୀ–ମାଆର ସ୍ନେହ ସେ ଭୁଲିଥିଲା–ଏହି ନୂଆବୋହୂ ଆସିବାଦିନୁ ସେ ସବୁ ପାଉଛି–ଭାଉଜର ଆଦର, ମାଆର ସ୍ନେହ । ସେ ଆଦର୍ଶମୟୀ ଗୃହିଣୀ, ଏତେ କମ ବୟସରେ ଏତେ ବିଚକ୍ଷଣ ବୁଦ୍ଧି...

 

ହାତ ଚାଲିଛି–ମନର ଭାବନା ସଙ୍ଗେ ଚା’ ଜଳଖିଆ ଧରି ଫେରିଛି ପ୍ରମିଳା....ଆଃ ତରୁଣୀର କୃଷ୍ଣକବରୀରେ ରକ୍ତଗୋଲାପ ଅପେକ୍ଷା ଗୋଲାପି ଗୋଲାପ ଭଲ ମାନିଥାନ୍ତା ମାଧୁରୀ-। ମାଧୁରୀ ଚମକି ପଡ଼ିଲା–ସତେ ତ ଭୁଲ୍‍ ହେଇଗଲା ନୂଆବୋହୂ । ସତେ ଛବି ନଆଙ୍କି ମଧ୍ୟ ମୋ’ ଭୁଲ୍‍ ଧରି ପାରିଲ । ସେଥିରେ କିଛି ବିଶେଷତ୍ୱ ନାହିଁ । ହଉ–ଆଉ ଥରେ ପରେ ସଜାଡ଼ିନେବ । ଆଗ ଖାଅ ତ–ଚା’ ଥଣ୍ଡା ହେଉଛି । ସୁକାନ୍ତବାବୁ କ’ଣ ଚାଲିଗଲେ କି ?

 

ସୁକାନ୍ତ ଆର ଘରୁ ବାହାରି ଆସିଲା । ନାଁ–ନାଁ ନୂଆବୋହୂ ଚା’ଟା ତମ ହାତରୁ ନଖାଇ ଚାଲିଯିବାର ଦୁଃସାହସ ମୋର ନାହିଁ.....ଆରେ ଏତେ ସବୁ କ’ଣ ।

 

ବେଶି କିଛି ନୁହେଁ, ତମ ପାଇଁ କପେ ଚା’, ୪ଟି ସିଙ୍ଗଡ଼ା, ୨ଟା ସନ୍ଦେଶ । ହସି ହସି ସୁକାନ୍ତ ହାତକୁ ପ୍ଲେଟ୍‍ ବଢ଼ାଇ ଦେଲା ପ୍ରମିଳା । ସୁକାନ୍ତ ଉତ୍ତର ଦେଲା, “ଏହି ସନ୍ଦେଶଗୁଡ଼ିକ ବଜାରର ସନ୍ଦେଶ ଅପେକ୍ଷା ବେଶି ଭଲ ଲାଗେ ମତେ, ଦୁଇଟି ସିଙ୍ଗଡ଼ା କାଢ଼ିନିଅ ମୁଁ ପାରିବି ନାହିଁ-।’’

 

ଆରେ ପାରିବୁ ନାହିଁ ଯାହା ମୋ ପାଇଁ ରଖ୍‍ ଫେରାଉଛୁ କାହିଁକି ? ବଜାର ବ୍ୟାଗ୍‍ଟା ଥୋଇଦେଇ ପାଇପରେ ମୁହଁ ଧୋଇଲା ବିନୟ । ଆଉ କିଛି ସିଙ୍ଗଡ଼ା ସନ୍ଦେଶ ଆଣି ସେହି ପ୍ଲେଟରେ ଓଜାଡ଼ିଲା ପ୍ରମିଳା ।

 

ତୂଳି ଛବି ନେଇ ସେତେବେଳକୁ ମାଧୁରୀ ଘର ଭିତରକୁ ଗଲାଣି । ଚା’ଟା ତା’ର ଆଗେ ଦରକାର । କିନ୍ତୁ ଏବେ କାହିଁକି ସୁକାନ୍ତବାବୁଙ୍କ ଆଗରେ କିଛି ଖାଇବାକୁ ଲାଜ ମାଡ଼ୁଛି ଏକଥା ଜାଣି ଜାଣି ପ୍ରମିଳା ସେଇଠି ନେଇକି ମାଧୁରୀର ଚା’ ଜଳଖିଆ ଥୋଇବ ।–

 

ଦୁଇ ବନ୍ଧୁ ଖାଇପିଇ ସାରୁ ସାରୁ ଶିବବାବୁଙ୍କ ଡାକରା ପଡ଼ିଲା । ଆଗାମୀ ପରୀକ୍ଷା ପାଇଁ କିଏ କିପରି ପ୍ରସ୍ତୁତ ହେଉଛି ସେହିସବୁ ଜାଣିବାକୁ ତାଙ୍କର ବେଶି ଆଗ୍ରହ ।

 

ସେଦିନ ସୁକାନ୍ତର ହଷ୍ଟେଲକୁ ଫେରିବାକୁ ଟିକିଏ ଡେରି ବି ହେଇଗଲା । ଆସନ୍ତା ରବିବାର ଦିନ ମଧ୍ୟାହ୍ନ ଭୋଜନର ନିମନ୍ତ୍ରଣ କରି ବିନୟ ପ୍ରମିଳା ସୁକାନ୍ତକୁ ବିଦାୟ ଦେଲେ ।

 

ଦିନଗୁଡ଼ିକ ବିତିଚାଲିଛି ସ୍ୱପ୍ନପରି.....ସିଧାସଳଖ ନ ହେଲେ ବି ପ୍ରକାରନ୍ତରେ ସୁକାନ୍ତ ମାଧୁରୀଙ୍କର ବିବାହରେ ସମ୍ମତି ଅଛି ବୋଲି ପ୍ରମିଳା ଗଳ୍ପଛଳରେ ସେମାନଙ୍କଠାରୁ ଆଦାୟ କରି ନେଇଛି–ଅଥଚ ସେମାନେ ଏକଥା କିଛିହେଲେ ଜାଣିପାରି ନାହାଁନ୍ତି.....

 

ଦିନକର ଘଟଣା–ମାଧୁରୀ ମନଧ୍ୟାନ ଦେଇ ଗୋଟିଏ ଛବି ଆଙ୍କି ଚାଲିଛି । ତରୁଣୀ.....ତପସ୍ୱିନୀ.....ଶାନ୍ତ କୋମଳ...ଲଳିତ ଅଙ୍ଗସୌଷ୍ଠବରେ ପ୍ଳାବନ କରୁଛି ଯୌବନର ବନ୍ୟା । ମୁକ୍ତ କୁଞ୍ଚିତ କେଶରାଶି ପୃଷ୍ଠ ଦେଶରେ ବିପର୍ଯ୍ୟସ୍ତ, କଣ୍ଠ, ବାହୁ, ମଣିବନ୍ଧରେ ରୁଦ୍ରାକ୍ଷର ମାଳା, ସର୍ବାଙ୍ଗରେ ପରିଧାନ କଷାୟ ବସନ, ସୁନ୍ଦରୀର ଅଙ୍ଗ, ଦେଶରୁ ବିକିରଣ କରୁଛି ଅପୂର୍ବ ଜ୍ୟୋତି–ଗିରି ଅନ୍ତଃରାଳରୁ ଅସ୍ତଗାମୀ ରବିଙ୍କର ରକ୍ତିମଆଭା ବିଞ୍ଚି ହୋଇ ପଡ଼ିଛି ତପସ୍ୱିନୀର ମୁଖକମଳରେ.....ଅନ୍ୟ ପାଖରେ ସନ୍ଧ୍ୟା ଆଗମ ପ୍ରାୟ.....

 

ସାରା ଦିବସର କ୍ଳାନ୍ତ-ଶ୍ଳାନ୍ତ-ବିହଙ୍ଗଗଣ ଦଳ ଦଳ ହୋଇ ବିଶ୍ରାମପାଇଁ ଉଡ଼ି ଆସୁଛନ୍ତି ନୀଡ଼ାଭିମୁଖେ । ପୃଥିବୀ ପୃଷ୍ଠକୁ ଓହ୍ଲାଇ ଆସୁଛି ସଂଧ୍ୟାର ଅନ୍ଧାର । ତପସ୍ୱିନୀ ନିର୍ଭିକା–ତାଙ୍କ ଧ୍ୟାନରେ ବିରତି ନାହିଁ–ନାହିଁ ବାହ୍ୟଜ୍ଞାନ, ନିମିଳିତ ନୟନଯୁଗଳ ବିଭୁ ପାଦପଦ୍ମରେ ମଗ୍ନ । ସେ ତପସ୍ୟା ନିକଟରେ ହାର୍‍ ମାନିଛି ରୂପ ଯୌବନ ତପସ୍ୱିନୀ ଉମା ଦୃଢ଼ ସଙ୍କଳ୍ପରତା । ଦେବ ଦେବ ମହାଦେବଙ୍କୁ ଲାଭ ନ କଲାଯାଏ ତପସ୍ୟାରୁ ବିରତ ହେବ ନାହିଁ ।

 

ମନଧ୍ୟାନ ଦେଇ ରଙ୍ଗ ତୂଳି ଚଳାଇ ଚାଲିଛି ମାଧୁରୀ । ତା’ର ମଧ୍ୟ କୁଆଡ଼କୁ ଧ୍ୟାନ ନାହିଁ-

 

“ତପସ୍ୱିନୀ ପରି ତମେ ମଧ୍ୟ ସଙ୍କଳ୍ପରତା ଶିଳ୍ପୀ, ଚିତ୍ରଟି ଶେଷ ନ କରିବା ଯାଏଁ ବୋଧହୁଏ ତମର ବାହ୍ୟଜ୍ଞାନ ଫେରି ଆସିବ ନାହିଁ । ଆଃ ଗିରିଶୃଙ୍ଗ ପୁଣି ହଳଦିଆ କାହିଁକି କରୁଛ, ବର୍ତ୍ତମାନ କେବଳ ଲାଲରେହିଁ ଚଳିବ–’’

 

ଅଳ୍ପ ଦୂରରେ ଠିଆହୋଇ ହସୁଥିଲା ସୁକାନ୍ତ । ତା’ ପାଟି ଶୁଣି ମାଧୁରୀ ହାତରୁ ତୂଳି ଖସି ପଡ଼ିଲା । ସେ ଜାଣେନାହିଁ ୟା’ ଭିତରେ ସୁକାନ୍ତ କେତେବେଳେ ଆସିଛି । ତର ତର ହୋଇ ନିଜର ଲୁଗାପଟା ସଜାଡ଼ି ନେଇ ସେ କହିଲା–“ଆପଣ କେତେବେଳେ ଆସିଲେ । ବସନ୍ତୁ ଠିଆହେଇ ରହିଲେ କାହିଁକି ? ସୁକାନ୍ତ ପାଖକୁ ଚେୟାର ଘୁଞ୍ଚାଇ ଦେଲା ମାଧୁରୀ ।’’

 

ସୁକାନ୍ତ କହିଲା, “ତମେ ଠିଆ ହେଲ କାହିଁକି ? ’’

 

ବସ । ମୁଁ ଟିକିଏ ଆଗରୁ ଆସିଲି, ତମେ ଏ ଛବିଟି ଆଙ୍କିବାରେ ଏତେ ତନ୍ମୟ ହୋଇପଡ଼ିଛ ଯେ ମୋ ଆସିବା ଜାଣି ପାରିନା । ମୋର ଶ୍ରମ ସାର୍ଥକ ହୋଇଛି ମାଧୁରୀ । ଖୁବ୍ କମ୍ ଦିନରେ ତମେ ବହୁତ ସୁନ୍ଦର ଛବି ଆଙ୍କି ପାରିଲଣି । ମୁଁ ଆଶା କରୁଛି ଅଳ୍ପ ଦିନରେ ତମେ ଜଣେ କ୍ଷାତନାମା ନାରୀଶିଳ୍ପୀ ବୋଲି ପରିଚିତା ହେବ । ତୃପ୍ତିର ହସ ହସିଲା ସୁକାନ୍ତ ।

 

–“ହଁ, ମୁଁ ପୁଣି ହେବି ଶିଳ୍ପୀ ?’’ ଲଜ୍ଜ୍ୟା ଦିଅନ୍ତୁ ନାହିଁ ମତେ । ତଳକୁ ମୁହଁକରି ଉତ୍ତର ଦେଲା ମାଧୁରୀ ।

 

ସୁକାନ୍ତ ମାଧୁରୀର ଛବିଟିକୁ ନିରୀକ୍ଷଣ କରି ଦେଖୁ ଦେଖୁ କହିଲା, “ତମେ ନିଶ୍ଚୟ ଭଲ ନାଆଁ କରିବ ମାଧୁରୀ । ତମେ ଏ ଯୁଗର ନାରୀ ହୋଇ ଧାଇଁଛ ପୁରାଣ ଯୁଗକୁ । ଛବିଟା ଖୁବ୍ ବଡ଼ହେବ ଜଣା ଯାଉଛି । ସମ୍ପୂର୍ଣ୍ଣତ ହେଇ ନାହିଁ, ଏ ତ ତପସ୍ୱିନୀ ଉମା–ଏହାପରେ କ’ଣ କରୁଛ । ଉମାଙ୍କର ତପସ୍ୟା କେବଳ ପ୍ରତୀକ୍ଷାରେ କଟିବ, ନାଁ ଦେବ ଦେବ ମହାଦେବଙ୍କର ଆବିର୍ଭାବ ହେବ-?

 

ମୁହଁରେ ଦୁଷ୍ଟାମି ହସ ଫୁଟାଇ ମାଧୁରୀ କହିଲା, “ତପସ୍ୱିନୀର କଠୋର ତପସ୍ୟା କେବେ ନିଷ୍ଫଳ ହେବ ନାହିଁ । ତପସ୍ୱିନୀର ସାଧନା ଫଳରେ ମହାଦେବଙ୍କ ଆସନ ନିଶ୍ଚୟ ଟଳମଳ ହୋଇ ଟଳିବ । ଆଉ ସେ ପଥର ନ ହୋଇ ତପସ୍ୱିନୀର ନୟନ ପାର୍ଶ୍ୱରେ ଆବିର୍ଭାବ ହେବେ । ସେଥିପାଇଁ ତପସ୍ୱିନୀକୁ ଆହୁରି ନିଷ୍ଠାପର ହୋଇ ପ୍ରତୀକ୍ଷା କରିବାକୁ ହେବ–ଏହାହିଁ ମୋର ଭାବନା ।’’

 

ପ୍ରତୀକ୍ଷା ତ ସଫଳ ହୋଇଛି ତପସ୍ୱିନୀ–ମହାଦେବ ସ୍ୱୟଂ ତପସ୍ୱିନୀ ନିକଟରେ ଆବିର୍ଭାବ ହୋଇ ସାରିଛନ୍ତି । ଏଥର ଖାଲି ତପସ୍ୱିନୀର କର୍ତ୍ତବ୍ୟ ପୂଜା ଆଉ ନୈବେଦ୍ୟ । ସେ ସାମଗ୍ରୀ ବି ପ୍ରିୟସଖୀ ସଜାଡ଼ି ଆଣିଛି । ଉଠ ତପସ୍ୱିନୀ, ତମ ଦେବତାଙ୍କର ନୈବେଦ୍ୟ ଲଗାଅ । ହସି ହସି ଟେବୁଲ୍‍ ଉପରେ ଜଳଖିଆ ପ୍ଲେଟ୍‍ ଓ ପାଣିଗ୍ଲାସ୍‍ ଥୋଇଲା ପ୍ରମିଳା । ମାଧୁରୀ ବୁଝି ପାରିଲା ନାହିଁ ପ୍ରଥମେ ନୂଆବୋହୂ କ’ଣ କହୁଛନ୍ତି ।

 

“ଏ କ’ଣ ନୂଆବୋହୂ ?’’ ଚମକି ଉଠିଲା ସୁକାନ୍ତ.....ତାର ଅନ୍ତର ଭିତରେ ଅନୁଭବ କଲା କେମିତି ଗୋଟାଏ ନୂତନ ଶିହରଣ । ଏତେଦିନ ଧରି ସେ ଯାହା ମନରେ ଭାବିଛି, ଆଜି ନୂଆବୋହୂ ବା ଜାଣିଲେ କିପରି ? କେବେ କୌଣସି କାର୍ଯ୍ୟକଳାପରେ ତ ସେ ଜଣାଇଁ ଦେଇ ନାହିଁ ତା’ର ମନୋଭାବ । ମାଧୁରୀକୁ ମଧ୍ୟ ହଠାତ୍‍ ଆଜି ନୂଆବୋହୂଙ୍କ ମୁହଁରେ ଏ କି କଥା ?

 

ହଠାତ୍‍ ନୂଆବୋହୂଙ୍କ ମୁହଁରେ ଏ କି କଥା ? ଚମକି ପଡ଼ିଲା ମାଧୁରୀ । ଛବିଟାକୁ ଟିକିଏ ଦୂରକୁ ଘୁଞ୍ଚାଇ ଦେଇ ମାଧୁରୀ ବି ଉଠିପଡ଼ିଲା । “ତମେ ମତେ ସେମିତି କହିଲେ ମୁଁ ଆଉ ଛବି ଆଙ୍କିବି ନାହିଁ–ନୂଆବୋହୂ ତମେ ଭାରିଜଣେ ହେଲଣି’’ ଅଭିମାନରେ ମାଧୁରୀର ମୁହଁ ଆରକ୍ତ ହୋଇଗଲା ।

 

ପ୍ରମିଳା ମାଧୁରୀକୁ କୋଳକୁ ଆଉଜାଇ ଆଣି କହିଲା, “ଆହିହା ମୋ’ ସୁନାନଣନ୍ଦଟା ପରା–ଏମିତି ଟିକେ ଟିକେ କଥାରେ ଅଭିମାନ କରନ୍ତି ? ଦେଖୁଛି ବିଚରା ସୁକାନ୍ତବାବୁ କେବଳ ତା’ହେଲେ ମାନଭଞ୍ଜନ କରିବାରେ ବ୍ୟସ୍ତ ରହିବେ ଆଉ ଦୈନନ୍ଦିନ କର୍ମସାରି ଛବିଆଙ୍କିବେ କେତେବେଳେ ?

 

–“ତମର କ’ଣ ହୋଇଛି ନୂଆବୋହୂ ତମେ ଆଜି ଏମିତି କ’ଣ କହୁଛ ? ମାଧୁରୀଙ୍କୁ ମୁଁ ଭଉଣୀପରି ଶ୍ରଦ୍ଧାକରି ଆସିଛି । ସେମିତି କହିଲେ ଆଉ ଆସିବି ନାହିଁ’’–ଏଇଟା ସୁକାନ୍ତର ମନର କଥାନୁହେଁ ଭଦ୍ରାମିରେ ତା’ ପାଟିରୁ ବାହାରିଗଲା ।

ପ୍ରମିଳା ମୃଦୁହସି କହିଲା, “ସେ କଥା ମୁଁ ଜାଣେ–ସେ ଦିନ ବି ଅତୀତ ହେଲାଣି ବହୁଦିନୁ ତା’ ବି ମୁଁ ଜାଣେ । ଛାତିରେ ହାତ ରଖି କହିପାରିବ ସୁକାନ୍ତ–ଏହି ସୁକୁମାରୀ ତରୁଣୀ ଶିଳ୍ପୀଟିକୁ ପାଇବାର ଅଦମ୍ୟ କାମନା ତମ ମନରେ ନାହିଁ ?’’

ସୁକାନ୍ତ ଧରା ପଡ଼ିଯାଇଛି, ଖୁନି ଆସାମୀ ପରି ତା’ ମୁହଁ ତଳକୁ ହୋଇଗଲା । ସେ’ ଧୀରେ ଧୀରେ କହିଲା–ମୁଁ ତ କେବେ ତମକୁ କହିନାହିଁ ତମେ ମନକଥା କିମିତି ଜାଣିଲ ଯେ; ତା’ଛଡ଼ା ମଣିଷର ମନରକଥା କ’ଣ ସବୁବେଳେ ପୂରଣ ହୁଏ ?

ପ୍ରମିଳା ହସିଲା, “ହୁଏ ସୁକାନ୍ତବାବୁ ଯତ୍ନ କଲେ ରତ୍ନ ମିଳେ । ସବୁକଥା ମୁହଁଖୋଲି ନ କହିଲେ ବି ଜଣାଯାଏ । ବହୁଦିନୁ ତମ ଦୁହିଁଙ୍କୁ ମୁଁ ଲକ୍ଷ୍ୟରଖିଛି, ହଉ ସେକଥା ପରେ–ତମେ ଆଗ ଖାଅ ସୁକାନ୍ତକୁ ରସଗୋଲାଟିଏ ଖୁଆଇଦେଲା ପ୍ରମିଳା ।’’

ସୁକାନ୍ତ କହିଲା, “ବିନୟ ତ ନାହିଁ ତା’ ପରିବର୍ତ୍ତେ ତମେ ନ ମିଶିଲେ ଏସବୁ କ’ଣ ଶେଷ ହୋଇ ପାରିବ ନୂଆବୋହୂ, ତମେ ବି ବସ–’’

“ନାଁ ନାଁ, ମତେ କାହିଁକି ଦିଗମ୍ବର..... ? ଗ୍ରୀଷ୍ମ, ବର୍ଷା, ଶୀତ ଦିବା, ରାତ୍ର କ୍ଷୁଧା, ତୃଷା ନମାନି ଯିଏ ତମର ଆରାଧନା କରୁଛନ୍ତି ସେହି ଉପାସିକା ସତୀଙ୍କୁ ଡାକ–’’

ଲାଜ ଲାଜ ହୋଇ ମାଧୁରୀ କହିଲା, “ଏସବୁ କ’ଣ କହୁଛ ନୂଆବୋହୂ ତମ ମୁଣ୍ଡ ଠିକ୍ ଅଛି ତ ? କଥାବାର୍ତ୍ତା ଟିକିଏ ସଂଯତ କର ।’’ ପଦାକୁ ଉଠି ଯାଉଥିଲା ମାଧୁରୀ, ପ୍ରମିଳା ତା’ ହାତଧରି ବସାଇ ଦେଇ କହିଲା–

‘‘ମୋ’ ମୁଣ୍ଡ ଠିକ୍ ଅଛି ମାଧୁରୀ–ଅସଙ୍ଗତ କିଛି କହିବାଭଳି ମୋର ମନେ ହେଉନାହିଁ–ଯାହା ସୃଷ୍ଟିର ନିୟମ ତା’ର ବ୍ୟତିକ୍ରମ ମୁଁ କିଛି କରିନାହିଁ । ସୁଗନ୍ଧ ଫୁଲଟିଏ ଫୁଟିଲେ ଉଦ୍ୟାନରକ୍ଷକ ମାଳୀର କର୍ତ୍ତବ୍ୟ ଦେବତାଙ୍କ ପାଦରେ ନିବେଦିତ କରିବା–ତୁମେ ଦୁହେଁ ଦୁହିଁଙ୍କର ଯୋଗ୍ୟ–ପରସ୍ପର ପ୍ରତି ଆକୃଷ୍ଟ–ଅଥଚ ମୁହଁ ଖୋଲି କହୁନା କାହିଁକି ? ବେଶ୍ କେହି କାହାକୁ ଚାହଁନା–ଏହା ଛାତିରେ ହାତରଖି କହିଦିଅ–ମୋ କଥା ମୁଁ ଫେରାଇ ନେବି–’’

ଚମକି ଉଠିଲେ ମାଧୁରୀ ଆଉ ସୁକାନ୍ତ–ଅଜଣା ଆନନ୍ଦ ଶିହରି ଗଲା ପ୍ରାଣେ ପ୍ରାଣେ । କେହି କିଛି ଉତ୍ତର ଦେଲେନାହିଁ ।

ପ୍ରମିଳା ହସିଲା–କହିଲା, କ’ଣ ଦୁହେଁ ଚୁପ୍‍ରହିଲ ଯେ ! ହଉ ଭାବି ଚିନ୍ତି ପରେ ଉତ୍ତର ଦେବ ମୁଁ ଆସୁଛି । ସୁକାନ୍ତ ତଳକୁ ମୁହଁ ପୋତି କହିଲା, ମୁଁ ତମ ପାଖରେ ହାରିଯାଇଛି ନୂଆବୋହୂ–ମୋର କହିବାର କିଛି ନାହିଁ ।

ପ୍ରମିଳା ହସିଲା, “ହଁ, ଏତେବେଳେ କଥାପରି କଥା ପଦେ କହିଲ–ବେଶ୍ ସେହିକଥା ସ୍ୱୀକାର କର ମୁଁ ଚା’ ଆଣେ ।’’ ପ୍ରମିଳା ଚାଲିଗଲା । ଆଉ ମାଧୁରୀ ବି ଚାଲିଗଲା । ନାନାପ୍ରକାର ଚିନ୍ତା ଭିତରେ ବୁଡ଼ିରହିଲା ସୁକାନ୍ତ, ନୂଆବୋହୂ ଆଜି ତା’ ଆଗରେ ରାସ୍ତା ପରିଷ୍କାର କରି ଦେଇଛନ୍ତି । ମାଧୁରୀ କ’ଣ କିଛି ତାଙ୍କୁ କହିଛି ? ମାଧୁରୀ ସଙ୍ଗେ ପରିଷ୍କାର ଥରେ କଥାବାର୍ତ୍ତା ହୋଇଗଲେ ଭଲ ହୋଇଥାନ୍ତା.....

ହାତଘଣ୍ଟାକୁ ଚାହିଁଲା ସୁକାନ୍ତ......ବିନୟ ଏ ପର୍ଯ୍ୟନ୍ତ ଫେରି ନାହିଁ, ତାକୁ ଅପେକ୍ଷା କରିବାକୁ ହେବ । ଦୈନିକ ସମାଜ ଉପରେ ଆଖି ଫେରାଇଲା ସୁକାନ୍ତ–ଦେଶର ଖାଦ୍ୟାଭାବ, ଦୁର୍ଘଟଣାରେ ମୃତ୍ୟୁ, ସାମ୍ପ୍ରଦାୟିକ ଦଙ୍ଗା...ଏଇଥିରେ ତ ଭର୍ତ୍ତି ଆଜିକାଲିର କାଗଜ ।

ଘର ଭିତରକୁ ପଶି ଆସିଲା ବିନୟ “ତତେ ଠିକ୍ ସମୟରେ ସାକ୍ଷାତ୍ କରିନପାରି ମୁଁ ଦୁଃଖିତ ବିନୟ । ତୋପରି ଏ ମୁଁ ମୁକ୍ତନୁହେଁ ଏହି ଛାତ୍ର ଜୀବନରୁ ହିଁ ଘରର ଦାୟିତ୍ୱ ରହିଲା । ବାପାଙ୍କର ଅଧେବେଳ ଦେହ ଖରାପ ଡାକ୍ତର ପ୍ରେସ୍‍କ୍ରିପ୍‍ସନ୍ ଅନୁଯାୟୀ ସବୁ ଔଷଧ ଖୋଜୁ ଖୋଜୁ ତ ଡେରିହେଲା, ଔଷଧ ଆଣି ବାପାଙ୍କ ଟେବୁଲ୍‍ ଉପରେ ରଖୁ ରଖୁ ତାଙ୍କ ହାବୁଡ଼ରେ ପଡ଼ିଗଲି–’’

–ମାନେ ?

–ତାଙ୍କର ପ୍ରୋଗ୍ରାମ କ’ଣ ଜାଣୁ ?

–କଣ ? ଆଗ୍ରହରେ ପଚାରିଲା ସୁକାନ୍ତ

–ଚେୟାର ଉପରେ ବସିପଡ଼ି ବିନୟ କହିଲା, “ଆସନ୍ତା ଦୋଳଛୁଟିଟାରେ ଆମେ ସମସ୍ତେ ଗୋପାଳପୁର ଯାଇ କଟାଇ ଆସିବାକୁ ସେ ପ୍ରସ୍ତାବ କରୁଛନ୍ତି...ତତେ ବି ଯିବାକୁ କହୁଛନ୍ତି ଯେ–’’

–ମତେ ?

–ହଁ ଏଥିରେ ଭାବିବାର କ’ଣ ଅଛି ?

–ତୋ’ ପକ୍ଷେ କିଛି ନୁହେଁ ବିନୟ, କିନ୍ତୁ ମୋ ପକ୍ଷେ ଅନେକ ।

ବାପାଙ୍କ କଥା ତ ଜାଣୁ, ଛୁଟିରେ ଘରକୁ ନଗଲେ ବଡ଼ ମନଦୁଃଖ କରିବେ । ଦୀର୍ଘଶ୍ୱାସ ଛାଡ଼ିଲା ସୁକାନ୍ତ ।

ପ୍ରମିଳା ବିନୟ ପାଇଁ ଜଳଖିଆ ଆଣିଲା–ବିନୟ ସୁକାନ୍ତକୁ ଡାକିଲା । ସୁକାନ୍ତ କହିଲା, ଏ ଯାଏଁ କ’ଣ ମୋର ବାକି ଅଛି ? ନୂଆବୋହୂ ପେଟେ ଖୁଆଇ ସାରିଲେଣି, ଭାଗ୍ୟରେ ଥିଲେ ଏପରି ନୂଆବୋହୂ ମିଳନ୍ତି ସିନା ।

ପ୍ରମିଳା ଚିଡ଼ିବା ଭଙ୍ଗିରେ କହିଲା, “ଥାଉ, ଥାଉ ଆଉ ଅଯଥା ପ୍ରଶଂସା ଢାଳନାହିଁ, ଗୋପାଳପୁର ଯିବାକଥା ଆଗ ବନ୍ଦୋବସ୍ତ କର । ଗୋଟାଏ ଜାଗାରେ ରହି ରହି ଚିଡ଼ି ମାଡ଼ିଲାଣି । ଟିକିଏ ବୁଲାବୁଲି କରି ଆସିବା ।

ସୁକାନ୍ତ ଉତ୍ତର ଦେଲା, “ମୁଁ କ’ଣ ମନା କରୁଛି ? ବାପା ରାଜି ହେଲେ ତ ?’’

ପ୍ରମିଳା ଥଟ୍ଟାକରି କହିଲା, “ଆହା ଛୋଟ ପିଲାଟିଏ, ହଜିଯିବେ । ନାଇଁମ–ସୁକାନ୍ତବାବୁ, ବାପାଙ୍କୁ ସିଧା ସଳଖ କହିଲେ ସେ ନିଶ୍ଚେ ରାଜି ହୁଅନ୍ତେ । ତମେ ନଗଲେ ମୋଟେ ମଜା ହେବ ନାହିଁ । ବିଶେଷତ୍...ମାଧୁରୀ..

କଥା ଛଡ଼ାଇ ବିନୟ କହିଲା, “ନିହାତି ପିଲାଳିଆଟାଏ ହେଲା ମାଧୁରୀ–ମାଆ ନ ଥିବାରୁ ବାପା ତାକୁ ଅତି ଗେହ୍ଲା କରିଦେଲେ । କେମିତି ଯେ ପରଘରେ ଯାଇ ଚଳିବ ସିଏ–ମୋର ବେଶି ଏଇ ଚିନ୍ତା ।’’ ବିନୟର ଖାଇବା ଶେଷ ହୋଇଥିଲା । ସେ ପାଣି ଗ୍ଲାସ୍‍ଟା ଉଠାଇ ନେଇ ପିଇଲା ।

 

ମୃଦୁହସି ପ୍ରମିଳା ଉତ୍ତର ଦେଲା, ‘‘ପର ଘରକୁ ତ ନିଜ ଘର କରିବାକୁ ହୁଏ, ଏଟା ସଂସାରର ନିୟମ । ମୁଁ ତ ଫେର୍‍ ତମ ଘରକୁ ନିଜଘର କରି ସାରିଲିଣି–ତା’ ଛଡ଼ା ସୁକାନ୍ତବାବୁଙ୍କ ଘରଟା ତ ପରଘର ନୁହେଁ ।’’

 

ବିନୟ ହସିଲା–“ପ୍ରଥମେ ସୁକାନ୍ତର ମତାମତ ନବୁଝି ତା’ ଉପରେ ତମର ଏଟା ଚାପ ପକାଇଲା ଭଳି ଲାଗୁଛି ପ୍ରମିଳା–ତା’ର ସ୍ୱାଧୀନ ମତ ସେ ପ୍ରକାଶ କରୁ, କାଲିର ବାଲୁରି ମାଧୁରୀଟାକୁ ନେଇ ସେ ସୁଖିହୋଇ ପାରିବ କି ନା–କଣ ସୁକାନ୍ତ ତୋ’ ନୂଆବୋହୂଙ୍କ କଥାରେ ତୋର ଆନ୍ତରିକତା ଅଛି କି ନାହିଁ ମତେ ସଫା କହିବାରେ ତୋର କିଛି ଆପତ୍ତି ଅଛି କି ? ତୋ ମୋ ଅନାବିଳ ବନ୍ଧୁତ୍ୱରେ ତୋର ଅମତ କିଛି ବ୍ୟାଘାତ ସୃଷ୍ଟି କରିବ ନାହିଁ ।’’

 

ସୁକାନ୍ତ ମୁହଁରେ ଖେଳିଲା ତୃପ୍ତିର ହସ । “ସେ ଭାଗ୍ୟ ମୋର ଥିଲେ ଚିରଦିନ ତମମାନଙ୍କର ସ୍ନେହ ଶ୍ରଦ୍ଧା ପାଇ ପାରିବ ସିନା । ସାର୍ କ’ଣ ମୋ’ ଭଳି ଅଯୋଗ୍ୟକୁ ଗ୍ରହଣ କରି ପାରିବେ ?’’

 

–ବାପା ତମକୁ ବେଶି ପସନ୍ଦ କରନ୍ତି, ଉତ୍ତର ଦେଲା ପ୍ରମିଳା ।

 

–ସେଟା ମୋର ସୌଭାଗ୍ୟ, ଉତ୍ତର ଦେଲା ସୁକାନ୍ତ ।

 

ବିନୟ ହାତଘଣ୍ଟାକୁ ଚାହିଁଲା । ଚାହିଁଲା ମଧ୍ୟ ସୁକାନ୍ତ–ପ୍ରମିଳା କହିଲା, “ତମେମାନେ କୁଆଡ଼େ ଯିବାକୁ ବାହାରିଛି ବୋଧେ ।’’

 

–ହଁ, ମୁଁ ଦେଖୁଛି ପ୍ରମିଳା ତମେ ଜଣେ ବିରାଟ ମନସ୍ତଦବିଦ୍ ହେଲଣି । କହିଲ ଦେଖି ଆମେ ଦୁହେଁ କୁଆଡ଼େ ଯିବାକୁ ବାହାରିଛୁ ? ଉତ୍ତର ଦେଲା ବିନୟ ।

 

ପ୍ରମିଳା ମୃଦୁ ହସି କହିଲା କୁଆଡ଼େ ଆଉ ଯିବ...ସିନେମା ଟାଇମ୍ ତ ଗଲାଣି ଗଲେ ଥିଏଟର ଯିବ । ଦୁଇବନ୍ଧୁ ସଶବ୍ଦେ ହସିଲେ ।

 

ବିନୟ କହିଲା, ‘‘ଧନ୍ୟବାଦ୍–ତମେ ଠିକ୍ କହିଛ, ଅନ୍ନପୂର୍ଣ୍ଣାରେ ଆଜି ନୂଆ ପ୍ଲେ ଅଛି–ଥିଏଟର ଦେଖି ଯାଉଛୁ, ସୁକାନ୍ତ ଏଠି ରହିବ ଆଜି–’’

 

ସୁକାନ୍ତ ଆପତ୍ତି କଲା, “ନାଁ ନୂଆବୋହୂ ମୁଁ ସିଆଡ଼େ ହଷ୍ଟେଲକୁ ପଳାଇବି । ମୁଁ କହି ଆସିଛି ପୁଝାରୀ ମୋ ରୁମରେ ମୋ ଖାଇବା ଜିନିଷ ରଖିଥିବ–ଦରୁଆନ୍ ଗେଟ୍ ମଧ୍ୟ ଖୋଲା ରଖିଥିବ–ମତେ ଅପେକ୍ଷା କରିବ ନାହିଁ ।’’

 

–“ହଉ ସେ କଥା ପରେ ବିଚାର ହବ; ଟାଇମ୍ ହେଲାଣି ଚାଲ୍‍’’ କହି ବିନୟ ଉଠି ପଡ଼ିଲା–ତା’ପଛେ ସୁକାନ୍ତ ବି ଚାଲିଗଲା । ଦୁହିଁଙ୍କ ଯିବା ପଥକୁ ଚାହିଁ ରହିଲା ପ୍ରମିଳା ।

 

ସୁକାନ୍ତ..ଏବେ ଆଗ ଅପେକ୍ଷା କମ୍ ଆସେ–ବିନୟ ଅନୁରୋଧ କଲେ କିମ୍ବା ଡାକି ଆଣିଲେ ପ୍ରାୟ ସେ ଆସେ......କାରଣ ତାକୁ ନେଇ ଏ ଯେଉଁ ନୂଆ ପ୍ରସ୍ତାବ ବାଢ଼ିବସିଲା ପ୍ରମିଳା.....ସେଥିରେ ବେଶି ଆସିବାଟା ଭଲ ଲାଗେନା ତାକୁ.....ମାଧୁରୀ ସଙ୍ଗେ ଆଗଭଳି ସେ ଖୋଲା ମନରେ କଥାକହି ପାରୁନାହିଁ; କେମିତି ଅଡ଼ୁଆ ଲାଗୁଛି ।

 

ତା’ ବୋଲି କଥାବାର୍ତ୍ତା ନ ହେଉଛି ତାହା ନୁହେଁ–ପ୍ରାୟ ଚିତ୍ର ଅଙ୍କା ବିଷୟ ଓ ପ୍ରମିଳା ଉପସ୍ଥିତିରେହିଁ ବେଶି ମିଳାମିଶା । ଆଗେ କେହି ନଥିଲେ ଘଣ୍ଟା ଘଣ୍ଟା ଧରି ଦୁହେଁ ଚିତ୍ର ଆଙ୍କୁଥିଲେ ଅଥଚ ଏବେ ଆଉ ହେଉନାହିଁ ।

 

ମାଧୁରୀ ଲକ୍ଷ୍ୟ କରୁଛି ସୁକାନ୍ତକୁ–ସୁକାନ୍ତ ଲକ୍ଷ୍ୟ କରୁଛି ମାଧୁରୀକୁ । ସ୍ଵମୁଖରେ ଦୁହେଁ ଦୁହିଁଙ୍କଠୁ ଜବାବ ନେବାକୁ ଚାହାଁନ୍ତି । କେହି ମୁହଁ ଫିଟାଉ ନାହିଁ । ଦିନେ ନିଜକୁ ଦୃଢ଼କରି ଆସିଲା ସୁକାନ୍ତ, ଆଜି ସେ ନିଶ୍ଚୟ ମାଧୁରୀକୁ ପଚାରିବ । ଅନ୍ୟ ଦିନ ପରି ସେ ମାଧୁରୀର ଛବିଅଙ୍କା ଟେବୁଲ୍ ପାଖରେ ଯାଇ ବସିଲା । ମାଧୁରୀ ତା’ ପୂର୍ବରୁ ସେଠାରେ ବସି ପେନ୍‍ସିଲରେ ଏଣୁତେଣୁ ଗାର ଟାଣୁଥାଏ । ଅସ୍ତ ସୂର୍ଯ୍ୟଙ୍କ ଲାଲ କିରଣ ତା’ ମୁହଁରେ ପଡ଼ି ଅତି ସୁନ୍ଦର ଦିଶୁଥାଏ । ସୁକାନ୍ତ କହିଲା– “ଦେଖୁଛ ମାଧୁରୀ ସୃଷ୍ଟିର କି ବିଚିତ୍ର ନିୟମ–ଏ ପାଖରେ ସୂର୍ଯ୍ୟ ଅସ୍ତ ହେଉଛନ୍ତି ସେ ପାଖରେ ଚନ୍ଦ୍ର ଉଦୟ ହେଉଛନ୍ତି–ଜଣକର ଆବିର୍ଭାବ ବେଳେ ଅନ୍ୟ ଜଣଙ୍କର ତିରୋଧାନ ।’’

 

–ହଁ, ତାହାହିଁ ତ ଦେଖୁଛି, ‘‘ବର୍ତ୍ତମାନ ପୋଖରୀଭିତରକୁ ଚାହିଁଲେ ଦେଖିବେ ମୁଦ୍ରିତ ପଦ୍ମ–ଆଉ ପ୍ରସ୍ଫୁଟିତ କଇଁ–’’

 

–“ଏହା କାହିଁକି ହୁଏ ତାହା ତମେ ଜାଣିଥିବ ନିଃସ୍ୱାର୍ଥ ପ୍ରେମ ତାଙ୍କର–’’

 

“ତା’ ମାନେ– ?’’

 

–ଏଇଟିକେ କଥାର ମାନେ କ’ଣ ପଚାରୁଛ ମାଧୁରୀ–ତମେ ତ ଛୋଟପିଲା ନୁହଁ । ବିଜ୍ଞାନ ଛାତ୍ରୀ । ନାରୀ ଆଉ ପୁରୁଷ ସୃଷ୍ଟିର ଚିରନ୍ତନ ପ୍ରଥା–ଯୁଗ ଯେତେ ବଦଳୁଛି ବଦଳୁଥାଉ କିନ୍ତୁ ନାରୀ ପୁରୁଷର ସମ୍ବନ୍ଧ ସବୁଦିନେ ତାହାହିଁ ଥିବ ।

 

କିନ୍ତୁ ଏଇଟା ଗୋଟାଏ ପାଶବ ଆକର୍ଷଣ ଛଡ଼ା ଆଉ ଅନ୍ୟ କ’ଣ ହୋଇପାରେ ?

 

କିନ୍ତୁ କେହି ନାରୀ ପୁରୁଷ କ’ଣ ୟା’କୁ ବଦଳାଇ ପାରିବ ନାହିଁ ? ଦୃଢ଼ କଣ୍ଠରେ ପ୍ରଶ୍ନକଲା ମାଧୁରୀ ।

 

–ହଁ, ନ ପାରିବେ କାହିଁକି ? ନିଜକୁ ଦୃଢ଼ କଲେ ଏହି ଧରାକୁ ଓହ୍ଲାଇ ଆଣିବେ ଶାଶ୍ୱତ ପ୍ରେମ । ଶାଶ୍ୱତ ପ୍ରେମହିଁ ପ୍ରକୃତ ପ୍ରେମ–ଚନ୍ଦ୍ର ଆଉ କୁମୁଦ, ପଦ୍ମ ଆଉ ସୂର୍ଯ୍ୟ, ଜଣେ ଜଳରେ ଜଣେ ଆକାଶରେ; କିନ୍ତୁ ସେମାନଙ୍କର ପ୍ରେମ ତ ଅକ୍ଷୁଣ୍ଣ...ଅଭିନ୍ନ ଅମଳିନ...ଆଉ ଚିରନ୍ତନ... । ମଣିଷର ବା ସେପରି ନ ହବ କାହିଁକି ? ରକ୍ତ ମାଂସ ଦେହର କାମନା ତ୍ୟାଗ ନକଲେ ପ୍ରେମ ଶବ୍ଦର ଅପବ୍ୟବହାର ହେବ କେବଳ ।’’ ଧୀର ଅଥଚ ଓଜନିଆଁ ଗଳା ସୁକାନ୍ତର ।

 

–ଆପଣଙ୍କ ମୁହଁରେ ଖୁବ୍ ବଡ଼ ବଡ଼ କଥା–ଆପଣ ଯେ କେତେ ଉଚ୍ଚରେ ମୁଁ କଳ୍ପନା କରି ପାରୁନାହିଁ । ଉଚ୍ଛ୍ୱସିତ ଆନନ୍ଦ ହୋଇ କହିଲା ମାଧୁରୀ, ତା’ ଆଖିରେ ସୁକାନ୍ତ ଦେଖାଗଲା ସତେ ଯେପରି ସେହି ପୁରାଣ ଯୁଗର ଦେବକୁମାର ।

 

ସୁକାନ୍ତକୁ ବି ସୁବିଧା ମିଳିଗଲା । ସେ କହିଲା, “ମୋତେ ଅଯଥା ଉଚ୍ଚାସନ ଦିଅନା ମାଧୁରୀ–ତମ ମୁହଁରେ ଏହିପରି କେତେବେଳେ କ’ଣ ଶୁଣି ବୋଧେ ନୂଆବୋହୂଙ୍କ ମୁହଁରେ ଏବେ ନୂଆକଥା । ନୂଆବୋହୂ ଯାହା କହୁଛନ୍ତି ସେଥିରେ ତମେ ସୁଖି ହେଇ ପାରିବ ତ ? ଟାଉନ୍ ବଜାରେ ପିଲା ଦିନୁ ବଢ଼ି ଆଧୁନିକ ଶିକ୍ଷାପାଇ ଏକ ଅକ୍ଷାତ ମଫସଲ ଘର କଣରେ ସାରା ଜୀବନ କଟାଇ ପାରିବ ?’’

 

ମାଧୁରୀକୁ ପ୍ରଥମେ ଲାଜଲାଗିଲା, କିଛି ଉତ୍ତର ଦେଇ ପାରିଲାନାହିଁ । ସୁକାନ୍ତ କହିଲା, “ନୀରବ ରହିଲ କାହିଁକି ? ମୁଁ ଜାଣେ ତମେ ପାରିବ ନାହିଁ, ସେଥିପାଇଁ ବ୍ୟସ୍ତ ହୁଅନା ମୁଁ ନୂଆବୋହୂଙ୍କୁ ସବୁ ବୁଝାଇ କହିବି ।’’

 

ମାଧୁରୀର କଅଁଳ ଆଖିପତାରୁ ଝରିପଡ଼ିଲା ଦି’ଠୋପା ଲୁହ । ସେ କହିଲା, “ଭୁଲ୍‍ ଆପଣଙ୍କର ସୁକାନ୍ତବାବୁ, ଆପଣଙ୍କପରି ମହାନ୍ ବ୍ୟକ୍ତିଙ୍କୁ ମୁଁ ନିଜର କରିପାରିବି ଏ ସୌଭାଗ୍ୟ କ’ଣ ସତେ ମୋର ଅଛି ? ମୋର ଆଶଙ୍କା ଆପଣଙ୍କର ବାପା.....ଆମ ଗରିବ ଘରୁ ଝିଅନେବାକୁ ରାଜି ନ’ହୋଇ ପାରନ୍ତି...ତେଣୁ.....’’

 

–ଛି’ ମାଧୁରୀ ତମେ ନିଜକୁ ଏତେ ଛୋଟ ବୋଲି ମନେକରୁଛ କାହିଁକି ? ମୋ ବାପାଙ୍କୁ ତମେ ଦେଖିନାହଁ, ମୋ ପ୍ରତି ତାଙ୍କ ହୃଦୟରେ କେବଳ ସ୍ନେହଛଡ଼ା ଅନ୍ୟ କିଛି ନାହିଁ । ମୁଁ ତମକୁ ଭଲପାଏ ଜାଣିଲେ ବାପା ଖୁସି ହେବେ । ସାର୍‍ଙ୍କୁ ବାପା ଭଲଭାବେ ଚିହ୍ନନ୍ତି...ତମ ମନରେ ଅଯଥା କଷ୍ଟଦେଲି ସେଥିପାଇଁ କ୍ଷମାଦେବ–କଅଁଳ ନରମ ସ୍ୱରରେ କହିଲା ସୁକାନ୍ତ ।

 

ମାଧୁରୀ ଉତ୍ତର ଦେଲା, “ମୁଁ ବିଜ୍ଞାନର ଛାତ୍ରୀ–ରକ୍ତ ମାଂସ ଗଢ଼ା ମଣିଷ ଦେହର ପରିଣତି ଦେଖୁଛି–ସେଥିପାଇଁ ପାଶବ ପ୍ରେମକୁ ମୁଁ ଘୃଣାକରେ । ଆପଣଙ୍କ କାର୍ଯ୍ୟକଳାପ......କଥାବାର୍ତ୍ତା ଭିତରେ ମୁଁ ପାଏ ଦେବତ୍ୱର ସନ୍ଧାନ । ସେଥିପାଇଁ ମନେ ମନେ ମୁଁ ଆପଣଙ୍କୁ ଭକ୍ତି କରେ । ମୋର ଇଚ୍ଛା ଏହି ଶିଳ୍ପ ବିଦ୍ୟାର ଶ୍ରେଷ୍ଠାସନ ଲାଭକରିବା ଯାଏ ଆମେ ଆଗେଇବା–’’

ସୁକାନ୍ତ ଆନନ୍ଦହୋଇ କହିଲା, “ବେଶ୍ ମୁଁ ତୁମକୁ ନିର୍ଭର ପ୍ରତିଶ୍ରୁତି ଦେଉଛି, ତମର ଆଶା ନିଶ୍ଚୟ ସଫଳ ହେବ । ଆମର ସମୁଦାୟ ଜୀବନ ଏହି ଶାଶ୍ୱତ ପ୍ରେମରେ କଟାଇ ବିଶ୍ୱଆଗରେ ଆମେ ବାଢ଼ିଦେବା ଗୋଟିଏ ନୂଆ ଚିତ୍ର–ଧୈର୍ଯ୍ୟଧରି ପାରିବ ତ ?

–“ନିଶ୍ଚୟ ପାରିବି, ଆପଣ ମୋ ପାଖେ ପାଖେ ଥିଲେ ସବୁ ଅସାଧ୍ୟ ସାଧନ କରିପାରିବି ବୋଲି ମୋର ବିଶ୍ୱାସ ।’’

–ଏହି ବିଶ୍ୱରେ ଆମେ ସୃଷ୍ଟି କରିବା ନୂତନ ଚିତ୍ର–ଭଗବାନ ଆମର କାମନା ପୂର୍ଣ୍ଣକରନ୍ତୁ–ଉତ୍ତର ଦେଲା ସୁକାନ୍ତ । ପାଖ ଦେବାଳୟରେ ବାଜିଉଠିଲା ଘଣ୍ଟା ଧ୍ୱନି.....ସନ୍ଧ୍ୟା ଆଳତୀର ସଂକେତ ନେଇ, ଦୁହିଁଙ୍କ ମଥା ନଇଁଗଲା ଭକ୍ତିରେ ସେହି ସର୍ବନିୟନ୍ତା ଈଶ୍ୱରଙ୍କ ଉଦ୍ଦେଶ୍ୟରେ । ବୋଉର ଶେଷଇଚ୍ଛା ଭଲଝିଅଟିଏ ବୋହୂକରି ଘରକୁ ନେବାକୁ.....ମାଧୁରୀ ନିଶ୍ଚୟ ଉପଯୁକ୍ତା–ବୋଉ ତୁ ଆଶୀର୍ବାଦ କର–“ବୋଉ ଉଦ୍ଦେଶ୍ୟରେ ପୁଣି ଥରେ ମୁଣ୍ଡ ନୋଇଁଲା ସୁକାନ୍ତ–

ଚନ୍ଦନପୁରର ଭୂତପୁର୍ବ ଜମିଦାର ଗୌରୀଶଙ୍କର ଭ୍ରମରବର ମହାପାତ୍ରଙ୍କୁ ନ ଜାଣେ କିଏ–ଏମିତି ଲୋକ ଆଖପାଖ କୋଡ଼ିଏଖଣ୍ଡ ଗାଆଁରେ କେହିନାହିଁ । ତାଙ୍କର ବିରାଟ ଦୋମହଲା କୋଠା ଜଣାଇଦିଏ ଆଭିଜାତ୍ୟର ବଡ଼ିମା । ଜମିଦାରୀ ଥିଲାବେଳେ ତାଙ୍କର ଏହି ବିରାଟ ଘରଗୁଡ଼ିକୁ ଲୋକେ ରାଜା ଉଆସ ବୋଲି କହୁଥିଲେ । ଗୁମାସ୍ତା, ଚପରାଶି, ତହସିଲଦାର, ବେଠିଆ, କୋଠିଆ, ଥିଲେ କାହିଁରେ କେତେ । ସବୁବେଳେ ଦାଣ୍ଡ ଘୋ-ଘୋ କମ୍ପୁଥିଲା । ସରକାର ଜମିଦାରୀ ନେବାଦିନୁ ସେ ସବୁ ଗୋଳମାଳ କମିଗଲାଣି । ଅତୀତର ବିଭବ ଏବେ ଯେ ସମ୍ପୂର୍ଣ୍ଣ ନଷ୍ଟହୋଇଛି ତାହା ନୁହେଁ, କର୍ପୂର ଯାଇଥିଲେ ବି କନା ପଡ଼ିଛି । ଏବେ ବି ଭୋକି, ଶୋଷିଙ୍କ ଶୁଖିଲା ମୁହଁ ଓଦା ହେଉଛି । ଏବେ ବି ହାକିମ ହୁକୁମା–ମନ୍ତ୍ରୀ, ଏମ୍.ଏଲ୍.ଏ. ନେତାଙ୍କଠାରୁ କଲେକ୍ଟର, ଜମାଦାର, ପିଅନ, କନେଷ୍ଟବଳ ପର୍ଯ୍ୟନ୍ତ ଯିଏ ସେ ଗାଁକୁ ଆସିବେ ତାଙ୍କର ଆଶ୍ରୟସ୍ଥଳୀ ସେହି ଜମିଦାରଙ୍କ ଉଆସ ।

ଗୌରୀଶଙ୍କରବାବୁ ଖୁବ୍ ସ୍ନେହୀ ଓ ଖୁବ୍ ଅମାୟିକ ଲୋକ । ଯୁଗକୁ ଚାହିଁ ନିଜକୁ ଗଢ଼ିଛନ୍ତି । କାଲି ଜମିଦାରୀ ଥିଲାବେଳେ ଯେଉଁମାନେ ଖଣ୍ଡେଦୂରରେ ଠିଆ ହେଉଥିଲେ ଆଜି ସେହିମାନଙ୍କୁ ପାଖକୁ ଡାକି ହାନିଲାଭ ବୁଝୁଛନ୍ତି । ସେହିମାନଙ୍କୁ ବିପଦ ଆପଦକୁ ସାହା ହେଉଛନ୍ତି-। ନିଜ ଦେଶର ଅଭାବ ଅସୁବିଧା ସୁଧାରିବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି ।

ସେ ନୁହଁନ୍ତି ମନ୍ତ୍ରୀ, ଏମ୍.ଏଲ୍.ଏ. ସରପଞ୍ଚ କିମ୍ବା ତାଙ୍କର ନାହିଁ ଆଜି ଜମିଦାରୀ । ମାତ୍ର ସେ ସବୁରୁ ବଳି ଜନସାଧାରଙ୍କଠାରୁ ସେ ଲାଭ କରୁଛନ୍ତି ଅଧିକ ସମ୍ମାନ ଆଉ ଅଧିକ ସ୍ନେହ.....ନିଜ ଛାଞ୍ଚରେ ସେ ବି ଗଢ଼ିବାକୁ ଚାହିଁଛନ୍ତି ନିଜର ଏକମାତ୍ର ପୁଅ ସୁକାନ୍ତକୁ । ଏବେ ବି ତାଙ୍କ ଘରେ ଲୋକଗହଳି ଭାଙ୍ଗେ ନାହିଁ । ଜମିଦାରୀ ଯାଇଛି, ସରକାର ଯାହା କ୍ଷତିପୂରଣ ଦେଇଛନ୍ତି ଜମିଦାରମାନଙ୍କୁ ତାହା ସମୁଦ୍ରରୁ ଶଙ୍ଖେ ହେଲେ ବି ଭାଗ୍ୟ ଆଦରି ସବୁ ଜମିଦାର ତାହା ଗ୍ରହଣ କରିଛନ୍ତି । କାରଣ ଆପତ୍ତି ଅଭିଯୋଗ କଲେ ଶୁଣିବ କିଏ ?

ସେହି କମ୍ପାନିସେସନ୍‍ ଅର୍ଥରେ ଗୌରବାବୁ ଖୋଲି ଦେଇଛନ୍ତି ବିରାଟ ବ୍ୟବସାୟ....ଆଉ କଣ୍ଟ୍ରାକ୍ଟରୀ । ସେ ସବୁ ଖବର ବୁଝିବା ପାଇଁ ପୁରୁଣା ଗୁମାସ୍ତା ଭିତରୁ ତ୍ରିଲୋଚନ ଦାସ ଏବେ ବି ନିଯୁକ୍ତ ଅଛି । ଜମିଜମା ଖବର ବୁଝୁଛି ପୂର୍ବପରି ସେହି ବୁଢ଼ା ଗୁମାସ୍ତା ଗୋବିନ୍ଦ ପଟ୍ଟନାୟକ । ଏସବୁ ଛଡ଼ା ମୂଲିଆ, ଚାକିରିଆ, ପୁଝାରୀ ଚାକରମାନେ ଅଛନ୍ତି ।

 

ଏସବୁ ସତ୍ତ୍ୱେ ତିଳୋତ୍ତମା ଦେବୀଙ୍କ ମନରେ ତିଳେ ହେଲେ ସୁଖ ଶାନ୍ତି ନଥାଏ । ଗୋଟିଏ ମାତ୍ର ପୁଅ ସୁକାନ୍ତ...ତା’ଉପରେ ଲାଗ୍ ଲାଗ୍ ୩।୪ଟି ପୁଅ ଝିଅ ଯାଇଛନ୍ତି । କେତେ ଦିଅଁ ଦେବତା ପୂଜା କରି, ସାଧୁ ସନ୍ନ୍ୟାସୀ ସେବାକରି ସେ ପାଇଛନ୍ତି ସୁକାନ୍ତକୁ । କିନ୍ତୁ ସୁକାନ୍ତ ଦିନେ ହେଲେ ଘରେ ରହିଲା ନାହିଁ ।

 

ପୁଅକୁ ଉଚ୍ଚଶିକ୍ଷା ଦେବାପାଇଁ ଗୌରବାବୁ ଖୁବ୍ ତତ୍ପର.....କିନ୍ତୁ ମାଆ ମନ ବୁଝେ କେତେକେ । ପୁଅ ଯାଇଁ କଟକ ସହରର କଲେଜ ହଷ୍ଟେଲରେ ଗୋଡ଼ିମିଶା ଭାତ, ଡାଲିପାଣି ଖାଇ ପାଠପଢ଼ୁଛି ଘରେ ନଅ ତରକାରୀ ଛଅ ଭଜା ତାଙ୍କ ତୁଣ୍ଡକୁ ରୁଚନ୍ତା କିପରି ? ବାର ଓଷାବ୍ରତରେ ପୁଅ ଘରେ ନଥିବାରୁ ସେ ଆଖିରୁ ଲୁହ ଢାଳନ୍ତି ।

 

ଗୌରବାବୁଙ୍କୁ ଯେ ସୁକାନ୍ତର ଅଭାବ ନ ବାଧେ ତାହାନୁହେଁ, ମାତ୍ର ଦାଣ୍ଡଗଲା ଲୋକସିଏ–ସକାଳ ସାତଟାରୁ ରାତି ଏଗାରଟା ପର୍ଯ୍ୟନ୍ତ ସବୁବେଳେ କିଛିନା କିଛି କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି ସିଏ । କେତେବେଳେ ହେଲେ ପାଖରୁ ଲୋକ ଛାଡ଼ ନାହାନ୍ତି । ତିଳୋତ୍ତମାଙ୍କ ପରି ତାଙ୍କୁ ଏତେ ବାଧେ ନାହିଁ । ବାଧିଲେ ବି କର୍ତ୍ତବ୍ୟ ଅନୁରୋଧରେ ସହିଯାନ୍ତି ।

 

ତିଳୋତ୍ତମାଙ୍କୁ ସାନ୍ତ୍ୱନା ଦେଇ କହନ୍ତି, ଦିନ କେଇଟା ପାଇଁ ପୁଅ ଆମର ବିଦେଶରେ ଥାଉ । ପଢ଼ା ସାରିଲେ ତ ଚାଲିଆସିବ । ସେ କ’ଣ ଆଉ ଚାକିରି କରିବାକୁ ଯାଉଛିକି ? ମୁଁ ତ ଆସି ବୁଢ଼ା ହେଲିଣି, ଏ ଘରଦ୍ୱାର ବ୍ୟବସାୟ ପତ୍ରକୁ ଦେଖାଶୁଣା କରିବ କିଏ ? ଆଜି ତ ଆଉ ଆଗଯୁଗ ନାହିଁ । ଉଚ୍ଚଶିକ୍ଷା ନ ପାଇଥିଲେ ଲୋକେ ଖାତିର କରିବେ କିପରି ?

 

ତିଳୋତ୍ତମା ଦିନଗଣନ୍ତି । କେବେ ପୁଅର ପଢ଼ାସରିବ । ପୁଅ ବାହାକରି ସୁନାଖଡ଼ିକା ପରି ବୋହୂଟିଏ ଏ ଘରକୁ ଆଣି ସେ ସବୁବ୍ୟଥା ଭୁଲିବେ । ଆଶାରେ ଆଶାରେ ଦିନ ଗଣନ୍ତି ତିଳୋତ୍ତମା–

 

ମଣିଷର ଇଚ୍ଛା କ’ଣ ସବୁବେଳେ ପୂରଣ ହୁଏ ? ସୁକାନ୍ତର ବି.ଏ. ପରୀକ୍ଷା ନ ସରୁଣୁ ତିଳୋତ୍ତମାଙ୍କ ଜୀବନଦୀପ ନିର୍ବାଣ ହେଇଗଲା । ପୂରଣ ହେଇ ପାରିଲା ନାହିଁ ଶେଷଇଚ୍ଛା । ଭାଗ୍ୟ ଏତିକି ଯେ ତାଙ୍କ ଅସୁସ୍ଥ ସମ୍ବାଦ ପାଇବା ମାତ୍ରେ ସୁକାନ୍ତ ଧାଇଁ ଆସିଥିଲା କଟକରୁ ।

 

ସ୍ୱାମୀ ଓ ପୁତ୍ରଙ୍କୁ ଦୁଇ ପାଖରେ ବସାଇ ସେ କହିଥିଲେ ସ୍ୱାମୀଙ୍କୁ–ପୁଅ ମୋର ଲାଗିଲା-। ଦେଖି ଚାହିଁ ଭଲଘରୁ ଝିଅଟିଏ ଆଣିବ । ସଧବା ସିନ୍ଦୂର ନାଇ ତିଳୋତ୍ତମା ଚାଲିଗଲେ-

 

ଗୌରୀଶଙ୍କରବାବୁ ଏକାଥରେ ଭାଙ୍ଗି ପଡ଼ିଲେ । ପିଲାଙ୍କଭଳି ବୋଉ ବୋଉ ହେଇ କାନ୍ଦି କାନ୍ଦି ଗଡ଼ିଗଲା ସୁକାନ୍ତ । ଭାଙ୍ଗି ପଡ଼ିଲା ତା’ର କଅଁଳ ମନ । ବିଗିଡ଼ିଗଲା ସଂସାର ଚକ୍ର.....ଅଚଳ ହୋଇ ପଡ଼ିଲା ଦୈନନ୍ଦିନ କର୍ମ । ସାହି ପଡ଼ିଶା, ବନ୍ଧୁବାନ୍ଧବ ସାନ୍ତ୍ୱନା ଦେଲେ ।

 

ଦୁନିଆର ନିୟମ ଏଇଆ । ପୁରୁଣା ଦୁଃଖ ଭୁଲିହେଇ ଯାଏ ଦେହର ପୁରୁଣା କ୍ଷତପରି । ଭଙ୍ଗା ମନକୁ ଦମ୍ଭକରି ଗୌରୀଶଙ୍କରବାବୁ ନିଜ କାମରେ ମନ ଦେଲେ । ପଢ଼ାବହି ଗୋଟାଇ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲା ସୁକାନ୍ତ । ପଢ଼ାପଢ଼ି ଭିତରେ ବୋଉ ମରିବାବ୍ୟଥାଟା ଭୁଲିବାକୁ ଚେଷ୍ଟାକରେ ସୁକାନ୍ତ–ଭୁଲିପାରେ ନା । ସେ କ’ଣ ଭୁଲିବା ଭଳି ବ୍ୟଥା ଯେ ଭୁଲି ହେବ-?

 

କଲେଜ ହଷ୍ଟେଲ ଭିତରେ ବି ଦିନେ ଦିନେ ବୋଉକୁ ସ୍ୱପ୍ନ ଦେଖେ ସୁକାନ୍ତ । ସ୍ୱପ୍ନରେ ବୋଉ କହେ ବିଦେଶରେ ରହି ନ ଖାଇ ନପିଇ କେଡ଼େ ଶୁଖି ଗଲୁଣିରେ ଧନ । କି ପଢ଼ାରୁ କ’ଣ ପାଇବୁ । ଘରକୁ ଫେରିଚାଲ୍‍, ନିଜହାତରେ ଖୋଇପେଇ ତତେ ମଣିଷ କରିବି । ତନ୍ଦ୍ରା ତୁଟେ.....ସ୍ୱପ୍ନ ଭାଙ୍ଗେ–ଚମକି ଉଠି ଲାଇଟ୍ ଜଳାଏ ସୁକାନ୍ତ । କାହିଁ ବୋଉ ?

 

ଘରକୁ ଗଲେ ବୋଉ ଆଉ ଖୋଇପେଇ ଦେବାକୁ ଧାଇଁ ଆସିବ ନାହିଁ । ସେ ଆଉ ଫେରିବ ନାହିଁ । ଝରୁଥିବା ଲୁହ ଧାରକୁ ପୋଛି ଶୋଇବାକୁ ଚେଷ୍ଟାକରେ ସୁକାନ୍ତ । ନାଁ, ନାଁ, ନାଁ, ବୋଉ ଆଉ ଆସିବ ନାହିଁ । ଦୁନିଆଁରେ କେହି ଫେରି ନାହାନ୍ତି, ସେ ବି ଫେରିବ ନାହିଁ । କର ନେଉଟାଏ ସୁକାନ୍ତ ।

 

ସଞ୍ଜର ଆଲୁଅ ଲିଭିଗଲାଣି । କଳାଶାଢ଼ୀ ପିନ୍ଧି ତରାଫୁଲ ବେଣୀରେ ଖୋସି ପୃଥିବୀ ଭ୍ରମଣ ପାଇଁ ବାହାରିଲେଣି ସନ୍ଧ୍ୟା ଦେବୀ । କଟକ ସହରର ଇଲେକ୍‍ଟ୍ରିକ୍‍ ଲାଇଟ୍‍ଗୁଡ଼ା ଜଳିଉଠି ଦିନ ପରି ଦେଖାଯାଉଛି । ଦୋକାନ-ହୋଟେଲମାନଙ୍କ ରେଡ଼ିଓରୁ ଭାସିଆସୁଛି ସିଲୋନରୁ ହିନ୍ଦୀ ସଙ୍ଗୀତ । ରାସ୍ତାକରର ପେଁ, ପାଁ ଶବ୍ଦ ଆଦୌ ଭଲ ଲାଗୁନାହିଁ ନମିତାକୁ । –ଶୈଳବାଳା ମହିଳା କଲେଜ ହଷ୍ଟେଲର ନିଜର ଦୋ’ମହଲା ରୁମ୍‍ଟିରେ ଲାଇଟ୍ ଜାଳିଦେଇ ବସିଥିଲା ନମିତା । ମୁଣ୍ଡ ଭାରାକ୍ରାନ୍ତ...ଚକ୍ଷୁ ପଲକହୀନ...

 

ଆଗରେ ପରୀକ୍ଷା ଅଥଚ ମୋଟେ ପଢ଼ିପାରୁ ନାହିଁ । ବହିର ଅକ୍ଷରଗୁଡ଼ା ଜଳ ଜଳ ଦେଖାଯାଉଛି । ବେଶ୍ ସୁଖରେ ତ ସେ ଥିଲା । ତା’ଜୀବନର ସତରଟି ବସନ୍ତ ସେ’ ହସଖୁସି ପାଠପଢ଼ା ଭିତରେ କଟାଇଲାଣି, କିନ୍ତୁ କିଛି ଦୁଶ୍ଚିନ୍ତା ତା’ ମୁଣ୍ଡରେ କେବେ ଖେଳିନାହିଁ ।

 

ଘର ବଳଭଦ୍ରପୁର । କଟକରୁ ତିରିଶମାଇଲ ଦୂର ମଫସଲ୍‍ । ବାପା ଥିଲେ ସେଠାକାର ଜମିଦାର । ଗାଁରେ ବହୁତ ଧନ ସମ୍ପତ୍ତି, ପ୍ରତିପତ୍ତି, ସେଥିପାଇଁ ପିଲାଦିନୁ ଅତି ଅଲ୍ୟଳ ଭାବରେ ବଢ଼ିଥିଲା ନମିତା ।

 

କଟକ ସହର ଯାଇ ବେଶି ପାଠପଢ଼ି ଡାକ୍ତର କି ପ୍ରଫେସର ହେବ । ଏହାହିଁ ଥିଲା ପିଲାଦିନୁ ତା’ ଜୀବନର ଲକ୍ଷ୍ୟ । ଗାଁ ମାଇନର ସ୍କୁଲରୁ ସେ ସ୍କଲରସିପ୍ ପାଇ ମଧ୍ୟ ପାସ୍ କରିଥିଲା-। ତା’ର ପଢ଼ାରେ ଆଗ୍ରହ ଓ ସୁନାମ ଦେଖି ମାଆଙ୍କ ବାରଣ ନମାନି ବାପା ଖୁସିହେଇ ତାକୁ ପାଠ ପଢ଼ିବାପାଇଁ ଆଣି ଛାଡ଼ିଥିଲେ ରେଭେନ୍‍ସା ବାଳିକା ବିଦ୍ୟାଳୟରେ । ସେ ରହିଲା ହଷ୍ଟେଲରେ ।

 

ପଦ୍ମାବତୀ ମନଦୁଃଖ କରୁଥିଲେ–ମାତ୍ର ହରମୋହନ ସାମନ୍ତରାୟ ତାଙ୍କୁ ବୁଝାଇ ଦେଉଥିଲେ ‘ଆମ ଝିଅପରି ଭଲ ଛାତ୍ରୀ ଏ ଅଞ୍ଚଳରେ ନାହିଁ, ଦେଖୁନା କେତେଆଡ଼ୁ ପିଲା ଆସିଥିଲେ–ସମସ୍ତଙ୍କ କାନକାଟି ବୃତ୍ତି ପାଇଲା ସିଏ, ମ୍ୟାଟ୍ରିକ୍‍ଟା ନିଶ୍ଚୟ ସେ’ ପଢ଼ିବ କଟକରେ ।’ ଯୁଗ ଆଗେଇଛି–ଝିଅ ଆଉ ଘରକଣରେ ବସି ରହିବାର ସମୟ ନାହିଁ, ପଢ଼ୁ ଭଲ ବରପାତ୍ର ମିଳିଲେ ବାହାଦବା..... । ତା’ର ପଢ଼ା ବନ୍ଦ କରିବା ଉଚିତ୍‍ ନୁହେଁ । ପଦ୍ମାବତୀଙ୍କର ଉତ୍ତର ଦେବାର କିଛି ନଥିଲା । ମନ ଖୁସିରେ କଟକରେ ରହି ନମିତା ପାଠ ପଢ଼ିଲା ।

ପାଠପଢ଼ା ସଙ୍ଗେ ମଉଜ ମଜ୍‍ଲିସ୍‍ ମଧ୍ୟ ଚାଲିଲା । ବଡ଼ଘରର ଝିଅ ବୋଲି ଧନଖରଚ କରିବାକୁ ସେ କୁଣ୍ଠିତ ନଥିଲା । ଶିକ୍ଷୟତ୍ରୀମାନେ ଖୁବ୍‍ ଶ୍ରଦ୍ଧା କରୁଥିଲେ, ସାଙ୍ଗସାଥୀମାନେ ବି ସମ୍ମାନ ଦେଖାଉଥିଲେ, ସମୟ ବିତୁଥିଲା ସ୍ୱପ୍ନପରି । ପ୍ରମିଳା ଓ ମାଧୁରୀ ସଙ୍ଗେ ନମିତାର ବି ବେଶ୍ ବନ୍ଧୁତା ଥିଲା ମାଧୁରୀକୁ ନମିତା ଭଲ ପାଉଥିଲା ଖୁବ୍‍ ବେଶି । ବେଳେ ବେଳେ ହେଡ଼୍‍ମିଷ୍ଟ୍ରେସଙ୍କ ଅନୁମତି ନେଇ ସେ ମାଧୁରୀ ଘରକୁ ମାଧୁରୀ ସଙ୍ଗେ ଯାଉଥିଲା ।

ମ୍ୟାଟ୍ରିକ୍‍ ପରୀକ୍ଷା ଦେବା ପର୍ଯ୍ୟନ୍ତ ନମିତା ବି କୃତିଛାତ୍ରୀ ହୋଇ ମାଧୁରୀ ପରି ଭଲ ନାଁ ରଖିଥିଲା ସ୍କୁଲରେ । ପରୀକ୍ଷା ପରଠୁ ଲମ୍ଵାଛୁଟି–ନମିତା ସହପାଠିନୀମାନଙ୍କଠାରୁ ବିଦାୟ ନେଇ ଯାଇଥିଲା ବଳଭଦ୍ରପୁର । କିଏ ଜାଣେ କାହା ଭାଗ୍ୟରେ କ’ଣ ଅଛି । କିଏ ପୁଣି କଲେଜ ମାଡ଼ିବ ତ, କିଏ ପରଘରେ ହେବ ବୋହୂ ।

ନମିତା ଗାଁରେ ଥାଇ ମାଧୁରୀ ପାଖକୁ ଚିଠି ଲେଖୁଥିଲା ଏବଂ ପ୍ରମିଳାସହ ବିନୁଭାଇଙ୍କର ବାହାଘର ଖବର ପାଇ ଭାରି ଖୁସି ହେଇଥିଲା । ପରୀକ୍ଷାଫଳ ବାହାରିଲେ ସେ ପାସ୍‍ କରିଥିଲେ ନିଶ୍ଚୟ ପଢ଼ିବାକୁ ଯିବ ବୋଲି ଲେଖୁଥିଲା ।

ପଦ୍ମାବତୀ ଦେବୀ କିନ୍ତୁ ଚାହୁଁଥିଲେ ଆଉ ଝିଅକୁ ନ ପଢ଼ାଇ ବିଭାକରି ଦେବାକୁ । ସାମନ୍ତରାୟ କାହାକୁ କିଛି ପ୍ରତିଶ୍ରୁତି ଦେଇ ନଥିଲେ । ମନେ ମନେ ବରପାତ୍ର ଖୋଜୁଥିଲେ । ଘରେ ବସି ଚାରି ମାସ ହେଲା ବଡ଼ ଅଡ଼ୁଆ ଲାଗୁଥିଲା ନମିତାକୁ ।

ଯୋଗକୁ ନମିତାର ମାମୁଁଙ୍କ ପୁଅ ରବିଭାଇ ଇଞ୍ଜିନିୟରଙ୍କର ବାହାଘର ହେଲା । ବୋଉ ସଙ୍ଗେ ମାମୁଁ ଘରକୁ ଗଲା ବି’ ସିଏ । କେତେ ଆଡ଼ର କେତେ ଲୋକ ଆସିଥାନ୍ତି, ରବିଭାଇଙ୍କର ବହୁତ ସାଙ୍ଗ ସାଥି ମଧ୍ୟ ଆସିଥାନ୍ତି । ଆଉ ଜଣେ ଇଞ୍ଜିନିୟର ତାଙ୍କ ନାଁ ପରେଶବାବୁ । ସେ ଭାରି ମେଳାପି, ଭାରି ସ୍ନେହୀ । ରବିଭାଇ ସବୁ ସାଙ୍ଗଙ୍କସହ ନମିତାର ପରିଚୟ କରାଇ ଦେଇଥିଲେ ।

ମାମୁଁ, ମାଇଁ ପୁରୁଣାକାଳିଆ ଲୋକ, ତାଙ୍କ ଝିଅ ସୁଲତା ଗାଁ ସ୍କୁଲରୁ ମାଇନର ପାସ୍‍କରି ପଢ଼ାରେ ଡୋରି ବାନ୍ଧିଲା–ଆଉ ପଢ଼ିବାର ସୁଯୋଗ ପାଇଲା ନାହିଁ । ନମିତା ଭଲ ପଢ଼ୁଛି...ଅତ୍ୟାଧୁନିକା–ପ୍ରତିକଥାରେ ନମିତାର ଆଦର୍ଶ ଦେଖାଇ ରବିଭାଇ ସୁଲତାକୁ ଚିଡ଼ାନ୍ତି, ଗର୍ବରେ ନମିତାର ବୁକୁ ଭରିଯାଏ ।

ପରେଶବାବୁଙ୍କ ସହ ନମିତାର ପରିଚୟ କରାଇ ଦେଇଥିଲେ ରବିଭାଇ । “ନିମି, ତୁ ଚିହ୍ନିନାହୁଁ ବୋଧେ ଏ’ ମୋର ବନ୍ଧୁ ଇଞ୍ଜିନିୟର ପରେଶ–ଆଉ ପରେଶ–ଏ ମୋର ପିଉସୀ ଝିଅ ନମିତା ବଳଭଦ୍ରପୁର ଜମିଦାରଙ୍କ ଝିଅ । କଟକ ରେଭେନ୍‍ସା ଗାର୍ଲସ ସ୍କୁଲରେ ପଢ଼ୁଥିଲା, ମ୍ୟାଟ୍ରିକ ଦେଇଛି । ଏକାତ ପରେଶବାବୁଙ୍କ ସହ ପରିଚୟ ହୋଇ ନଥିଲା, ଇଞ୍ଜିନିୟର ରଞ୍ଜନ, ଡାକ୍ତର ବିମଳ, ଡାକ୍ତର ମହେନ୍ଦ୍ର, ଏମ୍:ଏ: କ୍ଲାସ୍‍ର ଛାତ୍ର ମୋହନ । ଏମିତି କେତେଲୋକ, ନମସ୍କାର–ପ୍ରତି ନମସ୍କାର ଆଉ ପଦେ ଦି’ପଦ କଥାବାର୍ତ୍ତାରେ ପରିଚୟର ସମାପ୍ତି ଘଟିଥିଲା ।

କିଏ ଜାଣିଥିଲା ତା’ରି ଭିତରୁ ପରେଶବାବୁଙ୍କ ଚକ୍ଷୁର ମୋହିନିଶକ୍ତି ନମିତାକୁ ଟାଣିନେବ ତାଙ୍କ ପାଖକୁ । ତା’ ଜୀବନର ମହାନ ଲକ୍ଷ୍ୟକୁ ଭାଙ୍ଗିରୁଜି କରିଦେବ ଧ୍ୱଂସ ବିଧ୍ୱଂସ । ନମିତା ଆଜି ଭାବିଚାଲେ ପଛକୁ...ଭାବିଲେ ଆଜି ସୃଷ୍ଟିହୁଏ ଆନ୍ଦୋଳନ ।

ପରେଶବାବୁଙ୍କ ସଙ୍ଗେ ପ୍ରଥମ ଦୃଷ୍ଟି ବିନିମୟରେ ତା’ ଦେହରେ ଯେଉଁ ରୋମାଞ୍ଚ ସୃଷ୍ଟିହେଲା–ସେ ନିଜେ ବୁଝିପାରି ନଥିଲା ।

 

ତା’ରି ଭିତରେ ଥରେ ଦି’ଥର ପଦେ ଅଧେ କଥାବାର୍ତ୍ତା...... ପରେଶ ବି ସେହି ତିନିଦିନ ସେଠାରେ ରହିଥିଲେ ଅନ୍ୟମାନଙ୍କ ପରି । ଥରେ ନିରୋଳା ଦେଖି ପଚାରିଥିଲେ “ଆପଣଙ୍କ ନାମ ତା’ହେଲେ ନମିତା ଦେବୀ !’’

 

–“ଦେବୀ–ନୁହେଁ ସାମନ୍ତରାୟ; କିନ୍ତୁ ମତେ ଘରେ ସମସ୍ତେ ନିମି ବୋଲି ଡାକନ୍ତି । ଆପଣଙ୍କର–ଆପଣ–ସମ୍ବୋଧନ ବି ସେହିପରି କର୍ଣ୍ଣକଟୁ । ଆପଣ ମୋ’ଠାରୁ ବୟସ ଓ ଶିକ୍ଷାରେ ଯଥେଷ୍ଟ ବଡ଼ । ହସିଲା ମୁହଁରେ କହିଥିଲା ନମିତା । ସେହି ଗୌର ସୁନ୍ଦର ମୁହଁ–ଚଷମାଦିଆ ଆଖି ଦି’ଟା ଭାରି ସୁନ୍ଦର ଦିଶୁଥିଲା ନମିତାକୁ ।

 

ପରେଶ ବି ଆଶ୍ଚର୍ଯ୍ୟ ହେଇ ଯାଇଥିଲା ଏହି ସୁନ୍ଦରୀ ଝିଅଟିର ବାକ୍‍ପଟୁତାରେ, କି ସୁନ୍ଦର ନିର୍ଭୁଲ ଉତ୍ତର । ତା’ର ସାନ୍ନିଧ୍ୟ ଲାଭ କରିବା ପାଇଁ ପରେଶର ତରୁଣ ପ୍ରାଣ ଅଧିର ହୋଇ ଉଠୁଥିଲା । ନିଜର କୁଞ୍ଚିତ କେଶରାଶି ଉପରେ ଆଙ୍ଗୁଳି ଚାଳନା କରି ପରେଶ କହିଲା–

 

–“ହେଉ, ମୁଁ’ ବି ତମକୁ ନିମି ବୋଲି ଡାକିବି, ତମର ଆପତ୍ତି ଅଛିକି ?’’

 

–‘‘ଆପତ୍ତି କ’ଣ ? ମୁଁ ବରଂ ଆପଣଙ୍କ ଆତ୍ମୀୟତାରେ ବେଶି ଖୁସିହେବି ।’’

 

ସର୍ପିଳ ବେଣି ଯୁଗଳକୁ ହଲାଇ ଉତ୍ତର ଦେଲା ନମିତା ।

 

ପରେଶ ପୁଣି ପଚାରିଲା–“ମ୍ୟାଟ୍ରିକ ଦେଇଛ ୟା’ ପରେ ଗତି କୁଆଡ଼େ ? କଲେଜ ନାଁ ହାଣ୍ଡିଶାଳ ?

 

–‘‘ୟା’ ପରେ ମୁଁ ନିଶ୍ଚୟ କଲେଜରେ ପଢ଼ିବି..... ’’

 

–ରହିବ କୋଉଠି ?

 

–“ହଷ୍ଟେଲରେ–ଆପଣ କଟକରେ ରହନ୍ତି ପରା–ବସା କୋଉଠି ?’’

 

–“ମୁଁ ଗଣେଶ ଘାଟରେ ରହୁଛି । ତମେ ବା’ କୋଉ ମୋ’ ସଙ୍ଗେ ଦେଖା କରିବା ପାଇଁ ବସାକୁ ଯିବ ଯେ–ମୁଁ ଗଲେ ଦେଖା ହେବ ତ ? ବଡ଼ ଘରର ଗେହ୍ଲା ଝିଅ–ଦେଖିଲେ ଚିହ୍ନି ପାରିବ କି ନାହିଁ ।’’ ଅଭିମାନିଆଁ ସ୍ୱରରେ ପରେଶ କହିଥିଲା ।

 

ତଳକୁ ମୁହଁକରି ନମିତା କହିଥିଲା “ନାଁ ନାଁ, ତା’ ଭାବନ୍ତୁ ନାହିଁ ପରେଶବାବୁ । ମୁଁ ଆପଣଙ୍କୁ ଚିହ୍ନିପାରି ଯେ–ହେଲେ ଆପଣ ନିଜକଥା କହନ୍ତୁ–ଇଞ୍ଜିନିୟର ଲୋକ, ରୋଡ଼, ବିଲଡିଂ, ବ୍ରିଜ୍‍ ଇତ୍ୟାଦିର ଯୋଜନା କରୁ କରୁ ଅନ୍ୟକୁ ମନେ ପକାଇବାର ସମୟ ପାଇବେ ତ ?’’

 

କ୍ୟାପଷ୍ଟେନ୍‍ ସିଗାରେଟରେ ଧୁମ୍ରକୁଣ୍ଡଳି ସୃଷ୍ଟିକରି ପରେଶ କହିଲା, “ସେପରି ଭାବନାହିଁ ନିମି, ସିମେଟ୍‍, କଂକ୍ରିଟ୍‍, ଲୁହାର ଯୋଜନା କରେବୋଲି ଇଞ୍ଜିନିୟର ଦେହ କ’ଣ ରକ୍ତ ମାଂସରେ ଗଢ଼ା ନୁହେଁ ? ସ୍ନେହ, ମମତା ବୋଲି କିଛି ତା’ ହୃଦୟରେ ନାହିଁ, ତମଭଳି ସଜ ଗୋଲାପଟିର ସଂସ୍ପର୍ଶରେ ଆସି ତମକଥା ନିରୋଳା ବେଳେ ନଭାବି କେହି ରହିପାରିବ ? ମୋଟେ ନୁହେଁ–ବରଂ ଯାହା ଦେଖୁଛି ଆଜୀବନ ମୋର ତମରି ଚିନ୍ତାରେହିଁ ସମୟ ବିତିବ–’’

 

ସେତେବେଳେକା ପରେଶ ଆଖିର ଚାହାଣୀ–ଏ ଯାଏଁ ବି ଭୁଲି ପାରି ନାହିଁ ନମିତା । ନିଜ ପ୍ରଶଂସାରେ ତା’ ଛାତି ଭିତରେ କିପରି ଏକ ଆଲୋଡ଼ନ ସୃଷ୍ଟି ହେଉଥିଲା । ଲଜ୍ଜ୍ୟାରେ ରଙ୍ଗପଡ଼ି ଯାଇଥିଲା ତା’ ଛୋଟ ମୁହଁଟି । ତା’ ଜୀବନର ପ୍ରଥମ ତରୁଣର ସ୍ତୁତିଗାନ ଖୁବ୍‍ ସୁନ୍ଦର ଲାଗୁଥିଲା ସେତେବେଳେ ତାକୁ ।

 

ସେଦିନର କଥାସବୁ ଆଜି ମନେପକାଏ ନମିତା । ପରେଶବାବୁଙ୍କ ଛଳ ଛଳ ଆଖି ସୁନ୍ଦର ମୁହଁଟି ତା’ ଆଖି ଆଗରେ ନାଚିଯାଏ । ଦୂରରେ ଥାଇ ବି ନମିତା ମନେପକାଏ ପରେଶବାବୁଙ୍କୁ ।

 

ପରୀକ୍ଷା ଫଳ ବାହାରିଲା ଫାଷ୍ଟ ଡିଭିଜନ ପାଇ ସେ ମାଧୁରୀ ଆଉ ୨।୩ ଜଣ ଝିଅ ପାସ୍‍ କରିଛନ୍ତି । ସେକେଣ୍ଡ୍‍ ଥାର୍ଡ଼ ଡିଭିଜନ ପାଇମଧ୍ୟ ବହୁତ ଝିଅ ପାସ୍‍ କରିଛନ୍ତି । ସେ କହିଲା, ‘ମୁଁ ଫାଷ୍ଟ ଡିଭିଜନ ପାଇଛି ନିଶ୍ଚୟ କଲେଜରେ ପଢ଼ିବି । ମୋରି ସାଙ୍ଗର ଝିଅମାନେ ପଢ଼ିବେ, ମୁଁ କାହିଁକି ଘରେ ବସିବି ? କ’ଣ ଘରେ ପଇସା ନାହିଁ ପଢ଼ିବାକୁ ?’

 

ବାପା ବୋଉଙ୍କ ମୁହଁ ବନ୍ଦ୍‍ । ମନା କରିବାର ଉପାୟ ନାହିଁ । ଉପଯୁକ୍ତ ବର ସ୍ଥିର ହୋଇନାହିଁ ଯେ ବିଭା କରାଇଦେବେ । ଘରେ ବସିବା ଅପେକ୍ଷା ବରଂ କଲେଜରେ ପଢ଼ୁଥାଉ ବଡ଼ ନାଁ ହେବ । ୟା’ ଭାବି ପୁଣି ସାମନ୍ତରାୟ ନମିତାକୁ ଆଣି ଶୈଳବାଳା ମହିଳା କଲେଜରେ ପଢ଼ାଇଲେ । ନମିତା ହଷ୍ଟେଲରେ ରହିଲା । ପୁରୁଣା ସାଙ୍ଗ ମାଧୁରୀ ବି ପଢ଼ିଲା–ବାପାଙ୍କୁ ଲଗାଇ ପ୍ରମିଳାସହ ତା’ଭାଇକୁ କିପରି ବାହାକରି ନିଜ ବାହାଘର ବନ୍ଦ୍‍ କରାଇଲା କଥା ମାଧୁରୀ ବି କହିଲା-। ପୁରୁଣା ସାଙ୍ଗ କେତେ ବାଦ୍‍ଗଲେ, ନୂଆସାଙ୍ଗ କେତେ ଆସିଲେ । ପଢ଼ାପଢ଼ି ଭିତରେ ଦିନ ଆଗେଇ ଚାଲିଲା ।

 

ପରେଶବାବୁଙ୍କ କଥା–ବେଳେ ବେଳେ ମନତଳେ ଉଙ୍କିମାରେ ନମିତାର । ମନକୁହେ ଜଣେ ଇଞ୍ଜିନିୟର–ନିଜର କାର୍ଯ୍ୟକ୍ରମ ମଧ୍ୟରେ ଜଣେ ସାଧାରଣ ଝିଅକଥା ଅବା କାହିଁକି ମନେପକାଇବେ । ତାଙ୍କକଥା ମଧ୍ୟ ଏକରକମ ଭୁଲି ଯିବାକୁ ଚେଷ୍ଟା କରିଥିଲା ନମିତା । ସାଙ୍ଗ, ସାଥିଙ୍କ ମେଳ ଓ ପାଠପଢ଼ାର ଗୁରୁଦାୟିତ୍ୱରେ ତାଙ୍କର ସ୍ମୃତି ଅନ୍ୟମାନଙ୍କ ପରି ନମିତାର ହୃଦୟରେ ବିଲୀନ ହୋଇ ଯାଇଥିଲା ।

 

ରବିବାର...ନିରୋଳା....ଦ୍ୱିପ୍ରହର । ନିଜ ରୁମରେ ଗୋଟିଏ ବହିଧରି ପଢ଼ୁଥିଲା ନମିତା । ହଷ୍ଟେଲର ଝିଅମାନେ ଛୁଟିଦିନ ବୋଲି କିଏ କେଉଁଠି ହସ ଖେଳରେ ମାତିଛନ୍ତି କିଏ ବା’ ନିଦରେ ଶୋଇ ପଡ଼ିଛି–ଦରୁଆନ ଆସି ଖବର ଦେଲା, “ନମିତାଦିଦି, ଆପଣଙ୍କର ଭାଇ ଦେଖାକରିବାକୁ ଆସିଛନ୍ତି–’’

 

ଚମକି ପଡ଼ିଲା ନମିତା–ତାର ତ ବଡ଼ଭାଇ ନାହିଁ–ତା’ଠୁ ସାନ ସାନ ଦୁଇଭାଇ ଦୁଇଭଉଣୀ ଅଛନ୍ତି । ଭାଇମାନେ ଏକା ଆସିବା ଭଳି ହୋଇ ନାହାନ୍ତି–କିଏ ସେ ଭାଇ ? ବାପା ଆଉ ଆସିଲେ କି ? ଦରୁଆନ୍‍ଟା କ’ଣ ଚିହ୍ନିପାରୁ ନାହିଁ । ବିଳମ୍ବ ନକରି ସାକ୍ଷାତ୍‍ କରିବାପାଇଁ ବାହାରିଗଲା ନମିତା ।

 

ଆଗନ୍ତୁକ ଭଦ୍ରଲୋକ ଅପେକ୍ଷା ଗୃହରେ ଗୋଟିଏ ଚେୟାରରେ ବସିଥିଲେ ନମିତାକୁ ଦେଖି ସେ କହିଲେ, “ଏତେ ଡେରି କଲ ନିମି– ?’’

 

ବିସ୍ମୟ ହୋଇଗଲା ନମିତା–ଆନନ୍ଦରେ କହିଲା, “ଆରେ ଆପଣ ?’’ –କଣ ଚିହ୍ନିପାରୁ ନଥିଲ କି ? ସ୍ମିତହସି ଉତ୍ତର ଦେଲା ପରେଶ । –“ନାଁ, ଚିହ୍ନିପାରିଛି ଠିକ୍; କିନ୍ତୁ ଆପଣ ସତରେ ଦିନେ ଆସିବେ ବୋଲି ବିଶ୍ୱାସ କରିନଥିଲି । ଯା’ହେଉ ଆଜି ଗୋଟେ ଭାଗ୍ୟର ଦିନ । ମୁଁ ଏଠିଅଛି ସଠିକ ଠିକଣା ପାଇଲେ କିପରି ?’’ ଆନନ୍ଦରେ କହିଲା ନମିତା ।

 

ନିଜପାଖ ଚେୟାରରେ ନମିତାକୁ ବସିବାକୁ ନିର୍ଦ୍ଦେଶଦେଇ ପରେଶବାବୁ କହିଲେ, “ତମେ ସିନା ମୋତେ ଭୁଲିଗଲ, କିନ୍ତୁ ମୁଁ ତମକୁ ଭୁଲି ପାରିଲି ନାହିଁ, ସେଥିପାଇଁ ଦିନେ ରବିକୁ ସାକ୍ଷାତ୍‍କରି ଗଳ୍ପଛଳରେ ତମକଥା ପଚାରି ତମକୁ ସାକ୍ଷାତ୍‍ କରିବାପାଇଁ ଆସିଲି–ଭୁଲ୍‍ ବୁଝୁନାହଁ ତ ମତେ ?’’

 

ନମିତା ମୁଣ୍ଡ ହଲାଇ ମନାକଲା “ନାଁ, ନାଁ ଭୁଲ୍‍ କାହିଁକି ବୁଝିବି ? ବେଳେ ବେଳେ ଆପଣଙ୍କ କଥା ମୋର ମନେପଡ଼େ–ସାକ୍ଷାତ କରିବାର ସୁବିଧା ମୋର ବା କାହିଁ ?’’

 

–“ସତେ ? ସେଇଟା ମୋର ସୌଭାଗ୍ୟ ।’’ ଟିକିଏ ରହି ପୁଣି କହିଲା, “ଜାଣ ନମିତା ମୁଁ ତମକୁ ସବୁବେଳେ ଭାବେ, ମୋର ଗୋଟିଏ ଅନୁରୋଧ ରଖିବ ?’’ କୁହନ୍ତୁ–

 

ନମିତାର ହାତକୁ ନିଜ ହାତମୁଠାରେ ରଖି କହିଲା ପରେଶ “ମୋ ସଙ୍ଗେ ତମେ ଆଜି ସିନେମା ଗଲେ କିମିତି ହୁଅନ୍ତା’’ ହଠାତ୍‍ ଏ ପ୍ରଶ୍ନରେ ଉତ୍ତର ଦେବାକୁ ଭାଷାଖୋଜି ପାଇଲା ନାହିଁ ନମିତା । ପରେଶବାବୁଙ୍କ ହାତର ପରଶରେ ଦେହସାରା ତା’ର ଝିମ୍ ଝିମ୍ ହେବାକୁ ଲାଗିଲା । କପାଳରେ ଦେଖାଦେଲା ବିନ୍ଦୁ ବିନ୍ଦୁ ଝାଳ ।

 

ତରୁଣୀର ରୁଦ୍ଧପ୍ରେମ.....କାହିଁ କେଉଁଠି ସୁପ୍ତହୋଇ ପଡ଼ିଥାଏ, ତାହା ନିଜେ ବି ସେ ଜାଣି ପାରେନା । କିନ୍ତୁ ତରୁଣ ହାତର କାଉଁରି ପରଶରେ ସେ ହୋଇଉଠେ ଆନମନା....ଉଛଳା ନଦୀର ବନ୍ୟା ପରି କିଛି ବାଧା, ବିଘ୍ନ ନମାନି ମାଡ଼ିଚାଲେ ଆଗକୁ । ତା’ର ଇଚ୍ଛା ହେଉଥିଲା ସେ ଚାଲିଯାନ୍ତା; ମାତ୍ର ପରେଶବାବୁ ନୂଆ ଲୋକ, ହଷ୍ଟେଲ ସୁପରିଟେଣ୍ଡେଣ୍ଟ ତାଙ୍କୁ ଚିହ୍ନିନାହାଁନ୍ତି, ତାଙ୍କ ସଙ୍ଗେ ସିନେମା ଯିବାକୁ ଅନୁମତି ଦେବେ ନାହିଁ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବ । ବୃଥାଟାରେ ହଷ୍ଟେଲରେ ହଇଚଇ ପଡ଼ିଯିବ ।

 

ନମିତାର ନୀରବତା ଲକ୍ଷ୍ୟକରି ପରେଶ କହିଲା, “କଣ ଏତେ ଭାବୁଛ ନିମି–ସିନେମା ଟାଇମ୍ ହୋଇଗଲା ପରା ।’’ ମୁହଁ ଶୁଖାଇ ନମିତା କହିଲା, “ସିନେମା ଯିବାରେ ମୋର କିଛି ଆପତ୍ତି ନଥିଲା–ମୁଁ ତ ଆପଣଙ୍କ ପରି ସ୍ୱାଧୀନ ନୁହେଁ, ଏ ଓମେନସ୍ କଲେଜ ହଷ୍ଟେଲକୁ ଜେଲଖାନା କହିଲେ ଚଳେ । ଟିକିଏ ବାହାରକୁ ବାହାରିବାକୁ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ କେତେ ଯେ ଖୋସାମତ କରିବାକୁ ହୁଏ ତାହା ଆପଣ କଳ୍ପନା କରିପାରିବେ ନାହିଁ ।’’

 

ପରେଶବାବୁଙ୍କ ମୁହଁ ଶୁଖିଗଲା–ତଥାପି ସେ ହତାସ ହୋଇ ନ ଥିଲେ, ‘‘ଆଜି ନ ହେଲେ ବି ଅନ୍ୟଦିନ ଯେପରି ଯିବାପାଇଁ ଅନୁମତି ମିଳେ ତା’ର ଚେଷ୍ଟା କରିବ ବୋଲି ଅନୁରୋଧ କରିଥିଲେ ।’’

 

ତରୁଣୀର ପ୍ରଥମ ଯୌବନରେ ତରୁଣର ପ୍ରଥମ ଅନୁରୋଧ ସେଦିନ ଦେବତାର ବରଦାନ ଭଳି ଲାଗିଥିଲା ନମିତାକୁ । ଜଳନ୍ତା ନିଆଁ ପାଖରେ ଘିଅର କେତେ ବା ଶକ୍ତି ସେ ଟାଣ୍‍ ରହିବ । ତରଳି ଢଳିଯିବାଟାହିଁ ତା’ର ଧର୍ମ–ଜଣେ ଅଧେ ନୁହେଁ କି ଦିନ ଅଧକର କଥା ନୁହେଁ, ଆଦିମ ପ୍ରବୃତ୍ତି ନେଇ ଜନ୍ମ ହେଇଛି ମଣିଷ.... । ନମିତାର ମନ ସ୍ୱତଃ ଢଳି ପଡ଼ିଥିଲା ପରେଶ ପାଖରେ । ଆଉ ଦିନେ ଆସିବାକୁ ଅନୁରୋଧ କରିଥିଲା ନମିତା, ସ୍ୱୀକୃତି ଦେଇ ବିଦାୟ ନେଇଥିଲା ପରେଶ । ସେଦିନ ରାତିରେ ନମିତାକୁ ନିଦ ହେଲାନାହିଁ । ବହୁତ ଭାବିଲା । ପରେଶ ତା’ର କିଏ-? କେଉଁଠି ଥିଲେ ? ତାଙ୍କୁ ଦେଖିଲେ ମନ ଭିତରେ ଏତେ ଆନ୍ଦୋଳନ ହେଉଛି କାହିଁକି ? ତା’ର ହୃଦୟ ଏତେ ଉଦବେଳିତ ହେବାଟା ବୋଧେ ଉଚିତ ନୁହେଁ । ନାଁ, ସେ ଭୁଲିଯିବ ପରେଶବାବୁଙ୍କୁ–ବାପା, ବୋଉ ଅଛନ୍ତି–ସେମାନଙ୍କର ସମ୍ମାନ ଅଛି, ଧନ ଅଛି, ସେମାନେ ତା’ର ଭବିଷ୍ୟତ ଚିନ୍ତାକରିବେ । ନିଜେ ସେ କାହିଁକି ଭାବିବ ?

 

ଯେତେ ଭାବିବ ନାହିଁ ସ୍ଥିର କରେ–ଭାବନା ତା’ର ସେତିକି ବଢ଼େ । ସେହି ରୁମ୍‍ର ସାଥି ଲୀଳା ପଚାରେ ଶୋଇନା କି ନମିତା ଏତେ କ’ଣ ଭାବୁଛ ? ନମିତା ଅଳସ ଭାଙ୍ଗି ଉତ୍ତର ଦେଲା, ‘ମୁଣ୍ଡ ଭାରି ବିନ୍ଧୁଛି ।’

 

–“ମୋ ପାଖେ ଏନାସିନ୍ ଅଛି ଖାଇଲେ ଭଲ ହେଇଯିବ, ଦେବି କି ?’’

 

–“ନାଁ ଲୀନା ଏନାସିନ୍ ଖାଇଲେ ମତେ ବେଶି ଦୁର୍ବଳ ଲାଗେ ଆପେ ଭଲ ହୋଇଯିବ-।’’ ଉତ୍ତର ଦେଲା ନମିତା । ସେ ଜାଣେ କୌଣସି ଔଷଧ ଖାଇଲେ ମନ ବେମାର ଭଲ ହେବନାହିଁ–ଆପେ ହେବ ଆପେ ସେ ଛାଡ଼ିବ ।

 

ବିନୟର ମୁଣ୍ଡ ଉପରେ ନାନା ପ୍ରକାର ଚିନ୍ତା–ବାପାଙ୍କର ରିଟାୟଡ଼ କରିବାର ସମୟ ପାଖେଇ ଆସିଲାଣି ଆଉ ବର୍ଷଟିଏ ପରେ ସେ କାର୍ଯ୍ୟରୁ ଅବ୍ୟାହତି ନେବେ । ତା’ ପୂର୍ବରୁ ଅନ୍ତତଃ ସେ ନିଜେ କିଛି କରିବା ଦରକାର । ବର୍ତ୍ତମାନ ହଜାର ହଜାର ଶିକ୍ଷିତ ଯୁବକ ଚାକିରି ନ ପାଇ ବେକାର ହୋଇ ବସି ରହିଲେଣି । ଡାକ୍ତର ଇଞ୍ଜିନିୟର ଗ୍ରାଜୁଏଟ୍‍ ଦଳ ଦଳ ହୋଇ ବସିଛନ୍ତି–ନିଜେ କେମିତି କ’ଣ କରିବ ଏହାହିଁ ବଡ଼ଚିନ୍ତା ।

 

ଏମ୍.ଏ. ପରୀକ୍ଷା ତ ଆହୁରି ବାକିଅଛି ଛ’ମାସ ଖଣ୍ଡେ–ଦେଖାଯାଉ–ସେ ଶୁଣିଲା ଏଥର ଅଳ୍ପ ସଂଖ୍ୟକ ଡେପୁଟି ସବଡେପୁଟି ଗ୍ରହଣ କରାଯିବାର ଅଛି ତେଣୁ ସେ ପବ୍ଲିକ୍‍ ସର୍ଭିସ କମିସନର ଅଫିସରେ ବୁଝାବୁଝି ଶୀଘ୍ର ଓ.ଏ.ଏସ୍. ପରୀକ୍ଷା ଦେଇଦେବା ପାଇଁ ମନସ୍ଥ କଲା । ଧରାଧରି କରି ଚାନ୍‍ସ୍‍ଟା ପାଇଯାଏ ଭାଗ୍ୟର କଥା ।

 

ଶିବବାବୁ ଶୁଣି ଖୁସିହେଲେ ବି କହିଲେ, “ଆଗରେ ଏମ୍.ଏ. ପରୀକ୍ଷା ତୁ ସେଥିପାଇଁ ତ ପୁଣି ପ୍ରସ୍ତୁତ ହେବୁ ?’’ ବିନୟ କହିଲା–‘‘ସେ ତ ଡେରିଅଛି, ମାସଟାଏ ଅନ୍ତତଃ ପରିଶ୍ରମ କଲେ ଗୋଟାଏ ଚାନ୍‍ସ୍‍ ପାଇଯିବି–ଦେଖୁଛନ୍ତି ତ ଆଜିକାଲିକାର ସମସ୍ୟା ଯାହା ।’’ ଶିବବାବୁଙ୍କର ଆଉ ଉତ୍ତର ଦବାର କିଛି ନଥିଲା । ପୁଅ ନୁହେଁ ଯେ ବିନୟ ଗୋଟାଏ ରତ୍ନ–ଯାହା ଭାବୁଛି କରୁ ।

 

ବିନୟ...ରାତି ଅନିଦ୍ରା ହୋଇ ଘଣ୍ଟା ଘଣ୍ଟା ଧରି ପଢ଼େ । ଲାଇଟ୍ ତଳେ ନିଦ ହୁଏନା ପ୍ରମିଳାକୁ । ସେ ତା’ର ମାଧୁରୀ ବିଛଣାରେ ତା’ ପାଖେ ଶୁଏ ଆରାମରେ, ଗପର ପେଡ଼ି ଫିଟାଇ ବସନ୍ତି ନଣନ୍ଦ ଭାଉଜ ଦୁହେଁ । ପ୍ରମିଳା ତା’ ଗୋସେଇଁ ମାଆଠୁ ଶିଖିଥିବା ବହୁତ ଆଦର୍ଶ ନାରୀଙ୍କ କଥା ଗପେ, ମାଧୁରୀ ମନଦେଇ ଶୁଣେ...ରାତି ବେଶି ହେଲେ ଦୁହେଁ ଶୋଇପଡ଼ନ୍ତି ।

 

ସୁକାନ୍ତ ମଧ୍ୟ ଆଗଭଳି ଆଉ ବେଶି ଯା’ ଆସ କରେ ନାହିଁ । ବିନୟ ତ ନିଜପଢ଼ାରେ ବ୍ୟସ୍ତ–ତାଙ୍କୁ ଯାଇ ଖୁସାମତ କରୁଛି କିଏ ? ସେ ମଧ୍ୟ ତା’ର ଏମ୍.ଏ. ପରୀକ୍ଷା ପାଇଁ....ମନଦେଇ ପଢ଼େ....ବିରକ୍ତ ଲାଗିଲେ ଚିତ୍ରଆଙ୍କେ ।

 

ସୁକାନ୍ତର ଅନୁପସ୍ଥିତି ମାଧୁରୀକୁ ଅସହ୍ୟ ହେଲାଣି; କିନ୍ତୁ ସେ କଥା କାହାରିକୁ ସେ କହିନାହିଁ । ଛି, ଏହି କଥା କ’ଣ କହିବା କଥା ? ମନକୁ ଭୁଲାଇ ନିଜ ପଢ଼ା ପରୀକ୍ଷା କଥା ଚିନ୍ତାକରେ । ପଢ଼ାରେ ମନଦିଏ । ନିଦର ବାହାନା କରି ଶୋଇବାକୁ କର ଲେଉଟାଏ ।

 

ନିଦର ବାହାନା କରି ସେଦିନ ବି ଶୋଇବାକୁ କରଲେଉଟାଉଥିଲେ, ଚନ୍ଦନପୁରର ଭୂତପୁର୍ବ ଜମିଦାର ଗୌରୀଶଙ୍କରବାବୁ । ଦେହଟା ଭଲ ଲାଗୁନାହିଁ । ଜରଜରୁଆ ଲାଗୁଛି–ମୁଣ୍ଡ ବିନ୍ଧୁଛି । ତିଳୋତ୍ତମାଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧ ଚାଲିଗଲାଣି ଛଅମାସ ହେଲା–ଦେଢ଼ବର୍ଷ ହେଲା ତିଳୋତ୍ତମା ଗଲେଣି । ମାତ୍ର ଆଠଟାଦିନ ଜରରେ ସେ ଚାଲିଗଲେ । କେତେ ମମତା କରିଥିଲେ ଏ ଘରଦ୍ୱାରକୁ–କେତେ ଭକ୍ତି କରୁଥିଲେ ତାଙ୍କୁ, କେତେ ଭଲ ପାଉଥିଲେ ସୁକାନ୍ତକୁ ?

 

କାହିଁ କାହାର ମମତା ତ ତାଙ୍କୁ ଟାଣିରଖି ପାରିଲା ନାହିଁ । ସିଏ ଗଲାଦିନୁ ଏ ଘରୁ ଲକ୍ଷ୍ମୀ ଛାଡ଼ିଗଲାଣି–ଯିଏ ଯାହା ପାରୁଛି ମାରି ନେଉଛି । କାଲିପରି ନିଜେ ବି କୋଉଦିନ ହଠାତ୍‍ ଆଖି ବୁଜିବେ–ସୁକାନ୍ତ ତ ରହିଲା କଟକରେ......ପିତୃପିତା ଅମଳର ଏ ଖାନ୍‍ଦାନ ବୁନିୟାଦ ଘର...କଣ ହେବ ତା’ର ପରିଣତି ?

 

ମୁଣ୍ଡଟା ଆହୁରି ଟଣ୍ ଟଣ୍ ହୋଇ ବିନ୍ଧିଲା–ତାଙ୍କୁ ଲାଗିଲା ସତେ ଯେପରି ଘରଦ୍ୱାର ଗୁଡ଼ା ଘୂରୁଛି ନିଜେ ତା’ ଭିତରେ ପଡ଼ିଯିବେ । ନିଜରଲୋକ କେହି ଗୋଟିଏ ନାହାନ୍ତି । ସବୁ ପରଲୋକ, କାହା କଅଁଳ ହାତର ନରମ ଆଉଁସା ଟିକିଏ ପାଇଲେ ମୁଣ୍ଡବିନ୍ଧା ହେଲେ କମନ୍ତା । ସେହି ଆଶାରେ ଆଶାରେ ତିଳୋତ୍ତମା ତ ଗଲେ । ସେ କ’ଣ ଯିବେ ? ଆଶା ପୂରଣ ହେବନାହିଁ-?

 

ମନ କହିଲା, “ନାଁ–ନାଁ–ନିଶ୍ଚୟ ଆଶା ପୂରଣ ହେବ ।’’

 

ବିଛଣାରୁ ଉଠି ବସିଲେ ଗୌରବାବୁ । ଟଳ ଟଳ ପାଦରେ ଟେବୁଲ୍‍ ପାଖକୁ ଯାଇ ଡ୍ରୟରରୁ ବାହାର କଲେ ପାଞ୍ଚଖଣ୍ଡ ଫଟୋ, ଲଣ୍ଠନ ଆଲୁଅକୁ ତେଜିନେଇ ଗୋଟିକ ପରେ ଗୋଟିଏ ଭଲ ଭାବରେ ନିରୀକ୍ଷଣ କରି ଦେଖିଲେ–ତା’ପରେ ସେଥିରୁ ଖଣ୍ଡିଏ ଅଲଗା ରଖି ଆପେ ଆପେ କହିଲେ, “ନାଁ, ବିଳମ୍ବ ଅସହ୍ୟ–ଶୀଘ୍ର ୟାର ନିଷ୍ପତ୍ତି କରିବାକୁ ହେବ ।’’

ଦୀର୍ଘଶ୍ୱାସ ଛାଡ଼ି ପଲଙ୍କ ପାଖକୁ ଫେରି ଆସିଲେ, ଝରକା ମୁକୁଳା କରିଦେଲେ–ଥଣ୍ଡା ପବନ ଘର ଭିତରକୁ ସାଏଁ, ସାଏଁ ପଶିଆସିଲା । ଗୌରବାବୁ ବିଛଣାରେ ଶୋଇଲେ–ନାଁ–ଆଉ ନୁହେଁ–ଯେତେ ଶୀଘ୍ର ପାରନ୍ତି ସେ ଦାୟିତ୍ୱ ମୁକ୍ତହେବେ–ମୁଣ୍ଡ ଭାରାକ୍ରାନ୍ତ–ଆଖିରୁ ହଜି ଯାଇଛି ନିଦ...ନାନା ପ୍ରକାର ଭାବନା ଭିତରେ ରାତି ପାହିଲା ।

ନିତ୍ୟକର୍ମ ଶେଷ କରୁ କରୁ ଗୋବିନ୍ଦ ଗୁମାସ୍ତାକୁ ଡକାଇଲେ ଗୌରବାବୁ ! ଜଳଖିଆ ଖାଇବାକୁ ମନାକଲେ, ପୁଝାରୀ ଖାଲି ଚା’ କପେ ଆଣିଦେଲା–ସେତକ ପିଇ ନିଜ ଶୋଇବା ଘର ବାରଣ୍ଡାରେ ଆରାମ ଚେୟାର ଉପରେ ବସି ସମାଜ ଉପରେ ଆଖି ବୁଲାଉଥିଲେ ଗୌରୀଶଙ୍କରବାବୁ...ଗୁମାସ୍ତା ଗୋବିନ୍ଦ ପଟ୍ଟନାୟକ ଆସି ନମସ୍କାର କରି ଠିଆହେଲା ।

କାଗଜଟା ଟିପୟ ଉପରେ ରଖିଦେଇ, ଚଷମାଟା ଆଖିରୁ କାଢ଼ିଧରି ଗୌରବାବୁ କହିଲେ, “ବୁଝିଲ ଗୋବିନ୍ଦ, ମୋର ଦେହ ଆଉ ଭଲ ରହୁନାହିଁ.....ମନରେ ନାନାପ୍ରକାର ଦୁଶ୍ଚିନ୍ତା ଶେଷରେ ତମରି କଥା ମୁଁ ମାନିନେଲି.....ନିଅ ଏ ଚିଠିଟି ଆଜି ରେଜିଷ୍ଟ୍ରି କରିଦିଅ । ତା’ପରେ ଯାହା ଯେମିତି କରିବାର ହବ କରିବା, କ’ଣ ବୁଝି ପାରୁଛ ?’’

ବୁଝୁ ନବୁଝୁ ଗୋବିନ୍ଦ ଆଜ୍ଞା, ଆଜ୍ଞା, କହି ଚାଲିଥାଏ, ଏହା ତାଙ୍କର ଅଭ୍ୟାସ । ଗୌରବାବୁ ଟିକିଏ ରହି କହିଲେ, “ଆଗରେ ଛୁଟି ଅଛି, ତମେ କଟକ ଯାଇ ସୁକାନ୍ତକୁ ନେଇଆସିବ-। ଏ ଛୁଟିରେ ନଆସି ତା’ର ସାଙ୍ଗ ପିଲାମାନଙ୍କସହ କୁଆଡ଼େ ବୁଲି ଚାଲିଯିବ ଲେଖିଥିଲା–ତା’ର ଉପସ୍ଥିତ ତ ନିତ୍ୟାନ୍ତ ପୟୋଜନ ।’’ ଗୋବିନ୍ଦ ହାତ ମଳି ମଳି କହିଲେ, “ହଁ, ଆଜ୍ଞା–ମୁଁ ଗଲେ ସାନବାବୁଙ୍କୁ ନିଶ୍ଚୟ ନେଇଆସିବି, ଆପଣ ସେଥିପାଇଁ କିଛି ଚିନ୍ତା କରନ୍ତୁ ନାହିଁ । କୋଉଦିନ ଯିବି-?’’

–“ହଁ, ମୁଁ ତମକୁ ସେକଥା ପରେ କହିବି । ତମେ ଆଜି ତମ ଦାୟିତ୍ୱ ସାରିନିଅ ।’’ ପୁଣି ଆଖିରେ ଚଷମା ଲଗାଇ କାଗଜ ପଢ଼ି ବସିଲେ ଗୌରବାବୁ । ଗୋବିନ୍ଦ ଜାଣିଲେ ତାଙ୍କଠାରୁ ବାବୁଙ୍କର ପ୍ରୟୋଜନ ସରିଛି । ଟିକିଏ ଠିଆହୋଇ ତା’ପରେ ସେ ଧୀରେ ଧୀରେ ଚାଲିଗଲେ । ଘର ଆଡ଼ର ବହୁତ କାମ ବାକିଅଛି । ସବୁ ସାରିବାକୁ ହବ ।

ସୁକାନ୍ତ ବହୁତ ଦିନ ହେଲା ଆସିନାହିଁ । ଏ ବ୍ୟଥା ମାଧୁରୀର ଅସହ୍ୟ । ପଢ଼ା ବା ଛବିଅଙ୍କାରେ ମନ ଲାଗୁନାହିଁ । ବିନୟର ଅକ୍ଳାନ୍ତ ପରିଶ୍ରମ ପରେ ଓ.ଏ.ଏସ୍. ପରୀକ୍ଷା ତା’ର ଭଲରେ ସରିଲା–ସେଦିନ କ’ଣ କଥା କହୁ କହୁ ପ୍ରମିଳା ପଚାରିଦେଲା, “କିହୋ......ତମେ ସିନା ଏଣେ ଓ.ଏ.ଏସ୍. ପରୀକ୍ଷା ପାଇଁ ବ୍ୟସ୍ତ ରହିଲ–ତମ ବନ୍ଧୁବର କ’ଣ ନାହାନ୍ତି କି ? ତାଙ୍କର ଟିକିଏ ବି ଦେଖାଦର୍ଶନ ଯେ ନାହିଁ ।’’

ବିନୟ ଚମକିଲା ପରି କହିଲା, ସତେ ତ ବହୁତଦିନ ହେବ ସୁକାନ୍ତ ଆସିନାହିଁ । ମୁଁ ତ ବ୍ୟସ୍ତ ରହିଲି–ତା’ ପାଖକୁ ଯାଉଛି କେତେବେଳେ......, ଓଃ ପରୀକ୍ଷାଟା ସରିଲା ନାହିଁ ଯେ ମୁଣ୍ଡରୁ ବୋଝଗଲା ଆଜି କ୍ଲାସ୍‍ପରେ ହଷ୍ଟେଲକୁ ଯାଇ ତାକୁ ଡାକି ଆଣିବି ।’’

–“ସୁକାନ୍ତବାବୁ ନ ଆସିଲେ......ମୋର କିଛି ଯାଏ ଆସେନା ଯେ, କିନ୍ତୁ ତମର ଲାଜକୁଳିଲତା ସୁନାଭଉଣୀଟି ତାଙ୍କ ବିରହରେ ଝାଉଁଳି ଗଲେଣି ଯେ–’’

ହସି ହସି କହିଲା ପ୍ରମିଳା-। ହସିଲା ସୁକାନ୍ତ, ତା’ର ଉତ୍ତର ଦବାରେ କିଛି ନଥିଲା ।

ଭାଇଭାଉଜଙ୍କ କଥା ଅସ୍ପଷ୍ଟ ଭାବରେ ଆରଘରକୁ ଶୁଭୁଥିଲା ମାଧୁରୀକୁ । ପ୍ରମିଳାର ଶେଷକଥା ପଦକ ତା’ ପ୍ରାଣରେ ଶିହରଣ ଖେଳାଇ ଦେଇଥିଲା । ନୂଆବୋହୂ ତା’ ହୃଦୟର ସମସ୍ତ ଗୋପନ ବ୍ୟଥା ବୁଝିପାରିଛନ୍ତି...କିନ୍ତୁ ଭାଇଙ୍କ ଆଗରେ ଏଭଳି କହିବାରୁ ଭାରି ଲାଜ ବି ଲାଗିଲା ତାକୁ ।

 

ଜାଣେନା କାହିଁକି ସେ ସୁକାନ୍ତବାବୁଙ୍କୁ ଏତେ ଭଲପାଇ ବସିଛି । “ସତେ କ’ଣ ସୁକାନ୍ତବାବୁ ତାକୁ ଭଲ ପାଆନ୍ତି ?’’ ନିଜକୁ ନିଜେ ବିଶ୍ୱାସ କରି ପାରୁନଥିଲା ମାଧୁରୀ–

 

ସାରାଦିନ ତା’ର ନାନାପ୍ରକାର କଳ୍ପନାରେ କଟିଲା । ଆଜି ସୁକାନ୍ତବାବୁ ଆସିବେ । ଆନନ୍ଦରେ ଉଲ୍ଲସି ଉଠିଲା ତା’ ଛୋଟ ମନ ।

 

ସେହିଦିନ ସନ୍ଧ୍ୟାରେ ବିନୟ ସୁକାନ୍ତକୁ ଡାକି ପ୍ରମିଳାକୁ ଖବର ଦେବାପାଇଁ ରୋଷେଇ ଘରକୁ ଚାଲିଗଲା । ମାଧୁରୀ ତା’ ପୂର୍ବରୁ କଲେଜରୁ ଆସି ସାରିଥିଲା ।

 

ସୁକାନ୍ତ ଧୀରେ ଧୀରେ ପହଞ୍ଚିଲା ମାଧୁରୀ ରୁମରେ......ମାଧୁରୀ ଚୁପ୍‍ଚାପ୍‍ ବସିଛି ଟେବୁଲ୍‍ ପାଖରେ । ମାଧୁରୀ ପିଠିରେ ହାତରଖି ସୁକାନ୍ତ ଧୀରେ ଧୀରେ ଡାକିଲା, ମା-ଧୁ-ରୀ ।

 

ତରୁଣ ସୁକାନ୍ତର କରୁଣ ସ୍ୱରମୂର୍ଚ୍ଛନା ଭିତରେ ମାଧୁରୀ ଯେପରି କ୍ରମେ କ୍ରମେ ଦୁର୍ବଳ ହୋଇ ପଡ଼ୁଥିଲା । ଆଖିରେ ତା’ର ଭରିଯାଇଥିଲା ଅଭିମାନର ଅଶ୍ରୁ । ସେ ସୁକାନ୍ତର ମୁହଁକୁ ଚାହିଁ କହିଲା, “ଏତେଦିନ ହେଲା ଆପଣ ଆସିନଥିଲେ କାହିଁକି ? ଆଜି ଯଦି ଭାଇ ଡାକିଆଣି ନଥାନ୍ତେ, ତେବେ ଆପଣ ଆଜି ବି ଆସି ନଥାନ୍ତେ । ମୁଁ ଜାଣେ ଆପଣ ହୁଏତ ଆମକୁ ଭୁଲିଯିବାକୁ ଚେଷ୍ଟା କରୁଥିଲେ ।’’

 

ମାଧୁରୀର ଝରାଲୁହକୁ ପୋଛିଦେଲା ସୁକାନ୍ତ । “ଛି ଏଇଥିପାଇଁ କାନ୍ଦ ? ମତେ ଭୁଲ୍‍ ବୁଝନା ମାଧୁରୀ । ପଢ଼ାପଢ଼ିର ବ୍ୟସ୍ତତା ଭିତରେ ମୁଁ ଆସିପାରେନା । ତା’ ବୋଲି ତମକୁ ଭୁଲିଯିବି-? ୟା ତୁମେ କିପରି କଳ୍ପନା କରିପାରୁଛ ମାଧୁରୀ ? ପ୍ରସ୍ତାବ ଉଠିବା ପରେ ବେଶି ଯିବାଆସିବା କରିବାକୁ ମତେ କେମିତି ଲଜ୍ଜ୍ୟା ଲାଗୁଛି ।’’

 

ମାଧୁରୀ କିଛି ଉତ୍ତର ନଦେଇ ସଲ୍ଲଜ ଆଖିରେ ଖାଲି ଚାହିଁଲା । ସୁକାନ୍ତ ମୃଦୁହସି କହିଲା–ବିଶ୍ୱାସ କରି ପାରୁନା । “ମୁଁ ଶପଥ କରି କହୁଛି–ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ବି ତମକୁ ଭୁଲିପାରିବି ନାହିଁ । ଥରେ ତ କହିଛି–ଚନ୍ଦ୍ର ଆଉ କୁମୁଦ, ପଦ୍ମ ଆଉ ଅରୁଣ ଜଣେ ଜଳରେ ଜଣେ ଆକାଶରେ; କିନ୍ତୁ ସେମାନଙ୍କ ପ୍ରେମ ଯେପରି ଅଭିନ୍ନ ଅକ୍ଷୁଣ୍ଣ । ଆମର ମଧ୍ୟ ସେହିପରି, ତମେ ଏଥିରେ ବିବ୍ରତ ହେଉଛ କାହିଁକି ?’’

ଯେତେ ଦୂରରେ ଥିଲେ ବି ଆମର ପ୍ରେମ ସ୍ୱଚ୍ଛ । ଆମର ହୃଦୟରେ ଆବିଳତା ନାହିଁ । ଦୁହେଁ ଦୁହିଁଙ୍କ ଅନ୍ତରରେ ଥିବା । ଦିନ କେଇଟା ହେଲା ଆସିନାହିଁ । ଯୁଗ ଯୁଗପାଇଁ ତମଠାରୁ ଦୂରେଇ ରହିଲେ ବି ମୋ ହୃଦୟ ସିଂହାସନରେ ତମେ ସେହି ଉଜ୍ଜ୍ୱଳମୟୀ ଦେବୀ । କିନ୍ତୁ ମୁଁ ଦେଖୁଛି ତମେ ପାରିବ ନାହିଁ । ତମେ ଭାରି ଭାଙ୍ଗିପଡ଼ୁଛ…

–“ନାଁ, ନାଁ, ମୁଁ ପାରିବି.....ପାରିବି.....ପ୍ରୟୋଜନ ହେଲେ ଚିରଜୀବନ ଆପଣଙ୍କୁ ପ୍ରତୀକ୍ଷାକରି ପାରିବି । ଆପଣଙ୍କ ଆଦର୍ଶରେ ମୁଁ ଯେପରି ଅନୁପ୍ରାଣିତ ହୁଏ । ଏହାହିଁ ମତେ ଆଶୀର୍ବାଦ କରନ୍ତୁ । ଆପଣଙ୍କ ଆଶୀର୍ବାଦ ଲାଭକଲେ ମୁଁ ନିଶ୍ଚୟ ପଥରପରି ଟାଣ ହେବି । ମୋ ଅବଚେତନ ମନର କାମନା, ବାସନା ସବୁ ଦୂରହୋଇ ଯିବ । ମୁଁ ଆଜି ଏହାହିଁ ଶପଥ କରୁଛି । ସୁକାନ୍ତର ପାଦପାଖରେ ମୁଣ୍ଡ ନୋଇଁଲା ମାଧୁରୀ ।’’

ସୁକାନ୍ତ କହିଲା, ‘‘ମୋର ଆଶା ଓ ବିଶ୍ୱାସ ମୋର ସହକର୍ମୀଣି ନିଶ୍ଚୟ ତା’ର ପ୍ରତିଷ୍ଠା ଲାଭ କରିବାକୁ ସକ୍ଷମ ହୋଇପାରିବ । ସେଥିପାଇଁ ଈଶ୍ୱର ସହାୟ ହେବେ–ଉଠ–ମାଧୁରୀ–’’ ମାଧୁରୀକୁ ତଳୁ ଉଠାଇ ଦେଲା ସୁକାନ୍ତ.... । ଦୂରରୁ ଶୁଭିଲା ପ୍ରମିଳାର ପାଟି–“କାହିଁ....ସୁକାନ୍ତବାବୁ କୁଆଡ଼େ ଗଲେ ?’’

ସୁକାନ୍ତ.....ପ୍ରମିଳାଙ୍କ ପାଖକୁ ଆଗେଇ ଯାଇ କହିଲା, “ଆସ ନୂଆବୋହୂ, ମୁଁ କେତେଦିନ ହେଲା ନ ଆସି ପାରିଛି ବୋଲି ତମେ ଖୁବ୍‍ ରାଗିଛ ନା ?’’

ପ୍ରମିଳା ଜଳଖିଆ ଥାଳିଧରି ଘରଭିତରକୁ ଆସିଲା–“ଆସ ସୁକାନ୍ତବାବୁ ସତରେ ମୁଁ ତମ ଉପରେ ରାଗିଛି–ତମ ବିନୁ ଭାଇ ତ ତାଙ୍କ କାମରେ ବ୍ୟସ୍ତ ରହିଲେ ବୋଲି ତମେ ଆମକୁ ଭୁଲିଗଲ ଟିକିଏ ବି ଆସିଲ ନାହିଁ, ପାଖରେ ଥାଇ ତ ଏପରି, ଦୂରକୁ ଗଲେ କ’ଣ ପଚାରିବ ?’’ ପ୍ରମିଳାର ନିର୍ଦ୍ଦେଶରେ ବିନୟ ସୁକାନ୍ତ ଖାଇ ବସିଲେ–ଏଣିକି ସୁକାନ୍ତ ବିନୟକୁ ବିନୁଭାଇ ଡାକିଲାଣି । ପ୍ରମିଳା ଦିନେ କହିଲା ସେ’ତ ତମଠୁ ତିନିମାସ ବଡ଼, ତା’ଛଡ଼ା ତମେ ତ ତାଙ୍କର ଭାବି ଭିଣୋଇ; ତାଙ୍କୁ ଭାଇ ନ ଡାକିଲେ ମତେ ନୂଆବୋହୂ ଡାକି ପାରିବନି, ନାଁ ଧରି ଡାକ, ସେହିଦିନୁ ସୁକାନ୍ତ ବିନୟକୁ ବିନୁଭାଇ ଡାକୁଛି ।

 

ବିନୟ କହିଲା, “ଦେଖ ପ୍ରମିଳା–ସୁକାନ୍ତଟା ଭାରି ଲାଜକୁଳା ପିଲା–ତାକୁ ତମେ ଏପରି କୁହନାହିଁ । ମୁଁ ତ ଯାଇ ପାରିଲି ନାହିଁ, ସେ ଏକା ଆସିଥାନ୍ତା କିପରି ? ତୁ ଖାଆ ସୁକାନ୍ତ ।’’ ସୁକାନ୍ତ କିଛି ଉତ୍ତର ଦେଇ ପାରିଲାନାହିଁ । ଦୁଇବନ୍ଧୁ ହସ ଖୁସି ଭିତରେ ଖାଇବା ଶେଷକରି, ପାଠ ପଢ଼ାଠୁଁ ଦେଶ ପରିସ୍ଥିତି, ରାଜନୀତି ପର୍ଯ୍ୟନ୍ତ ଗପ ଆରମ୍ଭ କରିଦେଲେ । ପ୍ରମିଳା କହିଲା, ହଉରେ ବାବା ତମେ ଗପୁଥାଅ ମୁଁ ରୋଷେଇ ଘରକୁ ଯାଏଁ–ବେଶିରାତିରେ ଖାଇଲେ ବାପାଙ୍କର ହଜମ ହେବ ନାହିଁ ।

 

ସେ ରୋଷେଇ ଘରକୁ ଗଲା–ମାଧୁରୀର ପଢ଼ାରେ ମନ ଲାଗିଲା ନାହିଁ, ସେ ମଧ୍ୟ ଭାଉଜଙ୍କୁ ସାହାଯ୍ୟ କରିବାକୁ ଗଲା ।

 

କେତେଦିନ ୟା ଭିତରେ ବିତିଗଲାଣି...ସୁକାନ୍ତ ପ୍ରତିଦିନ ନଗଲେ ବି ଦିନେ ଦିନେ ଯାଏ, ବିନୟ ଡାକିନିଏ ତାଙ୍କ ଘରକୁ; ଏମିତି ସମୟ ବିତିଯାଏ...ଦିନିକିଆ ରବିବାର ଛୁଟି କିମ୍ବା ଅନ୍ୟକିଛି ଦିନିକିଆ ଛୁଟି ହେଲେ ବିନୟ ସୁକାନ୍ତକୁ ଡାକିନିଏ । ସେଦିନ ଥାଏ ଶନିବାର, ତା’ ପରଦିନ ରବିବାର ଏବଂ ତା’ ପରଦିନ ସାଧାରଣତନ୍ତ୍ର ଦିବସ । ଲାଗ୍‍ ଲାଗ୍‍ ଦି’ଦିନ ଛୁଟି ବିନୟ ସନ୍ଧ୍ୟାରେ ପହଞ୍ଚିଲା ସୁକାନ୍ତ ପାଖରେ–ସୁକାନ୍ତ ସେତେବେଳେ ତା’ର କେତେକ ଆବଶ୍ୟକୀୟ ଜିନିଷ ସଜାଡ଼ି ଖଣ୍ଡେ ଚମଡ଼ା ସୁଟକେଶରେ ରଖୁଥାଏ ।

 

ବିନୟ ହସିଉଠି କହିଲା, “କଣ କୁଆଡ଼େ ବାହାରିଛୁ ନା କ’ଣ ? ଏସବୁ ସଜଡ଼ା ସଜଡ଼ି କ’ଣ ? ଆଗରୁ ତ କିଛି ପ୍ରସ୍ତାବ ନଥିଲା–ସୁକାନ୍ତ ମୃଦୁହସି ଚେୟାରଟା ଘୁଞ୍ଚାଇ ଦେଲା ବିନୟ ପାଖକୁ କହିଲା, “ସତରେ ମୋର କୁଆଡ଼େ ଯିବାର ସ୍ଥିର ନଥିଲା, ମୁଁ କ୍ଲାସରୁ ଫେରି ଦେଖେତ ଗୋବିନ୍ଦ ଗୁମାସ୍ତା ଦୁଆର ମୁହଁରେ ବସିଛି–ବାପାଙ୍କର ଆଦେଶ ଆଜି ଏହି ଲାଷ୍ଟବସ୍‍ ଆଠଟା ବେଳେ ଯିବାକୁ ହେବ ।’’

 

ହଠାତ୍‍ କ’ଣ ଏମିତି ଦରକାର ପଡ଼ିଲା ଯେ ?

 

ଦେହ କ’ଣ କିଛି ଖରାପ ଅଛି ? ପ୍ରଶ୍ନକଲା ବିନୟ–

 

ସୁକାନ୍ତ ତା’ର କାମ ଶେଷ କରୁ କରୁ କହିଲା, ଗୋବିନ୍ଦ ତ କହୁଛି ସାମାନ୍ୟ ଶର୍ଦିଜର ହୋଇଛି । ମାତ୍ର ପୁଅ ନ ଆସିଲେ ମରିଯିବି ଇତ୍ୟାଦି କହି ବିଚଳିତ ହେଉଛନ୍ତି । ଆଗରେ ତ ଦି ଦିନ ଛୁଟିଅଛି ଯିବାକୁ ଅସୁବିଧା ନାହିଁ... ।

 

–ହଁ, ଗୋଟିଏ ବୋଲି ପୁଅ ତୁ–ତୋତେ ସେ ଅତିରିକ୍ତ ଭଲ ପାଆନ୍ତି ନା ସେଇଥିପାଇଁ-। ଆଚ୍ଛା ସୋମବାର ଫେରୁଛୁ ତ ? ପ୍ରଶ୍ନକଲା ବିନୟ ।

 

ମୃଦୁ ହସି ସୁକାନ୍ତ କହିଲା–ନିଶ୍ଚୟ ସୋମବାର ସନ୍ଧ୍ୟାକୁ ଫେରିବି ନା ଡେରି କରିବାକୁ ଉପାୟ ନାହିଁ । ଆଚ୍ଛା ନୂଆବୋହୂଙ୍କୁ ସବୁ କହିଦେବୁ । ସମୟ ଥିଲେ ସାର୍‍ଙ୍କୁ ସାକ୍ଷାତ କରି ଯାଇଥାନ୍ତି–ହେଇ ତ ସାତଟା ପନ୍ଦର ହେଇଗଲା । ଘଣ୍ଟାକୁ ଚାହିଁଲା ସୁକାନ୍ତ ।

 

ବିନୟ ହସିଲା, କହିଲା ତୋ ନୂଆବୋହୂ ତ କାଲି ମଧ୍ୟାହ୍ନ-ଭୋଜନ ପାଇଁ ନିମନ୍ତ୍ରଣ ପଠାଇଥିଲା । ହଠାତ୍‍ ତୋର ପ୍ରୋଗ୍ରାମ ବଦଳିଲା । ଆଚ୍ଛା ନିଶ୍ଚୟ ସୋମବାର ଫେରିବୁ ।

 

ସୁକାନ୍ତ ହସିଲା । ଏଥିରେ ଭାବିବାର କିଛି ନାହିଁ, ନିହାତି ଯଦି ବାପାଙ୍କ ଦେହ ଅସୁସ୍ଥ ଥାଏ ତ ଅଲଗା କଥା–ନହେଲେ ମଙ୍ଗଳବାର କ୍ଲାସରେ ନିଶ୍ଚୟ ଦେଖାହେବ । ବାହାରୁ ଗୋବିନ୍ଦ ଗୁମାସ୍ତା ଆସିଲା । ହାତରେ ଏକ ବିରାଟ ବ୍ୟାଗରେ କ’ଣ ସବୁ ବଜାରରୁ ଆଣିଛି । ବିନୟକୁ ଦେଖି ଭଦ୍ରାମିରେ ନମସ୍କାର କଲା । ବିନୟ ମଧ୍ୟ ପ୍ରତିନମସ୍କାର କଲା । ସୁକାନ୍ତର ସୁଟକେଶ ସଜଡ଼ା ସରିଥିଲା ।

 

ଗୋବିନ୍ଦ କହିଲା, “ଶୀଘ୍ର ପିନ୍ଧିପକାନ୍ତୁ ଆଜ୍ଞା–ଠିକ୍‍ ଆଠଟାରେ ବସ୍‍ ଛାଡ଼ିବ ବୁଝି ଆସିଲି–ଗୁଡ଼ାଏ ଲୋକ ଅପେକ୍ଷା କରିଛନ୍ତି, ଟିକିଏ ଆଗରୁ ନଗଲେ ଭାରି ଭିଡ଼ ହେବ–ସୁଟକେଶ୍‍ଟା ମୋ’ ଆଡ଼କୁ ଦିଅନ୍ତୁ–’’

 

ସୁକାନ୍ତ ହସିଲା–“ଓଃ.....ଏତେ ବ୍ୟସ୍ତ କାହିଁକି ହେଉଛ ପଟ୍ଟନାୟକେ–ଆମେ ନିଶ୍ଚୟ ଠିକ୍‍ ଟାଇମରେ ବସ୍‍ ଚଢ଼ିବା... ଆହୁରି ଯଥେଷ୍ଟ ସମୟ ଅଛି–ନିଜର ପୋଷାକ ବଦଳାଇଲା ସୁକାନ୍ତ...ବିନୟ ଉଠିଲା–କହିଲା–“ହଉ ଭଲରେ ଯାଆ ସୁକାନ୍ତ ପରେ ଦେଖାହେବ–’’

 

ସୁକାନ୍ତର କାମ ସରିଥିଲା–ଗୋବିନ୍ଦ ବ୍ୟାଗ୍‍ ସୁଟକେଶ ଧରି ବାରଣ୍ଡାକୁ ବାହାରି ଯାଇଥିଲା, ଦୁଇବନ୍ଧୁ ହାତ ଧରାଧରି ହୋଇ ବାହାରକୁ ଆସିଲେ–ସୁକାନ୍ତ କହିଲା–ନମସ୍କାର ବିନୁଭାଇ, ନୂଆବୋହୂଙ୍କୁ ନମସ୍କାର କହିଦେବ–ସମୟ ଥିଲେ ତାଙ୍କ ପାଖକୁ ଯାଇଥାନ୍ତି–

 

ବିନୟ ପ୍ରତିନମସ୍କାର ଜଣାଇ କହିଲା, “ତୋର ଯାତ୍ରା ଶୁଭ ହେଉ ସୁକାନ୍ତ–ମୁଁ ସବୁ କହିଦେବି–ଭଲରେ ଯାଇ ତୁ ଭଲରେ ଆ–’’ ଦୁହେଁ ଦୁହିଁଙ୍କଠାରୁ ବିଦାୟ ନେଇ ନିଜ ନିଜର ଗନ୍ତବ୍ୟ ପଥରେ ଆଗେଇ ଚାଲିଲେ ।

ଗୌରୀଶଙ୍କରବାବୁଙ୍କ କୋଠା ପଛକୁ–ଇଟା ପାଚେରିଘେରା ବିରାଟ ଫୁଲବଗିଚା ଦେଶୀ ବିଦେଶୀ ବିଭିନ୍ନ ପ୍ରକାର ଫୁଲରେ ବଗିଚାଟି ଭରପୁର । ବଗିଚାର ମଧ୍ୟସ୍ଥଳୀରେ ଗୋଟିଏ ବଡ଼ ପକ୍କା ଚାନ୍ଦନୀ, ସୁକାନ୍ତ ବଗିଚାରେ ବୁଲି ବୁଲି ଚାନ୍ଦନୀ ଉପରେ ବସିପଡ଼ିଲା–ଚନ୍ଦ୍ର କିରଣ ବିଛାଡ଼ିହୋଇ ପଡ଼ିଛି ସାରା ପୃଥିବୀ–ସଞ୍ଜର ପ୍ରଥମ ପ୍ରହର କଟିନାହିଁ ।

ମଳୟବାଆ–ଚନ୍ଦ୍ରର ଜ୍ୟୋତ୍ସ୍ନା ଫୁଲର ସୁଗନ୍ଧ–କୋକିଳର କୂଜନ, ଭ୍ରମରର ଗୁଞ୍ଜନ, ମନଭିତରେ ଆଣିଦିଏ କେମିତି ଗୋଟିଏ ମାଦକତା, ଶିହରଣ ଖେଳାଇ ଦିଏ ପ୍ରାଣେ ପ୍ରାଣେ–ସୁକାନ୍ତକୁ ଏସବୁ ଭାରି ସୁନ୍ଦର ଦିଶୁଛି ସେ’ ଭାବୁଛି, ମାଧୁରୀ ଥିଲେ ଆଜି ଏ’ ରାତି କେଡ଼େ ମଧୁମୟ ହୋଇ ନ ଉଠନ୍ତା ସତେ ? ଏଇଠି ବସି କେତେ ନୂଆ ଛବି ଦୁହେଁ ଆଙ୍କିପକାନ୍ତେ–

ପୁଣି ଭାବେ–ସେ କି ଭାବରେ ବାପାଙ୍କୁ ମାଧୁରୀ କଥା ଜଣାଇବ । ଶିବବାବୁଙ୍କର ସମ୍ମାନ ଅଛି, ଧନ ଅଛି–ମାଧୁରୀର ସୌନ୍ଦର୍ଯ୍ୟ ଆଉ ଗୁଣ ଅଛି । ବାପାଙ୍କର ଅମତ ହେବାଭଳି କିଛି ନାହିଁ । ବାପା ସୁକାନ୍ତକୁ ଶ୍ରଦ୍ଧା କରନ୍ତି, କେବେ ଅଳି ଭାଙ୍ଗି ନାହାନ୍ତି । ଛୁଟି ହେଲେ ଦିନକ ପୂର୍ବରୁ ଲୋକ ପଠାନ୍ତି ନେଇ ଆସିବାକୁ । ମାଆଭଳି ସବୁ ଖବର ନିଜେ ବୁଝନ୍ତି । ଚାକର ପୁଝାରୀଙ୍କୁ ଘଡ଼ି ଘଡ଼ି ତାଗଦା କରନ୍ତି ଯେପରି ପୁଅର କିଛି ଅସୁବିଧା ନ ହୁଏ । ଏ ସତ୍ତ୍ୱେ କିଭଳି କି ଭାଷାରେ ତା’ ମନକଥା ବାପାଙ୍କୁ ଜଣାଇବ ସେ ଭାଷା ପାଏନା–

ଘର ଭିତରଟା ଭଲ ଲାଗେନା ସୁକାନ୍ତକୁ । ମାଆ ତ ନାହିଁ–ଭାଇ ଭଉଣୀଟିଏ ମଧ୍ୟ ନାହିଁ, ଚାକର ପୁଝାରୀମାନେ ନିଜ କାମରେ ବ୍ୟସ୍ତ–ମନକଥା ବା କାହାକୁ କହିବ ସିଏ, ସେମାନଙ୍କୁ କି ଏକଥା କହିହୁଏ ।

ସୁକାନ୍ତ ନାନାପ୍ରକାର ଚିନ୍ତାରେ ବ୍ୟସ୍ତ ଥିବାବେଳେ–ଚାକର ଟୋକା ନଟ ବଡ଼ ବଡ଼ ଗୋଲାପ ଫୁଲଗୁଡ଼ା ବଗିଚା ଗଛରୁ ଛିଣ୍ଡାଇ ପକାଇଲେ–ସଞ୍ଜର ପ୍ରଥମ ସ୍ପର୍ଶରେ ଚନ୍ଦ୍ର କିରଣ ପାଇଁ ହସିଉଠୁଥିଲା ବଗିଚାଟି ।

 

ବିସ୍ମୟ ଆଉ ବିରକ୍ତ ହୋଇ ସୁକାନ୍ତ କହିଲା, “କିରେ ନଟ, ତତେ କ’ଣ ଭୂତ ଲାଗିଛି କି-? ଏତେ ସୁନ୍ଦର ଫୁଲଗୁଡ଼ା କାହିଁକି ଛିଣ୍ଡାଉଛୁ ? ଫୁଲଗୁଡ଼ିକ ଗଛରେ ରହିଲେ ଭାରି ସୁନ୍ଦର ଦିଶେ, ଯା’ଯା’–ଆଉ ତୋଳନା– ।’’

 

ନଟ ମୁରୁକି ହସି କହିଲା–“ଆଜ୍ଞା....ସାଆନ୍ତେ ପରା କହିଲେ ଶୀଘ୍ର ଫୁଲ ନେଇ ବୈଠକଖାନା ସଜାଇବି–ମୋର ଦୋଷ କ’ଣ ?’’

 

–“କିରେ,ଏ ସଞ୍ଜଟାରେ ଘର ସଜାଇବା କ’ଣ ଦର୍କାର ପଡ଼ିଲା ?’’–କେଜାଣି ଆଜ୍ଞା ଆଜି ତ କିଛି ପର୍ବ ନାହିଁ, ଘରେ ଦେଖୁଛି ଆଜ୍ଞା ଭାରି କାମ ଲାଗିଛି, ଆମ ଚାକର ମୁଣ୍ଡକୁ କିଏ ପଚାରେ ଆଜ୍ଞା–ଗୁମାସ୍ତା ବୁଢ଼ା ଦି’ଟା ବି ଧଇଁସଇଁ ହୋଇ ଧାଁ ଦଉଡ଼ କରୁଛନ୍ତି, କୋଉ ସାଇବ କି ହାକିମ ଆସୁଥିବେ ଆଜ୍ଞା–ମାଆ ସାଆନ୍ତାଣୀ ଗଲାଦିନୁ କୋଉ ମାଇପିଲା ପାଦସିନା ଏ ଘରେ ପଡ଼ୁ ନାହିଁ, ହେଲେ ଦିନେହେଲେ କୁଣିଆଁ ଛାଡ଼ ନାହାଁନ୍ତି । ଫୁଲ ଚାଙ୍ଗୁଡ଼ି ଧରି ନଟ ଚାଲିଗଲା ।

 

ସୁକାନ୍ତର ଅବିଶ୍ୱାସ କଲାଭଳି କିଛି ନଥିଲା, ସତ କହିଛି ନଟ–ଏ ଘରେ କୁଣିଆଁ ଦିନେହେଲେ ଛାଡ଼ ନାହାଁନ୍ତି । ଜମିଦାରୀ ନାହିଁ–ମାତ୍ର ସେହି ପୁରୁଣାକାଳିଆ ଘର ନାଁ ରହିଛି । କାମ ଥାଉ ନଥାଉ ବଡ଼ଠୁ ଛୋଟ ସମସ୍ତେ ଆସନ୍ତି । ବି.ଡ଼ି.ଓ., ତହସିଲଦାରଠୁ ଆରମ୍ଭ କରି କଲେକ୍‍ଟର, ଏମ.ଏଲ.ଏ., ମନ୍ତ୍ରୀ, ଗ୍ରାମସେବକ, କନେଷ୍ଟବଳ ପର୍ଯ୍ୟନ୍ତ ଆସନ୍ତି । ଗଣ୍ଡା ଗଣ୍ଡା କୁକୁଡ଼ା କଟାହୁଅନ୍ତି, ବଡ଼ ବଡ଼ ମାଛ ପୋଖରୀରୁ ଧରାହୁଏ–ମଉଜ ମଜଲିସରେ ଖାଇପିଇ ଅତିଥି ବିଦାୟ ନିଅନ୍ତି । ଆଜି ହୁଏତ ସେହିପରି କେଉଁ ଅତିଥିଙ୍କର ଆଗମନ ହେବ–।

ମାଆ ନଥିଲେ ବି ପୂର୍ବ ଢଙ୍ଗରେ ବୁଢ଼ା ଗୁମାସ୍ତା ଗୋବିନ୍ଦ ପଟ୍ଟନାୟକ ଘର ଚଳାଇ ଚାଲିଛି । ଚାରିଟା ବେଳେ ରୋଷେଇ ଖଞ୍ଜାରେ ଗୋବିନ୍ଦକୁ ସୁକାନ୍ତ ଦେଖିଥିଲା । ପୁଝାରୀଙ୍କ ପାଖରେ ରନ୍ଧାରନ୍ଧିର ତଦାରଖ ବୋଧେ କରୁଥିଲା ବୁଢ଼ା । ମାଧୁରୀ ଆସିଲେ ଗୋବିନ୍ଦକୁ କେତେକ ଦାୟିତ୍ୱରୁ ମୁକ୍ତି ମିଳିବ ।

ନଟ କେତେବେଳୁ ଚାଲିଗଲାଣି–ସୁକାନ୍ତ ଫେରିଆସିଲା ଦୋ’ମହଲା ଉପରରେ ନିଜ ଶୋଇବା ଘରକୁ । ଜହ୍ନ ଆଲୁଅରେ ବିରୂପାର ବାଲି ସୁନ୍ଦର ଦେଖାଯାଉଛି । ଯେମିତି କିଏ ଧୋବଲୁଗାଗୁଡ଼ିଏ ସଜାଇକି ଶୁଖାଇ ଦେଇଛି...କ୍ଷୀଣ ଜଳଧାରଟି ତା’ ପାଖକୁ ଦିଶୁଛି ଶଯ୍ୟାଶାୟୀ ରୋଗୀଟିଏ ପରି...ରେଡ଼ିଓରୁ ଭାସି ଆସୁଛି ଦିଲ୍ଲୀ ସମ୍ବାଦ । ଚୋରା ବସନ୍ତ ଆଗମନରେ ମାଘର ଶୀତ କମିଗଲାଣି । ଘର ଭିତରଟା ଭଲ ଲାଗୁନାହିଁ ।

ଗାଁର ଯୁବକମାନେ ତା’ ସାହାଯ୍ୟରେ ଯେଉଁ କ୍ଲବ୍‍ ଘର ଗଢ଼ିଛନ୍ତି–ସେଠାରେ କେମିତି କ’ଣ କାମ ଚାଲିଛି ବୁଲି ଦେଖି ଆସିଲେ ଭଲ ହୁଅନ୍ତା–। ପୋଷାକ ବଦଳାଇ କ୍ଲବ୍‍ଆଡ଼େ ବାହାରିଲା ସୁକାନ୍ତ ।

ପାହାଚ ଓହ୍ଲାଇ ବାପାଙ୍କ ସଙ୍ଗେ ବାରଣ୍ଡାରେ ଦେଖାହେଲା, ସେ ଥରେ ସସ୍ନେହ ଦୃଷ୍ଟିରେ ପୁଅକୁ ଚାହିଁଦେଇ କହିଲେ–

“କୁଆଡ଼େ ବାହାରିଛୁ ବାବା ?’’

 

କ୍ଲବ୍‍ଆଡ଼େ ବୁଲି ବାହାରିଥିଲି ।

 

ସୁକାନ୍ତର ମସ୍ତକରେ ସସ୍ନେହରେ ହାତବୁଲାଇ ଗୌରବାବୁ କହିଲେ, “ଆଜି ଦରକାର ଅଛି ଘରେ ଥା କାଲି ଯିବୁ ।’’ ସୁକାନ୍ତର କହିବାର କିଛି ନ ଥିଲା । ଗୌରବାବୁ ରାମା, ରାମା, ଡାକି ରୋଷେଇ ଖଞ୍ଜା ଆଡ଼େ ଚାଲିଗଲେ, ଘରେ ତ ଘରଣୀ ନାହାଁନ୍ତି ସବୁଆଡ଼କୁ ଦୃଷ୍ଟି ନ ଦେଲେ ଅପଦସ୍ତ ହେବାକୁ ପଡ଼ିବ ଯେ–ବାପାଙ୍କ ଦେହ ଅସୁସ୍ଥ ନାହିଁ–କେବଳ ଶ୍ରଦ୍ଧାରେ ଡକାଇ ଆଣିଥିଲେ-

 

ରେଡ଼ିଓ ଖୋଲି ଦୋମହଲା ବରଣ୍ଡାରେ ଚେୟାର ଉପରେ ବସିଲା ସୁକାନ୍ତ । ବିରୂପା ଏଠାରୁ ବେଶ୍‍ ସୁନ୍ଦର ଦିଶୁଛି । ରେଡ଼ିଓରୁ ଭାସି ଆସୁଛି ଓଡ଼ିଆ କଥାଚିତ୍ର ସଙ୍ଗୀତ । ବେଶ୍‍ ଉପଭୋଗ୍ୟ ନୀରବରେ ବସି ଶୁଣୁଛି ସୁକାନ୍ତ ।

 

–“ଆଜ୍ଞା, ବୈଠକଖାନାକୁ ଚାଲନ୍ତୁ ସାଆନ୍ତେ ଡାକୁଛନ୍ତି ।’’ ନଟ ଆସି ଖବର ଦେଲା ।

 

–ଆଚ୍ଛା ମୁଁ ଯାଉଛି ତୁ ଯା–ରେଡ଼ିଓ ବନ୍ଦ୍‍କରି ପାହାଚ ଓହ୍ଲାଇଲା ସୁକାନ୍ତ ।

 

ଗୌରକିଶୋରବାବୁଙ୍କ ବୈଠକଖାନାଟି ସୁନ୍ଦର ସାଜସଜାରେ ଭରାଥାଏ, ଆଜି ଖାଲି ଅଧିକା ଫୁଲ ଇତ୍ୟାଦି ସୁନ୍ଦର ଭାବେ ସଜା ହୋଇଛି ।

 

ଶିଶୁକାଠର ବିରାଟ ଟେବୁଲ୍‍ ଉପରେ ଭେଲଭେଟ୍‍ର କାରୁକାର୍ଯ୍ୟଭରା ଟେବୁଲ୍‍ କ୍ଲଥ୍‍–ତା’ ଉପରେ ରୂପା ତାରକସିରେ ଚାରୋଟି ଫୁଲଦାନୀ । ପ୍ରତି ଫୁଲଦାନୀରେ ଅଲଗା ଅଲଗା ହୋଇ ସଜଫୁଟା ମଲ୍ଲୀ, ଚମ୍ପା, ଗୋଲାପ ଓ ହେନା ସଜା ହୋଇଛି, ରୂପା ଅତରଦାନିରେ ସୁବାସିତ ଅତର, ଟେବୁଲ୍‍ ଚାରିପାଖରେ ଆଗକାଳିଆ କାରୁକାର୍ଯ୍ୟମୟ କେତୋଟି ଚେୟାର–ତା’ ଉପରେ ଭେଲଭେଟ୍‍ କନାର ମୋଟାଗଦି । ତଳ ଚଟାଣରେ ଦାମି ଗାଲିଚା ।

 

କାନ୍ଥରେ ବିଭିନ୍ନ ପ୍ରକାର ମନୋମୁଗ୍ଧକର ଫଟୋସଙ୍ଗେ ଗାନ୍ଧୀ, ନେହେରୁ, ବୁଦ୍ଧ ଓ ସୁବାସବୋଷଙ୍କ ଫଟୋ–ଏହାଛଡ଼ା ରୂପା ଫ୍ରେମବନ୍ଧା ବଡ଼ ସାଇଜ୍‍ର ଫଟୋରେ ବାପା ମାଆଙ୍କ ସହ ନିଜେ ସୁକାନ୍ତ–ଘରର ଗୋଟିଏ ପାଖରେ ଡ୍ରେସିଂଟେବୁଲ୍‍–ଦର୍ପଣର ଫ୍ରେମ କାରୁକାର୍ଯ୍ୟମୟ ହାତୀ ଦାନ୍ତରେ ଗଢ଼ାହୋଇଛି । ଆଉ ଗୋଟିଏ ପାଖରେ ଦୁଇଟି କାଚ ଆଲ୍‍ମାରି–ଗୋଟିକରେ ଦେଶୀ ବିଦେଶୀ ବହୁତ ପ୍ରକାର ଜୀବଜନ୍ତୁଙ୍କ ନଖ, ଦନ୍ତ, ଶିଙ୍ଗରେ ଗଢ଼ା ବାଘ, ଭାଲୁ, ହାତୀ, ଘୋଡ଼ା ଇତ୍ୟାଦି ଜୀବଜନ୍ତୁଙ୍କ ମୂର୍ତ୍ତି, ହାତୀ ଦାନ୍ତ ଓ ମାର୍ବୁଲ ପଥରର ଛୋଟ ବଡ଼ କେତେଗୁଡ଼ିଏ ମୂର୍ତ୍ତି, ପ୍ଲାଷ୍ଟିକର ବିଭିନ୍ନ ପ୍ରକାର ଦାମୀ ଖେଳନା ଇତ୍ୟାଦି ସଜା ହୋଇଛି ।

 

ଅନ୍ୟ ଆଲ୍‍ମାରିଟିରେ ବିଭିନ୍ନ ପ୍ରକାର ଓଡ଼ିଆ,ବଙ୍ଗଳା, ହିନ୍ଦୀ, ଇଂରାଜୀର ବହି । ମୋଟ ଉପରେ ବୈଠକଖାନାଟି ବେଶ୍‍ ସୁନ୍ଦର ସାଜସଜାରେ ପୂର୍ଣ୍ଣ ।

 

ଗୋଟିଏ ଚେୟାର ଉପରେ ଗୌରବାବୁ ବସିଥିଲେ ଓ ତାଙ୍କ ପାଖକୁ ଲାଗି ତାଙ୍କ ସମବୟସ୍କ ଆଉ ଜଣେ ଭଦ୍ରଲୋକ ବସିଥିଲେ । ପୋଷାକ ପରିଚ୍ଛେଦରୁ ଧନୀବ୍ୟକ୍ତି ବୋଲି ବେଶ୍‍ ଅନୁମାନ କରି ହେଉଛି । ଅନ୍ୟ ଚେୟାରମାନଙ୍କରେ ଆଉ ଚାରିଜଣ ଭଦ୍ରଲୋକ ବି ବସିଥିଲେ । ଟେବୁଲ୍‍ ଉପରେ ରୂପାଥାଳିରେ ପାନ, ସିଗାରେଟ୍‍ ଓ ମସଲା ମଧ୍ୟ ଧୁଆ ହୋଇଥିଲା । ସମସ୍ତେ କି ଏକ ମଧୁର ଗଳ୍ପରେ ବିଭୋର–ମଝିରେ ମଝିରେ ହାସ୍ୟରୋଳ ବାହାରକୁ ବାହାରି ଆସୁଥିଲା ।

 

ସୁକାନ୍ତକୁ ଦେଖି ଗୌରବାବୁ ଡାକିଲେ, ‘ଆ, ବାବା ସୁକାନ୍ତ ଏଇଠିକୁ ଆ... ଚିହ୍ନିନଥିବୁ ବୋଧେ ଏ ବାବୁ ତୋର ମଉସା ହେବେ, ଏମାନେ ତାଙ୍କର ସାଙ୍ଗ ।’ ନିଜର ମାଉସୀ ନଥିଲେ ମଧ୍ୟ ବାପାଙ୍କ ଚିହ୍ନିତ ମଉସା ଓ ଅନ୍ୟ ଭଦ୍ରବ୍ୟକ୍ତିଙ୍କୁ ଭଦ୍ରତା ଦୃଷ୍ଟିରେ ସୁକାନ୍ତ ନମସ୍କାର କଲା । ନିଜ ଚେୟାର ପାଖେ ଅନ୍ୟ ଏକ ଚେୟାରରେ ବସିବାକୁ ସୁକାନ୍ତକୁ ନିର୍ଦ୍ଦେଶ ଦେଇ ସେ ଭଦ୍ରବ୍ୟକ୍ତି କହିଲେ–

 

“ତମେ ତ ବାବା ସବୁଦିନେ ବିଦେଶରେ ରହିଲ ଆମକୁ କୁଆଡ଼ୁ ଚିହ୍ନିବ, ତମକୁ ଦେଖି ଖୁସି ହେଲି ।’’

 

ସୁକାନ୍ତର ଉତ୍ତର ଦେବାଭଳି କିଛି ନଥିଲା, ସେ ଖାଲି ହସିଲା । ସୁକାନ୍ତ ସଙ୍ଗେ ସେମାନଙ୍କର ବିଶେଷ କିଛି ଦରକାର ଥିବାଭଳି ମନେହେଲା ନାହିଁ । ପଢ଼ାପଢ଼ି ସମ୍ବନ୍ଧେ ଏଣୁ ତେଣୁ ଦିପଦ ପଚାରିବା ପରେ ଭଦ୍ରଲୋକ ହସି ହସି କହିଲେ, “ଯା ବାବା ତମେ ପିଲାଲୋକ ପଢ଼ାପଢ଼ି କର ଓ ବୁଲ ବୃଥାଟାରେ କଷ୍ଟକରି ଆମ ବୁଢ଼ାଙ୍କ ଦଳରେ ବସିବ କାହିଁକି ?

 

ଗୌରବାବୁ ମଧ୍ୟ ତାହାହିଁ କହିଲେ–“ହଁ ବାବା ତୁ ଯାଆ; ସୁକାନ୍ତକୁ ବି ସେଠାରେ ବସିବାକୁ ଭଲ ଲାଗୁନଥିଲା । ପୁଣି ଥରେ ସେମାନଙ୍କୁ ସେ ନମସ୍କାର କରି ନିଜ କୋଠରୀକୁ ଫେରିଆସି ରେଡ଼ିଓ ଖୋଲି ଗୀତ ଶୁଣିଲା ।

 

ଭଦ୍ରଲୋକ କେଉଁ ସମ୍ପର୍କରେ ମଉସା ବା କାହିଁକି ଆସିଛନ୍ତି ଏ ବିଷୟରେ ସେ କିଛି ବି ଚିନ୍ତା କରିନାହିଁ । ଏମିତି ଚିହ୍ନା ଅଚିହ୍ନା ସମ୍ପର୍କୀୟ ଲୋକ ତ ବହୁତ ଥାଆନ୍ତି–କିଏ ହେଲେ ହୋଇଥିବେ । କେତେବେଳେ ସେ ଭଦ୍ରଲୋକମାନେ ଗଲେ ତାହା ମଧ୍ୟ ସୁକାନ୍ତ ଜାଣେନାହିଁ ।

 

ରାତ୍ରି ଭୋଜନ ପାଇଁ ତାକୁ ଯେତେବେଳେ ପୁଝାରୀ ଡାକିଲା ସୁକାନ୍ତ ଯାଇ ଦେଖିଲା ଏକା ତା’ପାଇଁ ଆସନ ପଡ଼ି ବଢ଼ା ହୋଇଛି । ସେ ପଚାରିଲା, ବାପା ଖାଇବେ ନାହିଁ କି ?

 

ସାଆନ୍ତେ ଆଜି କୁଣିଆମାନଙ୍କ ସଙ୍ଗେ ଖାଇଛନ୍ତି । ଆପଣ ବସନ୍ତୁ ପୁଝାରୀ ଉତ୍ତର ଦେଲା । ବାପାଙ୍କ ସଙ୍ଗେ ନ ଖାଇଲେ ତା’ ଭୋଜନରେ ତୃପ୍ତି ଆସେନା କି ବାପା ବି କେବେ ଏକା ଖାଆନ୍ତି ନାହିଁ । ତେଣୁ ଖାଇବା ତା’ର ଭଲ ହେଲାନାହିଁ ।

 

ଅଳ୍ପସମୟ ପରେ ଗୌରାଙ୍ଗବାବୁ ଆସିଲେ । ସୁକାନ୍ତ ଦେଖିଲା ବାପାଙ୍କ ମନ ଭାରି ଖୁସି । କିଛି ସମୟ ନୀରବତା ପରେ ଗୌରବାବୁ କହିଲେ, ତତେ ସାଙ୍ଗରେ ନ ଖୁଆଇଲେ ମତେ ଆଦୌ ଶାନ୍ତି ଲାଗେନାହିଁ–ବାଧ୍ୟରେ ଆଜି ସେ ଭଦ୍ରଲୋକଙ୍କ ସଙ୍ଗେ ଖାଇଲି । ଯେଉଁ ଭଦ୍ରଲୋକ ତୋ ସଙ୍ଗେ କଥାବାର୍ତ୍ତା କରୁଥିଲେ ତାଙ୍କୁ ଚିହ୍ନିଛୁ ?

 

ନାଁ–ସଂକ୍ଷେପରେ ଉତ୍ତର ଦେଲା ସୁକାନ୍ତ ।

 

ଗୌରବାବୁ ମୃଦୁ ହସି କହିଲେ, “ଆଚ୍ଛା, ତୁ ଖାଇସାରି ମୋ ଘରକୁ ଆ ମୁଁ ସବୁ କହୁଛି-।’’ ସେ ଚାଲିଗଲେ, ସୁକାନ୍ତର ଖାଇବା ଶେଷହେବା ପରେ ସେ ବାପାଙ୍କ ପାଖକୁ ଗଲା । ଗୌରବାବୁ ଖବରକାଗଜ ପଢ଼ୁଥିଲେ । କାଗଜଟା ରଖିଦେଇ କହିଲେ–ଆ ଏଇଠି ବସ୍‍ । ଛୋଟ ପିଲାପରି ଆଦେଶ ପାଳନ କଲା ସୁକାନ୍ତ ।

 

ଗୌରବାବୁ କହିଲେ ତୋ ସଙ୍ଗେ ଯିଏ କଥା କହୁଥିଲେ ସେ ଭଦ୍ରଲୋକ ବଳଭଦ୍ରପୁରର ଭୂତପୂର୍ବ ଜମିଦାର ହରମୋହନ ସାମନ୍ତରାୟ । ସେ ଆସିଥିଲେ ତାଙ୍କ ଝିଅଟି ପାଇଁ ତୋ ବିବାହ ପ୍ରସ୍ତାବ ନେଇ । ଜାତକ ଖୁବ୍‍ ଭଲ ପଡ଼ିଛି । ତାଙ୍କର ଧନସମ୍ପତିର କଳନା ନାହିଁ, ଆମର ସମାସ୍କନ୍ଧ ବନ୍ଧୁ । ଠିକ୍‍ ମୋର ମନ ମୁତାବକ ସ୍ଥାନ ମିଳିଛି । କଥା ତ ବହୁଦିନୁ ପଡ଼ିଥିଲା, ଖାଲି ସାମନ୍ତରାୟଙ୍କର ତତେ ଦେଖିବାକୁ ଇଚ୍ଛାଥିଲା, ବିଭାଘର ଶୀଘ୍ର ସାରିବା ପାଇଁ ସେମାନେ ଜିଦ୍‍ କରୁଛନ୍ତି । ଏବର୍ଷ ବୈଶାଖ, ଜ୍ୟେଷ୍ଠ, ଆଷାଢ଼ରେ ବିଭାଘର ନାହିଁ । ଏହି ଫାଲ୍‍ଗୁନ ଦି୧୫ନକୁ ପ୍ରସିଦ୍ଧ ଲଗ୍ନ, ସେହି ଦିନକୁ ବିବାହ ଦିନ ଧାର୍ଯ୍ୟ କରିବାକୁ ଜ୍ୟୋତିଷମାନେ ମତ ଦେଲେ–ଦୋଳଛୁଟି ବି ତମର ପଡ଼ିଥିବ ସେତେବେଳେ । ତୋର ପରୀକ୍ଷା ବି ଡେରି ଅଛି, ତେଣୁ ତୋର ବି କିଛି ହେଲେ ଅସୁବିଧା ହେବନାହିଁ । ଶୀଘ୍ର ବାହାଘର ସରିଗଲେ ମୁଁ ମୁକ୍ତି । ତୋ ବୋଉ ତ ଗଲେ–ମୁଁ ବି କେତେବେଳେ ଯିବି । ଶୀଘ୍ର ବୋହୂଟିଏ ନ ଆସିଲେ କିଏ ସମ୍ଭାଳିବ ଏ ଘର ଦ୍ୱାର-? କେତେଦିନ ମୁଁ ଆଉ ଏ ଦାୟିତ୍ୱ ମୁଣ୍ଡାଇବି ? ତୋ ବୋଉ ଗଲାଦିନୁ ଏ ଘର ଦ୍ୱାର ନଷ୍ଟ ହୋଇଗଲା–ଶେଷ କଥାପଦକ କହିଲା ବେଳେ ଗୌରବାବୁଙ୍କ କଣ୍ଠ ଥରି ଉଠୁଥିଲା ।

 

ବାପାଙ୍କ କଥା ଶୁଣି ସୁକାନ୍ତର ସାରା ଦେହ ଝିମ୍‍ ଝିମ୍‍ ହେବାକୁ ଲାଗିଲା । ତା’ର ପୁଣି ବିବାହ ? ତା’ ଅଜ୍ଞାତରେ ଏତେ ଶୀଘ୍ର ଯେ ତା’ର ଭାଗ୍ୟ ନିଷ୍ପତି ହୋଇଯିବ ତାହା ସେ ଜାଣି ନଥିଲା । ଏ ପ୍ରସ୍ତାବରେ ତା’ ବିବାହ କ’ଣ ସମ୍ଭବ ? ମାଧୁରୀକୁ ସେ କଥା ଦେଇଛି । ତା’ଛଡ଼ା ଅନ୍ୟ କାହାକୁ ସେ ବିବାହ କରିପାରିବ ନାହିଁ । ବାପାଙ୍କୁ ସେ ଖୋଲି କହିଦେବ ତା’ ମନ କଥା ।

 

ଗୌରବାବୁ ଉତ୍ତର ଆଶାରେ ଚାହିଁ ରହିଥିଲେ ପୁଅ ମୁହଁକୁ । ସୁକାନ୍ତ ରହି ରହି କହିଲା, “ମୋର ବିଷୟରେ ପଦେ କହିବାର ଅଛି ।’’

 

ଗୌରବାବୁ କହିଲେ ଭଲ କଥା–ତୋର ଯଦି କିଛି କହିବାକୁ ଥାଏ, ନ କହିବୁ ବା କାହିଁକି ? କ’ଣ କହ–ପାନ ଖଣ୍ଡିଏ ରୂପାବଟାରୁ କାଢ଼ି ଚୋବାଇଲେ ଗୌରବାବୁ ।

 

ଛୋଟ ପିଲାଟି ପରି ତଳକୁ ମୁହଁକରି ସୁକାନ୍ତ କହିଲା–ବର୍ତ୍ତମାନ ପାଇଁ ବାହାଘର ପ୍ରସ୍ତାବ ବନ୍ଦ କରନ୍ତୁ ବାପା–ପରୀକ୍ଷା ନିକଟରେ, ତା’ଛଡ଼ା ମୋର ଇଚ୍ଛା ପାସ୍‍କଲେ ବିଦେଶକୁ ଯାଇ ଅନ୍ତତ କିଛି ପଢ଼ିବି ।

 

ତା’ କି ହୁଏରେ ବାପା ? ତୁ ମୋର ଗୋଟିଏ ମାତ୍ର ପିଲା, ତତେ ବିଦେଶକୁ ପଠାଇ ମୁଁ ଆଉ ବଞ୍ଚିପାରିବି ? ତୁ ବିଦେଶ ଯାଇ ଯେଉଁ ସାର୍ଟିଫିକେଟ ହାସଲ କରିବାକୁ ଚାହୁଁଚୁ–ତୋ ବାପା, ଗୋସାଇଁବାପାଙ୍କ ବଂଶର ଗୌରବଜ୍ଜ୍ୱଳ ସାର୍ଟିଫିକେଟ ଅପେକ୍ଷା ସେଟା ବେଶି ବଡ଼ ବୋଲି ମନେକର ନାହିଁରେ ବାବା–ତୋର ଯେତିକି ସମ୍ପତ୍ତି ଅଛି ତା’ର ରକ୍ଷଣାବେକ୍ଷଣ କରିଲେ, ତୋରି ଭଳି ଦଶଟା ପୁଅଙ୍କର ଅଭାବ ପଡ଼ିବ ନାହିଁ, ତୁ ବା ଚାକିରି କରିବୁ କାହିଁକି ? ମୁଁ ତ ଆସି ବୁଢ଼ା ହେଲି, ଶୀଘ୍ର ବୋହୂଟିଏ ଆସି ଏ ଘରର ଦାୟିତ୍ୱ ନେଲେ ଶାନ୍ତିରେ ଆଖି ବୁଜନ୍ତି । ଏଥିରେ ତୋର ଆପତ୍ତି କଲାଭଳି କିଛିନାହିଁ । ତୋ ପଢ଼ାରେ କିଛି ଅସୁବିଧା ହେବନାହିଁ । ବାହାଘର ସରିଗଲେ ତୁ କଟକ ଚାଲିଯିବୁ । ଗୌରବାବୁ ପିକଦାନୀରେ ପାନ ମେଞ୍ଚକ କାଢ଼ିପକାଇ ଆଉ ଖଣ୍ଡେ ପାନ ପାଟିରେ ଗୁଞ୍ଜିଲେ ।

 

ଆକାଶର ଚାନ୍ଦ...ଖୋଲା ଝରକା ବାଟେ ଘର ଭିତରେ ଲୁଚକାଳି ଖେଳୁଥାଏ, ସୁଲୁସୁଲିଆ ଦକ୍ଷିଣା ପବନ ବାଜି ଦେହ ଟାଙ୍କୁରି ଉଠୁଥାଏ । କିନ୍ତୁ ସୁକାନ୍ତ କପାଳରେ ଟୋପା ଟୋପା ଝାଳ ଜକେଇ ଆସିଲା । ବାପାଙ୍କ ମୁହଁରେ ସେ କେବେ କଥା କହିନାହିଁ । ବାପା ତାକୁ ଜୀବନ ଭଳି ଭଲ ପାଆନ୍ତି । ଆଜି କିପରି ସେ କହିବ ଯେ–ମୁଁ ଜଣେ ଝିଅକୁ ଭଲ ପାଏ, ତା’ ଛଡ଼ା ଦୁନିଆରେ କେହି ମୋ ଆଖିକୁ ସୁନ୍ଦର ଦିଶିବେ ନାହିଁ ? କିନ୍ତୁ ନ କହିଲେ ଯେ ନ ଚଳେ ।

 

ବହୁତ ଭାବି ଚିନ୍ତି ସୁକାନ୍ତ କହିଲା, “ନାଁ, ବାପା–ପରୀକ୍ଷାଟା ଯାଉ, ତା’ଛଡ଼ା ବଳଭଦ୍ରପୁରରେ ବାହାଘର ହେଇ ପାରିବ ନାହିଁ ।’’

 

ସୁକାନ୍ତଭଳି ଶାନ୍ତ ସରଳ ପିତୃଭକ୍ତ ସନ୍ତାନ ମୁଖରୁ ଏପରି କଥା ଶୁଣିବାକୁ ଗୌରବାବୁ ଆଶା କରି ନ ଥିଲେ । ସେ ଆଶ୍ଚର୍ଯ୍ୟ ହୋଇ କହିଲେ କାହିଁକି ? ତୁ କ’ଣ ଭାବିଛୁ ମୁଁ ଯାହାକୁ ବୋହୂ କରିବାକୁ ବସିଛି ସେ ଆଇ ମା’ ଅମଳର ଜମିଦାର ଘର ଝିଅ ପରି ? ନାଁ–ସେ ବି ଶୈଳବାଳା ମହିଳା କଲେଜର ଛାତ୍ରୀ–ଦେଖିବାକୁ ଖୁବ୍‍ ସୁନ୍ଦର । ଫଟୋ ଅଣାଇଛି, ତୁ ନିଜେ ଦେଖିବାକୁ ଚାହିଁଲେ ଦେଖିପାରୁ । ସେମାନେ ଆମର ସମାସ୍କନ୍ଧ ବନ୍ଧୁ । ବିଭାଘର ଦିନ ତ ସ୍ଥିର ହୋଇଯାଇଛି ଆଉ ମନା କରିବାର ଉପାୟ ନାହିଁ । ଆଉ ତ ଏ ବର୍ଷ ଲଗ୍ନ ନାହିଁ । ବର୍ଷେ ଅପେକ୍ଷା କରିବାର ଧୈର୍ଯ୍ୟ ବି ମୋର ନାହିଁ ।

 

ସୁକାନ୍ତ ଏଥର ନିଜକୁ ଯୋହର କରି କହିଲା, “ୟା’ ପୂର୍ବରୁ ମତେ ଥରେ ପଚାରିଥିଲେ ଏ ପରିସ୍ଥିତି ସୃଷ୍ଟି ହେଇ ନଥାନ୍ତା । ଏବର୍ଷ ବା ଆରବର୍ଷ କଥା କାହିଁକି–ଆପଣ ଖବର ପଠାନ୍ତୁ–ମୋର ସେଠାରେ ଆଦୌ ମତ ନାହିଁ । ଏଣୁ ଆପଣଙ୍କର କିଛି ଅସୁବିଧା ହେବ ନାହିଁ ।’’ ଏତକ କହିଦେଇ ସୁକାନ୍ତ ଉଠିଗଲା ବାହାରକୁ, ବାପାଙ୍କ ଆଗରେ ଘଡ଼ିଏ ଠିଆ ହେବାକୁ ତା’ର ଆଉ ଧୈର୍ଯ୍ୟ ନଥିଲା ।

 

ଗୌରବାବୁଙ୍କ ଶିଥିଳ ରକ୍ତ ଗରମ ହୋଇ ଉଠିଲା । ସେ ଥିଲେ ଜଣେ ବିଖ୍ୟାତ ଜମିଦାର... ପନ୍ଦର ଖଣ୍ଡ ଗାଆଁର ଲୋକ ତାଙ୍କ କଥାରୁ ବାହାର ନୁହନ୍ତି–ଉଠ୍‍ କହିଲେ ଉଠନ୍ତି–ବସ୍‍ କହିଲେ ବସନ୍ତି । ଆଜି ମୁହଁ ଉପରେ ନିଜର ଜନ୍ମିତ ସନ୍ତାନ ଜବାବ୍‍ ଦେଲା..... କଥା ରଖିଲାନାହିଁ-। ଏହା ପୁଣି ସେ ବରଦାସ୍ତ କରିବେ ? ପାଠ ଦି’ ଅକ୍ଷର ପଢ଼ିଲା ବୋଲି କ’ଣ ତା’ର ଗର୍ବ ହୋଇଗଲା ?

 

କୌଣସି ସନ୍ତାନର ପିତା ହୁଏତ ସହି ନଥାନ୍ତା, ସେ ବି ସହିବେ ନାହିଁ । ସେ ଖୁବ୍‍ ଶାନ୍ତଲୋକ । ରାଗନ୍ତି ନାହିଁ, କିନ୍ତୁ ଯେତେବେଳେ ରାଗନ୍ତି–ରାଗର ସୀମା ରହେ ନାହିଁ; ମୁଣ୍ଡ ଏକାଥରେ ଗରମ ହୋଇଗଲା ।

 

ଗୌରବାବୁ ଉତ୍ତେଜିତ ହୋଇ କହିଲେ, “ସୁକାନ୍ତ ମୋ’ ମୁହଁ ଉପରେ କଥା କହିବାର ସାହସ ତୋର ହୋଇଗଲାଣି ଦେଖୁଛି, ମୋର ମାନ୍‍ ସମ୍ମାନକୁ ପଦାରେ ପକାଇ ନିଜର ସ୍ଵେଚ୍ଛାଚାରିତା ଦେଖାଇବାକୁ ବାହାରିଛୁ ।’’

ପୁଣି ଟିକିଏ ସ୍ୱରକୁ ନରମ କରି କହିଲେ, “ମୁଁ ତୋର ଅମଙ୍ଗଳ କେବେ କରିବିନାହିଁ । ମୁଁ ତୋର ବାପା–ମୋ’ କଥାମାନି ତତେ ଚଳିବାକୁ ହେବ । ତୁ ପିଲା ନୁହେଁ–ଶିକ୍ଷିତ ବି ହେଇଛୁ, ବିବାହଟା ପିଲାଖେଳ ନୁହେଁ–ଯା–ଅଯଥା ଜିଦ୍‍ ନ କରି ନିରୋଳାରେ ଭାବିଚିନ୍ତି ତୋ ମତ ପରିବର୍ତ୍ତନ କର, ତୋର ଆଭିଜାତ୍ୟକୁ ଥରେ ଫେରିଚାହାଁ–ଅବାଧ୍ୟ ହେଲେ ଫଳ ଭଲ ହେବ ନାହିଁ-

ସୁକାନ୍ତ...ନିଜକୁ ବହୁତ ଦୃଢ଼ କରିଛି ସେ–ନୀରବ ନରହି ଉତ୍ତର ଦେଲା, “କଥା ଶୁଣନ୍ତୁ ବାପା ମୁଁ ସେଠାରେ ବିଭାହେବି ନାହିଁ । ତା’ର ଆଶା ଥିଲା ବାପା ପଚାରିବେ–କାହିଁକି ବିଭା ହେବୁ ନାହିଁ । ତେଣୁ ମାଧୁରୀକଥା କହିବାକୁ ସହଜ ଓ ସୁବିଧା ହେବ ।

ଗୌରବାବୁ ସେ କଥା ପଚାରିଲେ ନାହିଁ–ବିରକ୍ତ ହୋଇ କହିଲେ “ନାଁ, ମୁଁ ତୋର କୌଣସି କଥା ଶୁଣିବାକୁ ବାଧ୍ୟ ନୁହେଁ, ମତେ ବେଶି ବିରକ୍ତ କରନା । ଜାଣିରଖ୍‍, ମୁଁ ଯେତେବେଳେ ଜବାବ୍‍ ଦେଇଛି–ତତେ ସେଠାରେ ନିଶ୍ଚୟ ବିଭା ହେବାକୁ ପଡ଼ିବ ।’’

ସୁକାନ୍ତର ଉତ୍ତରକୁ ଅପେକ୍ଷା ନକରି ଗୌରବାବୁ କର ଲେଉଟାଇ ଶୋଇବାର ଛଳନା କଲେ । ତାଙ୍କର ସାରାଦେହ କ୍ରୋଧାଗ୍ନିରେ ଜଳିବାକୁ ଲାଗିଲା । କାଲିକାର ପିଲା ସୁକାନ୍ତ–ସେ ଆଜି ମୁହଁରେ ଜବାବ୍‍ ଦେଲା । ଏଠାରେ ବିବାହ ନକରିବା ଉଦ୍ଦେଶ୍ୟ ହୁଏତ ଟାଉନର କେଉଁ ବଜାରୁଣୀ ଝିଅର ପ୍ରେମର ପଡ଼ିବା ଛଡ଼ା ଆଉ କ’ଣ ହୋଇପାରେ ?

ଘୃଣା ଆଉ ବିରକ୍ତିରେ ତାଙ୍କର ଅନ୍ତର ଭରି ଉଠିଲା । ସେ ମନେ ମନେ ସ୍ଥିର କଲେ ଶୀଘ୍ର ସୁକାନ୍ତର ବିବାହ ନ ସାରିଲେ ଭବିଷ୍ୟତରେ ବିପଦର ସମ୍ମୁଖୀନ ହେବାକୁ ପଡ଼ିପାରେ । ପିଞ୍ଜରାବଦ୍ଧ ସିଂହଭଳି ହୃଦୟ ତାଙ୍କର କ୍ରୋଧରେ ଗର୍ଜିବାକୁ ଲାଗିଲା । ଯେଉଁ ପୁଅର କାନକାଟିଲେ ବଚନ ବାହାରୁ ନଥିଲା–ଶାନ୍ତଶିଷ୍ଟ ବୋଲି ସମସ୍ତେ ପ୍ରଂଶସା କରୁଥିଲେ–ଆଜି ତା’ର କାହିଁକି ଏ ଅଧପତନ ? କେଉଁ ଅଜାତି ଘର ଝିଅଟାକୁ ଭଲପାଇ ବସିଥିବ ବୋଲି ଏ ବାହାହବାକୁ ମୁହଁ ଉପରେ ମନାକଲା । ତାଙ୍କୁ ଜଳ ଜଳ ହୋଇ ଦେଖାଗଲା......ଦିନ କେଇଟାରେ ଏତେବଡ଼ ଖାନ୍‍ଦାନ ଘରଟା ନଷ୍ଟ ହୋଇଯିବ । ପୁଅକୁ ପାଠପଢ଼ିବାକୁ ଛାଡ଼ିଥିଲେ ନାଁ ନଷ୍ଟ ହେବାକୁ ଛାଡ଼ିଥିଲେ ? ଅତୀତ... ବର୍ତ୍ତମାନ... ଭବିଷ୍ୟତ... ବହୁତ ଭାବିଲେ ସିଏ ।

 

ମୃତପତ୍ନୀଙ୍କ କଥା ମନେପଡ଼ିଲା ତାଙ୍କର । ସେ ଚାଲି ଯାଇଛନ୍ତି ଭଲ ହୋଇଛି । ଏଭଳି ପୁଅର ମାଆ ହୋଇ ସେ କେବେ ସନ୍ତୁଷ୍ଟ ହେଉ ନଥାନ୍ତେ । ନାନାପ୍ରକାର ଦୁଶ୍ଚିନ୍ତା ଭିତରେ ବୁଡ଼ିରହି ନିଦ ବି ତାଙ୍କୁ ହେଲାନାହିଁ । ସାରା ରାତି ବିଛଣାରେ ପଡ଼ି ଛଟପଟ ହେବାକୁ ଲାଗିଲେ । ପୁଅର ଇଚ୍ଛାନାହିଁ କହି କୋଉ ମୁହଁରେ ସେ ସାମନ୍ତରାୟଙ୍କୁ ଖବର ପଠାଇବେ ? ଲୋକେ ତାଙ୍କୁ ମଣିଷ ବୋଲି ଭାବିବେଟି ? ଆଖିରୁ ଲୁହ ଢାଳିଲେ ଗୌରବାବୁ ।

 

ପରଦିନ ସକାଳବେଳା ଗୌରବାବୁ ଆଉ ସୁକାନ୍ତ ସଙ୍ଗେ କଥାବାର୍ତ୍ତା କଲେନାହିଁ । ଆଗରେ ପଡ଼ିଲେ ଅନ୍ୟଆଡ଼େ ମୁହଁ ବୁଲାଇ ଚାଲିଗଲେ । ବିଷଧର ଫଣାରେ ଆଘାତ ଲାଗିଲେ ସେ ଯେପରି ଗର୍ଜନ କରେ ସେ ସେହିପରି ଭିତରେ ଭିତରେ ଗର୍ଜୁଥିଲେ ।

 

ବାପ ହୋଇ ଯଦି ଯେ ନିଜ ପୁଅକୁ ଶାସନ କରି ନପାରିଲେ ତେବେ ଦେଶବାସୀ ତାଙ୍କ କଥା ମାନିବେ କାହିଁକି ? ଆଖପାଖ ଦଶ ଖଣ୍ଡ ଗାଁର ଲୋକେ ତାଙ୍କ ମୁରବିତ୍ୱ ନେବେ କାହିଁକି ନାଁ ସେ ନିଜେ ଆଉ କରିବେ କ’ଣ ? ସୁକାନ୍ତପରା ଶାନ୍ତ ସରଳ ପୁଅ, ସେ ପୁଣି ମୁହାଁମୁହିଁ କହିଦେଲା ସେଠାରେ ବାହା ହବନାହିଁ ? କିମିତି ନ ହେବ ଭଲା । ଯିମିତି ଇଚ୍ଛା ସିମିତି ବାହାହେବ । ସେ ଗୋଟାଏ ମଣିଷ...ତା’ର ମତ ନିଆହୋଇ ଥାନ୍ତା ? ତାଙ୍କ ନିଜ ବାହାଘର ବେଳେ ତ ସେ ନିଜେ ମତ ଦେଇ ନ ଥିଲେ, ବାପାଙ୍କ ଆଦେଶ ନୀରବରେ ପାଳନ କରିଥିଲେ–, କାହିଁ... ଜୀବନରେ ତ କେବେ ପତ୍ନୀଙ୍କ ପାଇଁ ଅଶାନ୍ତି ଭୋଗିନାହାନ୍ତି । କେଡ଼େ ଉଦ୍ଧତ ହେଲେଣି ଏ ପିଲାଗୁଡ଼ା ?

 

କିନ୍ତୁ ଟିକିଏ ଚିନ୍ତାକଲେ ସେ ଦେଖିଥାନ୍ତେ ଯୁଗ କେତେ ଆଗେଇ ଗଲାଣି–ତାଙ୍କ ବାପାଙ୍କ ଅମଳରେ ମଫ୍‍ସଲ୍‍ ଗାଁରେ ଶଗଡ଼ ଛଡ଼ା କିଛି ନଥିଲା, ଆଜିକାଲି ରେଲ, ଟ୍ରାମ୍‍, ମଟରଗାଡ଼ିକୁ କିଏ ପଚାରେ–ଉଡ଼ାଜାହାଜ, ଜେଟ୍‍, ରକେଟ୍‍ର ଯୁଗ ଏଟା । ଏବେ ମଣିଷ ଚନ୍ଦ୍ର ଗ୍ରହରେ ବୁଲି ଚାଲି, ସେଠାକାର ମାଟି ପଥର ପ୍ରଭୃତି ଆଣି ନିରାପଦରେ ବାରମ୍ବାର ପୃଥିବୀକୁ ଫେରିଆସି ସେଠାରେ ସ୍ଥାୟୀ ବସବାସ କରିବାର କଳ୍ପନା କରୁଛି ।

 

ଦେଶ ଯେ ଏତେ ଆଗେଇଛି, ତା’ ସଙ୍ଗେ ସଙ୍ଗେ ମନର ପରିବର୍ତ୍ତନ ହବାଟା ସ୍ୱାଭାବିକ କଥା । କ୍ରୋଧପ୍ରବୀଣ ଗୌରବାବୁ ତାହା ସେତେବେଳେ କଳ୍ପନା ଭିତରକୁ ନେଲେନାହିଁ । ସେ ମୁରବି, ପୁରା ମୁରବିତ୍ୱରେ ତାଙ୍କର କର୍ତ୍ତବ୍ୟ ଶେଷକରିବେ–ଏହାହିଁ ରହିଲା ତାଙ୍କର ଜିଦ୍‍ । ସେହି ଜିଦ୍‍କୁ ବଜାୟ ରଖି ପରଦିନ ସକାଳୁ ଉଠି ବାହାଘର ଆୟୋଜନରେ ଲାଗିଲେ ।

 

ବାବୁଙ୍କ ଆଦେଶ ଅନୁସାରେ ଗୋବିନ୍ଦ ଗୁମାସ୍ତା ଲିଷ୍ଟ କରି ଚାଲିଲା । “ଗୋବିନ୍ଦ... ମହନା କେଉଟକୁ ବରାଦ ଦିଅ... ରୋହିମାଛ ତିନିମହଣ ସେ ଯୋଗାଡ଼ କରିବ, ଆଉ ଯାହା ମାଛ ଦରକାର... ଆମ ବାଡ଼ିପଟ ପୋଖରୀରୁ ଧରା ହେବ ।’’

 

ସୁନନ୍ଦପୁର ଗଉଡ଼ଙ୍କୁ ବରାଦକର ମହଣେ ଦୁଧ... ମହଣେ ସଜ ଦୁଧଛେନା, ଆଉ ଭଲ ଦହି । ଆମ ଗାଁ ଶାମା, ନୀଳା, ବଇଦାଙ୍କ କାମ ଭଲ ନୁହେଁ । ଅନ୍ୟ ଗାଁର ଭଲ ଗୁଡ଼ିଆ ଚାରିଜଣ ଯୋଗାଡ଼ କର । ଆମ ବାପ, ଗୋସେଇଁବାପ ଅମଳରୁ ଯେପରି ବର ପ୍ରସେସନ୍‍ ହୋଇ ଆସୁଛି, ଠିକ୍‍ ସେହି ନୀତିରେ ହେବ । ସେଥିପାଇଁ କେତେ ଗ୍ୟାସ୍‍ଲାଇଟ୍‍, ଝାଡ଼, ବାଣ, ଲାଇଟ୍‍ ଇତ୍ୟାଦି ଦରକାର ତାହା ଏବେଠୁ ଲିଷ୍ଟକରି ବରାଦ ଦେଇଦେବା ଦରକାର... କ’ଣ କହୁଛ ?

 

କାଗଜ ଉପରେ କଲମ ଜୋରରେ ଚାଲୁଥିଲା ଗୋବିନ୍ଦର, ଗୌରବାବୁଙ୍କ ପ୍ରଶ୍ନରେ ଲେଖା ବନ୍ଦକରି ସେ କହିଲା, “ତା’ତ ନିଶ୍ଚୟ ଆଜ୍ଞା, ଆପଣଙ୍କ କଥା ଆଉ କାହାସଙ୍ଗେ ହୋଇ ପାରିବ କି ? ଆମେ ଏମିତି ପ୍ରସେସନ୍‍ ନେବା ଯେମିତି କି ବଳଭଦ୍ରପୁର ଗାଁ ବାଲା ଆଶ୍ଚର୍ଯ୍ୟ ହୋଇଯିବେ ଏକାଥରେ । ମାଆ ସାଆନ୍ତାଣୀ ଥିଲେ କେତେ ଯେ ଖୁସି ହେଉଥାନ୍ତେ ତାହା କଳ୍ପନା କରିହେଉ ନାହିଁ; ସେ ଆଜି ଯାଇଁ ସ୍ଵର୍ଗରେ ରହିଲେ ତାଙ୍କଭଳି ମାଆ ଆଉ ମିଳିବେ ? ଚଢ଼େଇ ପେଟକଥା ଜାଣିବା ଲୋକ ସିଏ–ମଣିଷ ତ ନଥିଲେ, ଥିଲେ ସାକ୍ଷାତ୍‍ ଦେବୀ ପ୍ରତିମା–’’ ନିଜ ନାଲିଆ ଗାମୁଛା କାନିରେ ଆଖିରୁ ଲୁହ ପୋଛିଲେ ଗୋବିନ୍ଦ ।

 

ପତ୍ନୀଙ୍କର ମୁହଁ ହୃଦୟ ଭିତରେ ଉଙ୍କିମାରିଲା ଗୌରବାବୁଙ୍କର–ବ୍ୟଥାରେ ଥରି ଉଠିଲା କଣ୍ଠ । ସେ କଷ୍ଟକୁ ଭୁଲିବା ପାଇଁ ଚେଷ୍ଟାକରି କହିଲେ–

 

‘‘ସେ କଥା ଆଉ ପୁଣି କାହିଁକି ଗୋବିନ୍ଦ ...ଯେ ଯାଇଛି, ସେ ଯାଇଛି–ବର୍ତ୍ତମାନ ଆମ କର୍ତ୍ତବ୍ୟ ଆମକୁ କରିବାକୁ ହେବ । ଏ ଘରକୁ ଭଲ ବୋହୂଟିଏ ଆଣି ସାରିଲେ ମୋର ଛୁଟି । ମୁଁ ତାଙ୍କ ପିଛା ଧରିବି ।’’

 

ହଁ, ବହୁତ କାମ ଆମର ବାକି......ତମେ ଅନ୍ୟାନ୍ୟ ଜିନିଷର ତାଲିକା କରିନିଏ । ଘିଅ, ଅଟା, ମଇଦା, ସୁଜି ପ୍ରଭୃତିର ପରିଣାମ ଡାକି ଚାଲିଲେ ଗୌରବାବୁ–ଲେଖି ଚାଲିଲେ ଗୋବିନ୍ଦ ପଟ୍ଟନାୟକ ।

 

ପୂର୍ବ ରାତିଟି ନାନାପ୍ରକାର ଦୁଶ୍ଚିନ୍ତାରେ ନିଦ ହେଲାନାହିଁ ସୁକାନ୍ତର । ବହୁତ ସମୟ ଖୋଲା ଆକାଶ ତଳେ ବାହାରେ ବୁଲି ବୁଲି ଭୋର୍‍ ବେଳକୁ ସେ ଯାଇ ବିଛଣାରେ ଶୋଇଥିଲା–ଉଠିଲା ବେଳକୁ ଭୀଷଣ ଦେହ, ହାତ ଦରଜ, ମୁଣ୍ଡବିନ୍ଧା, ଜରଜରୁଆ ଭାବ, ସେ କାହାକୁ କିଛି କହିଲାନାହିଁ–ବାପା ତ ରାଗିଥିଲେ, ସେ ତା’ ପାଖକୁ ଆସିଥିଲେ ସିନା ଜାଣିଥାନ୍ତେ । ଅସୁସ୍ଥ ଦେହ ମନ ନେଇ ଓପରଓଳା କଟକ ଯିବାକୁ ବାହାରି ପାରିଲା ନାହିଁ ସୁକାନ୍ତ ।

 

ସନ୍ଧ୍ୟାକୁ ଆରମ୍ଭ ହୋଇଗଲା ଜର.... ଜରକଥା ଶୁଣି ଗୌରବାବୁ ବ୍ୟସ୍ତ ହୋଇ ପଡ଼ିଲେ । ତିନି ମାଇଲ ଦୂରରୁ ଡାକ୍ତରଖାନାରୁ ଡାକ୍ତର ଆସି ଔଷଧ ଇଞ୍ଜେକ୍‍ସନ୍‍ ଦେଲେ ଓ ଚାରିଦିନ ପରେ ସମ୍ପୂର୍ଣ୍ଣ ଭଲ ହେଇଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇ ବିଦାୟ ନେଲେ ।

 

ତା’ ପରଦିନଠୁ ଜର କମିବାକୁ ଆରମ୍ଭକଲା । ପୁଅର ଚିକିତ୍ସାସହ ବିଭାଘରର ଆୟୋଜନ ମଧ୍ୟ କରି ଚାଲିଲେ ଗୌରବାବୁ । ତାଙ୍କର ଇଚ୍ଛା–ସୁକାନ୍ତ ଆଉ କଟକ ନଯାଉ । ମଝିରେ ତ ଦିନ ମୋଟେ ଦଶବାରଟା... ବରଂ ପଢ଼ା କ୍ଷତି ହେଉ କଟକ ଗଲେ ସେ ବଦଳି ଯିବ ।

 

ବିଭାଘରର ଆୟୋଜନ ବଢ଼ିଚାଲିଲା । ଘରଗୁଡ଼ା ଚୂନ ଦିଆହେଇ ଝକ୍‍ଝାକ୍‍ ଦିଶିଲା । ସଫା ହେଇ ଚାଲିଲା ବାରିବଗିଚା । ଗାଡ଼ି ଗାଡ଼ି ଧାନ ମିଲିଂହୋଇ ଜମାହେଲା । ମୂଲିଆଣିମାନେ ପାଛୁଡ଼ା ପାଛୁଡ଼ି କରି ଭର୍ତ୍ତିକଲେ ବସ୍ତା ବସ୍ତା ଚାଉଳ.....ମୂଲିଆମାନେ ଜମାକଲେ ଗଛ ହାଣି ଜାଳେଣି କାଠ । ଦିନ ଚାରିଟା ଭିତରେ ବିବାହ ରଙ୍ଗରେ ରଙ୍ଗିତ ହେଇଗଲା ଚନ୍ଦନପୁରର ଜମିଦାର ଉଆସ । ରୋଗରୁ ଉଠି ଏସବୁ ଦେଖି ଆଶ୍ଚର୍ଯ୍ୟ ହେଇଗଲା ସୁକାନ୍ତ–ସେ ଦେଖିଲା, ତା’ କଥାକୁ ଭ୍ରୂକ୍ଷେପ ନ କରି ବାପା ନିଜ କାର୍ଯ୍ୟରେ ଆଗେଇ ଚାଲିଛନ୍ତି । ସେ ବାପ, ତାଙ୍କ କଥା ସେ କରିବେ ହିଁ କରିବେ ।

 

ଦେହ ଟିକିଏ ଭଲ ହେବା ମାତ୍ରେ ସୁକାନ୍ତ କଟକ ବାହାରିଲା, ମାତ୍ର ଆଉ ଟିକିଏ ଭଲ ହେଇ ଯାଉ ଯିବୁ ବୋଲି ବାରମ୍ବାର ମନାକରି ଗୌରବାବୁ ବାହାଘର କାମରେ ଆଗଭର ହେଲେ । ଏ ପରିସ୍ଥିତିରେ ହତବୁଦ୍ଧି ହେଇପଡ଼ିଲା ସୁକାନ୍ତ ।

 

ମାଧୁରୀ ଓ ନମିତା ଦୁହେଁ ଏକା କ୍ଲାସରେ ପଢ଼ନ୍ତି । ଦୁହିଁଙ୍କର ଖୁବ୍‍ସାଙ୍ଗ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ କହି ମାଧୁରୀ ଅଧିକାଂଶ ଛୁଟିଦିନ ନମିତାକୁ ତାଙ୍କ ଘରକୁ ନେଇ ଆସେ । ପ୍ରମିଳା...ସ୍ନେହ ଆଦର କରେ, ହସ ଖୁସିରେ ସମୟ ବିତେ ।

 

ସେଦିନ ଥାଏ ରବିବାର.....ମାଧୁରୀ ପ୍ରମିଳାକୁ କହିଲା, ‘‘ମୁଁ ଆଜି ଯାଏଁ ନୂଆବୋହୂ ହଷ୍ଟେଲ ଆଡ଼େ ବୁଲି ଆସିବି ... ଯଦି ହବ ତ ନମିତାକୁ ଡାକି ଆଣିବି ।’’

 

ପ୍ରମିଳା ଖୁସି ହୋଇ କହିଲା, ‘‘ହଁ, ବହୁତ ଦିନରୁ ସେ ଆସିନାହାନ୍ତି–ଯାଅ ଡାକିଆଣ, ଶୀଘ୍ର ଫେରିବ ଡେରି କରିବ ନାହିଁ ।’’ ମାଧୁରୀ ଲୁଗା ବଦଳୁ ବଦଳୁ କହିଲା, ତମ ରନ୍ଧା ତ ସରିନଥିବ ଆସିବି.....ଡେରି କ’ଣ ?

 

ହଷ୍ଟେଲରେ ରବିବାର ପାଇଁ ଝିଅମାନେ ଦଳ ଦଳ ହୋଇ ଏଠି ସେଠି ବସିଛନ୍ତି–ମିଷ୍ଟ୍ରେସମାନେ କିଏ କେଉଁଠି, ନମିତାକୁ ଘେରି ବସିଛନ୍ତି ପାଞ୍ଚ, ସାତ ଜଣ ଝିଅ... ହସର ଲହରୀ ଉଛୁଳି ଉଠୁଛି । ମାଧୁରୀକୁ ସକାଳୁ ସକାଳୁ ଆସିବା ଦେଖି–ନମିତା ଖୁସିହୋଇ କହିଲା, ‘‘ଆ-ମାଧୁରୀ କି ଭାଗ୍ୟ ଆଜି ସକାଳୁ ତୋର ଦର୍ଶନ ମିଳିଲାଣି ।’’

 

ମାଧୁରୀ ମୃଦୁହସି କହିଲା, ‘‘ମୁଁ ତ ଦିଅଁ ଦେବତା ନୁହେଁ ଯେ ମୋର ଦର୍ଶନ ମିଳିବ ନାହିଁ, ନିତି କ୍ଲାସରେ ଦେଖୁଛୁ–ଭାଗ୍ୟ ପୁଣି କ’ଣ ?’’

Unknown

 

ସୁଧା ହସିଉଠି କହିଲା–ଜାଣିନୁ କି ମାଧୁରୀ–ନମିତାର ଦର୍ଶନ ଏବେ ମିଳିବ ନାହିଁନା–ସେଥିପାଇଁ ସେ ସମସ୍ତଙ୍କୁ କହୁଛି ‘‘ମାଧୁରୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା– କାହିଁକି ?’’

 

–ବୁଝି ପାରୁନୁ... ଅଳ୍ପଦିନ ଭିତରେ ବା ତା’ ବାହାଘର ହେବ; ଉତ୍ତର ଦେଲା ସୁଧା ।

 

ନମିତାର ମୁହଁ ଶୁଖି ଯାଇଥିଲା–ଜୋର କରି ହସ ଫୁଟେଇ ସେ କହିଲା, ସୁଧା କଥାରୁ ତୁ କ’ଣ ପାଇବୁ ମାଧୁରୀ......ସେ ବାହା ହେଇଯିବ । ମୋ ସଙ୍ଗେ ମିଛରେ ଲଗାଇଛି ।

 

–କଣ କହିଲୁ ମିଛ ? ମିଛ ଯଦି ଛୁଇଁଲୁ ତୋ’ ଆଖି ? ପକାଇଲୁ ବିଦ୍ୟାରାଣ–ନମିତାକୁ ଆକଟି କରି କହିଲା ସୁଧା । ସେତିକିବେଳେ ସାବୁନ୍‍, ତଉଲିଆ ଓଦା ଲୁଗା ଧରି ବାଥ୍‍ରୁମ୍‍ରୁ ଫେରୁଥିଲେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ କମଳା ଦେବୀ ।

 

‘‘ପାଠପଢ଼ା ତ ନାହିଁ–ଖାଲି ବିଦ୍ୟାରାଣ ଚାଲିଛି, ବିଦ୍ୟା ତ ତମର ବଳେଇ ଯାଉଛି, କ’ଣ ହେଲେଣି–ଆଜିକାଲିକାର ଏ ପିଲାଗୁଡ଼ା..... ? ଛି, ଛି, ଭୟ ଟିକିଏ ହେଲେ ଅଛି ?’’ ବିରକ୍ତ ହୋଇ କମଳା ଦେବୀ ନିଜ ରୁମ୍‍କୁ ଚାଲିଗଲେ । ତାଙ୍କ ଯିବାପରେ ସବୁ ଝିଅଗୁଡ଼ିକ ଚୁପ୍‍ଚାପ୍‍ ନିଜ ନିଜ କାମରେ ଚାଲିଗଲେ–

 

କମଳା ଦେବୀ ଖୁବ୍‍ ରାଗିଲୋକ । ବୟସ ପ୍ରାୟ ପଇଁଚାଳିଶ ପଚାଶ ଭିତରେ ହେବ । ବିଭା ହେଇ ନାହାଁନ୍ତି, କଳାରଙ୍ଗର ମୋଟା ସୋଟା ଦେହକୁ ଡିମା ଡିମା ଆଖି । ରାଗିକି ଚାହିଁଦେଲେ ପିଲାଙ୍କର ପିଳେହି ପାଣି ହୋଇଗଲାଭଳି ଲାଗେ । ଚେହେରା ଏପରି ହେଲେ କ’ଣ ହେବ–ପଢ଼ାନ୍ତି ଖୁବ୍‍ ଭଲ । ଆଉ ଚରିତ୍ର ଏକ୍‍ବାରେ ନିର୍ମଳ । ତାଙ୍କର ଅଳ୍ପ ବୟସ ବେଳେ ସୁଦ୍ଧା କେହି ତାଙ୍କୁ ଆଡ଼ ଆଖିରେ ଚାହିଁବାର ସାହସ କରିନାହିଁ ।

 

ନିରୋଳା ହେବାପରେ ମାଧୁରୀ ମୃଦୁ ହସି କହିଲା–

 

‘‘ସୁଧା ଯାହା କହିଲା ତାହା କ’ଣ ସତକଥା ନିମି ?’’ ମୁହଁ ଶୁଖାଇ ନମିତା କହିଲା, ‘‘ଏକାଥରେ ମିଛବୋଲି କହି ତତେ ଫାଙ୍କି ଦେଇ ପାରିବି ନାହିଁ । ଦେଖୁନୁ ଦୀପୁର ଚିଠି.......ସେଇ ୟାକୁ ଦେଖି ଏମାନେ ଏପରି ହେଉଛନ୍ତିନା, ତକିଆ ତଳୁ ଚିଠିଟିଏ କାଢ଼ି ଦେଖାଇଲା ନମିତା–’’

 

ପିଲାଳିଆ ଅକ୍ଷରରେ ଦୀପୁ ଏଣୁତେଣୁ କେତେ କଥା ଲେଖିବା ପରେ ଲେଖିଛି–‘‘ଅପା, ତୋ ବାହାଘର ଶୀଘ୍ର ସରିବା ପାଇଁ ବାପା ଭାରି ବ୍ୟସ୍ତ–ଏବେ ବର ଦେଖି ଯାଇଥିଲେ, ବରଟି ଏମ୍‍.ଏ. ପରୀକ୍ଷା ଦେବ । ଦେଖିବାକୁ ଭାରି ସୁନ୍ଦର, ଖୁବ୍‍ ବଡ଼ଲୋକ ଘର । ସେଇଠି ତୋ ବାହାଘର ହବ । ତୋ’ ପଢ଼ାରେ ଏଇଠୁ ଡୋରି ବନ୍ଧା ହେଲା ।’’ ଇତ୍ୟାଦି......

 

ମାଧୁରୀ ଚିଠିଟି ଥୋଇଦେଇ ହସିଲା ‘‘ଟୋକି ପ୍ରଫେସର୍‍ ହେଉଥିଲା କାଳେ, ବର ତ ଠିକ୍‍ ହେଲା ଯିବୁ କୁଆଡ଼େ ?’’

 

ନମିତା ଉତ୍ତର ଦେଲା–‘‘କହିଦେଲେ ହେଇଗଲାକି ? ରହ, ମୁଁ କେମିତି ବୋଉକୁ ଧରା ଧରି କରି ଗ୍ରହ କଟାଇ ଦେବି ଦେଖିବୁ । ପଢ଼ା ସରିବା ପୂର୍ବରୁ ବାହାଘର କଲେ ଆତ୍ମହତ୍ୟା କରିଦେବି ଲେଖିଦେଲେ ବାହାଘର ଆପଣାଛାଏଁ ଭାଙ୍ଗି ଯିବ ।’’

 

ମାଧୁରୀ ମୃଦୁହସି କହିଲା, ‘‘ଏତେ ଫିସାଦ ମୁଁ ପାରିବି ନାହିଁ । ଦେଖ ଯଦି ପାରୁଛୁ ତୁ...’’

 

–‘‘ଆହା...ଲାଜକୁଳି ଲତାଟିଏ କିଛି ଜାଣେନା, ଟାଣ ନ ହେଲେ ମଣିଷ ହେବ କିମିତି-? ଆମେ ଖାଲି ଜନମ ପାଇଛନ୍ତି କ’ଣ ଘରକରଣା କରିବା ପାଇଁ ?’’

 

ମାଧୁରୀକୁ ହଲାଇ ଦେଇ ପଚାରିଲା ନମିତା ।

 

ମାଧୁରୀ ଉତ୍ତର ଦେଲା–‘‘ତା’ ମୁଁ ମାନୁଛି–ହେଲେ ସବୁ ନାରୀ ଯଦି ପୁରୁଷଙ୍କ ସଙ୍ଗେ ଅଣ୍ଟାଭିଡ଼ି ଦାଣ୍ଡରେ ଚାଲିବେ ଘର ବୋଲି କିଛି ରହିବ ନାହିଁ । ଦେଖୁନୁ ଆମ ନୂଆବୋହୂ ଆସିଲାଦିନୁ ଘରର ସବୁଆଡ଼େ ଯେପରି ଅପୂର୍ବଶ୍ରୀ ମଣ୍ଡିହୋଇ ଯାଇଛି ।’’

 

ନମିତାର ପ୍ରମିଳା କଥା ମନେପଡ଼ିଲା ସେ ଚମକି ଉଠି ପଚାରିଲା, ‘‘ନୂଆବୋହୂ କେମିତି ଅଛନ୍ତି ?’’

 

ସେ ଯେମିତି ଥିଲେ ତୋର କ’ଣ ଅଛି ? ତୁ ଯାଉନୁ ବୋଲି ତାଙ୍କ ମନ ଭାରି ଖରାପ । ମତେ ପଠାଇଛନ୍ତି ତତେ ନେଇଯିବାକୁ, ଉତ୍ତର ଦେଲା ମାଧୁରୀ । ନମିତା ଖୁସି ହୋଇ କହିଲା, ସତେ ? ତୁ ତ କାହିଁ ଏ ଯାଏଁ ସେକଥା କହୁନାହୁଁ, ମୋର ବି ଯିବାକୁ ବହୁତ ଇଚ୍ଛାଥିଲା ଯେ, ଦେଖୁଛୁ ତ ଆମ ହଷ୍ଟେଲ କଥା–ମୁଁ ଯଦି ତୋପରି ସ୍ୱାଧୀନ ହୋଇଥାନ୍ତି ନାଁ ସବୁଦିନେ ଚାଲିଯାନ୍ତି ପରା–ଏଠାରେ ରହିବାକୁ ଜେଲ୍‍ଭଳି ଲାଗୁଛି ମତେ, ବୁଲି ଆସିଲେ ହେଲେ ଶାନ୍ତି ମିଳିବ–ହେଲେ ଆଜି ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଅନୁମତି ଦେଲେ ତ ?

 

ଦେବେ ନାହିଁ କାହିଁକି ? ଚାଲ ଦୁହେଁଯାକ ଯାଇଁକି ଅନୁମତି ଆଣିବା–ଆଜି ଆସିବା କଥା ହେବନାହିଁ, କାଲି ଏକାଥରେ କ୍ଲାସକୁ ଆସିବୁ–କହିଲା ମାଧୁରୀ । ନମିତା ମୃଦୁହସି ଉତ୍ତର ଦେଲା ‘‘ହଉ ଚାଲ୍‍, ବୁଢ଼ୀ କ’ଣ କରୁଛି ତା’ ଇଚ୍ଛା ।’’

 

ମାଧୁରୀ ଭଲ ଛାତ୍ରୀ ଓ ପ୍ରଫେସର ମହାପାତ୍ରଙ୍କ ଝିଅ–ଏକଥା କମଳା ଦେବୀ ଜାଣନ୍ତି, ତାଙ୍କ ଘରକୁ ନମିତା ଯିବ ଜାଣି ବିଶେଷ ଆପତ୍ତି କଲେନାହିଁ । ଅନୁମତି ସହଜରେ ମିଳିଗଲା । ପ୍ରମିଳା ଚାହିଁଥିବ...ତେଣୁ ଦୁହେଁ କାଳବିଳମ୍ବ ନକରି ଶୀଘ୍ର ଫେରିଆସିଲେ ।

 

ଦାଣ୍ଡଘରୁ ମାଧୁରୀ ଡାକିଲା, ‘‘ନୂଆବୋଉ ଦେଖିବ ଆସ.....’’ ପ୍ରମିଳା ଘରଭିତରୁ ବାହାରି ଆସି ନମିତାକୁ କୁଣ୍ଡେଇ ପକାଇଲା । ‘‘ବଡ଼ ଭାଗ୍ୟର ଦିନ ଆଜି ନମିତାଙ୍କର ଦର୍ଶନ ମିଳିଲା । ମାଧୁରୀ ଜୋର କରି ନ ଆଣିଥିଲେ ତମେ ମୋଟେ ଆସି ନଥାନ୍ତ...ନୁହେଁ ?’’

 

ନମିତା ପ୍ରମିଳାକୁ ଆଉଜି ରହି କହିଲା, ‘‘ସୁନା ନୂଆବୋହୂଟା ପରା–ମୋ ଉପରେ ରାଗନାହିଁ, ମୁଁ କ’ଣ ସ୍ୱାଧୀନରେ ଅଛି ଆସିବି ? ମାଧୁରୀକୁ ପଚାରିଲ, ଆଜି ମୋ ଆସିବା ପାଇଁ ସେ କେତେ ଖୁସାମତ କରିଛି ।’’

 

ମାଧୁରୀ କିଛି ଉତ୍ତରଦେବା ପୂର୍ବରୁ ପ୍ରମିଳା ନିଜେ ହସି ଉଠିଲା, କହିଲା–‘‘ଥାଉ ଥାଉ ମାଧୁରୀଙ୍କଠାରୁ ସାକ୍ଷୀ ନବା କିଛି ଦରକାର କରୁନାହିଁ, ସେ ତମର ହୋଇ କହିବେହିଁ କହିବେ, ହଉ, ରନ୍ଧା ତ ସରିଲାଣି–ଖାଇସାରିଲେ ଗପ କରିବା । ମାଧୁରୀ ଶୀଘ୍ର ଗାଧୋଇ ପଡ଼, ନମିତା ବୋଧେ ଗାଧୋଇଥିବେ ।’’

 

–ଗାଧୋଇବାକୁ ସମୟ ପାଇଲି ନାହିଁ ନୂଆବୋହୂ–ମୁଁ ବି ଗାଧୋଇବି–ମୃଦୁହସି ଉତ୍ତର ଦେଲା ନମିତା ।

 

–ହଉ ଯାଆ–ଦୁହେଁ ଶୀଘ୍ର ଗାଧୋଇ ପଡ଼ । ‘‘ପ୍ରମିଳା ରୋଷେଇ ଘରକୁ ଗଲା । ନିମି, ମାଧୁରୀ ଗାଧୁଆ ଘରେ ପଶି କବାଟ ବନ୍ଦ କଲେ ।’’

 

ନମିତା ନିଜର ଲୁଗା ବଦଳାଇ ବ୍ଲାଉଜ୍‍ ଖୋଲି ଟ୍ୟାକେଟରେ ରଖିଦେଲା ବେଳକୁ ତା’ ଭିତରୁ ଖସିପଡ଼ିଲା ଖଣ୍ଡେ ରଙ୍ଗିନ୍‍ ଲଫାପା, ତଳୁ ଝଟ୍‍କରି ଉଠାଇ ନେଲା ମାଧୁରୀ । ନମିତାର ଗୋଲାପଫୁଲ ପରି ମୁହଁଟି ଲଜ୍ଜାରେ ଝାଉଁଳି ପଡ଼ିଲା । ସାମାନ୍ୟ ଅସାବଧାନତା ପାଇଁ ସେ ଆଜି ମାଧୁରୀ ପାଖରେ ଧରା ପଡ଼ିଗଲା । ଆଜି ସକାଳେ ପରେଶବାବୁଙ୍କର ଯେଉଁ ଚିଠି ତାକୁ ଦରୁଆନ୍‍ ଦେଇଥିଲା ତାହା ସେ ତର ତରକି ନିଜ ବ୍ଲାଉଜ୍‍ ଭିତରେ ରଖିଦେଇଥିଲା; ମନେ ନାହିଁ–ଖିଆଲ ପଡ଼ିଥିଲେ ଚିରିକି ଫୋପାଡ଼ି ଦେଇ ଆସିଥାନ୍ତା ।

 

ମାଧୁରୀ ତରତରକି ଚିଠିଟି ଖୋଲି ପଢ଼ିଲା–ସୁନ୍ଦର ଅକ୍ଷରରେ ଲେଖାଅଛି ।

 

ପ୍ରାଣର ନିମି !

 

ମୋର ବ୍ୟଥିତ ହୃଦୟର ଆଶିଷ ନେବ । କ’ଣ ଯେ ଲେଖିବି ? କଲମ ଧରିଲେ ତମରି ରୂପ ଛବି ମୋ ଆଖିରେ ନାଚି ଉଠେ । ସତେ ନିମି, ତମପାଇଁ ମୁଁ ଆଜିକାଲି ମୋଟେ କିଛି କାମ କରି ପାରୁନାହିଁ । କ’ଣ କରିବି କୁହ ତ ? ବହୁତ ଦିନ ହେଲା ଦେଖା ହୋଇନାହିଁ, ଥରେ ଚେଷ୍ଟାକରି ଆସ ସିନେମା ଯିବା ।

 

କେବେ ଆସୁଛ ଜଣାଇଲେ ମୁଁ ତା’ର ବ୍ୟବସ୍ଥା କରିବି.....ତମ ମୁହଁରୁ କଅଁଳ କଥା ପଦେ ଶୁଣିବା ପାଇଁ ମୋ କାନ ଦି’ଟା ଅସ୍ଥିର ହୋଇ ଉଠିଲାଣି । ସାକ୍ଷାତ ସମୟ ଶୀଘ୍ର ଜଣାଇବ, ଭୁଲିବ ନାହିଁ । ଇତି ।

 

ତମର ମୁଁ–

 

ଚିଠିଖଣ୍ଡିକ ଖସିପଡ଼ିଲା ହାତରୁ–ମାଧୁରୀ ଚାହିଁଲା ନମିତା ମୁହଁକୁ । ମୁହଁଟି ତା’ର ପୂରା ଶୁଖିଯାଇଛି । କପାଳରେ ଦେଖା ଦେଲାଣି ଟୋପା, ଟୋପା ଝାଳ, ମାଧୁରୀ ମ୍ଳାନ କଣ୍ଠରେ କହିଲା......

 

ତୋ ଚିଠିଟା ଦେଖିଲି ବୋଲି ମନ ଦୁଃଖ କରୁଛୁ ନିମି ? କାହିଁ–ନାଁ–ତ ...ଶୁଖିଲା ହସ ହସି ଉତ୍ତର ଦେଲା ନମିତା ।

 

‘‘ବେଶ୍‍ ତ ମୋ ଉପରେ ଯଦି ତୋର ବିଶ୍ୱାସ ଥାଏ, ତେବେ କହ ତୋର ସେ ପ୍ରେମିକଟି କିଏ ? କାହିଁ–ତୁ ତାଙ୍କୁକଥା ମତେ କେବେ କହିନାହୁଁ ।’’ ପଚାରିଲା ମାଧୁରୀ ।

 

ନମିତା ହସିଲା–ବଡ ଦୁଷ୍ଟ ତୁ ମାଧୁରୀ । ନିଜକଥା କାହାକୁ କହିବୁ ନାହିଁ, ଅଥଚ ମୋ କଥା ସବୁ ଶୁଣିବୁ । ସେଦିନ କହିଥିଲି, କେତେଥର କହିବି ଯେ– ଅଭିମାନୀଆ ସ୍ଵରରେ କହିଲା ନମିତା । ପାଣି ଚବ ଚବ୍‍ କରି ସାବୁନବୋଳା ହାତଟା ସେ ବୋଳିଦେଲା ମାଧୁରୀ ପିଠିରେ ।

 

ମାଧୁରୀ ଚଳାଏ ପାଣି ନମିତାକୁ ଫୋପାଡ଼ି କହିଲା, ‘‘ଓଃ ...ମନେ ପଡ଼ିଲା–ପରେଶବାବୁ ବୋଲି ଜଣେ ପିଲା, ସେ ତତେ ଭାରି ଭଲ ପାଆନ୍ତି କହୁଥିଲୁ ତ–ଏ ବୋଧେ ସେହି ପରେଶବାବୁଙ୍କ ଚିଠି; କିନ୍ତୁ ପରେଶବାବୁଙ୍କ ସଙ୍ଗେ ତୋର ଚିଠି ଦେବା ନବା ହବାକଥା କି ତୁ ତାଙ୍କୁ ଭଲ ପାଇବା କଥା ମତେ କେବେ କହିନାହୁଁ–ଭାରି ଜଣେ ତୁ ।’’

 

ନମିତା ମୃଦୁହସି କହିଲା, ସବୁ ତ ଜାଣିଛୁ–ମତେ ବେଶି ପଚାରି ହେଉଛୁ ଖାଲି । ମାଧୁରୀ ତତେ ମୋରାଣ–ଏକଥା ତୋ ମୋ ବ୍ୟତୀତ ନୂଆବୋହୂ ଯେପରି ନ ଜାଣନ୍ତି ।

ମତେ ତୋର ପୁଣି ଏତେ ଅବିଶ୍ୱାସ ନିମି ? ତା’ ଜାଣିଥିଲେ ମୁଁ କେବେହେଲେ ତୋ ଚିଠି ଛୁଇଁ ନଥାନ୍ତି । ଦୁନିଆ ଓଲଟି ପାରେ, କିନ୍ତୁ ମୁଁ ଥରେ ଯାହାକୁ ଭଲାଯାଏ ସାରା ଜୀବନ କେବେ ହେଲେ ତାକୁ ଭୁଲ୍‍ ବୁଝିବି ନାହିଁ । ଆଚ୍ଛା, କହ ନିମି–ତୋ ପରି କେଇଟା ସାଙ୍ଗ ମୋର ଅଛନ୍ତି ? ମାଧୁରୀର କଣ୍ଠ ଦୁଃଖରେ ଫୁଲି ଉଠିଲା ।

ନମିତା ଗେହ୍ଲେଇ ହୋଇ ମାଧୁରୀକୁ ହଲାଇ ଦେଇ କହିଲା, ତୁ ମତେ ଭୁଲ୍‍ ବୁଝିଛୁ ମାଧୁରୀ, ମୁଁ ତତେ କେବେ ଅବିଶ୍ୱାସ କରେନାହିଁ । ଅବିଶ୍ୱାସ କରୁଥିଲେ ପ୍ରଥମରୁ କହିଥାନ୍ତି କାହିଁକି-? କିନ୍ତୁ ତୁ’ତ କେବେହେଲେ ସୁକାନ୍ତବାବୁଙ୍କ ଚିଠି ଖଣ୍ଡେ ବି ମତେ ଦେଖାଇ ନାହୁଁ ।

ମାଧୁରୀ ଦେହରେ ପାଣି ଢାଳୁ ଢାଳୁ ମୁହଁରେ ଗର୍ବର ହସ ଖେଳାଇ କହିଲା, ତୁ ବୋଧେ ଜାଣିନାହୁଁ ନିମି, ସୁକାନ୍ତବାବୁ ମତେ କେବେ ଚିଠି ଲେଖନ୍ତି ନାହିଁ ।

‘‘ଲେଖନ୍ତି ନାହିଁ ? ଏ ତ ବଡ ଆଶ୍ଚର୍ଯ୍ୟର କଥା–ହଁ ନିମି ବିଶ୍ୱାସ କର ସେ କେବେ ମତେ ଚିଠି ଦେଇ ନାହାନ୍ତି, ଦେବାରେ ବା ଦରକାର କ’ଣ ? ମୁଁ ତାଙ୍କୁ ପ୍ରାଣଭରି ଭଲପାଏ ସତ କିନ୍ତୁ ଏ ଭଲପାଇବା ଭିତରେ ପରା ଆବିଳତା ନାହିଁ ।’’

‘‘ଆଶ୍ଚର୍ଯ୍ୟ ! ଆଚ୍ଛା ତାଙ୍କ ସଙ୍ଗେ ତୋର କେବେ ନିରୋଳାରେ ଦେଖାହୁଏ ? ଏଇ ଧର ଘରେ କେହି ନାହିଁ–ତୁ ଏକା ଅଛୁ ଏମିତି ।’’

ହଁ, ବହୁତବାର, ନୂଆବୋହୂ ଥରେ ତାଙ୍କ ବାପଘରକୁ ଯାଇଥିଲେ, ବାପା, ଭାଇ ନଥାନ୍ତି ସେ ଆସିଲେ; ମାତ୍ର ମତେ ଏକା ଦେଖି ଫେରିଗଲେ । ଆଉ ବି କେତେଥର ନୂଆବୋହୂ ରୋଷେଇ ଘରେ ଥାନ୍ତି, ସେ ମତେ ଚିତ୍ରଅଙ୍କା ଶିଖାନ୍ତି.......କାହିଁକି.....କଣ ହେଲା କି ? ବିସ୍ମୟ ହୋଇ ପଚାରିଲା ମାଧୁରୀ ।

ନମିତା ହସିଲା–‘‘ତୁ ଯେମିତି ତୋ ପ୍ରେମିକଟି ସେମିତି ।’’ ଶୁଣିଥିବୁ ନିରୋଳାରେ ପ୍ରେମିକାକୁ ପାଇଲେ ପ୍ରେମିକ କିପରି ହିଂସ୍ର ହୋଇ ଉଠେ । ‘‘ଶୁଣିଛି–କିନ୍ତୁ ଆମକଥା ଅଲଗା, ତୁ ତାହା ବୁଝି ପାରିବୁ ନାହିଁ । ଆଚ୍ଛା ତୋ ବାହାଘର ତ ତେଣେ ସ୍ଥିର ହେଲାଣି, ଏଣେ ତୁ ପରେଶବାବୁଙ୍କୁ ଭଲ ପାଉଛୁ, କିମିତି କ’ଣ ହେବ ?’’ ପଚାରିଲା ମାଧୁରୀ ।

ନମିତା ମୁହଁ ଶୁଖାଇ କହିଲା, ‘‘ମୁଁ ବି ତାହାହିଁ ଭାବୁଛି–ମୁଁ ଯେ କ’ଣ କରିବି ? ତୁ ତ ସବୁ ଜାଣୁ–ପରେଶବାବୁଙ୍କ ବ୍ୟତୀତ ମୋର ଅନ୍ୟ କାହାକୁ ବିବାହ କରିବା ସମ୍ଭବ ନୁହେଁ ।’’

ନମିତା ଉତ୍ତରରେ ହସିଦେଇ ମାଧୁରୀ କହିଲା, ବେଶ୍‍ ତ–ତୁ ଯେତେବେଳେ ସ୍ଥିରକରି ସାରିଛୁ ପରେଶବାବୁଙ୍କ ଛଡ଼ା ଅନ୍ୟ କାହାକୁ ବିଭା ହେବୁନାହିଁ–ତା’ହେଲେ ବାପାଙ୍କୁ ସେକଥା ଜଣାଇ ଦେ । ପରେଶବାବୁଙ୍କ ଭଳି ସୁନ୍ଦର, ସ୍ୱାସ୍ଥ୍ୟବାନ୍‍, ଶିକ୍ଷିତ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀଙ୍କୁ ଜାମାତାରୂପେ ଗ୍ରହଣ କରିବାକୁ ମଉସା ବା କୁଣ୍ଠିତ ହେବେ କାହିଁକି ?

ପରେଶବାବୁଙ୍କ ପ୍ରଶଂସା ଶୁଣି ନମିତା ମୁହଁ ଆନନ୍ଦରେ ଉଜ୍ଜ୍ଵଳି ଉଠିଲା । କି ଏକ ଅପୂର୍ବ ଶିହରଣ ତା’ ସର୍ବାଙ୍ଗରେ ଖେଳିଗଲା, ସେ ଥଟ୍ଟାକରି କହିଲା–‘‘ତୁ ତେବେ ପରେଶବାବୁଙ୍କୁ ଲୋଭ କରୁଛୁ ମାଧୁରୀ ?’’

‘‘ସେକଥା ହୋଇଥିଲେ ବହୁଦିନରୁ ତାଙ୍କର ସହଧର୍ମିଣୀ ହୋଇ ସାରନ୍ତିଣି ନମିତା । ବାପାପରା ତାଙ୍କୁଇ ଆଗ ମୋ ବିଭାଘର ପାଇଁ ସ୍ଥିର କରିଥିଲେ ।’’ ସହଜ କଣ୍ଠରେ ଉତ୍ତର ଦେଲା ମାଧୁରୀ ।

 

ତେବେ ତୋର ବିବାହ ହେଲାନାହିଁ କାହିଁକି ? ଏହି ସଜ ଗୋଲାପଟିକୁ ତୋଳି ନେବାକୁ ସେ କ’ଣ ଅରାଜି ହେଲେ ?

 

ତାଙ୍କ ମତାମତ ଯାଏଁ ଯିବା ପୂର୍ବରୁ ମୁଁ ମନା କରିଥିଲି । ଧନ ହଜିଲେ ମିଳେ......ମନ ତ ଆଉ ମିଳେନାହିଁ; ତା’ ପୂର୍ବରୁ ଏ ମନ ଆଉ ତ ମୋ ଅଧୀନରେ ନଥିଲା । ଦୃଢ଼କଣ୍ଠରେ ଜବାବ ଦେଲା ମାଧୁରୀ ।

 

ପ୍ରମିଳା ଡାକ ଛାଡ଼ିଲା । ମାଧୁରୀ, ନମିତା–ଆଜି ଦିନଟା ଗପି ଗପି ଗାଧୁଆ ଘରେ କଟାଇଦେବ କି ? ଆସ ଦି’ଟା ଖାଇଦେଇ ଗପୁଥାଅ । ଗାଧୁଆ ସରିଥିଲା; ଦୁହେଁ ତରତର କି ବାହାରିଲେ । ନମିତା ମୃଦୁହସି କହିଲା, ଶୀଘ୍ର ବାଢ଼ ନୂଆବୋହୂ ଭାରି ଭୋକ ହେଲାଣି ।

 

ହସି ହସି ରୋଷେଇ ଘରକୁ ପ୍ରମିଳା ଗଲା । ହସଖୁସିରେ ସେଦିନ ଦିନରାତି କଟିଗଲା-

 

ମାଧୁରୀ ଆଉ ନମିତାଙ୍କର ଖୁବ୍‍ ବନ୍ଧୁତା ଥିଲା–ଦୁହେଁ ଥିଲେ ସୁନ୍ଦରୀ ଆଉ ବଡ଼ଘରର ଝିଅ, ଜଣେ ଅନ୍ୟଜଣକୁ ଦେଖିବାପାଇଁ ପାଗଳ । ମାଧୁରୀ ଚାହେଁ ଦୁନିଆକୁ ଆଦର୍ଶ ଦେଖାଇବାଭଳି କାମ ସିଏ କରିବ । ନିଜକୁ ସଳିତାଭଳି ଜାଳି ଜାଳି ଅପରକୁ ଆଲୋକ ଦେଖାଇବ-। ପାଠ ପଢ଼ିବା ସଙ୍ଗେ ସଙ୍ଗେ ଆଦର୍ଶମୟୀ ନାରୀମାନଙ୍କ ଜୀବନୀ ପଢ଼ିବାକୁ ସେ ଖୁବ୍‍ ଭଲ ପାଉଥିଲା... ।

 

ଆଉ ନମିତା.....ସେ ଥିଲା ଭିନ୍ନପ୍ରକାର...ବଜାରର ଶସ୍ତା ଉପନ୍ୟାସ ପଢ଼ି, ଭୋଗବିଳାସରେ ମାତିରହି ଦୁନିଆପ୍ରତି ଦୃଷ୍ଟି ରଖେନା । ସେ ଚାହେଁ ଜୀବନକୁ ଉପଭୋଗ କରିବାକୁ । ଆଜିଦିନ କାଲିକୁ ଫେରିବ ନାହିଁ । ତେଣୁ ଆଜିଟା ଖୁସିରେ ନ କଟାଇବା କାହିଁକି ? ଜୀବନକୁ କଷ୍ଟଦେଇ ଧର୍ମ ସଞ୍ଚୟ କରିବା ପୁଣ୍ୟ ନୁହେଁ ଅନ୍ୟାୟ.....ତା’ର ମତ । ଦୁହିଁଙ୍କର ଥିଲା ଏହାହିଁ ବ୍ୟବଧାନ ।

 

ସେଦିନ ନମିତା ମାଧୁରୀଘରୁ ଫେରି ପଢ଼ିବସିଲା ପୁଣି ଥରେ ଦୀପୁର ଚିଠି । ମନରେ ଭୀଷଣ ଦୁଃଖ ଆସିଲା । ବାପା ଖୁବ୍‍ ଜିଦଖୋର ଲୋକ । ତାଙ୍କର ମନୋନୀତ ପାତ୍ର ଅପେକ୍ଷା ପରେଶର ଯୋଗ୍ୟତା କିଛି କମ୍‍ ନୁହେଁ । ତଥାପି ତାଙ୍କ ନିଜ ଜିଦ୍‍ ସେ ବଜାୟ ରଖିବାକୁ ଚାହିଁବେ । ନିଜେ ନାରୀହୋଇ ଜଣକୁ ଭଲପାଇ ଅନ୍ୟଜଣକୁ କିପରି ବିଭା ହେବ ?

 

ନିମି କାନରେ ପରେଶବାବୁଙ୍କ ସ୍ଵର ପ୍ରତିଧ୍ଵନିତ ହେଲା । ସେ ଥରେ କହିଥିଲେ, ‘‘ଯେତେ ଝଡ଼ଝଞ୍ଜା ଆସିଲେ ବି ତମେ ମୋର ଆଉ ମୁଁ ତମର–ଆମର ବିବାହ ନିଶ୍ଚୟ ହେବ ।’’ ପରେଶବାବୁଙ୍କ କମନୀୟ ମୁଖଛବି ତା’ଆଖିରେ ନାଚିଲା । ହଷ୍ଟେଲରେ ସମସ୍ତେ ଯେତେବେଳେ ନିଦ୍ରାଭୀଭୂତ ସେ ସେତେବେଳେ ଆଲୁଅ ଜଳାଇ ପରେଶ ପାଖକୁ ଚିଠି ଲେଖିଲା । ଦୀପୁ ଚିଠି । ବାହାଘର କଥା ଇତ୍ୟାଦି...ଠିକ୍‍ ସମୟରେ ମଧ୍ୟ ଉତ୍ତର ପାଇଲା ।

 

ପରେଶ ଲେଖିଥିଲେ ‘‘ତମ ଚିଠିପାଇ ମୁଁ ବିଶେଷ ଦୁଃଖିତ ନିମି । ତମେ ବଡ଼ ଦୁର୍ବଳମନା । ଥରେ ପରା କହିଛି, ମନରେ ଚିନ୍ତାକୁ ସ୍ଥାନ ଦେବନାହିଁ । ତମେ ତ ବର୍ତ୍ତମାନ ପଢ଼ୁଛ । ଅନ୍ତତ୍‍ ବାପାଙ୍କୁ କହି ଆଉ ବର୍ଷଟାଏ ପଢ଼ । ବିଭାଘର ସମୟ ଆସିଲେ ମୁଁ ନିଜେ ତମବାପାଙ୍କୁ ଖବର ପଠାଇବି । ଆସନ୍ତା ଶନିବାର ତମେ ମତେ ନିଶ୍ଚୟ ସାକ୍ଷାତ୍‍ କରିବ, ମାଧୁରୀ ଘରକୁ ଯିବାପାଇଁ ଅନୁମତି ନେଇ ରିକ୍ସାରେ ଚାଲିଆସିବ, ଚାକରଟା ଘରକୁ ଯାଇଛି, ଦୁହେଁ ସିନେମା ଯିବା, ବସାରେ ଅପେକ୍ଷା କରିଥିବି କିଛି ଭାବିବ ନାହିଁ, ନିକଟରେ ମୋର ଟ୍ରାନ୍‍ସଫର ହେବାର ଅଛି, ସାକ୍ଷାତରେ ସବୁକଥା କହିବି । ନିଶ୍ଚୟ ଆସିବ–’’

 

–ଚିଠିଖଣ୍ଡ ପାଇ ଆନନ୍ଦ ହେଇ ଯାଇଥିଲା ନମିତା । ପରେଶବାବୁଙ୍କ ନିର୍ଦ୍ଦେଶ ଅନୁସାରେ ସେ ତା’ର ଛୋଟଭାଇ ଦୀପୁ ପାଖକୁ ଲେଖିଲା ଚିଠି–‘‘ସ୍ନେହର ଦୀପୁ,

 

ତୋ’ ଚିଠି ପାଇଲି । ତୁ ଏବେ ଭାରି ଦୁଷ୍ଟ ହେଲୁଣି । ବାପା, ବୋଉଙ୍କୁ କହିବୁ ଏବର୍ଷ ମୋ ବିଭାଘରର ଆୟୋଜନ ଆଦୌ କରିବେ ନାହିଁ, ମୋର ସବୁସାଙ୍ଗ ପଢ଼ିବେ ସ୍ଥିର କରିଛନ୍ତି, ମୁଁ ଅଧାରୁ କିପରି ରହିବି ? ସାରାଜୀବନ ଅବଶୋଷରେ କଟିବ ସିନା......ବାପା ବୋଉଙ୍କୁ ବୁଝାଇ କହିବୁ–ଏବର୍ଷ ଯେପରି କୌଣସି ଭଦ୍ରଲୋକଙ୍କୁ ଜବାବ ନ’ଦିଅନ୍ତି । ଦେଲେ ପରିଣାମ ଭଲ ହେବ ନାହିଁ ।

 

। ଇତି ।

ତୋର ଅପା

 

ଚିଠିଟି ପୋଷ୍ଟ ଅଫିସକୁ ପଠାଇଦେଇ ଶାନ୍ତିରେ ନିଶ୍ୱାସ ମାରିଲା ସେ । ମନେ ମନେ ଠାକୁରଙ୍କୁ ଡାକୁଥାଏ; ବାପା ଯେପରି ନ ରାଗନ୍ତୁ । ଠାକୁରେ ତା’ ହୃଦୟର ବ୍ୟଥା ଶୁଣିଲେ କି ନାହିଁ ତାହା ତାଙ୍କୁଇ ଜଣା । ଦୁଶ୍ଚିନ୍ତା ଭିତରେ ଦୀପକର ଚିଠିକୁ ଚାହିଁ ରହିଲା ନମିତା ।

 

ତା’ର ବିଶ୍ୱାସ ବାପା ନିଶ୍ଚୟ ତା’ କଥା ରଖିବେ । ଆଶା ବିଶ୍ୱାସ ନଥିଲେ ଏତେବଡ଼ ସଂସାରରେ ମଣିଷ କଦାପି ବଞ୍ଚିପାରନ୍ତା ନାହିଁ ।

 

ସେ ବି–ତା’ ସତ୍ୟ ରଖିବ । ସେ ମଣିଷ.....ଶିକ୍ଷିତ.....ବିଚାର କରିବାର ବୟସ ତା’ର ହୋଇଛି । ବାପା ଯେଉଁ ଜିଦରେ ଆଗେଇ ଚାଲିଛନ୍ତି ସେ କେବେହେଲେ ପଶ୍ଚାତପଦ ହେବନାହିଁ...ବରଂ ତାକୁ ଦୂରେଇ ଯିବାକୁ ହେବ ।

 

କାନ୍ଥଘଣ୍ଟାରେ ଠନ୍‍ ଠନ୍‍ ହୋଇ ବାରଟା ବାଜିଲା । ଅସ୍ଥିର ପଦକ୍ଷେପରେ ନିଜର ରୁଦ୍ଧକୋଠରୀ ଭିତରେ ଘୂରିବୁଲିଲା ସୁକାନ୍ତ । ନାଁ, ନାଁ ସେ ଯାହା ସ୍ଥିରକରିଛି ତାହାହିଁ କରିବ । ଅଯଥା ବିଳମ୍ବ କରି ଲାଭ କ’ଣ ? ଆଜିରେହିଁ ଏ ସମସ୍ୟାର ସମାଧାନ ହେଇଯାଉ, କାଳବିଳମ୍ବ ନକରି ଗୋଟିଏ ସୁଟକେଶରେ ନିଜର ଆବଶ୍ୟକୀୟ ଜିନିଷତକ ସଜାଡ଼ିରଖି ପକେଟରୁ କଲମକାଢ଼ି ସେ ଖଣ୍ଡେ କାଗଜରେ ଲେଖିଲା ।

 

ପୁଜ୍ୟସ୍ପଦ ବାପା,

 

ଏ ହତଭାଗା ସନ୍ତାନକୁ ଆପଣ କେବେ କ୍ଷମାଦେଇ ପାରିବେ ନାହିଁ ମୁଁ ଜାଣେ, ତଥାପି ମୁଁ କ୍ଷମା ମାଗୁଛି । ମୁଁ ଜାଣେ ମୋ’ ଉପରେ ରାଗକରି ଆପଣ ନିଜର ଜିଦ୍‍ ବଜାୟ ରଖିବା ପାଇଁ ଦୃଢ଼ସଂକଳ୍ପ ଓ ମୋର କୌଣସି କଥା ଆପଣ ରଖିବେ ନାହିଁ । କାହିଁକି ମୁଁ ବଳଭଦ୍ରପୁରେ ବିବାହ କରିବାକୁ ଅନିଚ୍ଛୁକ ତାହା ଆପଣ ଜାଣିବାକୁ ଚାହିଁଲେ ନାହିଁ, ଚାହିଁଥିଲେ ସିନା କହିଥାନ୍ତି । ଆପଣ ବର୍ତ୍ତମାନ ମୋ’କଥା ଶୁଣିବା ଅବସ୍ଥାରେ ନାହାନ୍ତି । ତେଣୁ ବୃଥା ସେ ବିଷୟ ଜଣାଇବାକୁ ଇଚ୍ଛା କଲିନାହିଁ ।

 

ଅନିର୍ଦ୍ଦିଷ୍ଟ ଦିନପାଇଁ ମୁଁ ଆଜି ବିଦାୟ ନେଉଛି । ଆପଣଙ୍କ ଚରଣ ଦର୍ଶନର ସୌଭାଗ୍ୟ ଏ ଜୀବନରେ ଆସିବ କି ନା ଜାଣେନା, ମୋର ଅଶ୍ରୁସିକ୍ତ ପ୍ରଣାମ ଗ୍ରହଣ କରିବେ । ଇତି ।

 

ଆପଣଙ୍କର

ହତଭାଗ୍ୟ ପୁଅ ସୁକାନ୍ତ

 

ଚିଠିଟି ଶେଷକରି ଖଣ୍ଡେ ଲଫାପାରେ ରଖି ବାପାଙ୍କ ନାଁ ଲେଖି ଟେବୁଲ୍‍ ଉପରେ ରଖିଲା ସୁକାନ୍ତ । ଆଉ କାଗଜ ଚିରି ପୁଣି ଦି’ଖଣ୍ଡ ଚିଠି ଲେଖି ପୋଷ୍ଟ କରିବା ଉଦ୍ଦେଶ୍ୟରେ ନିଜ ପକେଟରେ ରଖିଲା ।

 

ଘରର ଚାରିଆଡ଼େ ଆଖିବୁଲାଇ ଆଣି ପ୍ୟାଣ୍ଟ, ସାର୍ଟ ପିନ୍ଧି ହାତରେ ସୁଟକେଶ୍‍ଟି ଧରି କବାଟ ଖୋଲି ଆସ୍ତେ ଆସ୍ତେ ପାଦ ବଢ଼ାଇଲା ପଦାକୁ । ବାହାରେ ବିକଟ ଅନ୍ଧାର, ରାତି ପାହିବାକୁ ବହୁତ ଡେରି ଅଛି । ଟର୍ଚ୍ଚଲାଇଟ୍‍ଟି ଜଳାଇ ଅଜଣା ପଥରେ ପାଦଦେଲା ସୁକାନ୍ତ..... । ତଳେ ମାଟି ଆଉ ଉପରେ ଆକାଶ.....ଆକାଶରେ ଅଗଣନ୍ତା ତାରାର ରୋଷନି.....ପାହାନ୍ତିଆ ବିଲୁଆ ଭୁକି ଚାଲିଛନ୍ତି–ହୁକେ-ହୋ ହୁକେ-ହୋ । ନିଜର ଥରିଲା ଗୋଡ଼କୁ ସଂଯତ କରି ଗନ୍ତବ୍ୟ ପଥରେ ଆଗେଇ ଚାଲିଲା ସୁକାନ୍ତ ।

 

ବଳଭଦ୍ରପୁରର ହରମୋହନ ସାମନ୍ତରାୟଙ୍କର ଖୁବ୍‍ ନାଁ ଡାକ । ଆଗେ ଜମିଦାରୀ ଥିଲା...ଗଡ଼ଜାତ ରାଜାମାନଙ୍କ ପରି ଥିଲା ତାଙ୍କର ଶାସନ । ତାଙ୍କ ନାଁ ଶୁଣିଲେ ଗର୍ଭିଣୀ ଗାଈ ବି ଭୟରେ ବାଟ ଛାଡ଼ି ଦେଉଥିଲା, ଏବେ କମିଯାଇଛି ସେ ପ୍ରତିପତ୍ତି । ତଥାପି ଧନ ସମ୍ପତ୍ତି ତ କିଛି ଊଣା ନାହିଁ, କମିନାହିଁ ବଡ଼ଲୋକୀ କାରବାର, ପୁରୁଣାକାଳିଆ ନାଁଡାକ୍‍ ଘର, ରହିଯାଇଛି ସେହି ପୁରୁଣା ଚଳନି ।

 

ଆଜିକାଲି ପାଠ ତ ସମସ୍ତେ ପଢ଼ୁଛନ୍ତି–ବଡ଼ ଚାକିରି ମଧ୍ୟ ବହୁତ କରୁଛନ୍ତି, ହେଲେ ଆଭିଜାତ୍ୟ କେଇଟାଙ୍କର ଅଛି ? କଥାରେ କହିଲା ପରି ‘ମାଆ ଧାନକୁଟି ପୁଅ ନାଗର’ । ଗଣ୍ଡା ଗଣ୍ଡା ଶିକ୍ଷିତ ଗ୍ରାଜୁଏଟ ବୁଲୁଛନ୍ତି, ସାମନ୍ତରାୟ କିନ୍ତୁ ସେମାନଙ୍କୁ ପସନ୍ଦ କରନ୍ତି ନାହିଁ । ତାଙ୍କ କନ୍ୟାକୁ ସେ ଏହି ଧାନକୁଟି ପୁଅମାନଙ୍କୁ ଦେଇ କ’ଣ ଶାନ୍ତି ପାଇବେ ? ସେ ଏକାଧାରେ ଚାହାଁନ୍ତି ଶିକ୍ଷା-ସମ୍ମାନ ଓ ଆଭିଜାତ୍ୟ–ସୁନ୍ଦର ଓ ସଦ୍‍ କୁଳର ସନ୍ତାନ । ସବୁଗୁଡ଼ିକ ଏକତ୍ର ଭାବରେ ମିଳିବା ବି କଷ୍ଟ ।

 

ଏହିପରି ଅବସ୍ଥାରେ ସେ ଶୁଣିପାରିଲେ ଚନ୍ଦନପୁରର ଜମିଦାର ପୁତ୍ର ସୁକାନ୍ତ କଥା । ପ୍ରସ୍ତାବ ପଡ଼ିଲା...ଚନ୍ଦନପୁର ଜମିଦାର ମଧ୍ୟ ଏ ପ୍ରସ୍ତାବରେ ସମ୍ମତ ହେଲେ । ସେ ଚାହାଁନ୍ତି ସେହିପରି କନ୍ୟାକୁ ବଧୂ କରିବାକୁ । ଦିନ ନିର୍ଦ୍ଦିଷ୍ଟ ହେଲା–ଏକାଥରେ ଘର ଆଉ ବର ଦେଖି ସମ୍ମାନ ଲାଭ କରି, କନ୍ୟାଦାନର ପ୍ରତିଶ୍ରୁତି ଦେଇ, ସନ୍ତୋଷରେ ଚନ୍ଦନପୁରରୁ ଫେରିଲେ ସାମନ୍ତରାୟ । ଲୋକ ମୁଖରୁ ଚନ୍ଦନପୁର ଜମିଦାର ଘର ସମ୍ବନ୍ଧେ ଯାହା ସେ ଶୁଣିଥିଲେ ନିଜ ଆଖିରେ ଦେଖିଲେ ।

 

ମନ ମାନିଲା । ନିମି ତାଙ୍କର ବଡ ଝିଅ, ଅତି ଗେହ୍ଲା । ପ୍ରଥମ କରି ତ ସେ ବାହାହେବ; ତେଣୁ ଏ ବିଭାଘର ଖୁବ୍‍ ଆଡ଼ମ୍ବରରେ ହେବ । ସେ ତ କନ୍ୟାପିତା–ତାଙ୍କୁ ଯେପରି କେହି ଟିକିଏ ବି ଖୁଣି ନଦିଏ ସେଥିପାଇଁ ସେ ବିଭାଘରର ବିରାଟ ଆୟୋଜନ କରି ଯାଇଥାନ୍ତି–ମଝିରେ ଦିନ କେଇଟା ଚାହୁଁ ଚାହୁଁ ଗଡ଼ିଯିବ ।

 

ସୁକାନ୍ତର ସରଳ ବ୍ୟବହାର–ମନୋମୁଗ୍ଧକର ରୂପ ସର୍ବଦା ତାଙ୍କ ଆଖିରେ ନାଚୁଥାଏ, କଥା କଥାକେ ନିମିବୋଉଙ୍କୁ ସେ କହନ୍ତି, ‘‘ନିମିର ଭାଗ୍ୟ ପ୍ରସନ୍ନ ଥିଲେ ସେ ଏଭଳି ବର ଘର ପାଇବ’’ ସୁକାନ୍ତକୁ ଦେଖିଲେ ଶତ୍ରୁ ହେଲେ ବି ସ୍ଵତ ସ୍ନେହଶ୍ରଦ୍ଧା ମନରେ ଆସିବ । ନିମିବୋଉ ଏସବୁ ଶୁଣି ଖୁସି ହୁଅନ୍ତି । ମନେ ମନେ ମାଆ ମଙ୍ଗଳାଙ୍କୁ ଜଣାନ୍ତି–ନିମି ମୋର ସର୍ବ ଶୁଭରେ ସେଇଠି ବିଭା ହେଉ.....କୌଣସି ଆପଦ ନ’ ଘଟୁ–’’

 

ମାତ୍ର ମଣିଷର ଇଚ୍ଛା ଯଦି ସବୁବେଳେ ପୂରଣ ହେଉଥାନ୍ତା, ତା’ହେଲେ କାମନା ଶବ୍ଦଟାର ମୂଲ୍ୟ ନ ଥାନ୍ତା । ଧରାଟା ସ୍ଵର୍ଗରେ ପରିଣତ ହୁଅନ୍ତା । ବିଭାଘର ପାଇଁ ଏଣେ ବିରାଟ ଆୟୋଜନ.....ଏହି ଅବସ୍ଥାରେ ହଠାତ୍‍ ଦିନେ ସାମନ୍ତରାୟ ପାଇଲେ ଦୁଇଟି ଚିଠି ।

 

 

ଠିକଣା ଦେଖି ଗୋଟିଏ ନମିତାର ଚିଠି ବୋଲି ଜାଣିଲେ ଆଉ ଗୋଟିଏ ଅପରିଚିତ ଅକ୍ଷରର ନିଜ ନାମରେ ଚିଠି, ସେଇଟି ଆଗ ଖୋଲି ପଢ଼ିଲେ ଲେଖାଅଛି–

 

ପୂଜ୍ୟ ମହାଶୟ,

 

ଆପଣଙ୍କ ସଙ୍ଗେ ସେଦିନ ଥରଟିଏ ଦେଖା–ସେତିକିରେ ଆପଣ ମୋ ରୂପ ଓ ବାପାଙ୍କ ସମ୍ପତ୍ତି ଦେଖି ଭୁଲି ଯାଇ ନିଜର ସ୍ନେହମୟୀ କନ୍ୟାକୁ ମୋ ହାତରେ ଟେକି ଦେବା ପାଇଁ ପ୍ରତିଶ୍ରୁତି ଦେଇଗଲେ ଏ କଥା ମୁଁ ସେତେବେଳେ ଜାଣି ନଥିଲି......ଜାଣିଥିଲେ କଥା ଏତେ ବାଟକୁ ଯାଇ ନଥାନ୍ତା–ଆପଣଙ୍କ ଦାନ ଗ୍ରହଣ କରିବା ପାଇଁ ମୁଁ ଅକ୍ଷମ ଓ ଅନୁପଯୁକ୍ତ । ଉପଯୁକ୍ତ ପାତ୍ରରେ କନ୍ୟା ପ୍ରଦାନ କରି ଦୁଃସ୍ୱପ୍ନ ଭଳି ମତେ ଭୁଲିଯିବେ– ।

 

ଏଥିପାଇଁ ବାପାଙ୍କୁ ଦୋଷୀ କରିବେ ନାହିଁ ଏହାହିଁ ମୋର ଆପଣଙ୍କୁ ବିଶେଷ ଅନୁରୋଧ । ଏହି ବିବାହ ବିଷୟରେ ବାପାଙ୍କ ସଙ୍ଗେ ମୋର ମତାନ୍ତର ହେବାରୁ ମୁଁ ଆଜି ଅନିର୍ଦ୍ଦିଷ୍ଟ ପଥର ଯାତ୍ରୀ । ନମସ୍କାର ସହ ବିଦାୟ ନେଲି । ଇତି ।

 

କେହିଜଣେ

–ସୁକାନ୍ତ–

 

ସାମନ୍ତରାୟ ପ୍ରଥମେ ବିଶ୍ୱାସ କରି ପାରିଲେ ନାହିଁ । ସେହି ଶାନ୍ତ ସରଳ ଯୁବକ...ଏ ଚିଠି ଲେଖିଛି ? ଦୁଇଥର ପଢ଼ିବାପରେ ତାଙ୍କର ଭ୍ରମ ଭାଙ୍ଗିଲା । ତା’ଛଡ଼ା ନିମି ହାତଲେଖା ଚିଠିପଢ଼ି ବି ଅବିଶ୍ୱାସ କରି ହେଉନାହିଁ । ଦୀପୁ ପାଖକୁ ନିମି ପରିଷ୍କାର ଲେଖିଦେଇଛି ସେ ଏବର୍ଷ ବିଭା ହେବନାହିଁ । ତା’ର ଅର୍ଥ... ? ବାହା ହବନାହିଁ ନାଁ ତା’ର ଏ ପ୍ରସ୍ତାବରେ ମତ ନାହିଁ ?

 

ନିମି ଆଉ ସୁକାନ୍ତଙ୍କ ଚିଠିର ଅର୍ଥ ଏକା ନୁହେଁ କି ? କ’ଣ ହେଲା ଏ ଯୁଗ ? ସାମନ୍ତରାୟଙ୍କ ରକ୍ତ ଗରମ ହୋଇ ଉଠିଲା, ମୁଣ୍ଡ ଘୂରାଇ ଦେଲା । ଇଚ୍ଛାହେଲା ଆଗରେ ପାଇଲେ ଏକା ଏକା ଚାପୁଡ଼ାକେ ନିମି, ସୁକାନ୍ତଙ୍କର ମୁଣ୍ଡ ସେ ଫଟାଇ ଦିଅନ୍ତେ; କିନ୍ତୁ ସେମାନେ ଯେ ବହୁଦୂରରେ ।

 

ଚିଠି ଦି’ଖଣ୍ଡ ଧରି ସାମନ୍ତରାୟ ଖଞ୍ଜା ଭିତରକୁ ପଶି ଆସି ଗର୍ଜିଉଠି ଡାକିଲେ, ‘‘କୁଆଡ଼େ ଗଲ କି..... ? ଇଆଡ଼େ ଆସ । ଝିଅକୁ କଟକରେ ଛାଡ଼ି ପାଠପଢ଼ାଇବା ଫଳ ଏବେ ବୁଝ ।

 

ନିମିବୋଉ ଝିଅ ବିଭାଘର ପାଇଁ କ’ଣ କାମ ବରାଦ କରୁଥିଲେ ସାମନ୍ତରାୟଙ୍କ ରୁକ୍ଷସ୍ଵରରେ ଚମକିପଡ଼ି ପଚାରିଲେ, ‘‘କଥା କ’ଣ ? ଏମିତି କାହିଁକି ହେଉଛ ?’’ ସାମନ୍ତରାୟ ଦୁଇଟିଯାକ ଚିଠି ତାଙ୍କ ଉପରକୁ ଫୋପାଡ଼ି ଦେଇ କହିଲେ, ‘‘ପଢ଼ ବୁଝିବ । ତମ ଝିଅ ଏଣିକି ପାଠପଢ଼ି ଶିକ୍ଷିତା ହେଲେଣି, ବାପାଙ୍କ ମୁହଁ ଉପରେ ସଫା ସଫା ଜବାବ୍‍ ଦେଲେ ସେ ଏଠି ବିଭାହେବେ ନାହିଁ । ଆଉ ଚନ୍ଦନପୁର ଜମିଦାର ପୁଅ ବି ଜଣାଇ ଦେଇଛନ୍ତି ଏଠି ବିଭାହେବାକୁ ତାଙ୍କର ଇଚ୍ଛାନାହିଁ, ବାପାଙ୍କ ଉପରେ ପ୍ରତିଶୋଧ ନେବାକୁ ସେ ଏବେ ଗୃହତ୍ୟାଗୀ......ରାମ୍‍ ରାମ୍‍ କି ଯୁଗ ହେଲା ଇଏ ?’’

 

ଥରିଲା ହାତରେ ଚିଠି ଦୁଇଟି ପଢ଼ି ନିମିବୋଉ ଥକ୍‍କା ମାରି ବସିପଡ଼ିଲେ । ସେ କେବେ କଳ୍ପନା କରି ନଥିଲେ ତାଙ୍କ ଲାଜକୁଳି ଲତା ନିମି ଏଭଳି ବଦଳି ଗଲାଣି । ଅଜଣା ଭୟ ଓ ଆଶଙ୍କାରେ ତାଙ୍କର ମାତୃହୃଦୟ ବିଳାପି ଉଠିଲା ।

 

ନିଆଁରେ ଘିଅ ଢାଳିଲାଭଳି ସାମନ୍ତରାୟ କହିଲେ, ‘‘ସେ ଟୋକା ଚିଠିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ–ତା’ର ବିଭାଘର ସେ ନିଜେ କେଉଁଠି ସ୍ଥିର କରିଛି, ଆଉ କନ୍ୟାଟି ହୁଏତ ଅନ୍ୟ ଜାତିର । ତା’ ନହେଲେ ଗୌରୀଶଙ୍କରବାବୁ ପୁଅକୁ ଯେପରି ଶ୍ରଦ୍ଧା କରନ୍ତି ସେ ରାଜି ନ ହୋଇଥାନ୍ତେ କାହିଁକି ? ପୁଅଝିଅ ଜନ୍ମକରି ତମକୁ ଆମେ ମଣିଷ କଲୁ ତମେ ଶେଷରେ ଆମ ମୁହଁରେ ଚୂନକାଳି ବୋଳିଲ ? ଆମ କନ୍ୟାରତ୍ନ ଆମକୁ ଠିକ୍‍ ଜବାବ୍‍ ଦେଇଛନ୍ତି । ଆଜିକାଲିକା ପିଲାଗୁଡ଼ାଙ୍କର ମାନ୍‍, ସମ୍ମାନ କିଛି ନାହିଁ । ଆମେ କ’ଣ ପୁଅ ଝିଅ ହୋଇ ନଥିଲୁ.... ? ଆମର ଯୌବନ ଆସି ନଥିଲା ? ଛାଡ଼ ନିମିବୋଉ ନିମି ମୋର ଝିଅ ନୁହେଁ ଗୋଟାଏ ଶତ୍ରୁ–ଦେଖିବ ରୁହ ସେ ବି ଦିନେ କାହାକୁ ଧରି କୁଆଡ଼େ ଚାଲିଯିବ । ସେ କୁଆଡ଼େ ଯାଉ ତ ରହୁ ମୁଁ ତା’ ମୁହଁ ଚାହିଁବି ନାହିଁ । କହିରଖୁଛି ତମେ ମୋ ଆଗରେ ଆଉ ଦିନେ ତା’କଥା କହିବ ନାହିଁ ।

 

ରାଗରେ ତମ ତମ ହୋଇ ସାମନ୍ତରାୟ ଦାଣ୍ଡପଟକୁ ଚାଲିଗଲେ । ଆଖି ଦି’ଟାରୁ ସତେକି ନିଆଁ ଖସିପଡ଼ୁଛି...ସେ ଅତି ରାଗିଲୋକ, ରାଗିଲେ ଆହୁରି ଭୟଙ୍କର ଦେଖାଯାଆନ୍ତି–ରାଗିଲେ ତାଙ୍କର ହିତାହିତ ଜ୍ଞାନ ରହେନା । କେହି ତାଙ୍କ ମୁହଁରେ ଭରସି କଥା କହନ୍ତି ନାହିଁ.... ।

 

ଭୟରେ ଶିହରି ଉଠିଲେ ନିମିବୋଉ–ଆଖିରୁ ତାଙ୍କର ଧାର୍‍ ଧାର୍‍ ହୋଇ ଲୁହ ଖସିପଡ଼ିଲା, ନିମିବୋଉ ନୀରବ ରହିଲେ, ତାଙ୍କ ମନରେ ନାନାଚିନ୍ତା ସତେ କ’ଣ ନିମି ତାଙ୍କର ଖରାପ ହେଇଗଲା ? ବେଶି ପାଠପଢ଼ିଲେ ଝିଅ କ’ଣ ଖରାପ ହୁଅନ୍ତି.... ? କେଜାଣି ବା ହେଉଥିବେ ।

 

ମାଆ ମନ ତ...ନିଜ ପିଲାଛୁଆର ଦୋଷ ମାଆ ଆଖିରେ ପଡ଼େ ନାହିଁ । ପୁଣି ଥରେ ନିମିର ଚିଠି ପଢ଼ିଲେ ନିମିବୋଉ । ମନ କହିଲା ନିମି ନିର୍ଦ୍ଦୋଷ–ସେତ କିଛି ଖରାପ କଥା ଲେଖିନାହିଁ, ଖାଲି ଲେଖିଛି ଏବର୍ଷ ବିଭାହେବ ନାହିଁ । ଆଜିକାଲି ସବୁ ପିଲା ତ ପଢ଼ିବାକୁ ଚାହୁଁଛନ୍ତି ତା’ର ବା ଦୋଷ କ’ଣ ? ମାଆ ସେ ଝିଅର ମଙ୍ଗଳ କାମନାକରି ମଙ୍ଗଳକାରିଣୀ ମାଆ ମଙ୍ଗଳାଙ୍କ ପାଖରେ ଛେନାପଣା ହାଣ୍ଡି, କଳାଶାଢ଼ି, ସୁନାଚିତା ମାନସିକ କଲେ ।

 

‘‘ମାଆ ମଙ୍ଗଳାଲୋ,–ମୋ ପିଲା ଗୋଡ଼ରେ କଣ୍ଟା ନବହୁ ବାପ ନ’ରାଗନ୍ତୁ । ତାଙ୍କ ରାଗ ଶାନ୍ତ ହେଉ । କାଲିକାର ପିଲାଟା ସେ ନିମି । ଏବର୍ଷ ଏବେ ବିଭା ନହେଲା ନାହିଁ କେତେ ଝିଅ ତ ପଢ଼ୁଛନ୍ତି ସେ ଏବେ ପଢ଼ୁଥାଉ ।’’

 

ମାଆ ବା କାହୁଁ ଜାଣିବେ କେଉଁ ପରିସ୍ଥିତି ଭିତରେ ଝିଅ ବିଭା ନ ହେବାକୁ କହୁଛି– । କିଛି ଜାଣିବାର ଉପାୟ ବି ତାଙ୍କର ନାହିଁ ।

 

ଅପା ବାହାଘର ହେଲେ ବହୁତ ମଉଜ ହେବ ବୋଲି, ଦୀପୁ ତା’ର ଛୋଟ ମନରେ ବହୁତ କଳ୍ପନା କରିଥିଲା, କେତେ ବାଜା ବାଜିବ.....ବାଣ ଫୁଟିବ.....ମିଠେଇ, ରସଗୋଲା, କ୍ଷୀରି, ପୁରି, ମାଛ, ଦହିରେ ଘରଦ୍ୱାର ଭର୍ତ୍ତି ହୋଇଯିବ । ବହୁତ କୁଣିଆଁ ମଇତ୍ର ଆସିବେ ବୋଲି ଅଦରକାରି ଘରଗୁଡ଼ା, ଲମ୍ବା ଲମ୍ବା ଚଉପାଡ଼ି ଗୁଡ଼ା, ସଫା ସୁତୁରା ହେଇ ଚକ୍‍ଚାକ୍‍ ହେଇଥିଲା । ବାପା ବୋଉଙ୍କଠାରୁ ଶୁଣି, ଶୁଣି, ସେ ଏକ କଳ୍ପିତ ସ୍ଵପ୍ନରେ ବିଭୋର ହେଇଥିଲା । ସେ ତା’ର ସବୁ ସାଙ୍ଗସାଥିଙ୍କୁ ନିମନ୍ତ୍ରଣ କରି, ମନଇଚ୍ଛା ମିଠେଇ ଖୋଇବ ବୋଲି ବୋଉଠାରୁ ମଧ୍ୟ ଅନୁମତି ନେଇ ସାରିଥିଲା । କେତେ ଯେ ସୁନ୍ଦର କଳ୍ପନା ସେ କରି ସାରିଥିଲା ତା’ର ହିସାବ ନାହିଁ ।

 

ମାତ୍ର ଆପାଟା କଲା କ’ଣ ? ମୂଳରୁ ତ ସବୁ ସାରିଦେଲା ସବୁ କଳ୍ପନା ତା’ର ଭାଙ୍ଗିଗଲା । ଅପାଟା ମୋଟେ ଭଲ ନୁହେଁ । ବଡ଼ ଖରାପ ହେଇଗଲାଣି । ଅପାଟା ମୋଟେ ଭଲ ନୁହେଁ । ବଡ଼ ଖରାପ ହେଇଗଲାଣି । ଅପା ଉପରେ ରାଗକରି ଦୀପୁ ତା’ ଚିଠିର ଉତ୍ତର ବି ଦେଲା ନାହିଁ । ଅପା ଲେଖିଥିଲା ତା’ ପାଖକୁ ଯିବାପାଇଁ ।

 

ଅନ୍ୟଦିନ ହୋଇଥିଲେ ବୋଉ ବେତାଏ ହବ ଭଲ ପିଠା ମିଠେଇ କରି ଦେଇଥାନ୍ତା । ମଦନ ଗୁମାସ୍ତାକୁ ସାଙ୍ଗରେ ନେଇ ସେ ଅପାକୁ ଦେଖାକରି ଆସିଥାନ୍ତା । ବାପା ଯୋଉ ରାଗ ରାଗିଛନ୍ତି ନା–ସେଥିରେ ସେ ଯିବାକଥା କହିବ ବା କିପରି ? ନାଁ, ସେ ଯିବନାହିଁ, ସେ ବି ଅପା ଉପରେ ରାଗିବ । ତା’ର କେଡ଼େ ସୁନ୍ଦର କଳ୍ପନାକୁ ଭାଙ୍ଗି ଦେଇଛି ଯିଏ–ସେ କି ଅପା ମ... ।

 

ପରିଚିତ ଅକ୍ଷରରେ ନିଜ ନାଆଁରେ ଚିଠି...ଥରିଲା ଲୋଭାଳିଆ ହାତରେ ପୋଷ୍ଟମ୍ୟାନ୍‍ ହାତରୁ ଚିଠିଟି ନେଲା ମାଧୁରୀ । ସୁକାନ୍ତକୁ ସେ ମନ ପ୍ରାଣଦେଇ ଭଲପାଏ ସତ, ମାତ୍ର କେବେହେଲେ ଦୁହିଁଙ୍କର ଚିଠି ଆଦାନ ପ୍ରଦାନ ହୋଇନଥିଲା । ସେ ଦିନରୁ ସୁକାନ୍ତବାବୁ ଘରକୁ ଗଲେଣି–ଭାଇ କହୁଥିଲେ ତାଙ୍କ ବାପାଙ୍କ ଦେହ କ’ଣ ବେଶି ଖରାପ ହେଲା ? କାହିଁକି ଫେରିଲେ ନାହିଁ । ବଡ଼ ଆଶଙ୍କାରେ ଥିଲା ମାଧୁରୀ ।

 

ଆଜି ହଠାତ୍‍ ଚିଠିଟି ପାଇ ଭୟ ଆଉ ବିସ୍ମୟରେ ଶିହରି ଉଠିଲା ମାଧୁରୀ ମନ । ଡରିଲା ହାତରେ ସେ ଚିଠିଟି ଖୋଲି ପଢ଼ିଲା । ଲେଖାଅଛି–

 

ସ୍ନେହର ମାଧୁରୀ,

 

ଚିଠିଟି ପାଇ ବୋଧହୁଏ ଆଶ୍ଚର୍ଯ୍ୟ ହେବ । କେବେହେଲେ ତମକୁ ଚିଠିଲେଖିବା ମୋର ପ୍ରୟୋଜନ ହେଇନାହିଁ ।

 

ବାପା ସେ ଯୁଗର ମଣିଷ...ତାଙ୍କରି ଭଳି ଜଣେ ଜମିଦାର ଘର ସୁନ୍ଦରୀ ଝିଅକୁ ବୋହୂକରି ଆଣିବାକୁ ସେ ସ୍ଥିର କରିଥିଲେ, ମାତ୍ର ମୁଁ ତାହା ଗ୍ରହଣ କରି ପାରିଲି ନାହିଁ । ଯେଣୁ ତା’ ପୂର୍ବରୁ ମୁଁ ମୋର ପଥ ବାଛି ନେଇଥିଲି ।

 

ତମେ ମତେ ଦୁଃସ୍ୱପ୍ନ ପରି ଭୁଲିଯାଇ ଅନ୍ୟତ୍ର ବିବାହ କରି ସୁଖରେ ସଂସାର କରିବ–ଏହାହିଁ ମୋର ତୁମକୁ ଅନୁରୋଧ । ମୋର ଧୃଷ୍ଟତା କ୍ଷମା ଦେବ । ବାପା, ଭାଇ ଓ ନୂଆବୋହୂଙ୍କୁ ମୋର ସଭକ୍ତି ପ୍ରଣାମ ଜଣାଇ ଦେବ । ମୁଁ ଆଜି ଅନିର୍ଦ୍ଦିଷ୍ଟ ପଥର ଯାତ୍ରୀ...ଜୀବନରେ ପୁଣି ଥରେ ସେମାନଙ୍କ ସହ ସାକ୍ଷାତ ହେବ କି’ନା ଭଗବାନହିଁ ଜାଣନ୍ତି ।

 

। ଇତି ।

–ସୁକାନ୍ତ

 

ମାଧୁରୀକୁ ଲାଗିଲା...ସତେ ଯେପରି ପୃଥିବୀଟା ଘୂରୁଛି ଆଉ ସେ ତା’ ଭିତରେ ଘୂରି ଘୂରି ପଡ଼ିଯିବ । ଏକରକମ ସୁକାନ୍ତ ଚିର ଦିନପାଇଁ ଦୂରେଇ ଯାଇଛି– ସେ ଆଉ ସୁକାନ୍ତକୁ ପାଇବନାହିଁ ।

 

କଣ ଗୋଟିଏ କାମରେ ସେ ଘରକୁ ପଶି ଆସି ପ୍ରମିଳା ଦେଖିଲା ଚିଠିଟିଏ ଧରି ମାଧୁରୀ ବସିଛି, ତା’ ଆଖିରେ ଲୋତକର ବନ୍ୟା । ସତେକି ଗୌତମ ଅଭିଶପ୍ତା ପାଷାଣୀ ଅହଲ୍ୟା-। ବିସ୍ମିତ ହୋଇ ପ୍ରମିଳା କହିଲା, ‘ସେ କାହା ଚିଠି ମାଧୁରୀ...ତମେ କାନ୍ଦୁଛ କାହିଁକି ?’ ବିନା ବାକ୍ୟ ବ୍ୟୟରେ ମାଧୁରୀ ପ୍ରମିଳା ହାତକୁ ଚିଠିଟି ବଢ଼ାଇଦେଲା ।

 

ଚିଠିଟି ପଢ଼ି ପ୍ରମିଳାର ମୁଣ୍ଡ ବି’ ଘୂରାଇ ଦେଲା । ଶିବବାବୁ ମୁଣ୍ଡରେ ହାତଦେଇ ବସି ପଡ଼ିଲେ ‘‘ସୁକାନ୍ତ ପରି ପିଲା ଶେଷରେ ଦେଶାନ୍ତରି ହେଲା ? ସେଇଟା ତା’ ଦୋଷ ନୁହେଁ ଯେ ଆମ ଭାଗ୍ୟ ଖରାପ...ଯାହା ହେଉ ଆମେ ତାକୁ ଖୋଜି ବାହାର କରିବା ! ଅକୁହା ବ୍ୟଥାରେ ଛୋଟ ପରିବାରଟି ବ୍ୟଥିତ ହୋଇ ଉଠିଲେ ।

 

ବିନୟ ଏସବୁ ଦେଖି ନିଜକୁ ସଂଯତ କରି କହିଲା । ‘‘କାହାରି ବ୍ୟସ୍ତହବା ଦର୍କାର ନାହିଁ-। ସୁକାନ୍ତ...ଆପେହିଁ ଦିନେ ଏଠାରେ ଆସି ପହଞ୍ଚିଯିବ ।’’ କିନ୍ତୁ ଦିନ ଗଡ଼ି ଚାଲିଲା । ସୁକାନ୍ତ ଫେରିଲା ନାହିଁ । ଶିବବାବୁଙ୍କ ପରିବାରରେ ଶୋକର ଛାୟା ଖେଳି ବୁଲିଲା । ମାଧୁରୀ ଭାବିଲା–ତା’ ଜୀବନର ସମସ୍ତ ସୁନେଲି ସ୍ଵପ୍ନ ପାଣିଫୋଟକା ପରି ମିଳେଇ ଯାଇଛି ।

 

ଦିନ ମାସ ଯାଇ ବର୍ଷ ବିତିଲା–ତଥାପି ଦେଖା ନାହିଁ ସୁକାନ୍ତର । ମନର ଅସୀମ ବ୍ୟଥାକୁ ଚାପିରଖି ପଢ଼ାପଢ଼ିରେ ନିଜକୁ ଜଡ଼ାଇ ରଖିଲା ମାଧୁରୀ–ପିଲାଦିନରୁ ସେ’ ସ୍ଵପ୍ନ ଦେଖୁଥିଲା ପାଠପଢ଼ି ସେ ଅଧ୍ୟାପିକା–କିମ୍ବା ଡାକ୍ତରାଣୀ ହେବ । ଏବେ ସେ ସ୍ଵପ୍ନ ସଫଳ ହେବାର ଦିନ ଆସୁଛି ।

 

ଫାଷ୍ଟ ଇୟରର ବିଜ୍ଞାନଛାତ୍ରୀ ନମିତା ଆଉ ମାଧୁରୀ । ଦୁଃହେଁ ପାସ୍‍ କରିଗଲେ । ନମିତା ଉପରେ ତା’ ବାପା ଯେପରି ରାଗିଥିଲେ ତାକୁ ଆଉ ପଢ଼ାଇବାକୁ ତାଙ୍କର ଆଦୌ ଇଚ୍ଛା ନଥିଲା । ମାତ୍ର ନମିତାର ପାସ୍‍ ଖବର ଶୁଣି ଟିକିଏ ଆତ୍ମସନ୍ତୋଷ ଲାଭକଲେ । ଯା’ ହେଉ ଝିଅଟା ଭଲ ପଢ଼ୁଛି...ପଢ଼ିବାପାଇଁ ବିଭା ହେବାକୁ ମନାକଲା ସିନା, ତା’ର ଅନ୍ୟ କିଛି ଉଦ୍ଦେଶ୍ୟ ନାହିଁ ।

 

ନମିତା ବହୁ ଅନୁନୟ ବିନୟ......କନ୍ଦାକଟା କଲା ଓ ରାଗଋଷା ବି’ କଲା । ମତେ ଆଉ ନ’ ପଢ଼ାଇଲେ ଆତ୍ମହତ୍ୟା କରିବି ବୋଲି ବି ଧମକ ଦେଲା । ବର୍ଷଟାଏ ପଢ଼ିଲି, ଆଉ ବର୍ଷେ ପଢ଼ି ଅନ୍ତତ୍‍ ଆଇ.ଏସ୍‍:ସି:ଟା ପାସ୍‍କରେ ତେଣିକି ପଢ଼େ ନପଢ଼େ ଅଲଗାକଥା ।

 

ହରମୋହନ ସାମନ୍ତରାୟ ଝିଅର କଥାଟାକୁ ଓଜନକରି ଦେଖିଲେ ଝିଅ ମନ୍ଦ କହୁନାହିଁ, ମାଟ୍ରିକ୍‍ପରେ ପଢ଼ା ବନ୍ଦ କରିଥିଲେ ଚଳିଥାନ୍ତା, ସେତେବେଳେ ମନୋନୀତ ବରପାତ୍ର ତ ମିଳିଲେ ନାହିଁ, କଲେଜରେ ନାଁ ଲେଖାଇବା ପରେ ସୁକାନ୍ତ କଥା ଠିକ୍‍ ହେଇଥିଲା । ସେ ପ୍ରସ୍ତାବତ ବନ୍ଦହେଲା । ସୁକାନ୍ତ ରାଜି ହେଇଥିଲେ କ’ଣ ନମିତାର ମନା ସେ ମାନିଥାନ୍ତେ ? ବର୍ଷଟାଏ ପଢ଼ିତ ପାସ୍‍ କଲାଣି । ଏବେ ବି କେଉଁଠି ବର ଠିକ୍‍ ହୋଇନାହିଁ । ପଢ଼ିବତ ପଢ଼ୁ, ଆଇ.ଏସ୍‍.ସି.ଟା ପାସ୍‍ କରି ଯାଉ ତେଣିକି ବାହାଘର ହେବ ।

 

ଆଖପାଖ ଦଶଖଣ୍ଡ ଗାଁରେ କାହାର ଝିଅ କଲେଜରେ ପଢ଼ି ନାହାନ୍ତି । ଝିଅର ପଢ଼ା ସଙ୍ଗେ ସଙ୍ଗେ ମନମୁତାବକ ବର ବି’ ଖୋଜିହେବ । ବେକାରରେ ଘରେ ବସିବା ଅପେକ୍ଷା ପଢ଼ିବା ଭଲ । ଏସବୁ ଭାବି ପୁଣି ପଢ଼ିବାକୁ ରାଏଦେଇ ଗଲେ ସାମନ୍ତରାୟ ।

 

ନମିତା ମନ ମହାଖୁସି, ପାଠ ତ ପଢ଼ିବ । ଟାଉନରେ ରହିବ, ତା’ଛଡ଼ା ପରେଶବାବୁଙ୍କୁ ନିକଟରେ ପାଇପାରିବ । ପରେଶବାବୁଙ୍କ ବଡ଼ଭାଇ ଏବର୍ଷ ବିଭାଘର ହେବାର ଅଛି, ସେତକ ସରିଗଲେ ଆସନ୍ତା ବର୍ଷକୁ ତାଙ୍କ ସଙ୍ଗେ ବିଭାଘରର ପ୍ରସ୍ତାବ ନିଜେ ବାଢ଼ିବ ନମିତା । ଏହାହିଁ ପରେଶବାବୁଙ୍କ ଆଦେଶ । କିନ୍ତୁ ପରେଶବାବୁଙ୍କର ବଡ଼ଭାଇ ଅଛନ୍ତି କି’ ନା । ତାହା ସଠିକ ଜାଣେନା ନମିତା ।

 

ସବୁ କଥା ଜଣାଇଁ ସେ ପରେଶବାବୁଙ୍କୁ ଚିଠି ଲେଖିଲା । ଆଶା କରିଥିଲା, ସବୁଦିନ ପରି ଏ’ ଚିଠି ପାଇ ପରେଶବାବୁ ଖୁସି–ଏବଂ ସବୁବେଳେ ଶୀଘ୍ର ବିବାହର ଆୟୋଜନ କରିବେ, କିନ୍ତୁ ମଣିଷର ଆଶା ସବୁବେଳେ ପୂର୍ଣ୍ଣ ହୁଏନାହିଁ । ଭଗବାନଙ୍କର ପୁଣି ଗୋଟାଏ ଇଚ୍ଛାଅଛି । ସେ ମଣିଷକୁ ଖେଳ କଣ୍ଢେଇ କରି ଖେଳନ୍ତି ତାଙ୍କ ଇଚ୍ଛାନୁସାରେ ଆଗରୁ ହଷ୍ଟେଲ ପାଖ ରାସ୍ତାରେ ଦିନ୍‍ ଦୁଇ ଥର ଯାଏ ପରେଶ, ଦୋ’ ମହଲା ଝରକାରୁ ଚାହିଁଥାଏ ନମିତା...ଚାରି ଆଖିର ଭେଟ ହୁଏ, –କିନ୍ତୁ କାହିଁ...ପରେଶର ଯେ ଦେଖା ନାହିଁ ।

 

ନମିତା ହତାଶ ହୋଇ ଲାଗ ଲାଗ ତିନି ଖଣ୍ଡ ଚିଠି ଲେଖିଲା । ପନ୍ଦର ଦିନ ପରେ ସେ ପାଇଲା ପରେଶବାବୁଙ୍କ ଚିଠି ବାଜେ କାଗଜରେ ଛଟା ମଟା ଅକ୍ଷରରେ ସେ ଲେଖିଛନ୍ତି–

 

‘‘ସବୁ ଚିଠି ତମର ପାଇଛି ନମିତା ମୋର ସମ୍ବଲପୁରକୁ ବଦଳି ହୋଇଛି–ଆଜି ସନ୍ଧ୍ୟାରେ ମୁଁ କଟକ ଛାଡ଼ୁଛି, କାର୍ଯ୍ୟବଶତ ସମୟ ପାଇଲି ନାହିଁ ତମକୁ ଦେଖା କରିବା ପାଇଁ, ଅତୀତ କଥା ଭୁଲିଯାଇ ନୂତନ ଜୀବନ ଗଢ଼ି ନେବ । ଏ ଜୀବନରେ ହୁଏତ ଦେଖା ନ’ ହେଇ ପାରେ, ବାପାଙ୍କର ଅବାଧ୍ୟ ହେବାର ଶକ୍ତି ମୋର ନାହିଁ–’’

 

ଚିଠିଟି ଖସି ପଡ଼ିଲା ନମିତା ହାତରୁ ମୁଣ୍ଡ ତା’ର ଘୂରାଇ ଦେଲା ସତେ ଯେପରି ଘରଟା ଭାଙ୍ଗି ପଡ଼ିଲା କି ଆଉ ? ତାକୁ ଲାଗିଲା–ସତେ ଯେପରି ଘର ଭାଙ୍ଗି ଯାଉଛି ଆଉ ତା’ ତଳେ ଚାପି ହୋଇ ଅଣନିଶ୍ଵାସୀ–ହୋଇ ପଡ଼ୁଛି ସିଏ ଆସ୍ତେ ଆସ୍ତେ ନିଃଶେଷ ହେଇ ଯାଉଛି ତା’ ପ୍ରାଣ ।

 

ନମିତା ଭାବିଲା ‘‘ସ୍ଵମତରେ ଯାହାର ବିବାହ କରିବାର ଶକ୍ତି ନଥାଏ । ସେ ଭଳି ପିତୃଭକ୍ତ ସନ୍ତାନ.....ପିତାଙ୍କୁ ନ ପଚାରି ପ୍ରେମ କରିବସେ କାହିଁକି ? ମିଛ.ସବୁ ମିଛ.....ପୁରୁଷର ମନ ଭୁଲା ନରମ କଥା ତଳେ.....ଏଡ଼େ ବିଶାକ୍ତ ରୂପ ଥାଏ ବୋଲି ସେତ ଜାଣି ନଥିଲା । କି ଦୋଷ ସେ ପରେଶବାବୁଙ୍କର କରିଥିଲା–ଯେ ତା’ ଜୀବନକୁ ଜାଳି ପୋଡ଼ି ଛାର୍‍ଖାର୍‍ କରିଦେଲେ । ବିକଳ ହୋଇ କାନ୍ଦି ଉଠିଲା ନମିତା ।

 

ଜର, ମୁଣ୍ଡ ବ୍ୟଥାର ବାହାନା ଧରି ସେଦିନ ନମିତା କ୍ଲାସକୁ ଗଲା ନାହିଁ, ନିଜ ରୁମରେ ଶୋଇରହି ଖାଲି ମନ ଭରି କାନ୍ଦିଲା । କାନ୍ଦିବା ଛଡ଼ା ଆଉ କିଛି ସେ ଭାବି ପାରିଲା ନାହିଁ । ସ୍ଥିର କଲା ସେ ଆତ୍ମହତ୍ୟା ହିଁ କରିବ । କାନ୍ଦୁ କାନ୍ଦୁ ଛାଇ ନିଦ କେତେବେଳେ ଲାଗି ଯାଇଛି–ତାହା ନମିତାକୁ ଜଣା ନାହିଁ–ଚିଠିଖଣ୍ଡ ହାତ ମୁଠାରେ ସେପରି ରହିଛି–

 

‘‘ଦେହ ତୋର କଣହେଲା–କ୍ଲାସକୁ ନଯାଇ ଶୋଇଛୁ ନମିତା ? ମାଧୁରୀ ହାତର କଅଁଳ ପରଶରେ ନମିତାର ତନ୍ଦ୍ରା ତୁଟିଗଲା । ସେ ଆଖି ଖୋଲି ଚାହିଁଲା ମାଧୁରୀ ହାତରେ ପରେଶବାବୁଙ୍କର ସେହି ଚିଠି । ଚିଠିଟି ତକିଆ ତଳେ ରଖି ଦେଇ ମାଧୁରୀ ଚାହିଁଲା ନମିତା ମୁହଁକୁ-। ନମିତା ତାକୁ ଦିଶିଲା ରାମ ଉପେକ୍ଷିତା ତପସ୍ୱିନୀ ସୀତା ପରି କିମ୍ବା ଦୁଶ୍ଚନ୍ତ ଅବହେଳିତା ଶକୁନ୍ତଳାର ପ୍ରତିମୂର୍ତ୍ତି....ଆଖିରୁ ଝରୁଛି ଲୁହର ଝରଣା ।

 

–ନିମି କ’ଣ ହେଇଛି ତୋର ? ପରେଶବାବୁ ଦେଖା ନକରି ଚାଲିଗଲେ । ସେଥିପାଇଁ ତୁ’ କାନ୍ଦୁଛୁ ? ସୁନାଟାପରା କାନ୍ଦନା’ ନମିତା ଆଖିରୁ ଲୁହ ପୋଛିଲା ମାଧୁରୀ, ନମିତା ମାଧୁରୀକୁ କୁଣ୍ଢାଇଧରି କହିଲା । –ପରେଶବାବୁ ମତେ ତ୍ୟାଗ କରିଛନ୍ତି ଭଉଣୀ । ମୋର ଭବିଷ୍ୟତ କଅଣ ହେବ ?

 

ବ୍ୟସ୍ତ କାହିଁକି ହେଉଛୁ ନିମି । ତୁ’ ବଡ଼ଘରର ଝିଅ, ନିଜେ ବି ପଢ଼ୁଛୁ । ସେ କ’ଣ ତୋତେ ବଳାଇ ଯିବେ ? ଗଲେ ବା କ୍ଷତି କ’ଣ ? ତୁ ଇଚ୍ଛାକଲେ ଅନ୍ୟକୁ ବିଭାହୋଇ ସୁଖରେ ରହିବୁ କିମ୍ବା ପାଠପଢ଼ି ବଡ଼ ମଣିଷ ହେବୁ, ବିବାହଟା ମଣିଷ ଜୀବନର ଚିରକାମ୍ୟ ନୁହେଁ, ସୁକାନ୍ତବାବୁଙ୍କୁ ନେଇ ମୋ ଜୀବନରେ ଯାହା ଘଟିଗଲା...ମୁଁ ତ ସ୍ଥିର କରୁଛି ଆଉ ବିଭା ହେବି ନାହିଁ-

 

ନମିତା ମାଧୁରୀ କୋଳରେ ମୁହଁଗୁଞ୍ଜି କହିଲା ତୋ’ଭଳି ଅବସ୍ଥା ମୋର ଥିଲେ, ମୁଁ ଏତେ ଚିନ୍ତା କରୁ ନଥାନ୍ତି ମାଧୁରୀ । ତୁ ମତେ ଘୃଣାକର, ଅଭିଶାପ ଦେ, ମୋର ମୃତ୍ୟୁହେଉ । ମୁଁ ଆଉ ତୋ’ପରି କୁମାରୀ ହୋଇ ରହିନାହିଁ, ମୁଁ ସିନା ବିବାହ ନକରି ପାଠପଢ଼ି ଚାକିରି କରିବି । କିନ୍ତୁ ସିଏ...ଯେଉଁ ଅନାଗତ ? ତା’ର ଭବିଷ୍ୟତ କ’ଣ ହେବ– ?

 

ଦୁନିଆଁ ଆଖିରେ କି ପରିଚୟ ହେବ ତା’ର ? କେଉଁ ଅଧିକାର ବଳରେ ମୁଁ ପରେଶବାବୁଙ୍କଠାରେ ଦାବି କରିବି ତା’ର ପିତୃତ୍ୱ...କାହାକୁ ବା’ ଏ କଳଙ୍କ ମୁହଁ ଦେଖାଇବି ମୁଁ ? ନମିତା ଭୋ’ ଭୋ’ ହୋଇ କାନ୍ଦିଲା ।

 

–‘‘ଏହା କ’ଣ ସତକଥା ନିମି ? ବିସ୍ମିତହୋଇ ପଚାରିଲା ମାଧୁରୀ’’–‘‘ତୋ’ପାଖେ ମିଛ କହି ଲାଭ କ’ଣ ? ତୁ’ ମୋର ପ୍ରାଣରୁ ବଳି ସାଙ୍ଗ–ମାଧୁରୀ’’ ସେହିପରି କାନ୍ଦି କାନ୍ଦି ଉତ୍ତର ଦେଲା ନମିତା ।

 

ମାଧୁରୀ ନମିତାର ଲୁହ ପୋଛୁ ପୋଛୁ କହିଲା ‘‘କି’ ଦୁର୍ଯ୍ୟୋଗ ନମିତା, ଶେଷରେ ପରେଶବାବୁ ତୋ ସଙ୍ଗେ ବିଶ୍ୱାସଘାତକତା କଲେ, ପ୍ରକୃତରେ ସେ’ ବଦଳି ହେଇ ଯାଉଛନ୍ତି କି ମିଛରେ ଫନ୍ଦି ବାହାର କରୁଛନ୍ତି ମୁଁ ୟା ଭିତରେ ଖବର ନେବି, ତା’ପରେ କ’ଣ କରାଯିବ ଭାବି ଦେଖିବା, ତୁ କାହାକୁ କିଛି ନକହି ଧୈର୍ଯ୍ୟଧର ।’’

 

ନମିତା ଅଶ୍ରୁଳ ଆଖିରେ ଉତ୍ତର ଦେଲା ‘‘ମୁଁ ଉପାୟ ସ୍ଥିର କରି ନେଇଛି ମାଧୁରୀ । ଆତ୍ମହତ୍ୟାହିଁ ଛଡ଼ା ମୋର ଅନ୍ୟ ଉପାୟ ନାହିଁ ।’’

 

–ଆତ୍ମହତ୍ୟା..... ? ନାଁ, ନାଁ, ଏ ବୁଦ୍ଧି ତୋର କାହିଁକି ଆସୁଛି ନିମି ଆତ୍ମହତ୍ୟାଠୁ ବଳି ମହାପାପ କିଛିନାହିଁ, ପରେଶବାବୁ ତୋ’ ଜୀବନ ସଙ୍ଗେ ଖେଳିଲେ, ତାଙ୍କୁ ଭଗବାନ କଦାପି କ୍ଷମାଦେଇ ପାରିବେନାହିଁ । ତୁ’ ତାଙ୍କୁ ଆଉଥରେ ଚିଠିଲେଖ୍‍ ନିମି । ନଚେତ୍‍ କୋର୍ଟରେ ଆଶ୍ରୟ ନେବା––

 

–ଚିଠିଲେଖି ଲାଭନାହିଁ ମାଧୁରୀ, ସେ ମତେ ସବୁଦିନ ପାଇଁ ଭୁଲିଯିବାକୁ ଚାହାଁନ୍ତି, ତା’ଛଡ଼ା କୋର୍ଟ କଚେରିରେ ଠିଆହୋଇ ବାପାଙ୍କ ମୁହଁରେ କାଳିବୋଳି ତାଙ୍କର ସ୍ୱାମୀତ୍ୱ ଦାବି କରିବା ଅପେକ୍ଷା ମୋର ମୃତ୍ୟୁହିଁ ଶ୍ରେୟ: ଜୀବନରେ ଥରେ ଯେଉଁ ଭୁଲ୍‍ କରିଛି ତାହା ସୁଧାରି ନେବି ମୁଁ ନିଜେ, ତୁ ବିଚାରକରି ଦେଖ୍‍, ଆଉ କିଛି ଭଲ ଉପାୟ ନାହିଁ, ଘରକୁ ଯିବା ଆଶା ବି’ ଆଉ ନାହିଁ ।

 

ମାଧୁରୀ ବି’ ତାହାହିଁ ଭାବୁଥିଲା–କଣ କରିବ ନମିତା । ପରେଶବାବୁତ ପ୍ରକାଶରେ ତା’ସଙ୍ଗେ ସଂବଧ ତୁଟେଇଲେଣି; କୋର୍ଟରେ ପ୍ରମାଣ କରିବା ବି ସହଜନୁହେଁ, ଗୋଟାଏ ସମ୍ଭ୍ରାନ୍ତ ପରିବାରର ମାନସମ୍ମାନ ସହ ଗାର୍ଲସ କଲେଜର ବି ସମ୍ମାନ ଯିବ । ଏସବୁ କାମପାଇଁ ପ୍ରଚୁର ଧନ ଓ ସେହିଭଳି ଜାଣିବା ଶୁଣିବା ଲୋକ ବି ଦରକାର । ସେସବୁ କିଏ ସଂଗ୍ରହ ବା କରିବ । ନମିତା ବି ଏତେତଳକୁ ଖସିଯାଇ ପାରିଲା କିପରି ? କିପରି ହେବ ଏ ସମାସ୍ୟାର ସମାଧାନ ??

 

ମାଧୁରୀ ପଚାରି ଦେଲା ‘‘ଅନ୍ୟ ଜାଗାରେ ବିଭାହେଲେ ତୋର କିଛି ଆପତ୍ତି ଅଛି ନିମି-। ପରିସ୍ଥିତି ଯାହା ଆଉ ବା ଉପାୟ କ’ଣ ?’’

 

ନମିତା ଅଶ୍ରୁଳ ଆଖିରେ କହିଲା ‘ଯାହା ଯୋଗଥିଲା ତାହା ଘଟିଲା ଓ ଯାହା ଯୋଗଥିବ ଘଟିବ, ଅବାଞ୍ଛିତ ମାତୃତ୍ୱ ନେଇ ମୁଁ ଜଣେ ନିର୍ଦ୍ଦୋଷ ଯୁବକକୁ ଠକାଇବି କିପରି ?? ବିବାହର ଅଳ୍ପ କେଇମାସ ପରେ ସେ ବା ପିତୃତ୍ୱ ଲାଭ କରିବାକୁ ଚାହିଁବ କାହିଁକି ନାଁ ମତେ ପାଖରେ ସ୍ଥାନ ଦେବ କାହିଁକି ??? ଏ ନିନ୍ଦାରୁ ସେ ନିନ୍ଦା ଆହୁରି ବେଶି ହେବ । ମୋ ପାଇଁ ନଈ କୂଅର ଅଭାବ ନାହିଁ ଏ ଦେଶରେ, ତା’ଛଡ଼ା ବିଷ ବି ରହିଛି । ତୁ କାହିଁକି ବ୍ୟସ୍ତ ହେଉଛୁ, ତୁ ମୋର ସବୁଠୁ ପ୍ରିୟସାଥୀ । ସବୁ ତତେ କହିଲି । ମୋ ରାଣ ନୂଆବୋହୂ ଯେପରି ୟାର ଆଭାସ ନ ପାଆନ୍ତି । ନମିତା ହସିଲା ମୃତ୍ୟୁକାମି ଯକ୍ଷ୍ମାରୋଗୀର ଫିକାହସ ପରି, ଭଦ୍ର ପରିବାରରେ ତା’ର ଜନ୍ମ ସାମାନ୍ୟ ଉତ୍ତେଜନାରେ ସିନା ସେ ଭୁଲ୍‍ କରି ବସିଛି, ଜାଣି ଜାଣି କ’ଣ ଆହୁରି ଭୁଲ୍‍ କରିବ-??

 

ମଣିଷ ବାଟ ନଜାଣି ଝୁଣ୍ଟିପଡ଼େ ବେଦନା ଅନୁଭବ କଲେ ଭୁଲ୍‍ ବୁଝିପାରେ, ନମିତା ଆଜି ଅନୁତାପରେ ଦଗ୍‍ଧ ହେଉଛି, ହେବ......

 

ମାଧୁରୀ ବି’ ଭାବିଲା ‘ନମିତା ଠିକ୍‍ କହୁଛି, ଅନ୍ୟଠି ବିଭାହେବା ବି ତା’ ପକ୍ଷେ ସମ୍ଭବ ନୁହେଁ, କିନ୍ତୁ କ’ଣ ସେ କରିବ ? ଟିକିଏ ରହି ମାଧୁରୀ କହିଲା–

 

‘ବିଶ୍ୱାସରଖ ନିମି–ତୋ’ କଥା କେହି ଜାଣିବେ ନାହିଁ । ଆତ୍ମହତ୍ୟାଟା ତୋ ହାତର କଥା, ସବୁଆଡ଼ୁ ନିରାଶହେଲେ କରିବୁ, ଅନ୍ତତ୍‍ ଆଉ କିଛିଦିନ ତୁ ବଞ୍ଚିରହ, ତୋ ଦେହ ଅସୁସ୍ଥ ଶୁଣି ମୁଁ କ୍ଲାସରୁ ଚାଲିଆସିଥିଲି, ଡେରି ଦେଖି ନୂଆବୋହୂ ବ୍ୟସ୍ତ ହେଉଥିବେ,ଚିନ୍ତାନକରି ପଢ଼ାପଢ଼ି କର-

 

ମାଧୁରୀ ଚାଲିଗଲା–ତା’ ଯିବାକୁ ଚାହିଁରହିଲା ନମିତା.....

 

ସୁକାନ୍ତ ଯିବାର ବର୍ଷ ପୁରିଲା...ଅଥଚ ତା’ର ଖବର ନାହିଁ । ଫେରିବା ତ ଦୂରର କଥା । ବିନୟ ୟା’ ଭିତରେ ଏମ୍‍.ଏ. ପାସ୍‍ କରି ସାରି ସେହି କଟକରେ ହିଁ ଡେପୁଟି କଲେକ୍ଟର ଚାକିରି ପାଇଗଲାଣି...., ତେଣୁ ସୁକାନ୍ତକୁ ସମସ୍ତେ ମନେପକାନ୍ତି । ମାତ୍ର ମାଧୁରୀର ମନର ଅବସ୍ଥା ଅବର୍ଣ୍ଣନୀୟ ।

 

ଜୀବନହୀନ ଚଳନ୍ତି ଛବିପରି’ ସେ କରିଚାଲେ ଦୈନନ୍ଦିନ କର୍ମ । ନମିତାଠାରୁ ପରେଶର ବ୍ୟବହାର ଶୁଣିବାପରଠୁ ସୁକାନ୍ତ ପ୍ରତି ତା’ର ମମତା ଆହୁରି ବଢ଼ି ଯାଇଛି, ତା’ ଆଖିରେ ସୁକାନ୍ତ ଦେବତା... ପରେଶ ରାକ୍ଷସ । ଖାଲି ତାକୁ କଥା ଦେଇଛି ବୋଲି ସୁକାନ୍ତ ହେଲା ଦେଶାନ୍ତର....ଆଉ ପରେଶ.... ? ବଣଜନ୍ତୁ ଛଡ଼ା ଅନ୍ୟ ଆଖ୍ୟା ଦେଇ ହେବନି ତାକୁ ।

 

ମାଧୁରୀ ସ୍ଥିର କରିଛି....ଯଦି ସୁକାନ୍ତ ନ ଫେରନ୍ତି ତେବେ ତା’ର ବିବାହ କାମନା ଚିରଦିନ ପାଇଁ ବନ୍ଦ୍‍ ରହିବ । ତା’ର ମାନସ ଦେବତା ଚିରଦିନ ମାନସରେ ପୂଜା ପାଉଥିବେ । ପୁରୁଷ ହୋଇ ସୁକାନ୍ତ ଆଦର୍ଶ ଦେଖାଇଲେ । ନାରୀ ହୋଇ ସେ ପାରିବ ନାହିଁ.... ? ନିଶ୍ଚୟ ପାରିବ । ବିବାହ ବ୍ୟତୀତ ଜୀବନଧାରଣର କ’ଣ ସ୍ତରନାହିଁ ? ସେ’ ପଢ଼ିବ...ହେବ ବିଜ୍ଞାନ ଅଧ୍ୟାପିକା । ନହେଲେ ଡାକ୍ତରାଣୀ । ମନକୁ ଦୃଢ଼କରେ ମାଧୁରୀ ।

 

ଦିନେ ଦିନେ ସେ ଭାବେ–‘‘ଏମିତି ରାତି ଅଧରେ ହଠାତ୍‍ ଦିନେ ପହଞ୍ଚିଯିବେ ସୁକାନ୍ତବାବୁ’’, କହିବେ ‘‘କେତେ କଷ୍ଟସହି, ମୁଁ ତମପାଖକୁ ଫେରି ଆସିଛି’’ ମାଧୁରୀ ଉତ୍ତର ଦେବ ‘‘ତମପାଇଁ ମୁଁ ଆଶାର ବତୀ ଜାଳି ଅନାଇଁ ବସିଛି, ପୁରୁଷ ଅପେକ୍ଷା ନାରୀର ଶକ୍ତି କମ୍‍ ବୋଲି ତମେ ଭାବନାହିଁ ।’’ ଚମକ ଭାଙ୍ଗେ–କାହାନ୍ତି ସୁକାନ୍ତବାବୁ ? ହୁଏତ ଏ ଜୀବନରେ ଆଉ ତାଙ୍କ ସଙ୍ଗେ ସାକ୍ଷାତ୍‍ ହେବ ନାହିଁ ।

 

ମାଧୁରୀକୁ ଚାହିଁ ଛଟପଟ ହୁଅନ୍ତି ପ୍ରମିଳା ବିନୟ, ବହୁ ସମ୍ବାଦପତ୍ର ଓ ରେଡ଼ିଓରେ ବିଜ୍ଞାପନ ଦେଇ ନିରାଶ ହେଲା ବିନୟ । ସତେ ଯେପରି ସୁକାନ୍ତ ହରଣଚାଳ ହେଇଯାଇଛି, କିଭଳି ମାଧୁରୀ ମନରେ କିଛି କଷ୍ଟ ନହେବ ସେଥିପାଇଁ ପ୍ରମିଳା ସଦାସର୍ବଦା ଯତ୍ନ କରୁଥାଏ ।

 

ପ୍ରମିଳା ବଡ଼ଘରର ଶିକ୍ଷିତାଝିଅ ହେଲେ ବି ଅହଂକାର ତା’ଦେହରେ ଟିକିଏ ବି ନଥିଲା-। ଅଳ୍ପବୟସରେ ଗୃହିଣୀ ନଥିବା ପରିବାରକୁ ଗୃହିଣୀ ହୋଇ ଆସି ଭରିଦେଲା ସୁଖ ଓ ଶାନ୍ତି ।

 

ବୋହୂର ଏସବୁ ଭଲଗୁଣ ଦେଖି ଶିବବାବୁ ଖୁବ୍‍ ଖୁସି ହୁଅନ୍ତି । ତାଙ୍କର ଚିନ୍ତା...କେବଳ ମାଧୁରୀର ବିବାହ, ସେତକ ସରିଥିଲେ ସେ ଶାନ୍ତିରେ ଆଖି ବୁଜିଥାନ୍ତେ ।

 

ମାଧୁରୀ ସେଦିନ ଆସନ୍ତାକାଲିଟି ପଢ଼ୁ ପଢ଼ୁ ଗୋଟିଏ ପୃଷ୍ଠାରେ ତା’ର ଆଖି ଲାଖିରହିଲା । ସୁନ୍ଦର ଚିତ୍ରଟିଏ । ଶିଳ୍ପୀ ପୁଲିନ୍‍ ମିତ୍ର–କଲିକତା । କଲିକତାର କିଏ ଏହି ଶିଳ୍ପୀ.....ସୁନ୍ଦର ହେଇଛି ଖୁବ୍‍ ଏହାରି ପରି ଚିତ୍ରଟିଏ ସୁକାନ୍ତ ତାକୁ ଉପହାର ଦେଇଥିଲେ । ସେ ଥିଲେ ମାଧୁରୀ କେତେ ନୂଆ ଚିତ୍ର ଆଙ୍କି ଶିଖନ୍ତାଣି । ସତେ ସୁକାନ୍ତ ଆଉ ଫେରିବେ ?

 

ଦିନ ଆଗେଇଛି । ଶିବବାବୁଙ୍କର ଦେହ ଏବେ ଆଉ ମୋଟେ ଭଲ ରହୁନାହିଁ । ମୁଣ୍ଡ ସବୁବେଳେ ଘୂରାଉଛି, ଦେହ ଥରୁଛି । ଡାକ୍ତର ପରୀକ୍ଷା କରି କହୁଛନ୍ତି ‘ଲୋ-ବ୍ଲଡପ୍ରେସର’ ଭଲ ଖାଦ୍ୟ ଓ ଔଷଧ ଖାଇ କିଛି ଚିନ୍ତା ନକଲେ ଶୀଘ୍ର ଭଲ ହୋଇଯିବ । ମାତ୍ର ସେ ଏବେ ବେଶି ଚିନ୍ତିତ-। ମାଧୁରୀ ପାଇଁ ଖାଲି ଚିନ୍ତା କରୁଛନ୍ତି ।

 

ବେଳେ ବେଳେ ପ୍ରମିଳାକୁ କହନ୍ତି, ‘ମାଆ, ତୁ ମାଧୁରୀକୁ ବୁଝା । ସେ ବିଭା ହେବାକୁ ରାଜି ହେଉ–ସୁକାନ୍ତ ସଙ୍ଗେ ଆମର ମହାପ୍ରସାଦ ନିର୍ବନ୍ଧ କି ସେମିତି ନିୟମ କିଛି ହେଇନଥିଲା, ଖାଲି କଥା ପଡ଼ିଥିଲା, ପୁଅ ଝିଅ ଥିଲେ ତ ଦଶଜାଗା ପଡ଼େ, ତା’ ବୋଲି କ’ଣ ସବୁଠି ହୁଏ ? ସୁକାନ୍ତ ବ୍ୟତୀତ କ’ଣ ଭଲପିଲା ଦେଶରେ ନାହାନ୍ତି ?

 

ପୁରୀର ରାମବାବୁ ଆଡଭୋକେଟ ମୋ ପିଲାଦିନର ସାଙ୍ଗ । ତା’ ପୁଅ ପାଇଁ ବିଭାଘର କରିବାକୁ ସେ ନିଜେ ମତେ ଥରେ ଦି ଥର କହିଥିଲା, ପରେଶ ଇଞ୍ଜିନିୟର ହୋଇଛି, ଆହୁରି ମଧ୍ୟ ମନୋରଞ୍ଜନ ମହାପାତ୍ର–ଆଇ.ଏ.ଏସ୍‍. ପାଇଛି । ସେ ମୋର ଛାତ୍ର ଥିଲା–ଖୁବ୍‍ ଭଲ ପିଲା । ତା’ ପ୍ରସ୍ତାବ ବି ଆସିଛି । ଯେଉଁଠି ମାଧୁରୀର ଇଚ୍ଛା ସେଇଠି ଆମେ ବାହାଘର କରନ୍ତେ–ତୁ ଟିକିଏ ଲାଗିପଡ଼ ।

 

ପ୍ରମିଳା ବିବ୍ରତ ହୁଏ, ସେ ଜାଣେ ମାଧୁରୀ ରାଜି ହେବନାହିଁ । ଶଶୁରଙ୍କୁ ବଝାଏ ‘‘ଆପଣ ଏତେ ବ୍ୟସ୍ତ ହେଉଛନ୍ତି କାହିଁକି ବାପା–ମାଧୁରୀ ପଢ଼ୁଛନ୍ତି–ପଢ଼ୁଥାନ୍ତୁ–ଆଉ କିଛିଦିନଗଲେ ତାଙ୍କ ମନ ବଦଳିଯିବ ଯେ–’’

 

ଶିବବାବୁ ଉତ୍ତର ଦିଅନ୍ତି ‘‘ତୁ’ ଯେତେବେଳେ ମୋ ଅବସ୍ଥାକୁ ଆସିବୁ, ସେତେବେଳେ ବୁଝିବୁ ଝିଅ ଅବିବାହିତା ରହିଲେ ବାପ ମାଆଙ୍କ ମନର ଅବସ୍ଥା କିପରି ରହେ, ଏବେ ତ ତୁ ପିଲା–’’ ପ୍ରମିଳା ନୀରବରେ ରହେ ଶଶୁରଙ୍କ ସଙ୍ଗେ ସେ ବା କି ଯୁକ୍ତି କରିବ ।

 

ସମୟ ଓ ସୁବିଧା ଦେଖି ପ୍ରମିଳା ମାଧୁରୀକୁ ବୁଝାଏ । କହେ–ସୁକାନ୍ତବାବୁ ଆଉ କେବେ ଫେରିବେ ମାଧୁରୀ..... ? ତମେ କ’ଣ ସତରେ ତାଙ୍କୁ ଚାହିଁ ଚାହିଁ ଏମିତି ଜୀବନ କଟାଇ ଦେବ, ଦେଖୁଛ ତ ବାପାଙ୍କ ଅବସ୍ଥା କେମିତି ବେଳୁବେଳ ଖରାପ ଆଡ଼କୁ ଗତି କରୁଛି, ସେହି ଗୋଟିଏ କାରଣକୁ ଧରି ସେ ରୋଗ ଭୋଗୁଛନ୍ତି, ଏହା ଜାଣି ମଧ୍ୟ ତମେ ଅବୁଝା ହେଉଛ କାହିଁକି-?

 

ମାଧୁରୀ ମୁହଁର ରଙ୍ଗ ବଦଳିଗଲା, ଭଗବାନଙ୍କର ଉଦ୍ଦେଶ୍ୟ କ’ଣ ତାହା ସେ ବୁଝି ପାରିଲା ନାହିଁ, ମୃଦୁ ହସି କହିଲା, ତା’ହେଲେ ତମମାନଙ୍କର ଇଚ୍ଛା ଶୀଘ୍ର ମୁଁ ଏ ଘରୁ ଯାଏଁ ? ତମେ ବାପାଙ୍କୁ ବୁଝାଇ ପାରିଲ ନାହିଁ ? ତମେ ତ ଜାଣ–ସୁକାନ୍ତବାବୁଙ୍କୁ ମୁଁ କେତେ ଭଲ ପାଉଥିଲି ।

 

–‘‘ସେଇଥି ପାଇଁ ତ ଆଜିଯାଏଁ ବାପାଙ୍କ କଥା ଏଡ଼ାଇ ଆସୁଥିଲି–ଆଉ କିନ୍ତୁ ପାରିବି ନାହିଁ । ବାପାଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟିଦେଇ ତମେ ଅବୁଝା ହୁଅନାହିଁ, ସୁନାଟା ପରା–’’ ଉତ୍ତର ଦେଲା ପ୍ରମିଳା ।

 

ମାଧୁରୀ ମୃଦୁ ହସି କହିଲା, ତା’ହେଲେ ତମେମାନେ ସମସ୍ତେ ଖୁସି ହେବ ମୋ ବିବାହରେ ?

 

–ସେ କଥା କ’ଣ ତମେ ଅନୁମାନ କରୁନାହଁ ?

 

–ସତେ ? ହଉ,ବାପାଙ୍କ ପାଇଁ ମୁଁ ମୋର ସ୍ୱାର୍ଥକୁ ବଳି ଦେବି ! ସୁକାନ୍ତବାବୁଙ୍କ ଚିଠିକୁ ମାନିନେଇ ଦୁଃସ୍ୱପ୍ନ ପରି ଭୁଲି ଯିବି ତାଙ୍କୁ ? ତମେ ଏଥର ବର ଖୋଜ ।’’ ପାଗଳୀ ପରି ହସିଲା ମାଧୁରୀ ।

 

ପ୍ରମିଳା ଆନନ୍ଦରେ ଅଧିର ହୋଇ ମାଧୁରୀକୁ କୁଣ୍ଢାଇ ଧରି କହିଲା–ସତ କହୁଛ ମାଧୁରୀ...ମୋ ରାଣ..... ? ପରିହାସ କରୁନାହଁ ତ ମତେ ?

 

‘‘ସତ କହୁଛି ନୂଆବୋହୂ, କେତେଦିନ ଆଉ ମୁଁ ବାପାଙ୍କ ମନରେ କଷ୍ଟଦେଇ ରହିବି ? ମୋର ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ତାଙ୍କର ଆଶା ପୂର୍ଣ୍ଣ କରିବାଟା ମୋର ଉଚିତ୍‍ ବୋଲି ବହୁତ ଭାବି ଚିନ୍ତା ସ୍ଥିର କରିଛି; କିନ୍ତୁ ଯାହାଙ୍କୁ ବିଭାହେବି–ସେ ଯଦି ସୁକାନ୍ତବାବୁଙ୍କ ପରି ଶାନ୍ତ ସରଳ ନ ହୁଅନ୍ତି ତେବେ ବହୁତ ଦୁଃଖ ପାଇବି–’’

 

ପ୍ରମିଳା ହସିଲା–‘‘ନିଶ୍ଚୟ ପାଇବ ମାଧୁରୀ, ୟା ଭିତରେ କେତେ ଭଲ ପାତ୍ରଙ୍କର ପ୍ରସ୍ତାବ ଆସୁଛି–ବାପାଙ୍କର ଜଣେ ପୂର୍ବର ଛାତ୍ର ମନୋରଞ୍ଜନ ମହାପାତ୍ର ଆଇ.ଏ.ଏସ୍‍. ପାଇଛନ୍ତି । ରେଭିନ୍ୟୁ ସେକ୍ରେଟେରି ହୋଇଛନ୍ତି । ଆଉ ଜଣେ ଗୋପାଳ ସାମନ୍ତରାୟ ଡେପୁଟି ମାଜିଷ୍ଟ୍ରେଟ୍‍ ହୋଇଛନ୍ତି । ଆଉ ବାପାଙ୍କ ସାଙ୍ଗ ରାମବାବୁ ଆଡଭୋକେଟ୍‍ଙ୍କ ପୁଅ ଇଞ୍ଜିନିୟର ପରେଶବାବୁ–ତାଙ୍କ ପ୍ରସ୍ତାବ ତ ବହୁତ ଦିନରୁ ପଡ଼ିଛି, ତମେ ଯେଉଁଠି ଇଚ୍ଛା କରିବ ସେଠାରେ ବାହାଘର କରିବାକୁ ଆଗେଇବା ।’’

 

–ଓଃ....ରୀତିମତ ଗୋଟାଏ ସ୍ଵୟଂବରର ବ୍ୟବସ୍ଥା ଦେଖୁଛି ନୂଆବୋହୂ ! ଏକାଦିନେ ସମସ୍ତଙ୍କୁ ଡକାଇ ନେଇଆସ ଇଣ୍ଟରଭିଉ କରିବା–ସ୍ଵୟଂବର ମାଳା ଧରି ଯାହାକୁ ହେଲେ ବରଣ କରି ନେବି । ଆଉ କିଛି ଗଣ୍ଡଗୋଳ ହେଲେ ତମେ ସେଥିକୁ ଦାୟୀ–’’ ଦୁଷ୍ଟାମି ହସ ହସିଲା ମାଧୁରୀ ।

 

ପ୍ରମିଳା ବାଧା ଦେଇ କହିଲା, ‘‘ତମେ ଭାରି ଚଗଲି ହେଲଣି ଥଟ୍ଟା ନୁହେଁ, ସତରେ ତମେ କୁହନା କାହାକୁ ପାଇଲେ ସୁଖୀ ହେବ ? କହିବ ତ ଫଟୋ ଅଣାଇ ଦେବି ।’’

 

–ଫଟୋ, ମୋର ଦରକାର ନାହିଁ ନୂଆବୋହୂ; ବାହାରର ସୁନ୍ଦର ରୂପରେ କିଛି ମୂଲ୍ୟ ନାହିଁ, ଯାହାର ଅନ୍ତର ଦେଖିଥିଲି ତାଙ୍କୁ ତ ପାଇଲି ନାହିଁ । ମତେ ଭାବିବାକୁ ସମୟ ଦିଅ, ହଁ–ଏ ପରେଶବାବୁଟି କିଏ ? ଆଗରୁ ଏ ନାଆଁ ଶୁଣିଲା ଭଳି ମନେ ହେଉଛି । ମୃଦୁ ହସି ଉତ୍ତର ଦେଲା ମାଧୁରୀ ।

 

ପ୍ରମିଳା ଖୁସି ହେଇ କହିଲା, ‘‘ଶୁଣିଥିବ ନିଶ୍ଚୟ । ବାପାଙ୍କ ସାଙ୍ଗ ରାମବାବୁ ଆଡଭୋକେଟ୍‍ଙ୍କ ପୁଅ, ପୁରୀରେ ତାଙ୍କ ଘର ।’’

 

ମାଧୁରୀ ଭାବିଲାପରି କହିଲା, ‘‘ହଁ ଠିକ୍‍ ମନେପଡ଼ିଲା, ବାପାଙ୍କର ବହୁଦିନତଳେ ଇଚ୍ଛାଥିଲା, ମତେ ଥରେ କହୁଥିଲେ–ମୋ’ ବିବାହଟା କେବଳ ବାପାଙ୍କୁ ଖୁସି କରିବାପାଇଁ, ତେବେ ତାଙ୍କର ପୂର୍ବରୁ ମନୋନୀତ ପାତ୍ରକଥା ନ ହୋଇ ଅନ୍ୟକଥା ହେବ କାହିଁକି ? –ଅନ୍ୟ ପ୍ରସ୍ତାବଗୁଡ଼ିକ ଥାଉ, ତମ ପରେଶବାବୁଙ୍କ ପାଇଁ ସ୍ଥିର କର ।’’

 

କଥା କେଇପଦ କହି ଯେପରି ଦମ୍‍ ହଟିଗଲା ମାଧୁରୀର । ଏକା ନିଶ୍ୱାସକେ ସେ ଛୁଟି ପଳାଇଲା ନିଜ ଶୋଇବା ଘରକୁ । ପ୍ରମିଳା ଆଶ୍ଚର୍ଯ୍ୟ ହୋଇଗଲା ମାଧୁରୀର ବ୍ୟବହାରରେ । ସେ କେବେ ଆଶା କରିନଥିଲା ମାଧୁରୀ ଏଡ଼େ ସହଜରେ ବିଭା ହେବାକୁ ରାଜିହେବ, ପୁଣି ବାପାଙ୍କର ବାହୁତଦିନର ମନୋନୀତ ପାତ୍ରକୁ; ଆନନ୍ଦରେ ଅଧୀର ହୋଇ ଭଗବାନଙ୍କ ଉଦ୍ଦେଶ୍ୟରେ ମୁଣ୍ଡ ନୋଇଁଲା ପ୍ରମିଳା ଏବଂ କାଳ ବିଳମ୍ବ ନକରି ଏ ଶୁଭ ସମ୍ବାଦଟି ଶଶୁରଙ୍କୁ ଜଣାଇବା ପାଇଁ ଧାଇଁଗଲା–

 

ମାଧୁରୀ ବିଭାହେବାକୁ ରାଜିହେଲା... କଥାଟା ଶୁଣି ଆନନ୍ଦରେ ଅଧୀର ହୋଇ ପଡିଲେ ଶିବବାବୁ । ଆସନ୍ତା ପ୍ରଥମ ଲଗ୍ନରେ ବିବାହ ସ୍ଥିରକରିବା ପାଇଁ, ତାଙ୍କ ସାଙ୍ଗ ପରେଶର ବାପା ରାମବାବୁଙ୍କ ନିକଟ ଚିଠି ଲେଖିଲେ । ତାଙ୍କର ଧାରଣା ସମୟ ଗଡ଼ିଲେ କାଳେ ମାଧୁରୀର ପୁଣି ମନ ବଦଳିଯିବି । .....ପୁଣି ସେ ବିଭା ନ ହେବାକୁ ଜିଦ୍‍ ଧରିବ–ଏଣୁ ଶୁଭସ୍ୟଂ ଶୀଘ୍ର– । ପାଗଳୀଟା ଏତେଦିନେ ବାଟକୁ ଆସିଛି– ।

 

ମାଧୁରୀସହ ବିବାହାପ୍ରସ୍ତାବ ଶୁଣି ଆନନ୍ଦ ହେଲେ ପରେଶବାବୁ । ମାଧୁରୀ ସୁନ୍ଦରୀ, ସତ୍‍ଚରିତ୍ରା–ତା’ର ପ୍ରଶଂସା ବହୁପୂର୍ବରୁ ଶୁଣିଆସିଛି ପରେଶ । ମନେ ମନେ ସେ କଳ୍ପନା କରିଛି ମାଧୁରୀକୁ ନେଇ ବହୁତ କିଛି.., ତା’ର ବାପା ବହୁଦିନୁ ଏ ପ୍ରସ୍ତାବ ପକାଇଛନ୍ତି, ଏଣେ ମାଧୁରୀର ବି ମତ ଅଛି, ଏଣୁ ବାଧାବିଘ୍ନ କିଛି ନାହିଁ ।

 

ଆନନ୍ଦରେ ଅଧୀର ହେଲା ପରେଶ, ନମିତାର ସ୍ମୃତି ହୃଦୟର କେଉଁ ଅତଳ ଗହ୍ୱରରେ ବିଲୀନ ହୋଇଗଲା । –ଆଗେଇ ବିବାହ କାର୍ଯ୍ୟ–ପାଖେଇ ଆସିଲା ଶୁଭଶଙ୍ଖ ଭେରି–ମଙ୍ଗଳମହୁରି ଦିନଟି ।

 

ବିବାହ ଦିନ ଯେତେ ପାଖ ହୁଏ–ମାଧୁରୀ ହୁଏ ସେତେ ବିବ୍ରତ । ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରେ ପ୍ରଭୁହେ ଦୟାମୟ, ଅବଳାକୁ ଦମ୍ଭ ଆଉ ବଳ ଦିଅ । ଲାଗ୍‍ ଲାଗ୍‍ ଚାରିଦିନ କ୍ଲାସ୍‍କୁ ଆସିନାହିଁ ମାଧୁରୀ, ନମିତା ମନେ ମନେ ବ୍ୟସ୍ତ ହୁଏ, ମାଧୁରୀ ଦେହ ଖରାପ ହେଲାକି ? ଦେଖାନାହିଁ କାହିଁକି

 

ଝଡ଼ ପରି ସେଦିନ ଓପରଓଳି ତା’ରୁମରେ ପହଞ୍ଚିଲା ମାଧୁରୀ–ଏ’କି ବେଶଭୂଷା ମାଧୁରୀର ? ଦେହରେ ହଳଦୀରଙ୍ଗର ଶାଢ଼ି, ବିଭିନ୍ନ ଅଳଙ୍କାର, ବେକରେ ଫୁଲହାର, କପାଳରେ ଚନ୍ଦନପାଟି–କାବା ହୋଇ ବଡ଼ବଡ଼ ଆଖିରେ ତାକୁ ଚାହିଁରହିଲା ନମିତା–

 

ମାଧୁରୀ ହସିଲା.....ବିଜୟିନୀର ହସ । ଏମିତି ଚାହିଁଛୁ କ’ଣ ନିମି– ? ତୁ’କଣ ଶୁଣିନାହୁଁ କାଲି ମୋର ବାହାଘର ପରେଶବାବୁଙ୍କ ସହିତ ? ଆଜିପରା ମଙ୍ଗଳପାଗ–ମଙ୍ଗୁଳାଝିଅ ମୁଁ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ଠାରୁ ତୋର ଆଠଦିନ ଛୁଟିସହ ଅନୁମତି ପତ୍ର ନେଇ ଆସିଛି, ଏଠି ସମସ୍ତଙ୍କୁ ନିମନ୍ତ୍ରଣ ଦେଇ ସାରିଛି–ଧର୍‍ ତୋ’କାର୍ଡ଼, ଲୁଗା ବଦଳାଇ ଆ’ ମୋ ସଙ୍ଗେ । ଘରେ ଆମର ବନ୍ଧୁବାନ୍ଧବ ଭର୍ତ୍ତି, ମଙ୍ଗୁଳାଝିଅ ବାହାରେ ରହିଲେ ନୂଆବୋହୂ ବିରକ୍ତ ହେବେ ।

 

ନମିତାର ବାକ୍‍ଶକ୍ତି ଯେପରି ଲୋପ୍‍ ହେଇ ଆସୁଥିଲା । କି ଉତ୍ତର ଦେବ କିଛି ଭାଷା ଖୋଜି ପାଉନଥିଲା । ଧୀରେ ଧୀରେ ସେ କହିଲା, ‘ମତେ କ୍ଷମାକର ମାଧୁରୀ, ମୁଁ ତୋ ବିବାହରେ ଯୋଗ ଦେଇ ପାରିବି ନାହିଁ ।’

 

–ପାରିବୁ ନାହିଁ... ? ଏଡ଼େ ଦୁର୍ବଳ ତୁ ନିମି ? ତୋ ପରେଶବାବୁଙ୍କର ମୋ ସହିତ ବିବାହ ତୁ ସହ୍ୟ କରି ପାରିବୁ ନାହିଁ ? ତୁ ଯାହା ନ ପାରିଛୁ ମୁଁ ତାହା କରୁଛି–ଏଥିରେ ତୋର ଆନନ୍ଦ ହେବାର କଥା । ଠୋ ଠୋ ହୋଇ ହସିଲା ମାଧୁରୀ–

 

ନମିତା ଭାବୁଥିଲା ଏ ଦୁନିଆଁ ବିଚିତ୍ର–ଯେଉଁ ମାଧୁରୀ ପାଇଁ ଦେବୋପମ ସୁକାନ୍ତବାବୁ ଆଜି ନିରୁଦ୍ଦେଶ, ସେହି ମାଧୁରୀ ବିବାହ କରୁଛି ପରେଶଙ୍କୁ... । ସବୁ ଜାଣି ସେ କରୁଛି ଉପହାସ ? ମାଧୁରୀକୁ କ’ଣ ସଂସାରରେ ବର ମିଳୁ ନଥିଲା ଶେଷରେ ସେ ଏୟା କଲା–ନାଁ ସତରେ ସେ ଏ ବିବାହ ଦୃଶ୍ୟ ଦେଖି ପାରିବ ନାହିଁ । ଏହି ହଷ୍ଟେଲରେ ବରଂ କରିବ ଆତ୍ମହତ୍ୟା–ସମସ୍ତଙ୍କ ଅଜ୍ଞାତରେ ନିର୍ବାଣ ହେଇଯିବ ତା’ର ଜୀବନଦୀପ ।

 

ମାଧୁରୀ କ’ଣ ଛାଡ଼ିବା ଝିଅ, ହସିଉଠି ସେ କହିଲା–“ଆଲୋ–ଫୁଲେଇ, ତୋ ବରକୁ ବାହାହେଇ ମୁଁ କିପରି ମଜା କରିବି ସେଇତକ ଦେଖିନେଇ ହଷ୍ଟେଲକୁ ଆସିବୁ ।’’

 

ମାଧୁରୀ ପରି ଶାନ୍ତଗମ୍ଭୀର ଝିଅ–ହଠାତ୍‍ ଏପରି ପ୍ରଗଳ୍‍ଭା ହେଇ ପାରିଲା କିପରି... ଆଶ୍ଚର୍ଯ୍ୟ ହେଲା ନମିତା । ମାସେ ପୂରିନାହିଁ–ମାଧୁରୀ ତାକୁ ସାନ୍ତ୍ୱନା ଦେଇ ଯାଇଥିଲା–ଆଉ ଆଜି-?

 

ନମିତା ଥରିଲା ଗଳାରେ କହିଲା, “ହଷ୍ଟେଲକୁ ଫେରିବା ଚିନ୍ତା... ତୋର କାହିଁକି ? ତୁ ତ ଦୂରରେ ଥିବୁ, ତୋ ସଙ୍ଗେ ଆଉ ସମ୍ପର୍କ ରହିବ ନାହିଁ । ମୋ କଥା ଏଣିକି ମୁଁ ବୁଝିବି ।’’

 

ମାଧୁରୀ ମୃଦୁହସି କହିଲା–ମୋ ସଙ୍ଗେ ସମ୍ପର୍କ କମିବ କି ବଢ଼ିବ–ତାହା ପରେ ଜାଣିବୁ, ଆଗେ ପରେଶବାବୁ ମୋ ହାତ ମୁଠାକୁ ଆସିଲେ–ତେଣିକି ତୋ ପାଖକୁ ଆପେ ଆସିବେ–ତୁ ଧୈର୍ଯ୍ୟଧର ସେ ଯାଏଁ– । ଧୈର୍ଯ୍ୟ ଆଉ ନମିତାର ନଥିଲା । ସେ ମାଧୁରୀ ସଙ୍ଗେ ଯିବାକୁ ରାଜି ହେଉ ନଥିଲା, ମାତ୍ର ମାଧୁରୀ ତାକୁ ଯୋଅର ଯବରଦସ୍ତ କରି କାରରେ ବସାଇ ଘରକୁ ନେଇଗଲା; ଆଉ ଆବଶ୍ୟକୀୟ ଜିନିଷପତ୍ର ଅଳଙ୍କାର, ଲୁଗା ଥିବା ଟ୍ରଙ୍କ୍‍ଟି ମଧ୍ୟ ନମିତାକୁ କହି ନେଇଗଲା ।

 

“ତୁ’ ନଗଲେ ମୁଁ ଖୁସି ହେଇ ପାରିବି ନାହିଁ ନିମି–ତୁ’ ନିଶ୍ଚୟ ଯିବୁ’’ । ଏତେ ଦୁଃଖରେ ବି ନମିତା ହସି ପକାଇଲା ମାଧୁରୀ କଥାଶୁଣି ।

 

ଆଜି ମାଧୁରୀର ବିଭାଘର... ଘରେ ଆନନ୍ଦ ଲାଗି ରହିଛି । ନାନାପ୍ରକାର ବାଦ୍ୟନାଦରେ ଦାଣ୍ଡ ଉଛୁଳୁଛି–ଘରଦ୍ୱାର ସୁନ୍ଦର ଭାବରେ ସଜା ହୋଇଛି । ଶିବବାବୁଙ୍କର ଦେହ ସମ୍ପୂର୍ଣ୍ଣ ଭଲ । ସେ ନିଜେ ସବୁକାମର ତଦାରଖ କରୁଛନ୍ତି । ପ୍ରମିଳା ଆଉ ବିନୟଙ୍କୁ ଟିକିଏ ବି ସମୟ ନାହିଁ । ବନ୍ଧୁବାନ୍ଧବ ସାଙ୍ଗସାଥି ଓ ଟାଉନ୍‍ର ବହୁବିଶିଷ୍ଟ ଭଦ୍ରବ୍ୟକ୍ତି ଭଦ୍ରମହିଳା ନିମନ୍ତ୍ରିତ ହୋଇ ଆସିଛନ୍ତି ।

 

ଶିବବାବୁଙ୍କର ଗୋଟିଏ ମାତ୍ର ଝିଅ ମାଧୁରୀ–ତା’ ବାହାଘରରେ ଖର୍ଚ୍ଚ କରିବାକୁ କୁଣ୍ଠିତ ହେବେ କାହିଁକି ? ବିବାହ ସାଜରେ ସଜ୍ଜିତ ହୋଇ ମାଧୁରୀ ଆଜି ଦେବୀମୂର୍ତ୍ତି ପରି ଦିଶୁଛି । ଏସବୁ ଆନନ୍ଦ ଭିତରେ ବୁଡ଼ିରହି ମଧ୍ୟ ଅସହ୍ୟ ବ୍ୟଥାରେ ନମିତା କୁହୁଳୁଛି ତାହା ମାଧୁରୀ ବ୍ୟତୀତ ଅନ୍ୟ କେହି ଜାଣିପାରୁ ନାହାଁନ୍ତି । ମାଧୁରୀ ସର୍ବଦା ନମିତାର ପାଖେ ପାଖେ ରହିଛି ।

 

ରାତି ଦୁଇଟାରେ ବିବାହ ଲଗ୍ନ–ଠିକ୍‍ ବାରଟା ବେଳକୁ ବର ଆସିଲା । କଟକୀ ଜରିକାମରେ ବାଦାମିରଙ୍ଗ କାର୍‍ଟି ଗୋଟିଏ ସୁନ୍ଦର ମୟୂରଭଳି ଦେଖା ଯାଉଥାଏ, ଗ୍ୟାସ୍‍ବତୀ, ବାଣ, ବାଜା ଫୁଲଝାଡ଼, ରୋଷଣୀରେ ଟାଉନ ହୁଲସ୍ଥୁଲ ।

 

ବରବେଶୀ ପରେଶବାବୁଙ୍କୁ କୁଳପ୍ରଥାନୁଯାୟୀ ବରଣ କରାଗଲା । ବର ଦେଖିବାପାଇଁ ନମିତା ମାଧୁରୀଙ୍କ ବ୍ୟତୀତ ଅନ୍ୟ ସମସ୍ତେ ବ୍ୟସ୍ତ । ବରର ରୂପ ପ୍ରଶଂସାରେ ସମସ୍ତେ ମୁଖରିତ । ନମିତା ଆଉ ସହିପାରୁନି, ମାଧୁରୀ ସିନା ତାକୁ ପାଖେ ପାଖେ ଜଗିଥିଲା... ଏଥର ମାଧୁରୀ ବେଦିକୁ ଗଲେ ସେ କରିବ ତା’ର ଦେଖିଲା କାମ–ଏହାହିଁ ସ୍ଥିର କରି ଦମ୍ଭଧରି ବସି ରହିଥାଏ ନମିତା ।

 

ଶିକ୍ଷିତ ଶିବବାବୁ ପୁରାତନ ପ୍ରଥାନୁସାରେ ବିବାହକାର୍ଯ୍ୟ କରାଉ ଥାଆନ୍ତି । ବର ବେଦିକୁ ଗଲା, ପ୍ରଥମ ବରଣର ଶେଷପରେ କନ୍ୟାକୁ ବେଦିକୁ ନେବାକୁ ବାରିକାଣୀ ବାହାରିଲା–ମାଧୁରୀ ପରିସ୍ରାକରି ଆସିବାପାଇଁ ନମିତାକୁ ସାଙ୍ଗରେ ନେଇ ବାଥ୍‍ରୁମ୍‍କୁ ଗଲା–

 

ବାରିକାଣୀ ଚୁପ୍‍ ହୋଇ ବସି ରହିଲା । ଅନ୍ୟମାନେ ବର ଓ ବିଭାଘର ଦେଖିବା ପାଇଁ ବେଦିର ଆଖ ପାଖ ସ୍ଥାନକୁ ଚାଲିଗଲେ ।

 

କବାଟ ଭିତରୁ ବନ୍ଦ୍‍କରି ବାଥ୍‍ରୁମ୍‍ର ଲାଇଟ୍‍ ଜଳାଇଲା ମାଧୁରୀ–ଖୋଲି ପକାଇଲା ଓଢ଼ଣୀଟା, ପାଣି ପାଇପ ପାଖରେ ଧୋଇ ପକାଇଲା ମୁହଁର ଚନ୍ଦନସିନ୍ଦୂର, ଖୋଲି ପକାଇଲା ନିଜଦେହରେ ଅଳଙ୍କାର ଓ ବାହାଶାଢ଼ି । ଟାଣି ଆଣିଲା ନମିତା ଦେହରୁ ତା’ ପିନ୍ଧିଥିବା ଶାଢ଼ିଟା–ସେଇଟା ନିଜେ ଚଟ୍‍ ପଟ୍‍ ପିନ୍ଧି ପକାଇ, ନିଜର ଅଳଙ୍କାର ଓ ବାହାଶାଢ଼ିଟା ପିନ୍ଧାଇ ବସିଲା ନମିତାକୁ, ସତେ କି ଗୋଟିଏ ମେସିନ୍‍ ।

 

ନମିତା ଆଶ୍ଚର୍ଯ୍ୟ ହୋଇଗଲା ମାଧୁରୀର କାର୍ଯ୍ୟକଳାପ ଦେଖି । କହିଲା, “ଏ’ କ’ଣ କରୁଛୁ ମାଧୁରୀ–ତୁ’ କ’ଣ ପାଗଳ ହୋଇ ଗଲୁନାଁ କ’ଣ ? ଏଗୁଡ଼ା ମତେ କାହିଁକି ପିନ୍ଧାଉଛୁ ଶୁଣେ-?’’

 

ମାଧୁରୀର କାର୍ଯ୍ୟ ସରିଥିଲା... ଓଢ଼ଣୀ ଚାଦରଟା ନମିତା ମୁଣ୍ଡରେ ପକାଇ ତାକୁ କୁଣ୍ଢାଇଧରି କହିଲା... “ସତରେ ନିମି, ତୁ’ ମତେ ପାଗଳ କରିଦେଲୁ, ତୋ’ରି ଚିନ୍ତା ମତେ ଦିନରାତି ଅସ୍ଥିର କଲା, ତୋ’ରିପାଇଁ ମୁଁ ବହୁ କଷ୍ଟରେ ଏ ଉପାୟଟି ସ୍ଥିର କଲି । ସୁକାନ୍ତବାବୁଙ୍କୁ ଭୁଲିବାର ଛଳନା କଲି–ଯୋଗକୁ ବାପା ନୂଆବୋହୂ ଯେପରି ମୋ ବିଭାଘର ପ୍ରସ୍ତାବ ଉଠାଇଲେ ପରେଶବାବୁଙ୍କ ପାଇଁ ମତଦେଇ ଅନ୍ୟ ପ୍ରସ୍ତାବଗୁଡ଼ିକ ଆଡ଼େଇ ଦେଲି ।

 

ବହୁତ ବିଚାର କରି ଦେଖିଛି ଏହାଛଡ଼ା ତୋ’ପାଇଁ ଅନ୍ୟକିଛି ଉପାୟ ନାହିଁ । ବାହାଘର ତୋର–ମୋର ନୁହେଁ । ଆଉ ଯାହା କରିଥିଲେ ପରେଶବାବୁ ମୋଟେ ଧରାଦେଇ ନ ଥାନ୍ତେ–କିନ୍ତୁ ବର୍ତ୍ତମାନ ନିଶ୍ଚିନ୍ତ ଭାବରେ ତୋର ତାଙ୍କସହ ବାହାଘର ହେଇ ଯାଉଛି ।’’

 

ସପନ ଦେଖୁଛି କି ଏକଥା ସତ ନମିତା ସେ ଯାଏଁ ନିଜେ ସ୍ଥିରକରି ପାରୁନଥିଲା–“ଏସବୁ କ’ଣ କହୁଛୁ ମାଧୁରୀ ? ମୁଁ କିଛି ବୁଝି ପାରୁନାହିଁ । ମଉସା, ବିନୁଭାଇ, ନୂଆବୋଉ ଦୁଃଖ ପାଇବେ । ତାଙ୍କ ସମ୍ମାନରେ ଆଞ୍ଚ ଆସିବ । ଆଉ ଏଣେ ଗୁଡ଼ାଏ ଟଙ୍କା ତାଙ୍କର ନଷ୍ଟ ହୋଇଯିବ ।’’

 

ମାଧୁରୀ ହସିଲା–ହେଲେ ତୋ’ ଜୀବନ, ସମ୍ମାନ ତୁଳନାରେ ସେସବୁ ବଡ଼ ନୁହେଁ । ସବୁକଥା ଜାଣିଲେ ବାପା ଦୁଃଖ ନକରି ବରଂ ଖୁସି ହେବେ । ପରେଶବାବୁ ତୋର, ମୁଁ ତାଙ୍କୁ ତୋ’ଠାରୁ ଛଡ଼ାଇ ନେବି ଏହା ଦୁନିଆଁ କହିଲେ ବି ତୁ ମତେ ଏଡ଼େ ସ୍ୱାର୍ଥପର ଭାବି ପାରିଲୁ କିପରି-? ତୋ’ ମଙ୍ଗଳପାଇଁ ମୋର ଏ ଗୋଟେ ଖେଳ ! ପରେଶବାବୁ ଭାବିଥିଲେ ତତେ ଠକିଦେଇ ସୁଖରେ ସଂସାର କରିବେ । ବର୍ତ୍ତମାନ କିଏ ଠକିଲା ସେ ବେଶ୍‍ ବୁଝିପାରିବେ ।

 

ତୁ’ ତ ଜାଣୁ ସୁକାନ୍ତବାବୁଙ୍କ କଥା–ସେ ମୋ ଜୀବନର ଧ୍ରୁବତାରା–ମୋର ବିବାହର ପ୍ରଶ୍ନ ନାହିଁ । ମୁଁ ବିଭା ହେବାକୁ ଚାହିଁଥିଲେ ଆଇ.ଏ.ଏସ୍‍ ଅଫିସର ମନୋରଞ୍ଜନବାବୁଙ୍କୁ ବିଭାହେଇ ପାରିଥାନ୍ତି । ତୁ ଦୁନିଆକୁ ଦେଖେଇଦବୁ ନାରୀ ପୁରୁଷର ଖେଳ କଣ୍ଢେଇ ନୁହେଁ, ସେ ବି ପ୍ରତିଶୋଧ ନେଇପାରେ । ନାରୀ ପୁରୁଷର ସହଧର୍ମିଣୀ ଆଉ ସହକର୍ମିଣୀ–ପରେଶବାବୁଙ୍କ କୃତକର୍ମ ପାଇଁ ତାଙ୍କୁ ଅନୁତାପ କରିବାକୁ ହେବ ।’’

 

‘‘ଅନୁତାପ ନକରି ମୋର ମାତୃତ୍ୱକୁ ସେ ଯଦି ଅସ୍ୱିକାର କରି ମତେ ତ୍ୟାଗ କରନ୍ତି ତେବେ କ’ଣ ହେବ ମୋର ଅବସ୍ଥା ତାହା ଅନୁମାନ କରି ପାରୁଛୁ ?’’ ଥରିଲା ସ୍ୱରରେ କହିଲା ନମିତା ।

 

ମାଧୁରୀ ମୃଦୁହସି କହିଲା, ‘‘ନା, ତା’ ସେ ପାରିବେ ନାହିଁ । ସେଭଳି ପ୍ରଶ୍ନ ଯଦି ଉଠେ... ତମ ଦୁହିଁଙ୍କ ପ୍ରଣୟର ସାକ୍ଷୀ ତାଙ୍କର ତୋ’ ପାଖକୁ ଦେଇଥିବା ଚିଠି ଆଉ ତମ ଦୁହିଁଙ୍କ ମିଳିତ ଫଟୋଗୁଡ଼ିକ ଦରକାର ବେଳେ କର୍ମରେ ଲାଗିବ । ରଖିଥିବୁ ତ ସେସବୁ ?’’

 

“ହଁ, ଯେଉଁ ଲୁଗାଟ୍ରଙ୍କ୍‍ଟି ତୋ’ ନିର୍ଦ୍ଦେଶରେ ଆଣିଲି ତା’ରି ଭିତରେ ସବୁ ଚିଠି, ଫଟୋ ରହିଛି ତୁ’ ସେସବୁ ପାଖରେ ରଖିଥିବୁ । ବାପା ଯେପରି ରାଗିଲୋକ, ସେ ଯେ କ’ଣ ଭାବିବେ–ତା’ଛଡ଼ା ତାଙ୍କ ସମ୍ମାନ–’’

 

କଥା ଛଡ଼ାଇ ନେଇ ମାଧୁରୀ କହିଲା, “ସବୁ ଠିକ୍‍ ରହିବ କେହି କିଛି ଜାଣିପାରିବେ ନାହିଁ, ସେ ସବୁ ଦାୟିତ୍ୱ ମୋର । ତୁ’ ନିଶ୍ଚିନ୍ତ ମନରେ ବେଦିକୁ ଯାଆ ।’’

 

ନମିତା ମାଧୁରୀକୁ ଜାବୁଡ଼ିଧରି କହିଲା, “ତୁ’ ମୋର ସାଙ୍ଗ ନୋହୁଁ ସ୍ୱର୍ଗର ଦେବୀ... ମତେ କହ ୟା’ ପରେ ତୁ’ କ’ଣ କରିବୁ ।’’

ନିର୍ଭିକ ହସ ହସି ମାଧୁରୀ କହିଲା, “କିଛି ନାହିଁ, ଯାହା ଅଛି ସେୟା ରହିବି । ଜୀବନର ଅବଲମ୍ବନ ପାଇଁ ଡାକ୍ତରି ପଢ଼ି ଏ ଦେଶର କୋଟି କୋଟି ନର ନାରୀଙ୍କର ସେବାକରି ପାଇବି ତୃପ୍ତି-। ଯା ନିମି–ଲଗ୍ନ ଗଡ଼ିଯାଉଛି ଡେରିହେଲେ କେହି ସନ୍ଦେହ କରିପାରେ । ଆଗେ କାମ ସରିଯାଉ ।

ନମିତା ମାଧୁରୀର ପାଦତଳେ ପ୍ରଣାମ କରି କହିଲା, “ତୁ’ ଆଜିଠୁ ମୋର ବଡ଼ ଭଉଣୀ, ମତେ ଆଶୀର୍ବାଦ କର ଭଉଣୀ, ସବୁ ଝଡ଼ ଝଞ୍ଜା ବିତାଇ ସୁଖରେ ସଂସାର କରେ ।’’ ନମିତା ଆଖିର ଲୁହ ମାଧୁରୀର ପାଦ ତିନ୍ତାଇଲା–ମାଧୁରୀ ନମିତାକୁ ତଳୁ ଉଠାଇ ତା’ ଲୁହ ପୋଛିଲା । ଲଗ୍ନ ଗଡ଼ିଯାଉଛି ବୋଲି ଏତିକିବେଳେ ବାରିକାଣୀ ଦୁଆର ବାଡ଼େଇଲା ।

–“ଯା’ ନିମି ଈଶ୍ୱର ତୋର ମଙ୍ଗଳ କରନ୍ତୁ’’ କହି ଲାଇଟ୍‍ ଲିଭାଇ କବାଟ ଖୋଲିଲା ମାଧୁରୀ । ଅନ୍ଧାରରେ ବୋହୂ ବେଶୀ ନମିତାକୁ ବେଦିପାଖକୁ ବାରିକାଣୀ ନେଇଗଲା, ସେହି ଅନ୍ଧାର ଘରେ କିଛି ସମୟ ଠିଆହୋଇ ଲୋକଙ୍କ ଚାଲିଚଳନକୁ ଲକ୍ଷ୍ୟ କଲା ମାଧୁରୀ ।

ବାହାଘର ଭଲରେ ସରିଗଲା.....କନ୍ୟା ଘେନି ବରଯାତ୍ରୀ ଦଳ ସର୍ବ ଶୁଭରେ ପୁରୀରେ ପହଞ୍ଚିଲେ । ବୋହୂର ସୁନ୍ଦର ରୂପ ଆଉ ଯୌତୁକର ପ୍ରଶଂସାରେ ସମସ୍ତେ ଆନନ୍ଦରେ ଶତମୁଖ । ବୋହୂଟି ଆଧୁନିକା, ଶିକ୍ଷିତା.....ଚିରଦିନ କଟକ ଟାଉନରେ ବଢ଼ି ଆସିଛି ତଥାପି ପୂରାପୂରି ପରଦାପ୍ରଥା ମାନିଛି, ଏହା ଦେଖି.....ଶାଶୁ ଓ ସେହି ସ୍ତରର ସ୍ତ୍ରୀଲୋକମାନେ ଭାରିଖୁସି ।

ପରେଶବାବୁଙ୍କ ବହୁଦିନର କଳ୍ପନା ଆଜି ସତ୍ୟରେ ପରିଣତ ହୋଇଛି–ତାଙ୍କର ବଡ଼ଭାଇ ନାହିଁ ସେ ବଡ଼, ଏକଥା ସେ ନମିତାଠାରୁ ଗୋପନ ରଖିଥିଲେ । ଆଉ କଟକରେ ରହି ମଧ୍ୟ ଶେଷ କେଇଦିନ ସମ୍ବଲପୁର ଯିବା ବାହାନାରେ ଦୂରେଇ ରହିଥିଲେ, କାରଣ ନମିତା ତାଙ୍କୁ ବିଭାହେବାକୁ ଚାହୁଁଥିଲା, ଆଉ ସେ ଚାହୁଁଥିଲେ ମାଧୁରୀକୁ ।

ପିଲାଦିନେ ସେ ଥରେ ଦି’ଥର ମାଧୁରୀକୁ ଦେଖିଛନ୍ତି । ଏବେ ଦେଖାସାକ୍ଷାତ୍‍ ନାହିଁ ଯଦିଓ ତା’ ପ୍ରଶଂସା ସେ ବରାବର ଶୁଣି ଆସୁଛନ୍ତି । ଭଲଝିଅ ବୋଲି ଟାଉନରେ ମାଧୁରୀର ବି ସୁଖ୍ୟାତି ଥିଲା । ବାପା ତ ବହୁତଦିନୁ ପ୍ରସ୍ତାବ ପକାଇଥିଲେ, ଶିବବାବୁଙ୍କ ଚିଠି ପାଇବା ପରେ–ସେ ନିଜେ ସମ୍ମତି ଦେଲେ ।

ଦୀପଶୀଖା.....ନିଷ୍ପ୍ରଭ ହୋଇ ଆସୁଛି......ଲିଭି ଲିଭି ଆସୁଛି ଧୂପବତୀ.....ନବବଧୂ ମୁଣ୍ଡନୋଇଁ ଓଢ଼ଣାଟାଣି ବସିଛି–ପରେଶବାବୁଙ୍କ ଲୁହା ସିମେଣ୍ଟ ଯୋଜନା ମୁଣ୍ଡଭିତରଟା ଫୁଲପରି ନରମ ହେଇଗଲା । ସେ ଆସ୍ତେ ଆସ୍ତେ ଡାକିଲେ ମାଧୁରୀ.....ମାଧୁରୀ.....ମାଧୁରୀ.....’’

ମୌନାବତୀର ମୌନ ଆଜି ଭାଙ୍ଗିବ ନାହିଁ ଯେପରି । –ମାଧୁରୀ ତମେ ଖୁବ୍‍ ଭଲବୋଲି ମୁଁ ବହୁଦିନରୁ ଶୁଣି ଆସୁଛି । ମୁଁ ତୁମକୁ ପାଇ, କେତେ ଯେ ଖୁସି ତାହା କି ଭାଷାରେ ଜଣାଇବି ? କିନ୍ତୁ ଆଜିପରା ଦିନରେ ତମଭଳି ବିଜ୍ଞାନଛାତ୍ରୀ ମୁଣ୍ଡରେ ଏ ଓଢ଼ଣା ସୁନ୍ଦର ନୁହେଁ ।

ନବବଧୂ ନୀରବ.....ସେ ଯେପରି ପାଟି ନ ଖୋଲିବାକୁ ପ୍ରତିଜ୍ଞା କରିଛି । ପରେଶବାବୁ ଦି’ ପାଦ ଆଗେଇ ଯାଇ ନବବଧୂର ଓଢ଼ଣାଟି ଆପେ ଘୁଞ୍ଚାଇ ଦେଲେ । ....ନିର୍ଜନ କକ୍ଷ-କାନ୍ଥରେ କେଉଁଠି ଝିଟ୍‍ପିଟ୍‍ ଡାକୁଥାଏ ଟିକ୍‍ ଟିକ୍‍ ଟିକ୍‍ । କାନ୍ଥ ଘଣ୍ଟାରେ ଠନ୍‍ ଠନ୍‍ ହୋଇ ଦୁଇ ବାଜିଲା ।

ଓଢ଼ଣାଟା ଟେକିଦେଇ ଦି’ପାଦ ପଛକୁ ଘୁଞ୍ଚିଗଲେ ପରେଶବାବୁ । ଡରିଲା ଥରିଲା ଗଳାରେ ତାଙ୍କ ପାଟିରୁ ବାହାରିଗଲା ଗୋଟିଏ ଶବ୍ଦ ‘‘ନମିତା’’–

 

ଥର ଥର ହୋଇ ଥରିଉଠିଲା ହାତ–ଦେହରୁ ଗମ୍‍ ଗମ୍‍ ଝାଳ ବୋହି ତିନ୍ତାଇ ଦେଲା ପିନ୍ଧିଥିବା ଶିଲ୍‍କ ପଞ୍ଜାବି, ନାକରୁ ବାହାରୁ ଥିଲା ଗରମ ନିଶ୍ୱାସ ।

 

–ସ୍ଵପ୍ନ ନୁହେଁ ସତ୍ୟ–‘ମାଧୁରୀ’ ନୁହେଁ ‘ନମିତା’–

 

–ତମେ କେମିତି ନମିତା ? –କ୍ଳାନ୍ତକଣ୍ଠରେ ପ୍ରଶ୍ନକଲେ ପରେଶ । ମତେ କ୍ଷମାକର–ନବବଧୂର ନୂତନ ସିନ୍ଦୂର ରଞ୍ଜିତ ମସ୍ତକ ଲୋଟି ପଡ଼ିଲା ପରେଶବାବୁଙ୍କ ପାଦତଳେ, ଲୁହରେ ତିନ୍ତିଲା ପାଦ– । ପରେଶ ପଛକୁ ଘୁଞ୍ଚିଯାଇ କହିଲେ, ‘‘ଗୋଟାଏ ଷଡ଼ଯନ୍ତ୍ର କରି ଏ ବାହାଘରର ଆୟୋଜନ ତମେ କରିଛ, ମୁଁ ଯଦି ତମକୁ ଗ୍ରହଣ ନ କରେ, ତେବେ ତମ ଅବସ୍ଥା କ’ଣ ହେବ ଚିନ୍ତାକରିଛ ତ ?’’

 

ନମିତା ଅଶ୍ରୁଳ ଆଖିରେ କହିଲା, ‘‘ଆପଣଙ୍କ ଶେଷ ଚିଠି ପାଇବା ପରଠୁ ମୁଁ ଆପଣଙ୍କ ଚାଲ୍‍ବାଜି ଜାଣିସାରିଛି । ଆପଣ କଟକରେ ଥାଇ ମୁଁ ସମ୍ବଲପୁର ଆଜି ଯାଉଛି ବୋଲି ମତେ ଜଣାଇଛନ୍ତି । ଗୋଟିକ ପରେ ଗୋଟିଏ ବାଳିକାର ସର୍ବସ୍ଵ ଲୁଣ୍ଠନ କରିବା ବୋଧେ ଆପଣଙ୍କର ଇଚ୍ଛା–’’

 

–‘‘ନମିତା.....’’ ଉତ୍ତେଜିତ କଣ୍ଠରେ ଡାକିଲା ପରେଶ । ‘‘ଆପଣ ମତେ ଠକି ପାରନ୍ତି–ମୁଁ ଆପଣଙ୍କ ଅନାଗତ ସନ୍ତାନର ମାଆ କି ନୁହେଁ ତାହା ଭଗବାନଙ୍କୁ ଆପଣ ଠକି ପାରିବେ ନାହିଁ । ମୋ ଭୁଲ୍‍ର ପ୍ରାୟଶ୍ଚିତ ପାଇଁ ମୁଁ କୂଅ ପୋଖରୀ କ’ଣ ପାଇ ନ ଥାନ୍ତି ନା ପାଇବି ନାହିଁ ? ସେ ତ ମତେ ତ୍ୟାଗ କରି ପାରିବେ ନାହିଁ, ଆପଣ ଅସ୍ୱୀକାର କଲେ ବି ଆମ ଦୁହିଁଙ୍କ ପ୍ରଣୟର ପ୍ରମାଣ ସ୍ଵରୂପ ଆପଣଙ୍କର ଅଗଣିତ ପ୍ରେମପତ୍ର ଆଉ ଆମର ଯୁଗ୍ମ ଫଟୋଗୁଡ଼ିକ ସବୁ ସାଇତା ହୋଇ ରହିଛି–ସେ କୋର୍ଟରେ ଠିକ୍‍ ପ୍ରମାଣ କରି ଶିକ୍ଷିତ ମହଲରେ ଆପଣଙ୍କ ଅସଲରୂପ ପଦାରେ ପକାଇ ଦେବ ।’’

 

ପରେଶବାବୁଙ୍କର ଗରମ ରକ୍ତ ଶିଥିଳ ହୋଇ ଆସିଲା । ପ୍ରକୃତରେ ଏତେଗୁଡ଼ିଏ ପ୍ରମାଣ ତ ରହିଛି, ନମିତା ବଡ଼ଘରର ସୁନ୍ଦରୀ, ଶିକ୍ଷିତା ଝିଅ, ଦିନେ ସେ ନିମିକୁ ଭଲ ପାଇଥିଲେ ପ୍ରାଣଭରି, ତାଙ୍କରି ପାଇଁ ନିମି ଆଜି କଳଙ୍କିନୀ । କୌଶଳରେ ହେଉ ମଧ୍ୟ ସେ ତାକୁ ବିବାହ କରି ସାରିଲେଣି । ଆଉ ଅସ୍ୱୀକାର କରି ହେବନାହିଁ । ତାଙ୍କର ନିଜଲେଖା ଚିଠି ଆଉ ଫଟୋ ସବୁ ପ୍ରମାଣ କରିଦେବ ।

 

ଚାକିରି ଆଉ ସମ୍ମାନରେ ବି ଆଞ୍ଚ ଆସିବ.....ଲୋକେ ହସିବେ । ଘୁଅ ଘାଣ୍ଟିଲେ ଗନ୍ଧାଇବ ସିନା ବାସିବ ନାହିଁ । ନମିତାର ପ୍ରକୃତ ପରିଚୟ ପାଇ ଘରେ ସମସ୍ତେ ଖୁସି ହେବେ ବରଂ ବିରକ୍ତ ହେବେ ନାହିଁ; କାରଣ ତା’ ବାପାଙ୍କର ମାନ ସମ୍ମାନ, ଧନ, ପ୍ରତିପତ୍ତିର ଊଣା ନାହିଁ କି ନମିତାର ରୂପ ଓ ଶିକ୍ଷାରେ ଊଣା ନାହିଁ ।

 

ଘରକୁ ବହୁତ ବନ୍ଧୁବାନ୍ଧବ ଆସିଛନ୍ତି.....ଅଯଥା ଗୋଳମାଳ ସୃଷ୍ଟିକରି ତାଙ୍କୁ ନିଜ କୃତକର୍ମ ଶୁଣାଇବେ କାହିଁକି ? ବରଂ ଏହି ଜୀବନ ଭଲ । ନିମି ତ ପର ନୁହେଁ–ତାଙ୍କରି ନିମି–ତା’ପାଇଁ ତ’ ଦିନେ ସେ ପାଗଳ ହେଉଥିଲେ, ଆଜି ଅବା ନ ହେବେ କାହିଁକି ?

Unknown

 

ବନ୍ଧୁବାନ୍ଧବ ଥିବାଯାଏଁ ସେ ମାଧୁରୀ ହେଇ ଥାଉ–ତା’ପରେ ନମିତା ହେବ । ଭାଗ୍ୟ ଓ ଭଗବାନ ଛଡ଼ା କେହି ବଡ଼ଲୋକ ନାହିଁ ।

 

ପରେଶ ଜୋର କରି ମୁହଁରେ ହସଟାଣି ନମିତାର ଲୁହ ପୋଛି କହିଲେ, ‘‘ଭଗବାନ ଆମ ଦୁଃଖ ବୁଝିଛନ୍ତି ନିମି, ବାପାଙ୍କ ବାଧ୍ୟରେ ସିନା ମାଧୁରୀ ପ୍ରସ୍ତାବରେ ରାଜିହେଲି । ମୋର କ’ଣ ତମ ଚିନ୍ତା କମ୍‍ ଥିଲା ଭାବୁଛ..... ? ମୋ’ ଥଟ୍ଟା କଥାକୁ ସତ ଭାବି ତମେ କ’ଣ ସତରେ ରାଗିଯାଉଛ ? କିଛିଦିନ ତମେ ମାଧୁରୀ ହୋଇ ରହିଥାଅ, ମୁଁ ତମର ପ୍ରକୃତ ପରିଚୟ କରାଇଦେବି ଲୋକଗହଳି କମିଲେ ।’’

 

ଭଗବାନଙ୍କ ଉଦ୍ଦେଶ୍ୟ ମହତ୍‍–ସେ ସବୁ ବିଘ୍ନ କଟାଇ ଆମକୁ ମିଳାଇଛନ୍ତି, ମୋ ଭୁଲ୍‍ ପାଇଁ ମୁଁ କ୍ଷମା ମାଗି ନେଉଛି, କିନ୍ତୁ ଆମ ବିବାହ କିପରି ସମ୍ଭବ ହେଲା ଏଥର ତମେ ନିର୍ଭୟରେ କୁହ..... ।’’

 

ପରେଶବାବୁଙ୍କ ବକ୍ଷ ଉପରେ ମୁଣ୍ଡରଖି ନମିତା କହିଚାଲିଥିଲା ସେ କିପରି ଆତ୍ମହତ୍ୟା କରିବାକୁ ଯାଉଥିଲା, ମାଧୁରୀ ତାକୁ ସେଥିରୁ ନିବର୍ତ୍ତାଇ ନିଜ ବିବାହର ଆୟୋଜନ କଲା । ତାହା ତା’ ନିଜ ବ୍ୟତୀତ କେହି ଜାଣି ନ ଥିଲେ ଏପରିକି ବେଦିକୁ ଯିବାଯାଏଁ ନମିତା ମଧ୍ୟ ଜାଣି ନଥିଲା ।

 

ମାଧୁରୀ ନିଜେ ମଙ୍ଗୁଳା ଝିଅ ହୋଇ ଅଭିଆଡ଼ି ରହି ବାପ-ଭାଇଙ୍କର ଗୁଡ଼ାଏ ଟଙ୍କା ଅଯଥା ଖର୍ଚ୍ଚ କରାଇ ନିଜ ସମ୍ମାନରେ ଆଞ୍ଚ ଆଣି ନମିତାର ସମ୍ମାନ ଜୀବନ ରକ୍ଷା କଲା । କେହି ନ ଜାଣି ସାବଧାନରେ କନ୍ୟା ବିଦା ହେଲା ।

 

ସବୁ ଗୋଟି ଗୋଟି ଘଟଣା କହିଗଲା ନମିତା । ପାହି ପାହି ଆସିଲା ମଧୁରାତି, ମାଧୁରୀ ପ୍ରତି ଶ୍ରଦ୍ଧା ଓ ଭକ୍ତିରେ ଭରିଗଲା ନବଦମ୍ପତିଙ୍କ ହୃଦୟ ।

 

ମାଧୁରୀ ଭାବେ ସେଦିନ କଥା । ଭଗବାନ ତା’ର ସହାୟ ହୋଇ ନ ଥିଲେ ସେ ଏତେ ବଡ଼ ସମାସ୍ୟାର ସମାଧାନ ଏଡ଼େ ସହଜରେ କରାଇ ପାରି ନ ଥାନ୍ତା । ଏ ବୁଦ୍ଧି ତା ମୁଣ୍ଡରେ ପଶିଲା କିପରି ? ଯେଉଁ ପରେଶ ଗୋଟିଏ ବାଳିକାର ଜୀବନ ନଷ୍ଟକରି କଳଙ୍କିନୀ ଆଖ୍ୟା ଦେଇ ମୃତ୍ୟୁପଥକୁ ତାକୁ ଛାଡ଼ି ଦେଇଥିଲା ସେହି ନରପିଶାଚକୁ ବିବାହ କରିଥାନ୍ତା ମାଧୁରୀ ?

 

ମନେପଡ଼େ ସେଦିନ କଥା...ନମିତା ବେଦିକୁ ଗଲା–ଲୋକ ଗହଳି ଓ ମୁଣ୍ଡରେ ଓଢ଼ଣା ଥିବାରୁ ତାକୁ କେହି ଚିହ୍ନିପାରି ନ ଥିଲେ । ବାହାଘର ଚାଲିଥାଏ–ଉପସ୍ଥିତ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାଗଣ କିଏ ବାହାଘର ଦେଖୁଛି ତ କିଏ ଶୋଇ ପଡ଼ିଲେଣି, ପାଖ ପାଖ ଲୋକ ବି ପଳେଇ ଗଲେଣି ନିଜ ଘରକୁ । ପ୍ରମିଳା ନିଜ ଶୋଇବା ଘରେ କ’ଣ କାମରେ ବ୍ୟସ୍ତ । ମାଧୁରୀ ସବୁ ଆଡ଼କୁ ଚାହିଁ ଦେଖିଲା–ଏଇଟା ନିରୋଳା ବେଳ, ସେ ଆସ୍ତେ ଆସ୍ତେ ପ୍ରମିଳା ପାଖରେ ପହଞ୍ଚି, ଭିତରୁ କବାଟ ବନ୍ଦ୍‍କରି ଦେଇ ଧୀର ସ୍ଵରରେ ଡାକିଲା–‘‘ନୂଆବୋହୂ ।’’

 

ପ୍ରମିଳା ମାଧୁରୀକୁ ଦେଖି ବିଶ୍ୱାସ କରିପାରିଲା ନାହିଁ । ମାଧୁରୀ ତମେ ? ପାଟି ଖନି ବାଜିଗଲା ପ୍ରମିଳାର । ଆଖିର ତାରକା ତା’ର ଯେପରି ଓଲଟି ପଡ଼ିଲା । ବେଦିରେ ମାଧୁରୀ ବସିଛି...ଝରକାରେ ଦିଶୁଛି–ଆଉ ଆଗରେ ଠିଆ ହୋଇଛି ମାଧୁରୀ; କେଳାର କୁହୁକ ନାଁ ଜାଦୁକରର ଜାଦୁ ? ଡରିଲା ସ୍ଵରରେ ପ୍ରମିଳା କହିଲା, ‘‘ଏ କ’ଣ ମାଧୁରୀ–ଜଣେ ମଣିଷର ଦୁଇଟା ଦେହ...କିଛି ବୁଝିପାରୁ ନାହିଁ ମୁଁ ।’’

 

ପ୍ରମିଳା ପାଟିରେ ହାତ ଦେଲା ମାଧୁରୀ । କହିଲା, ‘‘ପାଟି କରନା ନୂଆବୋହୂ, ମାଧୁରୀ ଜଣେ; ଦି’ଜଣ ନୁହେଁ–ବେଦିରେ ବସିଛି ନମିତା ।’’

‘ନମିତା... ?’

‘‘ହଁ, ନୂଆବୋହୂ ନମିତା ! ନମିତାର ଅବସ୍ଥା ତମେ ଜାଣ ନାହିଁ । ଏହି ଭଦ୍ରବେଶୀ ପରେଶବାବୁ ଅତି ନୀଚ, ବିଶ୍ୱାସଘାତକ, ସୟିତାନ୍‍ । ଏ ବିବାହ ହୋଇ ନ ଥିଲେ ବିଚାରି ନମିତାର ଆତ୍ମହତ୍ୟା କରିବା ଛଡ଼ା ଆଉ ଅନ୍ୟ ଉପାୟ ନ ଥିଲା । ଆଉ ଛ’ମାସ ପରେ ନମିତା ହେବ ପରେଶବାବୁଙ୍କ ସନ୍ତାନର ମାଆ–’’

–ମାଧୁରୀ, କ’ଣ କହୁଛ ତମେ ? –ଚମକି ପ୍ରଶ୍ନ କଲା ପ୍ରମିଳା ।

–‘‘ବିଶ୍ୱାସ କର ମୋ କଥା, ତମେ ମୋର ପ୍ରାଣର ନୂଆବୋହୂ, ମୁଁ ତୁମକୁ ନ ପଚାରି ଯେଉଁ କାମ କରିଛି, ତା’ପାଇଁ ତମେ ମତେ କ୍ଷମା ଦେବ ନିଶ୍ଚୟ ବୋଲି ମୋର ବିଶ୍ୱାସ ଅଛି । ଦୁନିଆ ନ ଜାଣିଲେ ବି ତମେ ଜାଣ ମୁଁ ସୁକାନ୍ତବାବୁଙ୍କୁ କିପରି ଭଲ ପାଉଥିଲି–ଆଉ ସେ ମଧ୍ୟ ମୋ ପାଇଁ ଦେଶାନ୍ତରୀ ହୋଇଛନ୍ତି । ମୋର ଭାଗ୍ୟ ଛୋଟ, ମୁଁ ତାଙ୍କୁ ପାଇଲି ନାହିଁ, ତା’ ବୋଲି ଏ ଲମ୍ପଟି ପରେଶକୁ ମୁଁ ବିବାହ କରିବି ବୋଲି ବାଛିଲି.....ତମେ ବି’ ବିଶ୍ୱାସ କରିଗଲ ?’’

ଯେତେ ଭୁଲ୍‍ କଲେ ବି ନମିତା ମୋର ଅତି ପ୍ରିୟ ବନ୍ଧୁ, ଗୋଟାଏ ସମ୍ଭ୍ରାନ୍ତ ପରିବାରର ଝିଅ । ବର୍ତ୍ତମାନ ତମେ କିଛି ଗୋଳମାଳ କରନା ନୂଆବୋହୂ । ବରଯାତ୍ରୀମାନେ ଶୁଣିବେ, ଶୁଣିବ ପରେଶ–ମହା ବିଭ୍ରାଟ ହେବ, କିମିତି ଭଲରେ ବରକନ୍ୟା ବିଦାହେବେ ସେହି ବ୍ୟବସ୍ଥା କର । ମାଧୁରୀ ଆଖିରେ ନିଆଁ–

ପ୍ରମିଳା ଆଖିରୁ ଲୁହ ଝରିଲା । ସେ କାନ୍ଦିକରି କହିଲା, ‘‘ତମେ ଏ କ’ଣ କଲ ମାଧୁରୀ, ନମିତା ପାଇଁ ଯଦି ବିଭାଘର କରିବା କଥା, ତେବେ ତମେ ମତେ କହିଥାନ୍ତ, ମୁଁ ସେ ସବୁର ବନ୍ଦୋବସ୍ତ କରିଥାନ୍ତି । ତା’ ନ କରି ତମେ ଯେ ମଙ୍ଗୁଳା କନ୍ୟା ହୋଇ ରହିଗଲ ବାପା ଭାଇ ମୁଣ୍ଡଟେକି ଚାଲିବେଟି..... ? କ’ଣ ହବ ତମର ପରିଣତି ? ତମେ କ’ଣ ବାୟାଣୀ ହେଇଗଲ ମାଧୁରୀ ? କାହିଁକି ଭଲା ଆମ ସଙ୍ଗେ ନିଜକୁ ଏପରି ଅପମାନିତ କରୁଛ ?’’

 

ମାଧୁରୀ ନିର୍ଭିକା.....ମୁହଁରେ ତା’ର ଝରିପଡ଼ୁଛି ହସଫୁଲ । ସେ ପ୍ରମିଳାକୁ ସାନ୍ତ୍ୱନା ଦେଇ କହିଲା, ‘‘ଭୟ କରନା ନୂଆବୋହୂ, ମୁଁ ଏମିତି କିଛି ଭୁଲ୍‍ କରିନାହିଁ ଯାହାଦ୍ୱାରା ଆମେ ଅପମାନିତ ହେବା ? ନମିତାର ବିଭାଘର ତମେ ପ୍ରକାଶ୍ୟ ଭାବରେ କେବେ କରାଇ ପାରି ନ ଥାନ୍ତ-। ଲୋକେ ନିଶ୍ଚୟ ଜାଣିଥାନ୍ତେ–ପରେଶକୁ ବି କଥା ଅଛପା ରହି ନ ଥାନ୍ତା । କେବଳ ତମର ଗୁଡ଼ାଏ ଅଯଥା ଧନ ଖର୍ଚ୍ଚହେଲା, ଏଥିପାଇଁ ହୁଏତ ମନ ଦୁଃଖ କରିବ । ସମସ୍ତେ ଚାହୁଁଥିଲ ଏ ଘରେ ଗୋଟାଏ ବିଭାଘର.....ଭୋଜିଭାତ.....ଇତ୍ୟାଦି ନମିତା ବି ମୋରି ପରି ତମର ଜଣେ ନଣନ୍ଦ ତା’ପାଇଁ ଖର୍ଚ୍ଚ କଲ–ଧର୍ମ ହେଲା, ସଗର ରାଜା ପରା ଷାଠିଏ ହଜାର ଝିଅ କନ୍ୟା ଦାନ କରିବାକୁ ଚାହୁଁଥିଲା ପୁଣ୍ୟ ଆଶାରେ–ତମକୁ ପୁଣ୍ୟ ମିଳିଲା–ତା’ର ଜୀବନ, ସମ୍ମାନ ରହିଲା ।

 

ପ୍ରମିଳା ଏତେ ବିବ୍ରତ ହେଇ ପଡ଼ୁଥିଲା ଯେ–କଣ କରିବ କିଛି ସ୍ଥିର କରି ପାରୁ ନଥିଲା, ମୁହଁ ଶୁଖାଇ କହିଲା, ‘‘ମତେ ଯାହା କହିଲ ବା ଯାହା ଉପସ୍ଥିତ କର୍ତ୍ତବ୍ୟ ତାହା ତ ମୁଁ କରିବି, ମୁଁ ସିନା ବୁଝିଲି; କିନ୍ତୁ ବାପା ବୁଝିବେ ନାହିଁ ।’’

 

–‘‘ସେ ଦାୟିତ୍ୱ ମୋର ନୂଆବୋହୂ...ତମର ନୁହେଁ । ଆମ ମାଣବସା ଲକ୍ଷ୍ମୀଘରଟିର ଚାବିକାଠି ଦେଲ ମୁଁ ସେହି ଘରେ ଲୁଚିକି ରହିଯାଏଁ । ବେଦିରୁ ପ୍ରଥମ ଥର ନମିତା ଫେରିଲେ, ତମେ ତାକୁ ସେହି ଓଢ଼ଣା ଢଙ୍କା ଭିତରେ ନେଇ ଆସି ଖଟରେ ଶୋଇ ଦେଇ ଆଉଁସା ଆଉଁସି କରିବ ଏବଂ କହିବ–ମାଧୁରୀ ଉପବାସ, ମନ ଦୁଃଖ ଭିତରେ ଏତେ ସମୟ ବେଦିରେ ବସିବାରୁ ତା’ ମୁଣ୍ଡ ଘୂରାଉଛି । ଏଠିକୁ କେହି ଆସନା । କିପରି ଆଉ ଥରେ ବେଦିକୁ ଯିବେ ଏହି ଚିନ୍ତା, ଲୋକ କେହି ନ’ମାନି ଘରକୁ ପଶିବାକୁ ବସିଲେ କବାଟ ବନ୍ଦ କରିଦେବ । ତା’ପରେ ଦ୍ୱିତୀୟ ଥର ବେଦିକୁ ପଠାଇବ । ଭାଇଙ୍କୁ ଡାକି ସବୁ ସଂକ୍ଷେପରେ କହି ସାବଧାନ କରାଇଦେବ ।

 

ଏଥର ବେଦି କାମ ସରିଲେ ଏକାଥରେ ତମେ ଘର ଭିତରେ ରଖି କବାଟ ବନ୍ଦ କରିଦେବ । ଭାଇଙ୍କୁ କହିବ ସେ ଖାଲି ଦୁଆରେ କହିହେବେ–ଡାକ୍ତର ଏବେ ଆସିଥିଲେ, ମନା କରିଛନ୍ତି, କେହି ସେ ଘରକୁ ଯିବେ ନାହିଁ । ପୂରା ବିଶ୍ରାମ ଦରକାର । ଔଷଧ ଇଞ୍ଜେକ୍‍ସନ ଦିଆ ହେଇଛି...କାହା ସଙ୍ଗେ କଥା କହିବ ନାହିଁ ମାଧୁରୀ । ଏକଥା ଶୁଣିଲେ ବହୁତ ଲୋକ ରାଗିବେ, ବହୁତ ଦେଖେଇ ଶିଖେଇ କହିବେ ଓ ଅପମାନ ହେଲା ଭାବି ଲୋକେ ବି ପଳାଇବେ । ମାତ୍ର ପରେ ସବୁକଥା ତ ପୁଣି ପଦାରେ ପଡ଼ିବ । ଆପେ ହସିବେ–ହଁ, ବରକନ୍ୟାଙ୍କୁ ସାବଧାନରେ ବିଦା କରିବ । ତମେ ଏକା ଏକା ବେଶଭୂଷା କରି ଲମ୍ବା ଓଢ଼ଣୀ ଚାଦରରେ ଢଙ୍କାଇ ପଦାକୁ କାଢ଼ିବ । କେହି ସେତେବେଳେ ଚିହ୍ନିପାରିବେ ନାହିଁ । କ’ଣ ପାରିବ ନାହିଁ ଏତିକି ପରିଶ୍ରମ କରି ? ହସି ହସି ପ୍ରଶ୍ନକଲା ମାଧୁରୀ ।

 

ପ୍ରମିଳା କହିଲା–‘‘ବାପା ତ ପୁଣି ବରକନ୍ୟା ବିଦା ପୂର୍ବରୁ ତାଙ୍କ ଗେହ୍ଲା ଝିଅକୁ ଦେଖିବାକୁ ଚାହିଁ ପାରନ୍ତି ? ସେତବେଳେ ?’’

 

–ତମେ ବାପାଙ୍କୁ କହିବ ସେୟା । ମାଧୁରୀର ମୁଣ୍ଡ ଘୂରାଉଛି । ସେ ଆପଣଙ୍କ ପାଇଁ ସବୁବେଳେ କାନ୍ଦୁଛି, ଆପଣଙ୍କୁ ଦେଖିଲେ ତା’ର ଧୈର୍ଯ୍ୟ ରହିବ ନାହିଁ । ତାଙ୍କର ଆଇ.ଏସ୍‍.ସି. ପରୀକ୍ଷା ଦେବାପାଇଁ ସେ’ତ ଆଠ ଦିନ ପରେ ଏଠାକୁ ଆସି ପଢ଼ାପଢ଼ି କରିବେ । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । କ’ଣ ହେଲା ଏଥର, ନାଁ ପାରିବ ନାହିଁ ? ମୃଦୁହସି ପ୍ରଶ୍ନକଲା ମାଧୁରୀ ।

 

ପ୍ରମିଳା ତାକୁ କୁଣ୍ଢାଇ କହିଲା, ‘‘ତମ ଦେହରେ ପୁଣି ଏତେ ବୁଦ୍ଧି ମାଧୁରୀ ? ନିଜେ ତ ଯାହା କରୁଛ, ମତେ ବି ସେଥିରେ ଘାଣ୍ଟୁଛ । ବାପାଙ୍କ ଆଗରେ ଶେଷରେ ପୁଣି ମିଛ ବି କହିବାକୁ ପଡ଼ିବ ।’’

 

‘‘ଧର୍ମରାଜ...ଯୁଧିଷ୍ଠିର ବି କାମବେଳେ କୁରୁକ୍ଷେତ୍ର ରଣରେ ମିଛ କହିଥିଲେ ନିଜର ଗୁରୁ ବୃଦ୍ଧ ବ୍ରାହ୍ମଣ ଦ୍ରୋଣାଚାର୍ଯ୍ୟଙ୍କୁ । ଆଉ ଆମେ ସେମିତି ଦରକାର ବେଳେ କହିଦେଲେ କ୍ଷତି କ’ଣ ? ନମିତା କିପରି ଭଲରେ ବିଦାହେଇ ଯାଉ ଏହା ହିଁ ଆମର ଚିନ୍ତା । ତାକୁ କହିବ, ମୋର ଆଉ ତା’ସଙ୍ଗେ ଦେଖା ହେବ ନାହିଁ, ବଦମାସ ପରେଶ ଯଦି ଏଥିର ଆଭାସ୍‍ ପାଏ ତେବେ ସବୁ ଶ୍ରମ ବୃଥା ହୋଇଯିବ ଭାଇ...ତୁମେ...ତମର ଦାୟିତ୍ୱ ସମ୍ପନ୍ନ କରିବ । ଭୋର ହେଇ ଆସିଲାଣି । ସମସ୍ତେ ତ ଏପଟେ ଅଛନ୍ତି । ମୁଁ ଯାଉଛି ବାଡ଼ିପଟେ ଦାନ୍ତଘଷି ଚଟ୍‍କରି ଗାଧୋଇ ପଡ଼ି ଲକ୍ଷ୍ମୀଘରେ ଲୁଚିଯିବି–’’

 

କାଳ ବିଳମ୍ବ ନ କରି ଦଶ ମିନିଟ୍‍ ଭିତରେ ନିଜର ନିତ୍ୟକର୍ମ ସାରି ଦୈନନ୍ଦିନ ଅଦରକାରୀ ଲକ୍ଷ୍ମୀଘରେ ପଶିଲା ମାଧୁରୀ, ଅନ୍ୟ କାହାରି ଜାଣିବାର ଉପାୟ ନଥିଲା । ସେତିକିବେଳେ ପ୍ରମିଳା ବି ଚଟ୍‍କରି ଗାଧୋଇ ପଡ଼ି ଲକ୍ଷ୍ମୀପୂଜା ପାଇଁ କେତେକ ଭୋଗ ନେଇ ଭୋଗକରି ସେ ଘରେ ଥୋଇ ଦୁଆରେ ତାଲାଦେଇ ତରତର ହୋଇ ପଳାଇ ଆସିଲା ।

 

କାରଣ ନମିତାର ପ୍ରଥମ ଥର ବେଦିରୁ ଫେରିବାବେଳ ହେଇଗଲାଣି... । ମାଧୁରୀ ତ ତା’ ଦାୟିତ୍ୱ ସାରି ମୁକ୍ତ, ଏଣିକି ଦାୟିତ୍ୱ ତା’ର । ଯୋଗକୁ ଘର ଭିତରକୁ କ’ଣ ଗୋଟାଏ କାମରେ ବିନୟ ପଶି ଆସିଲା, ପ୍ରମିଳା ସଂକ୍ଷେପରେ ତାକୁ ସବୁକଥା କହିଲା ।

 

ବିନୟ କଥାଟା ଶୁଣି ଦୁଃଖିତ ଓ ଆଶ୍ଚର୍ଯ୍ୟ ହେଲା । ମାତ୍ର ବର୍ତ୍ତମାନ ତ ଆଉ ଦୁଃଖ କରିବାର ବେଳ ନାହିଁ । ତେଣୁ ମାଧୁରୀ ଯେପରି ନିର୍ଦ୍ଦେଶ ଦେଇଥିଲା ସେହି ଅନୁସାରେ ସ୍ୱାମୀ, ସ୍ତ୍ରୀ ଦୁହେଁ କାର୍ଯ୍ୟରେ ଆଗେଇଲେ ।

 

ମାଧୁରୀର ନିର୍ଦ୍ଦେଶ ଅନୁସାରେ ବିନୟ ପ୍ରମିଳା ସବୁ କଲେ । କନ୍ୟାକୁ ଦେଖି ନ ପାରି ଉପସ୍ଥିତ କେତେ ଲୋକ ବିରକ୍ତ ହେଲେ, କେତେ ଫେରି ପଳାଇଲେ । ମାତ୍ର ସେସବୁ କଥାକୁ ବିନୟ କି ପ୍ରମିଳା ମୋଟେ ଭ୍ରୂକ୍ଷେପ କଲେ ନାହିଁ, ବରକନ୍ୟା ଭଲରେ ବିଦା ହେଲେ । ଲୋକ ଗହଳି ଭାଙ୍ଗିଗଲା । ଯେଉଁ କେତେଜଣ ବନ୍ଧୁବାନ୍ଧବ ଥାଆନ୍ତି କିଏ କୋଉଠି ଥାଏ, ତା’ର ଠିକଣା ନାହିଁ ।

 

ମାଧୁରୀ ନାହିଁ–ତା’ର ଦେହ ଅସୁସ୍ଥ, ସେ ବିଦାହୋଇ ଗଲାବେଳେ ଦେଖିପାରିଲି ନାହିଁ କହି ନିଜ ଘରେ ବସି ଶିବବାବୁ କାନ୍ଦୁଥାନ୍ତି । ଆଖିରୁ ଧାର ଧାର ଲୁହଧାର ଖସି ପଡ଼ୁଥାଏ । ଏତିକିବେଳେ ମାଧୁରୀ ଆସି ପହଞ୍ଚିଗଲା ବାପାଙ୍କ ପାଖରେ, ତାଙ୍କ ପାଦ ଦୁଇଟି ମୁଠାଇଧରି କହିଲା, ‘‘ବାପା, ଆପଣଙ୍କ ଅନୁମତି ନ ନେଇ ମୁଁ ଗୋଟାଏ ଗୁରୁତର ଅପରାଧ କରିଛି । ଆପଣ ମତେ କ୍ଷମା କରନ୍ତୁ ।’’

 

ଶିବବାବୁ ଆଶ୍ଚର୍ଯ୍ୟ ହୋଇଗଲେ ମାଧୁରୀକୁ ଦେଖି । ଘଣ୍ଟାଏ ହେଲା ତ ବୋହୂ ସାଜି ସେ ବିଭାହୋଇ ଯାଇଥିଲା । ପୁଣି ଆସିଲା କିପରି ? କନ୍ୟା ବେଶର ନାଁ ଗନ୍ଧ ନାହିଁ । ଶିବବାବୁ ବ୍ୟସ୍ତ ହୋଇ କହିଲେ, ‘‘କଥା କ’ଣ ମାଆ ! ତୁ ଏଠି କିପରି ? ମୁଁ ତ କିଛି ବୁଝି ପାରୁନାହିଁ ।’’

 

–‘‘ଆଗ ମତେ କ୍ଷମା କରିବେ କହନ୍ତୁ ବାପା । ପରେ ମୁଁ ସବୁ କହିବି । ଅଳି କଲା ମାଧୁରୀ । ହସିଲେ ଶିବବାବୁ ତତେ ପୁଣି କ୍ଷମା । ତୁ’ ତ ତାହା ଜୋର କରି ଆଦାୟ କରିନେବୁ । ତତେ ଏ ଅବସ୍ଥାରେ ଦେଖି ମୋର ଆଉ ଧୈର୍ଯ୍ୟ ରହୁନି ମାଆ । କହ ତ ଘଟଣା କ’ଣ ? ପ୍ରମିଳା ବି ଆସି ପହଞ୍ଚିଲା ଏତିକିବେଳେ । ସଂକ୍ଷେପରେ ମାଧୁରୀ ଆଉ ପ୍ରମିଳା ସବୁକଥା କହିଗଲେ ।’’

 

ମାଧୁରୀର ମୁଣ୍ଡ ଆଉଁସି ଶିବବାବୁ କହିଲେ, ପାଗଳୀ ମାଆଟାର ମୋର କି ଖିଆଲ ? ଅଯଥା ଗୁଡ଼ାଏ ଟଙ୍କା ଖର୍ଚ୍ଚ ହେଲା, ସେଥିପାଇଁ ମୋ ମନ ଦୁଃଖ ନୁହେଁ ଯେ ଦୁଃଖ କେବଳ ତୋ’ରି ପାଇଁ । ଲୋକେ କହିବେ, ଶିବପ୍ରସାଦ ମହାପାତ୍ର ଝିଅଟାକୁ ବାହା କରି ନ ପାରି ମଙ୍ଗୁଳା କନ୍ୟା କରି ରଖିଦେଲା, ମୁଣ୍ଡ ଟେକି ଦାଣ୍ଡରେ ବାଟ ଚାଲି ହେବ ନାହିଁ ।’’

 

–‘‘ସବୁହେବ ବାପା, ଆପଣଙ୍କ ଆଶୀର୍ବାଦ ଥିଲେ ଆପଣଙ୍କ ଝିଅ ବେଶ୍‍ ସୁଖରେ ରହିବ । ଝିଅମାନଙ୍କର ବାହାଘରଟା ଏ ଯୁଗରେ ବଡ଼ କଥା । ଆମରି ପରି ନାରୀ ଭାଲେଣ୍ଟିନା ମହାକାଶରେ ଭ୍ରମଣ କରୁଛି, ଦେଶର ଅସଂଖ୍ୟ ଝିଅ ଅବିବାହିତା ରହି ରଣକ୍ଷେତ୍ର, ଶାସନକ୍ଷେତ୍ର, ରାଜନୀତି କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ସବୁପ୍ରକାର ଚାକିରି କ୍ଷେତ୍ରରେ ଯୋଗ ଦେଲେଣି । ମୁଁ ସେପରି ରହିଲେ କିଛି ଦୋଷ ହେବନି ବାପା । ମୁଁ ସ୍ଥିର କରିଛି ୟା’ପରେ ବି.ଏସ୍‍.ସି. ନପଢ଼ି ପଢ଼ିବି ଡାକ୍ତରୀ–କରିବି ଦେଶବାସୀଙ୍କ ସେବା, ମତେ ଏହାହିଁ ଅନୁମତି ଦିଅନ୍ତୁ ବାପା ! ମାଧୁରୀ ବାପାଙ୍କ ପାଦକୁ ଜାବୁଡ଼ି ଧରିଲା ।

 

–‘‘ଆଶୀର୍ବାଦ କରୁଛି ମାଆ । ଭଗବାନ ତତେ ସତ୍‍ପଥରେ ଚଳାଇ ତୋର ମନକାମନା ପୂର୍ଣ୍ଣ କରନ୍ତୁ, ତୋର ବାପାର ଆଶୀର୍ବାଦ କେବେ ଅନ୍ୟଥା ହେବନାହିଁ । ମାଧୁରୀକୁ ତଳୁ ଉଠାଇ ତା’ ମୁଣ୍ଡରେ ସ୍ନେହରେ ହାତ ଥାପିଲେ ଶିବବାବୁ । ବାପାଙ୍କ ପାଦଧୂଳି ନେଇ ମୁଣ୍ଡରେ ମାରିଲା ମାଧୁରୀ ।’’

 

ଶିବବାବୁ ପୁଣି କହିଲେ, ଏସବୁ ହେଲା ଯେ ମାଆ ନମିତାର ବାପ ମାଆ କିଛି ଜାଣିଲେ ନାହିଁ । ଏତେ କଷ୍ଟ କଲୁ ସେମାନଙ୍କୁ ହେଲେ ଡକାଇ ଆଣିଥା’ନ୍ତୁ । ମାଧୁରୀ ଉତ୍ତର ଦେଲା ସେ ଭାରି ରାଗିଲୋକ ବାପା, ତାଙ୍କୁ ଦେଖିଲେ ନମିତାର ଏ ପରିସ୍ଥିତିରେ ଆତ୍ମହତ୍ୟା କରିବା ଅସମ୍ଭବ ନଥିଲା । ଆଜି ରାତି ପାହୁ କାଲି ତା’ର ବ୍ୟବସ୍ଥା କରିବା ।

 

ଶିବବାବୁ ବି ଅନୁଭବ କଲେ–ମାଧୁରୀ ଯାହା କରିଛି ଠିକ୍‍ କରିଛି, ଗୋଟାଏ ନଷ୍ଟ ଚରିତ୍ର ପିଲା ହାତରେ ସେ ଟେକି ଦେବାକୁ ବସିଥିଲେ ତାଙ୍କ ସୁନାପ୍ରତିମାକୁ । ତାଙ୍କର ଅଯଥା ଧନଖର୍ଚ୍ଚ ହେଉ ବରଂ ଉଚିତ୍‍ ଶିକ୍ଷା ପାଇଛି ପରେଶ । ଦେଶର ଅଗଣନ ଝିଅ ତ କୁମାରୀ ରହୁଛନ୍ତି ମାଧୁରୀ ଯଦି ସୁକାନ୍ତ ପ୍ରଣୟକୁ ଆଦର୍ଶ ଦେଖାଇ କୁମାରୀ ରହିଲା । ରହୁ ୟା’ଦ୍ୱାରା ନିନ୍ଦା ପରିବର୍ତ୍ତେ ପ୍ରଶଂସା ମିଳିବ । ଶିବବାବୁ ଧୀରସ୍ୱରରେ କହିଲେ, ‘‘ତୋର ଯାହା ଖୁସି ତୁ ତାହାହିଁ କରିବୁ ମାଆ । ତୁ ବଡ଼ କ୍ଳାନ୍ତ ଦେଖାଯାଉଛୁ ବିଶ୍ରାମ କର ।’’

 

ମାଧୁରୀ ହସିଲା । କହିଲା, ‘‘ସାରାଦିନ ମୁଁ ଉପବାସ ରହି ଭୋକରେ ପେଟ ଜଳିଲାଣି, ଆସ ନୂଆବୋହୂ । ନମିତା ବାହାଘର ଭୋଜିରୁ ମତେ କିଛି ଆଗ ଖୁଆଇବ । ତା’ପରେ ଅନ୍ୟ ଚିନ୍ତା ।’’

 

ହଁ ଚାଲ, କହି ମାଧୁରୀର ହାତଧରି ନେଇଗଲା ପ୍ରମିଳା । ଆନନ୍ଦରେ ଭରିଗଲା ଶିବବାବୁଙ୍କ ହୃଦୟ । ଏ’ ଦୁହେଁ ତାଙ୍କର ଝିଅ ବୋହୂ ନୁହଁନ୍ତି ଯେ ଦୁଇଟି ରତ୍ନ ।

 

ବଳଭଦ୍ରପୁର ଗାଆଁଟି ମଫ୍‍ସଲ୍‍ ହେଲେ ବି ନିତ୍ୟାନ୍ତ ଖରାପ ଜାଗା ନୁହେଁ । ସାମନ୍ତରାୟ ଘରକୁ ଛାଡ଼ିଦେଲେ ଆଉ ସେଠାରେ ସେମିତି ଭଲ ଘର କାହାର ନାହିଁ । କଟକଠୁ ପଚିଶ ମାଇଲ ଦୂର ହେଇଥିଲେ ହେଁ କଟକର ଛାଇ ସେଠାରେ ପଡ଼ିନାହିଁ । ପ୍ରଧାନ ରାସ୍ତାରୁ ପ୍ରାୟ ପନ୍ଦର ମାଇଲ ଯିବାପରେ ସରୁ ଅଙ୍କା ବଙ୍କା ରାସ୍ତାରେ ଗଲେ ବଳଭଦ୍ରପୁର ଗାଁ ଭିତରକୁ ରାସ୍ତା ମିଳିବ । ଗାଁରେ କଚା ରାସ୍ତା । ଗାଆଁର ଅଧିବାସୀମାନେ ନିଜ ନିଜର କୁଳ ବେଉସାରେ ଚଳନ୍ତି । ଯାହାଙ୍କର ପୁଅ ଜଣେ ଜଣେ ପାଠ ପଢ଼ିଛନ୍ତି ସେମାନେ ଟାଉନରେ ଚାକିରି କରନ୍ତି । ଗାଆଁରେ କେବଳ ସାଧାରଣ ଚାଷିଲୋକ ରହିଛନ୍ତି ।

 

ଘର ବୋଇଲେ ଶ୍ରେଷ୍ଠ ହୋଇଛି ସାମନ୍ତରାୟ ଘର । ସେଥିରେ ଜମିଦାର...ପାଠୁଆ–ତାଙ୍କ ଝିଅ କଟକ କଲେଜରେ ପଢ଼ୁଛି, ସାମନ୍ତରାୟ ଘର ସେହି ପୂର୍ବର ସମ୍ମାନ ନେଇ ରହିଛନ୍ତି ।

 

ସେଦିନ ଥାଏ ରବିବାର...ଦିନ ଦ୍ୱିପ୍ରହରେ ବଳଭଦ୍ରପୁର ଗାଆଁରେ ଗୋଟେ କଳାରଙ୍ଗର କାର୍‍ ପହଞ୍ଚିଲା, ଏ ଗାଆଁକୁ ଆଗେ ଗାଡ଼ି ଆସିପାରୁ ନଥିଲା । ଏବେ ଟିକିଏ ରାସ୍ତା ବାଗେଇଛି । ଭୋଟ୍‍ ସମୟ ହେଲେ ନେତାମାନଙ୍କ ଗାଡ଼ିଧରି ଆସିବାକୁ ଅସୁବିଧା ହେବାରୁ ରାସ୍ତାର ପରିବର୍ତ୍ତନ ଘଟିଛି ।

ନେତାମାନେ ଭୋଟ୍‍ ସମୟରେ ଗାଡ଼ିଧରି ସାମନ୍ତରାୟଙ୍କ ଘରକୁ ଆସନ୍ତି । ସଭା ସମିତି କରନ୍ତି, କ’ଣ କହନ୍ତି ତାହା ଗାଆଁ ଲୋକ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ସାମନ୍ତରାୟ ଯେଉଁ ଚିତ୍ର ଗାଆଁବାଲାକୁ ଚିହ୍ନାଇ ଦିଅନ୍ତି ସେମାନେ ସେହି ଚିତ୍ରରେ ମୋହର ମାରି ଭୋଟ ଦିଅନ୍ତି-

ଗାଆଁ ଦାଣ୍ଡରେ ଗାଡ଼ି ଠିଆକରି ସେଦିନ ଆରୋହୀମାନେ ସାମନ୍ତରାୟ ଘର ଖୋଜିଲେ । ଗାଆଁବାଲା ଭାବିଲେ କୋଉ ମନ୍ତ୍ରୀ କିମ୍ବା ଲାଟ୍‍ସାହେବ ଘର ଗାଡ଼ି ନିଶ୍ଚୟ ହେଇଥିବ, କେତେ ଛୋଟ, ବଡ଼ ପିଲା ଗାଡ଼ି ସଙ୍ଗେ ସଙ୍ଗେ ଆସି ସାମନ୍ତରାୟଙ୍କ ଘର କହିଦେଲେ-

ସାମନ୍ତରାୟ ସେତେବେଳେ ଖାଇସାରି ଶୋଇଥାନ୍ତି ଚାକର ଯାଇ ଖବର ଦେଲା । ସାମନ୍ତରାୟ ରାଗିଲୋକ, ଅସମୟରେ ତାଙ୍କର ନିଦଭାଙ୍ଗିଲେ ସେ ଭୟଙ୍କର ରାଗନ୍ତି । ନିମିବୋଉ ମଧ୍ୟ ସେ ସାହସ କରନ୍ତି ନାହିଁ ।

କଣ କରାଯିବ ? କିଏ ଭଦ୍ରଲୋକ ଆସିଲେ, ଦାଣ୍ଡଦୁଆରେ ସେମାନଙ୍କୁ ଠିଆକରି ରଖିବାଟା ନିମିବୋଉଙ୍କୁ ପସନ୍ଦ ଲାଗିଲା ନାହିଁ, ସେ ଚାକରକୁ ଡାକି ଭଦ୍ରଲୋକମାନଙ୍କୁ ବୈଠକ ଘରେ ବସାଇବା ପାଇଁ କହୁଛନ୍ତି, ଏତିକିବେଳେ ଦୁଇଟି ସୁନ୍ଦରୀ ତରୁଣୀ ତାଙ୍କ ପାଦତଳେ ନମସ୍କାର କଲେ ।

ନିମିବୋଉ ସ୍ନେହଶିଳା–ଦୁଇ ହାତରେ ଦୁଇ ଜଣଙ୍କୁ ପାଖକୁ ଆଉଯାଇ ଆଣି ପାଖଘରକୁ ନେଇ ଯାଇ ଚେୟାର ଉପରେ ବସାଇ ଦେଲେ । ଦୁହିଁଙ୍କ ମୁହଁଙ୍କୁ ଚାହିଁଲେ...ଜଣେ ବିବାହିତା...ମୁଣ୍ଡରେ ସିନ୍ଦୂର-ଟିପା ଆରଟି କୁମାରୀ, ଦୁହେଁ ତାଙ୍କରି ଝିଅ ନିମି ବୟସର ହେବେ । ଏହିମାନେ କ’ଣ ଗାଡ଼ିରେ ଆସିଲେ ? କେଉଁଠି ୟାଙ୍କ ଘର ନାନା ଚିନ୍ତା ନିମିବୋଉଙ୍କୁ ଘାରିଲା ।

ବିବାହିତାଟି ଆଗ ତୁଣ୍ଡ ଖୋଲିଲା.....ଆମକୁ ଚିହ୍ନି ପାରିବେ ନାହିଁ । ମାଉସୀ ଆମେ କଟକରୁ ଆସିଛୁ । ନିମିବୋଉ କହିଲେ ହଁ, ମା–ତମକୁ ଚିହ୍ନି ପାରୁନାହିଁ, ମାତ୍ର ଏ ଝିଅକୁ କୋଉଠି ଦେଖିଲାଭଳି ଲାଗୁଛି–

–‘‘ନିମି ସାଙ୍ଗରେ ଯେଉଁ ଫଟୋ ଉଠାଇଥିଲି, ସେୟାକୁ ଦେଖିଥିବେ ମାଉସୀ’’ ମୃଦୁହସି କହିଲା ମାଧୁରୀ ।

ନିମିବୋଉ ଆନନ୍ଦରେ ଅଧୀର ହୋଇ ମାଧୁରୀକୁ କୁଣ୍ଢାଇ ପକାଇ କହିଲେ, ଚିହ୍ନା ଦେଉନୁ ମା–ତୁ ନିଶ୍ଚୟ ମାଧୁରୀ, ଆଉ ଇଏ ବୋଧେ ତୋର ନୂଆବୋହୂ, ତମକଥା ସବୁବେଳେ କହେ ନିମି, ଭାରି ପ୍ରଶଂସା କରେ ଏ ବୋହୂକୁ, ହେଲେ ଝିଅ–ତମେ ଦିହେଁ ଆସିଲ–ନିମିକୁ ସାଙ୍ଗରେ ଆଣିଲ ନାହିଁ କାହିଁକି ? ତା’ଦେହ ପା’ ଭଲ ଅଛି ତ ? ଉଦ୍‍ବିଘ୍ନ ହୋଇ ପଚାରିଲେ ନିମିବୋଉ–

ପ୍ରମିଳା ବଳିପଡ଼ି କହିଲା–ଆପଣଙ୍କ ଅନୁମାନ ଠିକ୍‍ ମାଉସୀ, ମୁଁ ପ୍ରମିଳା ଇଏ ମାଧୁରୀ-। ନିମିଙ୍କର ଦେହପା ଭଲ ଅଛି । ଆମର ଏଆଡ଼େ ଆସିବାର ନ ଥିଲା ହଠାତ୍‍ ଚାଲିଆସିଲୁ, ସେ ଜାଣନ୍ତି ନାହିଁ । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ–

କଟକରୁ ପ୍ରଫେସର ଘର ପୁଅ, ଝିଅ, ବୋହୂ ଆସିଛନ୍ତି–ସାମନ୍ତରାୟ ଘରେ ହଲଚଲ ପଡ଼ିଗଲା ।

 

ଦେଖଣାହାରି ଦଳକୁ ଦଳ ଆସି ଦେଖି ଯାଉଥାନ୍ତି, କିଏ ପ୍ରମିଳାକୁ ସୁନ୍ଦରୀ କହୁଥାଏ ତ କିଏ କହୁଥାଏ ମାଧୁରୀକୁ, କେହି ଦୁହିଁଙ୍କୁ ସ୍ଵର୍ଗର ଅପ୍‍ସରୀ ବୋଲି ଆଖ୍ୟା ଦେଉଥାଏ, କେହି କହୁଥାଏ ନିମିକୁ ତାଙ୍କ ଘରକୁ ବୋହୂ କରି ନବାପାଇଁ ଏମାନେ ଆସିଛନ୍ତି...ଗାଆଁ ଭିତରେ ଛୋଟ ଛୋଟ ଗୁଜବ ଏହିପରି ଉଠୁଥାଏ ।

 

ନିମିବୋଉ ୟା’ ଭିତରେ ପୂଝାରୀଙ୍କୁ ଡାକି ଏମାନଙ୍କର ଖାଇବା ପିଇବାର ବନ୍ଦୋବସ୍ତ କରାଇବାକୁ ଭିତର ଘରକୁ ଚାଲିଗଲେ । ଲୋକ ଗହଳି ଭାଙ୍ଗିଗଲା । ୟା’ ଭିତର ନିରୋଳା ଦେଖି କଥାଟା ପକାଇବାକୁ ମାଧୁରୀ ପ୍ରମିଳା ଚୁପ୍‍ଚାପ୍‍ ପରାମର୍ଶ ହେଉଥାନ୍ତି । କିଛିକ୍ଷଣ ପରେ ନିମିବୋଉ ଫେରିଆସି କହିଲେ, ‘‘ନିମି ଯଦି ଆଜି ଘରେ ଥାଆନ୍ତା ନା, ତା’ ଗୋଡ଼ ତଳେ ଲାଗୁ ନଥାନ୍ତା । ଭାରି ଖୁସି ହେଉଥାନ୍ତା, ଝିଅ ମୋର କେତେଦିନ ହେଲା ଆସିନାହିଁ । ସତ କୁହ ମାଆ ତା’ ଦିହ ପା ଭଲ ଅଛି ତ ?

 

ମାଧୁରୀ ଧୀରସ୍ଵରରେ କହିଲା, ନିମି ଭଲ ଅଛି ମାଉସୀ, ତା’ର ବାହାଘର ଖୁବ୍‍ ଆଡ଼ମ୍ବରରେ ସରିଲା, ଆଜି ତା’ର ଚତୁର୍ଥୀ, ଅଷ୍ଟମଙ୍ଗଳା ଭାର ପଠାଇ ଆମେ ଆସିଲୁ ।

 

ନିମିର ବାହାଘର ? ଚତୁର୍ଥୀ...ଅଷ୍ଟମଙ୍ଗୁଳା ଭାର ବେଭାର ? କ’ଣ ସବୁ କହୁଛ ଝିଅ..... ? ମୁଁ ତ କିଛି ବୁଝି ପାରୁନି । ତା’ପାଇଁ ତ ଚନ୍ଦନପୁର ଜମିଦାର ପୁଅ ସଙ୍ଗେ ବାହାଘର ସ୍ଥିର କରିଥିଲୁ, ନିମି ରାଜି ହେଲା ନାହିଁ କି ତାଙ୍କ ପୁଅ ରାଜି ହେଲା ନାହିଁ, ପୁଣି କି ବାହାଘର ? କିଏ କଲା, କୋଉଠି ହେଲା ? ମୁଣ୍ଡ କଚାଡ଼ିହେଲେ ନିମିବୋଉ ।

 

ପ୍ରମିଳା ତାଙ୍କୁ ଜାବୁଡ଼ି ଧରି କହିଲା, ପାଟି କରନା ମାଉସୀ ଲୋକେ ଶୁଣିବେ, ଧୈର୍ଯ୍ୟଧରି କଥାଟା ଶୁଣ–ନିମିଙ୍କର ପରେଶବାବୁ ଇଞ୍ଜିନିୟରଙ୍କ ସହ ବାହାଘର ହେଇଛି, ଆମେ କରାଇଛୁ, ଶୁଣ–ଚନ୍ଦନପୁର ଜମିଦାର ପୁଅ ସୁକାନ୍ତ ସଙ୍ଗେ ଆମ ମାଧୁରୀର ବିଭାଘର ସ୍ଥିର ହୋଇଥିଲା–ଏଣୁ ସୁକାନ୍ତ ରାଜି ହୋଇ ଘରଛାଡ଼ି ଚାଲିଗଲେ । ଆଉ ନିମି ସମସ୍ତଙ୍କ ଅଜ୍ଞାତରେ ପରେଶବାବୁ ଇଞ୍ଜିନିୟରଙ୍କୁ ଭଲ ପାଉଥିଲେ ବୋଲି ସେ ବି ବିଭା ହେବାକୁ ମନା କଲେ, ତା’ପରେ ବାହାଘର ପ୍ରସ୍ତାବ ତ ଶୂନ୍ୟରେ ଗଲା–ଘଟଣାଚକ୍ର ଘୂରିଗଲା ।

 

ନିମିବୋଉ କହିଲେ–ବର୍ଷକ ତଳେ ତ ବାହାଘର ଭାଙ୍ଗିଗଲା । ଏ ବାହାଘର ପୁଣି କ’ଣ-? ପରେଶବାବୁ ଇଞ୍ଜିନିୟର କିଏ ? ଆମେ ନ ଜାଣି ହଠାତ୍‍ ତମେ ଏତେ ପଇସା ଖର୍ଚ୍ଚ କରି ବାହାଘର କଲ କାହିଁକି ? ସବୁକଥା ମତେ ଟିକେ ବୁଝାଇକରି କହ ମାଆ, ମୋର ଆଉ ଧୈର୍ଯ୍ୟ ରହୁନାହିଁ । ନିମିବୋଉଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ପଡ଼ିଲା ।

 

ନିମିର ଅବାଞ୍ଛିତ ମାତୃତ୍ୱ, ଆତ୍ମହତ୍ୟା ଉଦ୍ୟମଠୁ ଆରମ୍ଭ କରି ମାଧୁରୀର କାର୍ଯ୍ୟକଳାପ, ପରେଶବାବୁଙ୍କ ସହ ବିବାହର ଆୟୋଜନ ନମିତାକୁ ଜୋହର କରି ବେଦିକୁ ପଠାଇ ପରେ ଭାଇ ଭାଉଜଙ୍କ ଜାଣିବା ଓ କନ୍ୟା ବିଦା ପରେ ବାପାଙ୍କୁ ଜଣାଇବା ଯାଏ ସବୁକଥା ଗୋଟି ଗୋଟି କରି ପ୍ରମିଳା ନିମିବୋଉଙ୍କ ଆଗରେ କହିଗଲା । ନିମିବୋଉ ଏସବୁ ଶୁଣି ଏକବାରେ କାବା ହୋଇଗଲେ । ନିମି ତାଙ୍କର ଏତେ ତଳକୁ ଖସିଯାଇ ପାରିଲା ବୋଲି କଳ୍ପନା ବି କରିପାରୁ ନଥିଲେ-। ସେ ଖାଲି କାନ୍ଦିଲେ ।

 

ମାଧୁରୀ ନିମିବୋଉଙ୍କୁ ସାନ୍ତ୍ୱନା ଦେଇ କହିଲା, ଯାହା ତ ହେବାର କଥା ହୋଇଗଲାଣି ମାଉସୀ, ଭାଗ୍ୟ ଭଲ ନିମି ସମାସ୍କନ୍ଧ ସ୍ଵଜାତି ଓ ସତ୍‍ପାତ୍ରରେ ପଡ଼ିଛି, ତା’ କଥା ଏଯାଏଁ କେହି କିଛି ଜାଣି ନାହାନ୍ତି । ତା’ର ବିଭାଘର ତମେ କରୁଛ କହି ଶୀଘ୍ର ହଷ୍ଟେଲର ସବୁ ଅଡ଼ୁଆ ତୁଟାଇ ତା’ ଜିନିଷପତ୍ର ଦେଇଆସ । ପଛକଥା ଭୁଲି ତମେ ନିମିକୁ କ୍ଷମାକର ମାଉସୀ, ସେ ଯେତେହେଲେ ତମରି ଝିଅ ।

 

‘‘ନାଁ ନାଁ, ସେ ମୋର ଝିଅ ନୁହେଁ ଶତ୍ରୁ–ସେ ମଲେ ବି ମୁଁ ତା’ ମୁହଁ ଚାହିଁବି ନାହିଁ, ତୁ ତାକୁ କାହିଁକି ଏତେ ସ୍ୱାର୍ଥ ତ୍ୟାଗକରି ବଞ୍ଚାଇଲୁ ଝିଅ–ତା’ର ମରିବା ଉଚିତ ଥିଲା ?’’

 

ରୁକ୍ଷସ୍ଵର ଶୁଣି ପଛପଟକୁ ଏକାଥରେ ଫେରି ଚାହିଁଲେ ମାଧୁରୀ ଆଉ ପ୍ରମିଳା, ରୁଦ୍ରମୂର୍ତ୍ତି ଧରି ଠିଆ ହୋଇଛନ୍ତି ହରମୋହନ ସାମନ୍ତରାୟ, ନମିତାର ବାପା, ଦୁହେଁ ତାଙ୍କୁ ମୁଣ୍ଡ ନୋଇଁ ପ୍ରଣାମ କଲେ ।

 

ସାମନ୍ତରାୟ କେତେବେଳେ ପଛପଟେ ଏମାନଙ୍କ କଥା ଶୁଣୁଛନ୍ତି ତାହା ଏମାନେ କେହି ଜାଣନ୍ତି ନାହିଁ । ମାଧୁରୀ ଶାନ୍ତ ସରଳ କଣ୍ଠରେ କହିଲା, ‘‘ନମିତାର ଦୋଷ କ୍ଷମା ମାଗିନବା ପାଇଁ ଏତେ କଷ୍ଟକରି ମୁଁ ଆସିଛି ମଉସା–ଆପଣ ଭଲ ଭାବେ ବିଚାର କରି ଦେଖନ୍ତୁ, ବର୍ତ୍ତମାନ ରାଗକରି ନିଜ ସମ୍ମାନ ହିଁ ସାରିବେ–ସେ ତ ସୁଖରେ ଅଛି...ଆପଣ ତାକୁ ନ ପଚାରିଲେ ନିଜେ ହିଁ ଅପମାନିତ ହେବେ, ମୋ ରାଣ ମଉସା ସେ ପଛକଥା ଭୁଲିଯାନ୍ତୁ–’’

 

ନିଆଁରେ ପାଣି ଢାଳିଲା ପରି ସାମନ୍ତରାୟଙ୍କ ରାଗ କମିଲା । ସେ କହିଲେ, ମାଆ ତୋ କଥା ମୁଁ ବୁଝୁଛି–ତୁ ଦେବୀ, ସେ ଦାନବୀ–ତୁ ଆଉ ନିମି ଭିତରେ ଆକାଶ ପାତାଳ ପ୍ରଭେଦ, ଚନ୍ଦନପୁର ଜମିଦାର ପୁଅ ରତ୍ନଟିଏ ବାଛିଥିଲା–ତୋରି ଚାତୁରୀ ବଳରେ ମୋର ସମ୍ମାନ, ନିମିର ଜୀବନ ରହିଲା ସିନା, କି ତ୍ୟାଗ ନ କରୁଛୁ ତୁ ? କେତେ ଧନଖର୍ଚ୍ଚ କରି ନଥିବେ ତୋ ବାପା ? ମୋ ଝିଅ ହୋଇ ନିମି ଫେର ଏପରି ବିପଥଗାମୀ ହେଲା ? ମୁଁ ଆଶା କରିଥିଲି ନିମିକୁ ତୋରି ପରି ଗଢ଼ିବାକୁ । ସାମନ୍ତରାୟଙ୍କ ପଥର ଆଖିରୁ ଲଜ୍ଜା ଓ ଅନୁଶୋଚନାର ଅଶ୍ରୁ ଝରିଲା ।

 

ମୁଁ କ’ଣ ଆପଣଙ୍କ ଝିଅ ନୁହେଁ ମଉସା...ନିମିର ଦୋଷାଦୋଷ କ୍ଷମା କରି ଆପଣ ତାକୁ ଗ୍ରହଣ କରନ୍ତୁ ଏହା ହିଁ ମୋର ଅଳି । ଅନୁନୟ ସ୍ଵରରେ କହିଲା ମାଧୁରୀ । ସାମନ୍ତରାୟଙ୍କ ହୃଦୟ ଆହୁରି ବ୍ୟଥାରେ ତରଳିଗଲା । ସେ ମାଧୁରୀର ହାତଟି ଧରିପକାଇ କହିଲେ–

 

‘‘ତୋ ପରି ଝିଅର ବାପ ହେବା ଭଳି ତପସ୍ୟା ମୋର ନାହିଁରେ ମାଆ । ନିମି ମୋର ସମ୍ମାନ ସାରିଦେଲା–ଖାଲି ତୋରି ପାଇଁ ଯାହା ମୁଁ ବଞ୍ଚିଲି–’’

 

ତା’ପରେ କଥା ହେଲା–ତିନିଦିନ ପରେ ଆଠଦିନପାଇଁ ସାମନ୍ତରାୟ ପରିବାର କଟକ ଯିବେ–ସେଠାରେ ଘରଭଡ଼ା ନେଇ ବିଲାତ ଫେରନ୍ତା ଇଞ୍ଜିନିୟରଙ୍କ ସହ ନମିତାର ବାହାଘର ହେବ, ବିଲାତ ଫେରନ୍ତା ଇଞ୍ଜିନିୟର ମଫ୍‍ସଲ୍‍ ଗାଁକୁ ବରସାଜି ଆସିବାକୁ ମନା କଲେ । ଏ କଥା ପରେ ମାଧୁରୀ ପ୍ରଭୃତି ଫେରିଗଲେ ।

 

ମଫସଲ ଲୋକେ କାହିଁକି ବା ଜାଣିବେ ବଡ଼ବଡ଼ିଆ ବାବୁମାନଙ୍କ କାରସାଦି, ବାହାଘର କେବେଠୁ କିପରି ଭାବରେ ନିମିର ସରିଛି ତାହା ସେମାନେ କାହୁଁ ଜାଣିବେ । ବାହାଘର ସରିଲେ ଗାଁକୁ ଫେରି ଗୋଟାଏ ବଡ଼ ଭୋଜି ହେବ–ତାର ବନ୍ଦୋବସ୍ତ ଗୁମାସ୍ତା କରିବେ, କେବଳ ଆବଶ୍ୟକୀୟ ଜିନିଷ ନେଇ ସାମନ୍ତରାୟ କଟକ ଯିବେ, କଟକରେ ଟଙ୍କା ଦେଲେ ସବୁ ଘଣ୍ଟାକରେ ମିଳିବ, ବିଲାତି କାଇଦାରେ ବାହାଘର ହେବ–ଏଣୁ ଅଦରକାରୀ ଜିନିଷଗୁଡ଼ା କାହିଁକି ବା ନେବେ ?

 

ଶୁଣିବା ଲୋକେ କାବା ହୋଇଗଲେ ସିନା–ସାହସ କରି କେହି ବାହାଘର ଦେଖିଯିବାକୁ ବାହାରିଲେ ନାହିଁ, ସାମନ୍ତରାୟ କାହାକୁ ନବାକୁ ମଧ୍ୟ ଚାହିଁଲେ ନାହିଁ ।

 

ସୁକାନ୍ତ ଉପରେ ସିନା ରାଗକରି ନିଜ କାମରେ ଆଗୋଉଥିଲେ ଗୌରବାବୁ, କିନ୍ତୁ ସେ ଚାଲିଯିବା ପରେ ଚିଠି ଖଣ୍ଡିକ ପାଇ ଦୁନିଆଁ ତାଙ୍କୁ ଅନ୍ଧାର ଦିଶିଲା । ଗୋଟିଏ ବୋଲି ପୁଅ ସୁକାନ୍ତ...କାହା ପାଇଁ ଏ ଧନସମ୍ପତ୍ତି ଘରଦ୍ୱାର ? ତାଙ୍କର ବିଶ୍ୱାସ ଥିଲା ସୁକାନ୍ତ ନିଶ୍ଚୟ ପଢ଼ିବାକୁ କଟକ ଯାଇଥିବ, ମାତ୍ର ସେଠାରେ କୌଣସି ସନ୍ଧାନ ନ ପାଇ ଲୋକ ଫେରି ଆସିଲା–ନାନା ସ୍ଥାନରେ ଖୋଜାଖୋଜି କରି, ଖବରକାଗଜମାନଙ୍କରେ ବିଜ୍ଞାପନ ଦେଇ ମଧ୍ୟ ସୁକାନ୍ତର ସନ୍ଧାନ ମିଳିଲା ନାହିଁ ।

 

ସତେ ଯେପରି ସେ ଶୂନ୍ୟରେ ମିଳାଇଗଲା । ଦିନୁଦିନ ବ୍ୟଥାରେ ଭାଙ୍ଗିପଡ଼ିଲେ ଗୌରବାବୁ, ସଂସାର ତାଙ୍କୁ ଅନ୍ଧାର ଦିଶିଲା । ଦିନ ମାସ ହୋଇ ଦୁଇ ବର୍ଷ ବିତିଗଲା । ଚଳତ୍‍ଶକ୍ତି ଯନ୍ତ୍ରଟିଏ ପରି ସେ ଅସହ୍ୟ ବ୍ୟଥାରେ ଦିନ କାଟୁଥିଲେ । ହଠାତ୍‍ ଦିନେ ସେ ଶୁଣିଲେ ଗୁମାସ୍ତା ଗୋବିନ୍ଦ କଟକରୁ ସୁକାନ୍ତର ଜଣେ ସାଙ୍ଗଠୁ ଶୁଣିଲା–ସୁକାନ୍ତବାବୁ ପ୍ରଫେସର ଶିବବାବୁଙ୍କ ଝିଅକୁ ଭଲ ପାଉଥିଲା । କଥାଟା ସମୁଦ୍ର ଭିତରେ କୁଟାଖିଏ ଭଳି ଲାଗିଲା, ତଥାପି କାଳେ ଏ କଥାର ସତ୍ୟତା ଥାଏ, କାଳେ ଶିବବାବୁ କିଛି ଖବର ଜାଣିଥିବେ, ଏଥିପାଇଁ କାଳବିଳମ୍ବ ନ କରି ଭଙ୍ଗା-ଦେହ-ମନ ନେଇ ଗୌରବାବୁ କଟକ ଧାଇଁଲେ । ଶିବବାବୁଙ୍କୁ ସେ ଚିହ୍ନନ୍ତି, ପରିଚୟ ଅଛି ।

 

ଶିବବାବୁ ବହୁତ ଆଗରୁ ରିଟାୟାର୍ଡ଼ କଲେଣି । ବିନୟ ଚାକିରି କଲାଣି...ଏ କଥା ଗୌରବାବୁ ଜାଣିନାହାନ୍ତି । ଗୌରବାବୁଙ୍କୁ ଦେଖି ଶିବବାବୁ ବହୁତ ଆନନ୍ଦ ହେବା ସଙ୍ଗେ ସଙ୍ଗେ ଅତିଶୟ ସମ୍ମାନ ମଧ୍ୟ ଦେଖାଇଲେ । ଦୁହିଁଙ୍କର ନାନା ପ୍ରକାର ଦୁଃଖସୁଖ କଥା ଭିତରେ ସୁକାନ୍ତ କଥା ପଡ଼ିଲା ।

 

ଶିବବାବୁ କହିଲେ ସୁକାନ୍ତପ୍ରତି ମୋର ପ୍ରଗାଢ଼ ମମତା ଥିଲା । ସେ ଥିଲା ଅତି ଭଲ ଛାତ୍ର । ହଠାତ୍‍ ସେ ଏପରି ଚାଲିଗଲା ନାହିଁ ଯେ, ମୋ ସଂସାରକୁ ଉଚ୍ଛନ୍ନ କରିଦେଇ ଗଲା, ମୋ ମନକଥା ମନରେ ମଲା ।

 

କଥାର ସତ୍ୟତା ଉପଲବ୍‍ଧି କଲେ ଗୌରବାବୁ । ସେ କହିଲେ, ସେ କଥା ତ ମୁଁ କିଛି ଜାଣେନା–ବଳଭଦ୍ରପୁରର ହରମୋହନ ସାମନ୍ତରାୟଙ୍କ ଝିଅ ପାଇଁ ବାହାଘର ପ୍ରସ୍ତାବ ସ୍ଥିର କରିଥିଲି । ସେ ପ୍ରସ୍ତାବ ଶୁଣି କାହାକୁ କିଛି ନ କହି ରାତିଅଧରେ ଘରଛାଡ଼ି ପଳାଇଗଲା । ମତେ ସିଧାସଳଖ କିଛି କହିଥିଲେ ସିନା ମୁଁ ଜାଣିଥାନ୍ତି ।

 

ଶିବବାବୁ ଚମକି ପଡ଼ିଲେ । ଏଁ, ବଳଭଦ୍ରପୁର ସାମନ୍ତରାୟଙ୍କ ଝିଅ...ନମିତା ପାଇଁ ? ଭଗବାନ ଆପଣଙ୍କୁ ବଞ୍ଚାଇ ଦେଇଛନ୍ତି–କାହିଁକି ? କ’ଣ ହେଲା ? ଶିହରି ଉଠିଲେ ଗୌରବାବୁ ।

 

ଶିବବାବୁ ସଂକ୍ଷିପ୍ତରେ ନମିତା ମାଧୁରୀଙ୍କ ବନ୍ଧୁତାଠାରୁ...ନମିତା–ପରେଶଙ୍କ ଅବାଧପ୍ରଣୟ ତଥା ମାଧୁରୀର ବିବାହ ଅଭିନୟ ଇତ୍ୟାଦି ସମସ୍ତ କଥା କହିଗଲେ । ସବୁ ଶୁଣି ଗୌରବାବୁ ମୁଣ୍ଡରେ ହାତ ଦେଇ ବସିପଡ଼ିବା ସଙ୍ଗେ ସଙ୍ଗେ ମାଧୁରୀ ପ୍ରତି ତାଙ୍କର ସ୍ନେହଶ୍ରଦ୍ଧା ଆହୁରି ବଢ଼ିଗଲା । ସେ ଭାବିଲେ, ପୁଅ ତାଙ୍କର ଅପାତ୍ରରେ ପ୍ରେମଦାନ କରି ନାହିଁ । ନମିତା ଭଳି ନଷ୍ଟଚରିତ୍ରା ଝିଅଟିଏ ବୋହୂକରି ଆଣିଥିଲେ ବର୍ତ୍ତମାନ କ’ଣ ହୋଇଥାନ୍ତା ଅବସ୍ଥା ? ସୁକାନ୍ତ ଯଦି ପଳାଇ ଯାଇ ନ ଥାନ୍ତା ତା’ହେଲେ ସେ ତା’ର ବାହାଘର ସେଠାରେ ନିଶ୍ଚୟ କରାଇଥାନ୍ତେ !

 

ନିଜ ଉପରେ ତାଙ୍କର ରାଗ ହେଲା । ସେ କହିଲେ, ବୁଝିଲେ ମହାପାତ୍ରବାବୁ, ମୁଁ ଭଲା କାହିଁକି ପଚାରିଲି ନାହିଁ–ସୁକାନ୍ତ, ଏ ପ୍ରସ୍ତାବରେ ଯଦି ତୁ ଅମତ, ତା’ହେଲେ ତୁ କେଉଁଠି ଚାହୁଁ କହ କିମ୍ବା ସେ ବି ନିଜେ ମୁହଁ ଖୋଲି ଯଦି କହିଥାନ୍ତା ଆପଣଙ୍କ ସୁନାପ୍ରତିମା ଝିଅ ଆଜି ମୋ’ ଘର ମଣ୍ଡନ କରୁଥାନ୍ତା–ଆଉ ଆପଣ ବି ଆଗରୁ ମତେ ଟିକିଏ ଆଭାସ ଦେଲେ ନାହିଁ । ସତେ ଚାଲିଗଲା ପାଣି ଉଜାଣି ବହିବ...ପୁଅ ବୋହୂ ଧରି ଘର କରିବି–ଆଖିରୁ ଲୁହ ପୋଛିଲେ ଗୌରବାବୁ–

 

ଲୁହ ମଧ୍ୟ ପୋଛିଲେ ଶିବବାବୁ–‘‘ଦୁର୍ଭାଗ୍ୟ କଥା ଆଜ୍ଞା, ମୁଁ ଭାବିଲି ପିଲାଙ୍କର ପରୀକ୍ଷା ସରିଯାଉ...ଗ୍ରୀଷ୍ମଛୁଟିରେ ମତେ ଲମ୍ବା ସମୟ ମିଳିବ, ଆମର ତ ଅଚିହ୍ନା କଥା ନୁହେଁ...ଦିନେ ଆପଣଙ୍କ ପାଖରେ ପହଞ୍ଚି ବିବାହର ଦିନବାର ଏକାଥରେ ସ୍ଥିରକରି ଫେରିବି । ପରୀକ୍ଷା ଦି’ମାସ ବାକି...ଏ ଅସମୟଟାରେ ଆପଣ ଯେ ବାହାଘର କରିବାକୁ ବାହାରିବେ, ମୁଁ କିପରି ଜାଣିବି ?

 

ଗୌରବାବୁ ବ୍ୟଥିତ କଣ୍ଠରେ କହିଲେ, ‘‘ଆପଣଙ୍କ କନ୍ୟାଭଳି ରତ୍ନଟିକୁ ଘରକୁ ନେବାର ସୌଭାଗ୍ୟ ଥିଲେ ମତେ ଏ ଦୁର୍ବୁଦ୍ଧି କାହିଁକି ଦିଶିଥାନ୍ତା ? ଏ ବୁଢ଼ା ବୟସରେ ଆଖିରୁ ଲୁହ ପୋଛିବା ଯାହା ଭାଗ୍ୟରେ ଲେଖା, ସେ ସୁଖ ପାଇବ କେଉଁଠୁ ?

 

ଶିବବାବୁ ବ୍ୟଥିତ କଣ୍ଠରେ କହିଲେ–‘‘ଜୀବନରେ ହଜାର ହଜାର ପିଲା ମୁଁ ମଣିଷ କରିଛି, କିନ୍ତୁ ସୁକାନ୍ତଠାରେ ଯେଉଁ ଦେବତ୍ୱ ଥିଲା ତାହା କାହାଠାରେ ମୁଁ ଦେଖିନାହିଁ । ଦୁର୍ଭାଗ୍ୟ ମାଧୁରୀର, ପିଲାଦିନୁ ମାଆ ଗଲେ, ଏକା ମୁଁ ମାଆ ବାପ ହୋଇ ତାକୁ ପାଳିଥିଲି । ଜୀବନର ଶେଷ ଆଶା ଥିଲା ଉପଯୁକ୍ତ ପିଲାଟିର ହାତଧରି ଦେଶର ଆଉ ପାଞ୍ଚଟା ଝିଅଙ୍କପରି ସେ ହେବ ଗୃହିଣୀ ଆଉ ଜନନୀ । ତା’ ମାଆର ଶେଷ ଇଚ୍ଛା ଝିଅକୁ ମୋର ସାତ୍‍ପାତ୍ରରେ ଦେବ । ସେ ଆଶା ଆଉ ପୂର୍ଣ୍ଣ ହୋଇପାରିଲା ନାହିଁ । ଆଜୀବନ ପାଇଁ ସେ ତା’ ପଥ ବାଛିନେଲା ।

 

ସେ ହେବ ଡାକ୍ତରାଣୀ–କରିବ ଦେଶବାସୀଙ୍କ ସେବା । ଆଜି ଏହି ବୃଦ୍ଧ ଅବସ୍ଥାରେ ମୋର କ’ଣ କମ୍‍ ଦୁଃଖ ବୋଲି ଭାବୁଛନ୍ତି ।

 

ଗୌରବାବୁ ବ୍ୟଥିତ କଣ୍ଠରେ କହିଲେ, ‘‘ପୁଅ ବୋହୂଙ୍କ ପାଖରେ ରହି ଝିଅକୁ ଆଖି ଆଗରେ ଦେଖି ଆପଣ ସମୟ କାଟିବେ । ମାତ୍ର ମୁଁ ? ମୁଁ କ’ଣ କରିବି ? ଦଶରଥଙ୍କ ପରି ହାହାକାର କରି ମରିବି ତ ?’’

 

ଉଜ୍ଜଳ ବିଦ୍ୟୁତ୍‍ ଆଲୋକରେ ଦୁହିଁଙ୍କ ଆଖିରେ ଲୁହ ଚକ୍‍ଚକ୍‍ କରୁଥିଲା, ଦୁହିଁଙ୍କ ବେଦନା ଦୁହେଁ ହୃଦୟଙ୍ଗମ କରୁଥିଲେ, ଦୁହିଁଙ୍କ ଆଖିରେ ନାଚୁଥିଲା ସୁକାନ୍ତର ମୁହଁ ।

 

ମାଧୁରୀକୁ ଦେଖି ଖୁବ୍‍ ଖୁସି ହୋଇଥିଲେ ଗୌରବାବୁ । ଆଶୀର୍ବାଦ କରି କହିଲେ, ‘‘ମାଆ, ଭାଗ୍ୟହୀନ ମୁଁ । ତୋ’ଭଳି ରତ୍ନ ମୋ’ଘରକୁ ନେଇଥିଲେ, ଧରାଟା ମୋର ସ୍ଵର୍ଗ ହୋଇଥାନ୍ତା । ଆଇନତଃ ତୋ’ ଉପରେ ମୋର ଦାବି ନାହିଁ, ମାତ୍ର ତୁ’ ଯେଉଁ ସତ୍ୟଧର୍ମ ବଳରେ ଆଜୀବନ କୁମାରୀ ରହିବୁ ପ୍ରତିଜ୍ଞା କରିଛୁ, ତାହା ଫଳରେ ଧର୍ମତଃ ତୁ ମୋର ବୋହୂ । ସମୟ ଅସମୟରେ ଏ ବୁଢ଼ା ବାପଟାକୁ ତୋର ଭୁଲିବୁ ନାହିଁ । ମୁଁ ମଝିରେ ମଝିରେ ଆସି ତତେ ଦେଖୁଥିବି, ଆଉ ତୁ ତୋର ଘରଦ୍ଵାର ତଥା ତୋର ଏହି ବୁଢ଼ା ବାପର ଦାୟିତ୍ୱ ନେବୁ । ମହାପାତ୍ରବାବୁ, ଆପଣ ମତେ ଏ ସୁବିଧା ଦେବେ ତ ?

 

ଶିବବାବୁ ହସିଲେ, କହିଲେ–‘‘ଆପଣଙ୍କ ଇଚ୍ଛାରେ ମୁଁ ବାଧା ଦେବାକୁ କିଏ ? ଆପଣଙ୍କ ପାଦଧୂଳି ଏଠି । ଏ ଦୀନ–କୁଟୀର ଧନ୍ୟ ହୋଇଯିବ ।’’ ଏମାନଙ୍କ କଥାବାର୍ତ୍ତା ମାଧୁରୀ ମନରେ କି ପ୍ରଭାବ ପକାଉଥିଲା କେଜାଣି, କିନ୍ତୁ ତା’ର ସଦାପ୍ରସନ୍ନ ବଦନମଣ୍ଡଳରେ ଫୁଟି ଉଠିଥିଲା ଲଜ୍ଜାର ପାଟଳିମା । ସେ ମେଡିକାଲ୍‍ ଛାତ୍ରୀ....ସେ ସେବିକା....ତା’ ଆଖି ଆଗରେ ଆଜି ସମସ୍ତେ ସମାନ ।

 

ଦିନ ଆଗେଇବା ସଙ୍ଗେ କେତେ କ’ଣ ପରିବର୍ତ୍ତନ ଘଟିଯାଏ ସଂସାରର । ମାଧୁରୀ ଏବେ ଖୁବ୍‍ ଗମ୍ଭୀର ହୋଇଗଲାଣି । ତା’ ମୁହଁରୁ ସବୁ ସରସତା କୁଆଡ଼େ ହଜିଯାଇଛି । ପ୍ରମିଳା କୋଳକୁ ଆସିଲାଣି ଗୁଲୁଗୁଲିଆ ପୁଅଟିଏ । ଏକୋଇଶିଆ ମହା ଆଡ଼ମ୍ବରରେ ଶିବବାବୁ କଲେ, ମାଧୁରୀ ତା’ର ଡାକନାମା ରଖିଛି ମଣ୍ଟୁ । ସୁକାନ୍ତ କଥା ରହି ରହି ମନେପଡ଼େ ମାଧୁରୀର । ସେ ଈଶ୍ଵରଙ୍କୁ ପ୍ରାର୍ଥନା କରେ, ପ୍ରଭୁ ହେ, ତାଙ୍କୁ ବଞ୍ଚାଇରଖ, ଏ ପୃଥିବୀରେ ଯେଉଁଠି ଥା’ନ୍ତୁ ପଛେ ସୁଖରେ ଥାଆନ୍ତୁ । ଥରେ ହେଲେ ତାଙ୍କୁ ମୁଁ ଦେଖେ । ଭଗବାନ ତା’ର କାତର ପ୍ରାର୍ଥନା ଶୁଣନ୍ତି କି ନା ସେ ଜାଣେନା ।

 

ହସ୍‍ପିଟାଲ୍‍ର ପ୍ରସୂତି ଭବନ ଭିତରକୁ ପଶିଗଲେ ନାରୀର ଶ୍ରେଷ୍ଠସମ୍ପଦ ସଜଗୋଲାପ ଭଳି ଶିଶୁଗୁଡ଼ିକ ମାଧୁରୀ ଆଖିରେ ଚମକ ଲଗାଇ ଦିଅନ୍ତି । ସେ ନାରୀ । ରକ୍ତ-ମାଂସ-ଗଢ଼ା ଦେହରେ ତା’ର ଜାଗରିତ ହୋଇଉଠେ ସୁପ୍ତ ମାତୃତ୍ୱ....ମନ କହେ–ନାଁ, ନାଁ, ଏ ଜୀବନ ଭଲ । ମଣ୍ଟୁ କ’ଣ ତା’ର ପୁଅ ନୁହେଁ ? ଅତୀତର ମାଧୁରୀ ମାରିଛି ।

 

ମାଧୁରୀର ବେଶ ପୋଷାକରେ ବି ଆଜିକାଲି ଚାକଚକ୍ୟ ନାହିଁ । ଖୁବ୍‍ ସାଦାସିଧା ହୋଇଯାଇଛି ସେ, ସତେ ଯେପରି ତପସ୍ୱିନୀ ଉମା । ମନେ ମନେ ଦୁଃଖ କରନ୍ତି ଶିବବାବୁ, ବିନୟ, ପ୍ରମିଳା । ମାତ୍ର ସବୁବେଳେ ହସର ରେଖା ଆଙ୍କି ହୋଇଥାଏ ତା’ ମୁହଁରେ ।

 

ବିବାହର ଛଅ ମାସ ପରେ ନମିତାର ପୁଅଟିଏ ହେଲା । ମାତ୍ର ତାଙ୍କ ଘରେ ସେତେବେଳକୁ ସବୁକଥା ଜାଣି ସାରିଥିଲେ । ନମିତା ମଧ୍ୟ ନିଜର ଆଚାର ବ୍ୟବହାରରେ ସମସ୍ତଙ୍କୁ ଆପଣାର କରି ସାରିଥିଲା । ତେଣୁ ଆଉ କିଛି ଅସୁବିଧା ନ ଥିଲା । ଥଟ୍ଟାଳିଆ ଲୋକେ ବେଳେ ବେଳେ ତାକୁ ମାଧୁରୀ ବୋଲି ଡାକୁଥିଲେ ।

 

ହରମୋହନ ସାମନ୍ତରାୟ ଅତି ରାଗି ଓ ଆତ୍ମାଭିମାନୀ । ତେଣୁ ନମିତା ଉପରୁ ମନରେ ରାଗ କମିଥିଲେ ବି ବନ୍ଧୁଘର ଜାଣିବାକୁ ଯାଉ ନଥିଲେ । ଗାଁ ଲୋକ ଜାଣିବାକୁ କହୁଥିଲେ ଝିଅ ଜୋଇଁ ବିଲାତ ଯାଇଛନ୍ତି । ଭାର କିଏ ପଚାରେ । ସେଠିକି ଆମ ଦେଶର ଟଙ୍କା ବି ଯାଇପାରିବ ନାହିଁ ।

 

ପରେଶର ବାପା.....ଆଡଭୋକେଟ୍‍ ରାମବାବୁ.....ନାତି ହେବା ପରେ ବଳଭଦ୍ରପୁରକୁ ଦିନେ ଯାଇ ଏକୋଇଶିଆ ବେଳେ ସାମନ୍ତରାୟଙ୍କୁ ଜୋର୍‍କରି ନେଇ ଆସିଲେ । କହିଲେ, ‘‘ସମୁଦି, ସବୁଦିନେ କ’ଣ ସେହି ରାଗଧରି ବସିଥିବ । ମୁଁ ତ ସହିଲି, ତମେ କାହିଁକି ନ ସାହିବ ? ଯାହା ଯୋଗଥିଲା ଘଟିଗଲା–ମାତ୍ର ଧନ୍ୟବାଦ ଦେବାକୁ ହବ ଏକା ଶିବର ଝିଅଟାକୁ–ଝିଅ ନୁହେଁ ଯେ ରତ୍ନଟାଏ ।

 

ହରମୋହନବାବୁ ତାହା ହିଁ କହିଲେ । ହଁ ତା’ରି ପାଇଁ ତମର କୁହ, ମୋର କୁହ, ଇଜ୍ଜତ ରହିଲା, ନ ହେଲେ ଏ ପୁଅଝିଅ ଆମକୁ ଆଉ ରଖିଥିଲେ ନାଁ । ମାଧୁରୀ ଭାରି ବୁଦ୍ଧିଆ ଝିଅ !

 

ମାଧୁରୀର ପ୍ରଶଂସା ସମସ୍ତଙ୍କ ମୁହଁରେ ଉଛୁଳି ଉଠୁଥିଲା । ପରେଶ ମନେ ମନେ ଭକ୍ତି କରୁଥିଲା ମାଧୁରୀକୁ । ଭଦ୍ର ସମାଜରେ ମାଧୁରୀର ଆଦର୍ଶ ଦେଖାଇ ବାପା, ମାଆ ତିଆରନ୍ତି ଝିଅମାନଙ୍କୁ, କହନ୍ତି–ଝିଅ ହବ ଯଦି ହବ ମାଧୁରୀପରି ।

 

ନ ଦେଖିଥିବା ଲୋକେ ବି ଥଟ୍ଟାକରି କହନ୍ତି, ଓଲାରିଲା ଘର, ମଙ୍ଗୁଳାଇଲା ବରକନ୍ୟା ରହନ୍ତି ନାହିଁ । ଭାରିଦୋଷ–ନିନ୍ଦା ପ୍ରଶଂସାକୁ କାନ ଦିଏ ନା ମାଧୁରୀ, ତା’ ନିଜ ପଢ଼ାପଢ଼ିରେ ସେ ବ୍ୟସ୍ତ ରହେ ।

 

ପ୍ରମିଳା ଦୁଃଖ କରି ବେଳେ ବେଳେ କହେ ଡାକ୍ତରୀ ବିଦ୍ୟାଟାକୁ ଧରି କେତେଦିନ ସାନ୍ତ୍ୱନା ପାଇବ ମାଧୁରୀ ? ମାଧୁରୀ ହସେ, କହେ–ଏଇ ଜୀବନ ମୋର ଖୁବ୍‍ ଭଲ–ନମିତା ପରେଶ ଆସନ୍ତି । ମାଧୁରୀକୁ ସେମାନେ ଅପା ଡାକନ୍ତି, ଭକ୍ତି କରନ୍ତି । ନମିତା କୃତଜ୍ଞତା ଜଣାଇ କହେ, ‘‘ତୁ’ ନ ଥିଲେ ଏତେବେଳକୁ ମୁଁ ମରି ଧୂଳିରେ ମିଶି ସାରନ୍ତିଣି । ତୁ ମୋର ଆରାଧ୍ୟ ଦେବୀ-। ତୋ ଋଣ ମୁଁ କେଉଁ ଜନ୍ମରେ ଶୁଝିବି ଅପା ?’’

 

ମାଧୁରୀ ହସେ...କହେ, “ଏବେ ପୂରା ଘରଣୀ ହୋଇଗଲୁ ନାଁ; ସେଥିପାଇଁ ଏପରି କହୁଛୁ । ଋଣ ଗୋଟାଏ କ’ଣ ଲୋ ? ନମିତାର ସୁନ୍ଦର ଗୁଲୁଗୁଲିଆ ପୁଅ ଲୁଲୁକୁ ଗେଲକରେ ମାଧୁରୀ...ଦିନ ମାସ ହୋଇ ବର୍ଷ ଗଡ଼ିଚାଲେ ଆଗକୁ...।

 

ଆଗଭଳି ଶିବବାବୁ ଆଉ ଏବେ ଟିକିଏ କଥାରେ ବ୍ୟସ୍ତ ହେଇ ପଡ଼ୁନାହାନ୍ତି । ମାଧୁରୀର ଅକ୍ଳାନ୍ତ ପରିଶ୍ରମ ଫଳରେ ସେ କୃତିତ୍ୱର ସହ ଡାକ୍ତରୀ ପାସ୍‍ କରିଛି । ବାପାଙ୍କର ସ୍ଵାସ୍ଥ୍ୟପ୍ରତି ସେ ସର୍ବଦା ଯତ୍ନବାନ୍‍ । ବାପାଙ୍କର ଶାରୀରିକ ଓ ମାନସିକ ଅବସ୍ଥାର ଯଥେଷ୍ଟ ପରିବର୍ତ୍ତନ ଘଟିଛି । ଶିବବାବୁ ପୂର୍ବାପେକ୍ଷା ସୁସ୍ଥ ସବଳ ଅଛନ୍ତି । ତାଙ୍କର ଏବେ ସାଙ୍ଗ ହୋଇଛି ଚାରି ବର୍ଷର ନାତି ମଣ୍ଟୁ ।

 

ଶିବବାବୁ ମଣ୍ଟୁକୁ ଯେତିକି ସ୍ନେହ କରନ୍ତି, ମଣ୍ଟୁ ବି ତା’ର ଜେଜେଙ୍କୁ ସାଙ୍ଗ ପିଲା ପରି ଭାବି ଖେଳକୌତୁକ କରେ । ଏସବୁ ଦେଖି ମାଧୁରୀ ବି ଖୁବ୍‍ ଆନନ୍ଦପାଏ । ପ୍ରମିଳା କହେ, ମଣ୍ଟୁ ଜେଜେ ପରା ଠାକୁର, ତାଙ୍କୁ ନମ କର, ଶିବବାବୁ ଆକଟନ୍ତି, “ତୁ ସେମିତି କହିବୁନି ମାଆ, ମଣ୍ଟୁ ପରା ମୋ ସାନ ଭାଇ । ଆମେ ଦୁହେଁ ତୋର ପୁଅ, ଲଜ୍ଜାରେ ଝାଉଁଳିପଡ଼େ ପ୍ରମିଳା ।

 

ସୁକାନ୍ତର ସ୍ମୃତି ସର୍ବଦା ମାଧୁରୀ ହୃଦୟରେ ଜାଗରିତ ହୁଏ । ତାକୁ ଆଖି ଆଗରେ ରଖି ସେ ତା’ର କର୍ମପନ୍ଥା ନିର୍ଦ୍ଧାରଣ କରେ । ମାଧୁରୀ ପାସ୍‍ କଲା ପରେ ହାସ୍‍ପିଟାଲରେ ହାଉସ୍‍ସର୍ଜନ ଭାବରେ କାର୍ଯ୍ୟକରି ଚାଲିଛି । ମାୟା ସଂସାରର ଜରା, ବ୍ୟାଧିର ଦାଉ ଦେଖି ଦେଖି, ରୋଗୀର ଆର୍ତ୍ତଚିତ୍କାର ଶୁଣି ଶୁଣି, ସେ କେମିତି ଦିନୁଦିନ ଦୁର୍ବଳ ହୋଇ ପଡ଼ିଲାଣି । ସଂସାର ପ୍ରତି ତା’ର କେମିତି ବୈରାଗ୍ୟ ବି ଆସିଲାଣି । ସେ ଭାବେ, ବିଭା ନ ହୋଇ ଏହି ରୋଗୀ, ଦୁଃଖୀଙ୍କର ସେବା ସେ କରୁଛି–ଏହା ହିଁ ତା’ର ପରମ ସୌଭାଗ୍ୟ ।

 

ଦିନେ ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼ଟି ପଢ଼ୁ ପଢ଼ୁ ଗୋଟିଏ ସ୍ଥାନରେ ତା’ର ଆଖି ଅଟକିଗଲା । ନିକଟରେ ଆମେରିକାର ଯେଉଁ ଚିତ୍ର ପ୍ରଦର୍ଶନୀ ହୋଇଥିଲା ସେଥିରେ ସବୁ ଦେଶର କୃତୀ ଶିଳ୍ପୀମାନେ ନିଜ ନିଜର ଚିତ୍ରନେଇ ଯୋଗ ଦେଇଥିଲେ...ତା’ ଭିତରୁ ଭାରତୀୟ ଯୁବକ ଶିଳ୍ପୀ ପୁଲିନ୍‍ ମିତ୍ର ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଛନ୍ତି ।

 

ଯେଉଁ ଚିତ୍ରଟି ସେଠାରେ ପୁରସ୍କାର ଲାଭ କରିଛି ସେ ଚିତ୍ର ଓ ଶିଳ୍ପୀଙ୍କର ଫଟୋ ବାହାରିଛି, ମାତ୍ର ଖବରକାଗଜର ବ୍ଲକ ବିଶେଷ ଭଲ ହେଇ ନ ଥିବାରୁ ପରିଷ୍କାର ଦିଶୁନାହିଁ । ଶିଳ୍ପୀଙ୍କ ଫଟୋ ଆଦୌ ଚିହ୍ନି ହେଉନାହିଁ । ଯାହା ବା ଚିହ୍ନି ହୁଅନ୍ତା ମୁହଁସାରା ଦାଢ଼ିରେ ଭର୍ତ୍ତି......କେବଳ ଆଖି ଦୁଇଟି ଝାପ୍‍ସା ଦିଶୁଛି ।

 

ବହୁତ ନିରୀକ୍ଷଣ କରି ମାଧୁରୀ ଦେଖିଲା...ଏ ଚିତ୍ର ଯେପରି ସେ କେବେ କେଉଁଠି ଦେଖିଛି...ତେବେ କେଉଁଠି ? ନିଜର ଓ ସୁକାନ୍ତର ଯେତେ ଅଙ୍କା ଛବି ତା’ ପାଖରେ ଥିଲା ସବୁ ଏକତ୍ର କରି ସେ ଦେଖିଲା । ହଁ, ସୁକାନ୍ତର ଗୋଟିଏ ଛବିସହ ସାମାନ୍ୟ ମିଳୁଛି । ମାତ୍ର ଶିଳ୍ପୀ ତ ପୁଲିନ୍‍ ମିତ୍ର ଦୀର୍ଘ ନିଶଦାଢ଼ିର ଅଧିକାରୀ, ସୁକାନ୍ତର ସୁନ୍ଦର ମୁଖର ସ୍ଥାନ ବା ଏଠାରେ କାହିଁ ?

 

ପୁଣି ଥରେ ଶିଳ୍ପୀର ଠିକଣା ପଢ଼ିଲା ମାଧୁରୀ । ଲେଖାଅଛି–ପୁଲିନ୍‍ ମିତ୍ର, ମହର୍ଷି ଦେବେନ୍ଦ୍ର ରୋଡ଼, ଦୁଇଶ ପାଞ୍ଚ ନମ୍ବର ଘର, କଲିକତା ‘ବାର’ । ଶିଳ୍ପୀ ପରିଚୟରେ ଲେଖାଅଛି ଶିଳ୍ପୀ ଶାନ୍ତିନିକେତନଠାରେ ଆର୍ଟ ଶିକ୍ଷା କରୁଥିଲେ । ବହୁ ଅଭାବ ଅସୁବିଧା ଭିତରେ ସେ କୃତକାର୍ଯ୍ୟ ହୋଇଛନ୍ତି ।

 

ମାଧୁରୀର ଏହି ଶିଳ୍ପୀଙ୍କୁ ଦେଖିବା ପାଇଁ ବହୁତ ଆଗ୍ରହ ହେଲା । ଇଚ୍ଛାହେଲା ସାଙ୍ଗେ ସାଙ୍ଗେ ଧାଇଁଯାନ୍ତା କଲିକତା, ମାତ୍ର ତାହା କି ସମ୍ଭବ ? ପ୍ରଥମତଃ ସେ ନାରୀ । ତା’ ଉପରେ ହାସ୍‍ପିଟାଲ୍‍ର ଦାୟିତ୍ୱ । ବାପା ଭାଇଙ୍କ ଅନୁମତି ଓ ଚାକିରିରୁ ଛୁଟି ସବୁ ତା’ର ଲୋଡ଼ା ।

 

ସେଦିନ ସିନା ସେ ଯାଇ ପାରିଲା ନାହିଁ–ମାତ୍ର ମନକୁ ତା’ର ସାନ୍ତ୍ୱନା ଦେଲା, ଏବେ ନ ହେଲେ ବି ଭାରତର ଶ୍ରେଷ୍ଠଶିଳ୍ପୀଙ୍କୁ ଦିନେ ଯାଇ ନିଶ୍ଚୟ ଦେଖିବ ।

 

ଦଶହରା ଆଗେଇ ଆସୁଛି । ହସିଉଠୁଛି କଟକ ସହର । ସମସ୍ତଙ୍କୁ ମିଳିଛି ଛୁଟି । ମାଧୁରୀ ପ୍ରସ୍ତାବ କଲା–ସବୁ ବର୍ଷ ତ ଆମେ କଟକର ଦଶହରା ଦେଖୁଛେ, ଏଥର ଚାଲ ସମସ୍ତେ କଲିକତା ଯିବା । କଲିକତା ଓ ଦଶହରା ପର୍ବ ସବୁ ଦେଖିଆସିବା ।

 

କଥାଟା ସମସ୍ତଙ୍କ ମନକୁ ପାଇଲା । ବିନୟର ଛୁଟି, ମାଧୁରୀର ତ ଛୁଟି, ପରେଶର ବି ଛୁଟି–ଏ କଥା ଯେମିତି ଶୁଣିଲେ ପରେଶ ଓ ନମିତା ବି ବାହାରିଲେ । ଶିବବାବୁଙ୍କ ପରିବାର–ଆଉ ପରେଶ ନମିତା ସମସ୍ତେ ସାଙ୍ଗହୋଇ କଲିକତା ଗଲେ ।

 

କଲିକତା ସହର–ଜନକୋଳାହଳ, ଗାଡ଼ିମଟର ଘୋ, ଘା । ସବୁବେଳେ ତ ଗହଳି, ସେଥିରେ ଦୁର୍ଗାପୂଜା ଜାକ୍‍ଜମକ । ବୁଲାବୁଲି କରି କେତେକ ଦର୍ଶନୀୟ ସ୍ଥାନ ଦେଖାହେଲା । କାଳିଘାଟ, ଚିଡ଼ିଆଖାନା, ଯାଦୁଘର ଛଡ଼ା ବଡ଼ ବଡ଼ ସ୍ଥାନର ଦେବୀ ମୂର୍ତ୍ତି ସବୁ ମଧ୍ୟ ଦେଖାଗଲା । ଦେଖିବା ବୁଲିବା ଭିତରେ ଆନନ୍ଦ ନ ଥାଏ ମାଧୁରୀର । ଯନ୍ତ୍ରଚାଳିତପରି ସେ ବୁଲୁଥାଏ ।

 

ସେଦିନ ସମସ୍ତେ ବୁଲିଗଲେ, ମାତ୍ର ମୁଣ୍ଡବିନ୍ଧା ଯୋଗୁଁ ମାଧୁରୀର ଯିବାକୁ ଇଚ୍ଛା ହେଲା ନାହିଁ । ତା’ର ଡାକ୍ତରୀ ବ୍ୟାଗ୍‍ଟା ସେ ସାଙ୍ଗରେ ନେଇ ଯାଇଥିଲା । ତାକୁ ଖେଳାଖେଳି କରି ଦି’ଟା ପୁଡ଼ା ଏ,ପି,ସି, ପାଉଡର ଖାଇଦେଇ ଶୋଇ ପଡ଼ିଲା । ଘଣ୍ଟାଏ ପରେ ବେଶ୍‍ ସୁସ୍ଥ ଲାଗିଲା, ମାତ୍ର ଏକୁଟିଆ ବସାଟାରେ ଖରାପ ଲାଗିଲା । କଲିକତା ଭଳି ସହରରେ ସେ ଏକା ବା ବୁଲିଯିବ କିପରି-? ତା’ର ଗୁଣ୍ଡା ମଦୁଆଙ୍କୁ ଭାରି ଡର । ପୁଣି ଭାବିଲା, ଶିକ୍ଷିତା ଝିଅ ହୋଇ ମୁଁ ଯଦି ସ୍ଵଚ୍ଛନ୍ଦରେ ବୁଲାବୁଲି କରିବାକୁ ଭୟ କରିବି, ତେବେ ଏତେ ପାଠପଢ଼ିବା ବୃଥା । ଏହି ସହରର ଝିଅମାନେ ତ ଏକା ଏକା ସ୍କୁଲ, କଲେଜ, କଚିରୀ, ଅଫିସକୁ ଯା’ଆସ କରି ପାରୁଛନ୍ତି–ମୁଁ ବା ପାରିବି ନାହିଁ କାହିଁକି ?

 

ଏ ଧାରଣା ଦୃଢ଼ହେବା ମାତ୍ରେ ସେ ଲୁଗାପଟା ବଦଳାଇ ଚାକରଟୋକା ଦାୟିତ୍ୱରେ ଘରଦେଇ ତା’ର ଭ୍ୟାନିଟ୍‍ବ୍ୟାଗ ଧରି ବାହାରି ପଡ଼ିଲା ରାସ୍ତାରେ । କେତେ ଖାଲି ଟ୍ୟାକ୍‍ସି ତା’ ପାଖଦେଇ ଚାଲି ଯାଉଛି । ସେ ସବୁକୁ ଅନାଇଁ ଚୁପ୍‍ ରହେ । କେତେ ସମୟ ପରେ ଦେଖିଲା ଗୋଟିଏ ବୁଢ଼ା ଡ୍ରାଇଭର ଖାଲି ଟ୍ୟାକ୍‍ସି ନେଇଯାଉଛି । ସେହି ଟ୍ୟାକ୍‍ସି ଅଟକାଇ ମାଧୁରୀ ଉଠି ପଡ଼ିଲା–

 

ଡ୍ରାଇଭର ବଙ୍ଗଳାରେ ପଚରିଲା ‘‘କୁଆଡ଼େ ଯିବେ ?’’ ଗୋଟାଏ ଆବେଗରେ ମାଧୁରୀ ଉତ୍ତର ଦେଲା ‘‘ମହର୍ଷି ଦେବେନ୍ଦ୍ର ରୋଡ଼’’–ଟ୍ୟାକ୍‍ସି ଆଗେଇ ଚାଲିଲା । ଚିତ୍ର ଶିଳ୍ପୀର ସାକ୍ଷାତ ପାଇଁ ମାଧୁରୀ କଲିକତା ଆସିଛି ଅଥଚ ଏକଥା କାହିଁକି ସେ ଅନ୍ୟମାନଙ୍କୁ ଜଣାଇନାହିଁ ତାହା ଜାଣେନା । ଅବଶ୍ୟ ଏକୁଟିଆ ଏଠାକୁ ଆସିବା ତା’ର ଉଦ୍ଦେଶ୍ୟ ନ ଥିଲା, ମାତ୍ର ହଠାତ୍‍ ସେ ଆଜି ଚାଲିଆସିଲା ।

 

ଅଭିଜ୍ଞ ଡ୍ରାଇଭରକୁ ମହର୍ଷି ଦେବେନ୍ଦ୍ର ରୋଡ଼ର ଦୁଇଶ ପାଞ୍ଚ ନମ୍ବର ଘର ଖୋଜି ବାହାର କରିବାକୁ ବିଶେଷ ସମୟ ଲାଗିଲା ନାହିଁ । ଦାଣ୍ଡଦୁଆର ଖାଲି ଆଉଜା ହୋଇଥିଲା । ପଡ଼ିଶା ଘରର ଜଣେ ବୃଦ୍ଧା ନିଜ ଦୁଆରେ ଠିଆ ହୋଇଥିଲେ । ସନ୍ଦେହ ମୋଚନପାଇଁ ମାଧୁରୀ ତାଙ୍କୁ ପ୍ରଶ୍ନକଲା, ଚିତ୍ରଶିଳ୍ପୀ ପୁଲିନ୍‍ ମିତ୍ର ଏହି ଘରେ ରହନ୍ତି କି ?

 

କଲିକତା ସହରରେ କିଏ କାହାର ଖବର ବୁଝିଛି । ତଥାପି ବୃଦ୍ଧା କହିଲେ, ଜଣେ ଚିତ୍ରକର ତିନି ବର୍ଷ ହେଲା ଏଠାରେ ଅଛନ୍ତି ବୋଲି ସେ ଜାଣେ । ଡ୍ରାଇଭରକୁ ଅପେକ୍ଷା କରିବାକୁ କହି ମାଧୁରୀ କବାଟ ଠେଲି ଭିତରକୁ ପଶିଲା ।

 

ଦାଣ୍ଡଘରକୁ ଚାହିଁ ବିସ୍ମିତ ହେଲା ମାଧୁରୀ । ଏ ଘରେ ପୁଣି ମଣିଷ ରହନ୍ତି । କେତେଦିନ ହେବ ଯେ ଓଳା ହୋଇନାହିଁ, ତା’ର ହିସାବ ନାହିଁ । ଜିନିଷପତ୍ର ଏଣେତେଣେ ବିପର୍ଯ୍ୟସ୍ତ ଭାବରେ ପଡ଼ିଛି ।

 

ଆର ବଖରାକୁ ପଶିଯିବା ମାତ୍ରେ ଚମକି ପଡ଼ିଲା ସେ । ଖଣ୍ଡେ ଦଉଡ଼ିଆ ଖଟରେ ଜୀର୍ଣ୍ଣ ମଳିନ ବିଛଣାରେ ଜଣେ ରୁଗ୍‍ଣ ବ୍ୟକ୍ତି ଶୋଇଛନ୍ତି । ଅବସ୍ଥା ଦେଖି ବୟସ କିଛି ଅନୁମାନ କରିହେବ ନାହିଁ । ମୁହଁସାରା ଦାଢ଼ିରେ ଭର୍ତ୍ତି, ରୋଗୀଟି ଚେତନ କି ଅଚେତନ ତାହା ବି ଠିକ୍‍ ଜାଣି ହେଉନାହିଁ ।

 

ଘରର ସବୁଆଡ଼େ ଆଖି ବୁଲାଇ ଆଣିଲା ମାଧୁରୀ । ଏଠି ମଣିଷ ଗୋଟିଏ ବି ଆଉ କେହି ନାହିଁ । ଅପରିଷ୍କାର ଘର–ଖଣ୍ଡେ ଭଙ୍ଗା ଟେବୁଲ୍‍, ଗୋଟେ ଚେୟାର, ଟେବୁଲ୍‍ ଉପରେ ଅଲାବଲା ହୋଇ ପଡ଼ିରହିଛି ଚିତ୍ର ଆଙ୍କିବା କାଗଜ, ପେନ୍‍ସିଲ, ତୂଳି, ରଙ୍ଗ, ଅଧାଅଙ୍କା, ଅଳ୍ପଅଙ୍କା କେତେ ଖଣ୍ଡ ଛବି । ଏଠି ସେଠି ପଡ଼ିଛି ଦି’ ଚାରିଖଣ୍ଡ ପୁରୁଣା ପେଣ୍ଟ, ଶାର୍ଟ, ଧୋତି, ଭଙ୍ଗା ଦର୍ପଣ, ଖଣ୍ଡେ ପାନିଆଁ–

 

ଏସବୁ ଉପରୁ ଆଖିବୁଲାଇ ଆଣି କାନ୍ଥ ଉପରକୁ ଚାହିଁଦେଲା ମାଧୁରୀ...କାନ୍ଥରେ ଟଙ୍ଗା ହୋଇଛି ଗୋଟିଏ ଫଟୋ, ଯେଉଁଟା ଆମେରିକାରେ ଶ୍ରେଷ୍ଠ ବୋଲି ବିବେଚିତ ହୋଇଥିଲା । ଆଉ ତା’ ପାଖକୁ ଲାଗି ଗୋଟିଏ ନାରୀର ହାତଅଙ୍କା ଫଟୋ ।

 

ଫଟୋଟିକୁ ଚାହିଁ ବିସ୍ମିତ ହୋଇଗଲା ମାଧୁରୀ । ଏଁ, ଏ ଯେ ତା’ର ପ୍ରତିମୂର୍ତ୍ତି ? ତା’ ଛବି ଏଠାକୁ ଆଣିଲା କିଏ ? ଇସ୍‍, କି ନିଖୁଣଛବି ? ବାଁ, ଗାଲର କଳାଜାଇ ପର୍ଯ୍ୟନ୍ତ ଆଙ୍କିବାକୁ ଭୁଲିନାହିଁ ଶିଳ୍ପୀ । କିଏ ଏହି ଶିଳ୍ପୀ !

 

ମାଧୁରୀ ଘୁଞ୍ଚିଆସିଲା ରୋଗୀ ନିକଟକୁ । ଚେହେରା ଦେଖି ଚିହ୍ନି ହେଉନାହିଁ । ଶିଳ୍ପୀ ଯିଏ ହେଉ ଜଣେ ରୋଗୀ । ସେ ଡାକ୍ତର–ରୋଗୀପ୍ରତି ତା’ର କର୍ତ୍ତବ୍ୟ ସେ କରିବ । ଡାକ୍ତରୀ ବ୍ୟାଗ୍‍ଟା ବସାରେ ରହିଛି...ଉପାୟ ବା କ’ଣ ?

 

ସେ ରୋଗୀର ହାତଟି ଟେକି ପଲ୍‍ସ୍‍ ଦେଖିବାକୁ ଲାଗିଲା । ତାହା ଯେପରି ଗତିହୀନ ହେବାକୁ ଲାଗିଲାଣି । ଶେଥା ପଡ଼ି ଆସିଲାଣି ମୁହଁ, ଦିହ–ଜୀବନଦୀପ ନିର୍ବାଣ ହେବାକୁ ଯେପରି ଆଉ ବେଶି ଡେରିନାହିଁ... ହାତଟା ଏପାଖ ସେପାଖ କରୁ କରୁ ମଝି ଆଙ୍ଗୁଳିରେ ଥିବା ମୁଦିଟି ଉପରେ ତା’ର ନଜର ପଡ଼ିଲା । ମିନାର ଚିତ୍ର ଭିତରେ ଜକ୍‍ ଜକ୍‍ ହୋଇ ଲେଖା ହୋଇଛି ସେହି ତିନୋଟି ଅକ୍ଷର ‘ସୁକାନ୍ତ’ ! ସୁକାନ୍ତ ହାତରେ ଏ ମୁଦି ସେ ଦେଖିଛି, ଚିହ୍ନିଛି ।

 

ଆଳୁ ଖୋଳୁ ଖୋଳୁ ସେ ମହାଦେବ ପାଇଛି, ଏ କ’ଣ ସତେ ତା’ର ସୁକାନ୍ତ ? ଯାହାକୁ ଦେଖିବା ପାଇଁ ସେ କେତେ ଦିଅଁଦେବତାଙ୍କୁ ଆରାଧନା କରୁଥିଲା । ଏ ଶେଷ ଅବସ୍ଥାରେ କାହିଁକି ଭେଟାଭେଟି କରାଇଲ ପ୍ରଭୁ । ମାଧୁରୀ ବିକଳ ହୋଇ କାନ୍ଦି ପକାଇଲା । ତା’ର ପ୍ରାଣଟା ଚାଲିଯିବ କି ସତେ ?

 

ଖାଲି କାନ୍ଦିଲେ ତ ହେବ ନାହିଁ । ସେ ଡାକ୍ତର–ରୋଗୀ କଥା ସେ ଭଲଭାବରେ ଜାଣେ-। ଘଡ଼ିଏ ବିଳମ୍ବ ହେଲେ ସବୁ ବୃଥା ହେବ । ରୋଗୀର ଜୀବନ ସଙ୍କଟାପନ୍ନ । ବର୍ତ୍ତମାନ ଉପଯୁକ୍ତ ଚିକିତ୍ସା ପ୍ରୟୋଜନ ।

 

କିଛି କଥା ନ ଭାବି ନ ଚିନ୍ତି ସେ ବାହାରକୁ ଯାଇ ଟ୍ୟାକ୍‍ସି ଡାଇଭରକୁ ଅନୁରୋଧ କଲା–ତା’ର ଆତ୍ମୀୟଙ୍କୁ କୌଣସି ବଡ଼ ହାସ୍‍ପିଟାଲରେ ଭର୍ତ୍ତି କରିବାରେ ସାହାଯ୍ୟ କଲେ ସେ ଧନ୍ୟବାଦ୍‍ ସହ ଉପଯୁକ୍ତ ପାରିଶ୍ରମିକ ମଧ୍ୟ ଦେବାକୁ ଭୁଲିବ ନାହିଁ ।

 

ବିଚରା ଡ୍ରାଇଭରଟି ଝିଅଟିର ବିକଳ ଦେଖି ସାହାଯ୍ୟ କରିବାକୁ ରାଜିହେଲା । ତା’ ସହଯୋଗରେ ମାଧୁରୀ ସୁକାନ୍ତକୁ ଧରାଧରି କରି ଆଣି କାରରେ ଶୁଆଇଲା । ଡାକ୍ତରୀ ବୁଦ୍ଧିଗୁଡ଼ା ମାଧୁରୀ ମନରେ ଛଟ୍‍ପଟ୍‍ ହେବାକୁ ଲାଗିଲା । ମାତ୍ର ଚିକିତ୍ସା କରିବାକୁ ପାଖରେ କ’ଣ ବା ଅଛି ?

 

କଲିକତା ମେଡିକାଲ କଲେଜର ବଡ଼ ପ୍ରଫେସରଙ୍କୁ ସୁକାନ୍ତର ଚିକିତ୍ସା ଦାୟିତ୍ୱ ଦେବା ଲାଗି ସ୍ଥିର କରି ସେଠାକୁ ଗାଡ଼ି ନେବାକୁ ମାଧୁରୀ ଡ୍ରାଇଭରକୁ କହିଲା । ଡ୍ରାଇଭର ତାହା ହିଁ କଲା-

 

କଲିକତା ମେଡିକାଲ କଲେଜର ପ୍ରଫେସର ଏସ୍‍.କେ.ଗାଙ୍ଗୁଲିଙ୍କ ଅଫିସରୁମ୍‍ ପାଖରେ ଗାଡ଼ି ବନ୍ଦ କରି ଭିତରକୁ ଯିବାର ଅନୁମତି ଚାହିଁଲା ମାଧୁରୀ–ମାଧୁରୀ ଓଡ଼ିଶାର ଜଣେ ଲେଡି ଡକ୍ଟର ଓ ଜରୁରି ପରାମର୍ଶ ପାଇଁ ଆସିଛି ଜାଣି ଗାଙ୍ଗୁଲି ମହାଶୟ ପ୍ରବେଶର ଅନୁମତି ଦେଲେ । ମାଧୁରୀ ନମସ୍କାର ଜଣାଇ ନିଜ ରୋଗୀକୁ ଦେଖିବା ପାଇଁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ରୋଗୀ ପାଇଁ ସ୍ୱତନ୍ତ୍ର କ୍ୟାବିନ୍‍ ପାଇଁ ଆବେଦନ କଲା ।

 

ଗାଙ୍ଗୁଲିବାବୁ ଅମାୟିକ ଭଦ୍ରଲୋକ । ତାଙ୍କ ଝିଅ ବୟସର ଗୋଟିଏ ଝିଅର ବିକଳ ସହି ନ ପାରି ସବୁ କାମ ପଛକୁ ପକାଇ ରୋଗୀକୁ ଦେଖିବାକୁ ରୁମ୍‍କୁ ଅଣାଇବାର ବ୍ୟବସ୍ଥା କରି ରୋଗୀ ଦେଖିଲେ । ମାଧୁରୀ ଆନୁମାନିକ ଯାହା ଆଶଙ୍କା କରିଥିଲା ତାହାହିଁ ଠିକ୍‍ । ବିନା ଚିକିତ୍ସା, ରକ୍ତହୀନତା, ଦୁର୍ବଳତା, ମାନସିକ ଦୁଶ୍ଚିନ୍ତା ଫଳରେ ଅବସ୍ଥା ସଙ୍କଟାପନ୍ନ । ଟାଇଫଏଡ଼ରୁ ଆରମ୍ଭ ହେଇ ଏ ରୋଗ ବଢ଼ି ଚାଲିଛି ।

 

ମାଧୁରୀ ତା’ର ଭ୍ୟାନିଟିବ୍ୟାଗ୍‍ ଅଣ୍ଡାଳି ଦେଖିଲା ଖଣ୍ଡେ ଶହେଟଙ୍କାର ନୋଟ୍‍ ବ୍ୟତୀତ ପ୍ରାୟ କୋଡ଼ିଏ ବାଇଶ ଟଙ୍କା ଅଛି । ସେ କ’ଣ ଜାଣିଛି ଏ ଦୁର୍ଯ୍ୟୋଗ ଘଟିବ । ସେ ଆଉ ଟଙ୍କା ଆଣିଥାନ୍ତା । ସେ ଶହେ ଟଙ୍କାର ନୋଟ୍‍ଟି ଗାଙ୍ଗୁଲିବାବୁଙ୍କ ଟେବୁଲ୍‍ ଉପରେ ରଖିଦେଇ କହିଲା–ଏତକ ଆପଣଙ୍କ ଫିସ୍‍ ସାର୍‍, ଯେତେ ଟଙ୍କା ଲାଗୁ ମୁଁ ଚାହେଁ ରୋଗୀର ଜୀବନ–ଦୟାକରି ଆଡ଼ମିସନ୍‍ କରାଇ କ୍ୟାବିନ୍‍ର ବ୍ୟବସ୍ଥା କରାଇ ଦିଅନ୍ତୁ । ଧାର ଧାର ଲୁହ ଖସିପଡ଼ିଲା ତା’ ଆଖିରୁ-

 

ଗାଙ୍ଗୁଲିବାବୁ ସାନ୍ତ୍ୱନାସୂଚକ ସ୍ୱରରେ କହିଲେ, ନିଜେ ଡାକ୍ତର ହୋଇ ବ୍ୟସ୍ତହେବାର କିଛି ପ୍ରୟୋଜନ ନାହିଁ । ପ୍ରଥମରୁ ଚିକିତ୍ସା ହୋଇଥିଲେ ଏ ଅସୁବିଧା ଦେଖା ଦେଇ ନ ଥାନ୍ତା । ବର୍ତ୍ତମାନ ଇଞ୍ଜେକ୍‍ସନ୍‍ ଔଷଧ ଦେଇ ଘଣ୍ଟାକ ପରେ ରକ୍ତ ଦିଆଯିବ । ଦିନେ ଦି’ଦିନ ପାଇଁ ଓ୍ୟାର୍ଡ଼ରେ ରଖାଇ ଦେଉଛି । କ୍ୟାବିନ୍‍ ଖାଲିକରି ସେଠାକୁ ପଠାଇବ । ସଙ୍ଗେ ସଙ୍ଗେ ସୁକାନ୍ତକୁ ଓ୍ୟାର୍ଡ଼କୁ ପଠାଗଲା, ଅଳ୍ପ କେତେକ ଔଷଧ ଇଞ୍ଜେକ୍‍ସନ୍‍ ଦିଆଗଲା ।

 

ଡା: ଗାଙ୍ଗୁଲିଙ୍କଠାରୁ ରକ୍ତ, ଔଷଧ ଇଞ୍ଜେକ୍‍ସନ୍‍ର ଯେଉଁ ପ୍ରେସ୍‍କ୍ରିପ୍‍ସନ ମାଧୁରୀ ନେଲା ସେ ତା’ ଅନୁମାନରୁ ଜାଣିଲା ଯେ ଅନ୍ତତଃ ଚାରି ଶହ ଟଙ୍କାରୁ କମ୍‍ ଲାଗିବ ନାହିଁ । ଭାବିବାକୁ ବେଳ ନାହିଁ, କାଳବିଳମ୍ବ ନ କରି ପୂର୍ବୋକ୍ତ ଟ୍ୟାକ୍‍ସିରେ ନିକଟସ୍ଥ ଅଳଙ୍କାର ଦୋକାନକୁ ସେ ଚାଲିଲା । ସେ ତ ଡାକ୍ତରାଣୀ । ବିଶେଷ ଅଳଙ୍କାର ତ ପିନ୍ଧିନାହିଁ । ବେକରେ ଗୋଟିଏ ତିନି ଭରିର ମୋଟା ଚେନ୍‍ ଓ କାନରେ ଦୁଇଟି ଛୋଟ କାନଫୁଲ ସେ ପିନ୍ଧିଥିଲା । ଏ ଦୁଇଟି ଜିନିଷକୁ ମାତ୍ର ଛଅ ଶହ ଟଙ୍କାରେ ବିକ୍ରିକରି ପ୍ରେସ୍‍କ୍ରିପ୍‍ସନ ଅନୁଯାୟୀ ଔଷଧ, ଇଞ୍ଜେକ୍‍ସନ୍‍ ଓ କିଛି ଫଳ କିଣି ପୁଣି ହାସ୍‍ପିଟାଲ୍‍କୁ ଫେରିଲା ।

 

ଡ୍ରାଇଭରକୁ ତା’ର ପାରିଶ୍ରମିକ ବ୍ୟତୀତ ଆଉ ଦଶ ଟଙ୍କା ଅଧିକା ଦେଇ ବିଦାକରିଦେଲା । ସେ ପର୍ଯ୍ୟନ୍ତ ସୁକାନ୍ତ ଚେତ୍‍ ହୋଇ ନଥାଏ । ଡା. ଗାଙ୍ଗୁଲିଙ୍କୁ ପୁଣି ଥରେ ସାକ୍ଷାତ୍‍ କରି ସବୁକଥା କହିବାରୁ କିଣା ହୋଇଥିବା ଗୋଟାଏ ଇଞ୍ଜେକ୍‍ସନ୍‍ ଦେବାକୁ ସେ ଦିଆହେବ । ରକ୍ତ ପାସ୍‍ କରିଗଲେ ଆଉ ଭୟକରିବାର କିଛି ନାହିଁ ବୋଲି ସେ ନିର୍ଦ୍ଦେଶ ଦେଲେ । ସ୍ୱତନ୍ତ୍ର ଜଣେ ନର୍ସ ସୁକାନ୍ତ ପାଖରେ ରହିବାର ବ୍ୟବସ୍ଥା କଲେ ।

 

ମାଧୁରୀ ମନ ଘୋର ଦୁଃଖରେ ଜଳୁଥାଏ । ବସାରେ ତାକୁ ନ ପାଇ, ତା’ ଫେରିବା ଡେରି ଦେଖି, ତେଣେ ସମସ୍ତେ ବ୍ୟସ୍ତ ହେଉଥିବେ । ଏଣେ ସୁକାନ୍ତର ଏ ଅବସ୍ଥା... । ସାରା ଜୀବନ ଲାଗି, ଯେଉଁ ସେବାକୁ ସେ ମହାନ୍‍ ବ୍ରତ ରୂପେ ବାଛି ନେଇଛି, ଯାହା ପାଇଁ ତା’ର ଏ ତ୍ୟାଗ, ତା’ର ସେବା ନ କରି କରିବ ଆଉ କାହାର ? ସେ ତପସ୍ୱିନୀ ଉମା–ତାର ସେବା, ନିଷ୍ଠା ଫଳରେ ସେ ଆରୋଗ୍ୟ କରିବ ତା’ର ସୁକାନ୍ତକୁ–

 

ମିଷ୍ଟର ଗାଙ୍ଗୁଲିଙ୍କ ନିର୍ଦ୍ଦେଶରେ ଔଷଧ, ଇଞ୍ଜେକ୍‍ସନ୍‍ ସବୁ ଦିଆହେଲା । ରୋଗୀ ଦେଖାଗଲା ସତେଜ... କ୍ରମେ ସେ ଆଖି ଖୋଲି ଚାରିଆଡ଼କୁ ଚାହିଁଲା–ମି: ଗାଙ୍ଗୁଲି ମୃଦୁ ହସି କହିଲେ, “ଠିକ୍‍ ଅଛି, ମିସ୍‍ ମହାପାତ୍ର । ପେସେଣ୍ଟ୍‍ର ଅବସ୍ଥାରେ ଉନ୍ନତି ହୋଇଛି, ଆଉ ଭୟ ନାହିଁ, ବର୍ତ୍ତମାନ ରକ୍ତ ଦବା–ତମେ ଡାକ୍ତର, ଏତେ ଅଧୈର୍ଯ୍ୟ କ’ଣ ହେଉଛ ?’’

 

ଡା. ଗାଙ୍ଗୁଲିଙ୍କ ଉପସ୍ଥିତିରେ ରକ୍ତ ଦିଆଗଲା । ସେହି ଓ୍ୟାର୍ଡ଼ର ହାଉସ୍‍ସର୍ଜନ ଓ ନର୍ସଙ୍କୁ ରୋଗୀର ଦାୟିତ୍ୱ ଦେବା ସଙ୍ଗେ କୌଣସି ବିଲକ୍ଷଣ ଦେଖିଲେ ଶୀଘ୍ର ତାଙ୍କୁ ଡାକିବାକୁ ନିର୍ଦ୍ଦେଶ ଦେଇ ଡା. ଗାଙ୍ଗୁଲି ଅନ୍ୟତ୍ର ଗଲେ ।

 

ମାଧୁରୀ ଯେତେ ଚେଷ୍ଟା କଲେ ବି ତା’ ଲୁହକୁ ବନ୍ଦ କରି ପାରୁ ନ ଥିଲା । ଯଦି ଆଜି ସେ ଚିତ୍ରଶିଳ୍ପୀଙ୍କୁ ସାକ୍ଷାତ୍‍ କରିବାକୁ ଯାଇ ନ ଥାନ୍ତା–ତେବେ କ’ଣ ହୋଇଥାନ୍ତା ସୁକାନ୍ତର ଅବସ୍ଥା-? ସେହି ଓ୍ୟାର୍ଡ଼ରେ ବେହେରା ମଦନ ସାହୁ–ଓଡ଼ିଆ କଥାବାର୍ତ୍ତା ଭିତରୁ ମାଧୁରୀ ଯେ ଓଡ଼ିଆ ଝିଅ, କଟକରୁ ଆସିଛି–ତାହା ଏ କେଇ ଘଣ୍ଟା ଭିତରେ ସେ ଜାଣିପାରି ମାଧୁରୀ ସଙ୍ଗେ ଆତ୍ମୀୟତା ଲଗାଇ ଦେଲା । ଦିନ ୧୨ରୁ ରାତି ସାତ୍‍ ଯାଏ ତା’ର ସେ ଓ୍ୟାର୍ଡ଼ରେ ଡିଉଟି ଥାଏ ।

 

ମାଧୁରୀ ମଧ୍ୟ କଲିକତାରେ ଓଡ଼ିଶାର ଜଣେ ଓଡ଼ିଆ ବେହେରାର ସାହାଯ୍ୟ ସହଯୋଗ ପାଇ ଖୁସି ହେଲା । କଥା ପ୍ରସଙ୍ଗରେ ମାଧୁରୀ ତାଙ୍କୁ କହିଲା–ଏ ରୋଗୀଟି ମୋର ଜଣେ ଆତ୍ମୀୟ, କଲିକତାରେ ଏକା ରହନ୍ତି–କେହି ନ ଦେଖିବାରୁ ରୋଗ ଏପରି ବଢ଼ିଯାଇଛି । ମୁଁ ହଠାତ୍‍ ଦେଖି, ନେଇ ଆସିଲି ହାସ୍‍ପିଟାଲ୍‍ । ତମେ ସାହାଯ୍ୟ କଲେ ମୁଁ ଉପକୃତ ହେବି ।

 

ମଦନ ଖୁସି ହେଲା–ଡିଉଟି ଭିତରେ ଯାହା ଦରକାର କରିବ ଓ ପରେ ବାହାରୁ କିଛି ଆଣିବାକୁ କହିଲେ ବି ପାରିବ ବୋଲି କହିଲା । ମାଧୁରୀ ଖୁସି ହୋଇ କହିଲା ଏବେ କଲିକତାରେ ମୋ ପରିବାରର ସମସ୍ତେ ଆସି ଅଛନ୍ତି । ମୁଁ ଟ୍ୟାକ୍‍ସି ଭଡ଼ା ଦେବି । ସେମାନଙ୍କୁ ଟିକିଏ ଖବର ଦେଇ ଏଠାକୁ ଆଣିପାରିବ ? ମଦନ ରାଜି ହେଲା–ତାଙ୍କ ବସାର ଠିକଣା ଓ ଛୋଟ ଚିଠିଟିଏ ଲେଖି ଦଶଟି ଟଙ୍କା ମଦନ ହାତକୁ ଦେଲା ମାଧୁରୀ ।

 

“ରାତି ଆଠଟାରେ ଯାଇ ସେମାନଙ୍କୁ ନେଇ ଆସିବି’’ ବୋଲି ମଦନ କହିଲା । ମାଧୁରୀ ଭାବିଲା, ‘‘ଏଠାରୁ ଯିବାର ମୋର ଉପାୟ ନାହିଁ, ଯଦି ଆଜି ସୁକାନ୍ତ ଭଲ ହୁଅନ୍ତି କାଲି ଯିବି । ମଦନ ଏଠାରେ ଡିଉଟି କରୁଛି, ସାହାଯ୍ୟ କରୁଛି, ନ ଯାଇ କରି ଟଙ୍କା ଦଶଟା କ’ଣ ରଖିଦେବ ? ହଉ ନେଲେ ନେବ ପଛେ କାଲି ମୁଁ ଯିବି ?’’

 

ସନ୍ଧ୍ୟା ବେଳକୁ ବୁଲାବୁଲି ସାରି ବସାକୁ ଫେରି ସମସ୍ତେ ଚାକରଠାରୁ ଶୁଣିଲେ, ମାଧୁରୀ ଅପା ବାହାରକୁ ବୁଲି ଯାଇଛନ୍ତି ? କଲିକତା ଭଳି ଅଚିହ୍ନା ଜାଗାରେ ମାଧୁରୀ ଏକା ଗଲା କୁଆଡ଼େ-? ଘଣ୍ଟା ପରେ ଘଣ୍ଟା ବିତିଲା–ମାଧୁରୀର ଦେଖା ନାହିଁ । ଆଉ କ’ଣ ବାଟବଣା ହେଲା...ନାନାପ୍ରକାର ଆଶଙ୍କାରେ ଆଶଙ୍କିତ ହେଉଥିଲେ ସମସ୍ତେ...ଉପାୟ ବା କ’ଣ ?

 

ରାତି ପ୍ରାୟ ନଅଟା...ଜଣେ ଲୋକ ମାଧୁରୀର ହାତଲେଖା ଛୋଟ ଚିଠିଟିଏ ଧରି ପହଞ୍ଚି ଖବର ଦେଲା, ମାଧୁରୀ ଦେବୀ ତାଙ୍କର ଜଣେ ଆତ୍ମୀୟ ରୋଗୀକୁ ନେଇ ହାସ୍‍ପିଟାଲରେ ଅଛନ୍ତି ।

 

ସମସ୍ତଙ୍କୁ ଏ କଥାଟା ଆଶ୍ଚର୍ଯ୍ୟ ଲାଗିଲା । କଲିକତାରେ ତା’ର ପୁଣି ଆତ୍ମୀୟ କିଏ ? ମାଧୁରୀ ଲେଖିଥିଲା, “ବାପା ଏହି ଭଦ୍ରଲୋକ ସହ ହାସ୍‍ପିଟାଲ୍‍କୁ ଆସିବ ।’’ କାଳବିଳମ୍ବ ନ କରି ମଦନ ସାହୁ ସଙ୍ଗେ ସମସ୍ତେ ବାହାରି ପଡ଼ିଲେ ।

 

ରାତି ନଅଟା...ଦିନ ବାରଟାରୁ ମାଧୁରୀ ସେହି ଯେ ବସାରୁ ବାହାରିଛି ଆଉ ମିନିଟିଏ ବି ବିଶ୍ରାମ ନାହିଁ । କ୍ଳାନ୍ତ, ଶ୍ରାନ୍ତ, ଅବସନ୍ନରେ ଭାଙ୍ଗିପଡ଼ିଲାଣି ତା’ର ଦେହ...ମାତ୍ର ମନର ସରସତା ଯେପରି ପୂର୍ବାପେକ୍ଷା ବଢ଼ି ଚାଲିଛି । ସେ କରି ଚାଲିଛି ରୋଗୀର ସେବା ।

 

ସୁକାନ୍ତ ଆଖି ଖୋଲିଲା...ତାର ଚେତନା ଶକ୍ତି ଫେରିବା ସଙ୍ଗେ ସଙ୍ଗେ ଯେପରି ଅନୁଭବ କଲା, ବର୍ତ୍ତମାନ ସେ ତା’ର ପୂର୍ବୋକ୍ତ ଅପରିଷ୍କୃତ ମଇଳା ବିଛଣାରେ ନାହିଁ...ଚାରିଆଡ଼ ଚକ୍‍ଚାକ୍‍, ତାରି ପରି ବହୁତ ରୋଗୀ, ଧାଡ଼ି ଧାଡ଼ି ହୋଇ ଖଟରେ ଶୋଇଛନ୍ତି–ପାଖରେ ଜଣେ ନାରୀ ବସି ଦେହ ମୁଣ୍ଡ ଆଉଁସି ଦେଉଛି । ଆଖି ଖୋଲିବା ମାତ୍ରେ ନାରୀଟି ତା ମୁହଁ ପାଖେ କ’ଣ ଟିକିଏ ଧରି କହିଲା–“ଆଁ କରନ୍ତୁ ତ, ଏତକ ପେଇଦିଏ ?’’

 

କଲିକତାରେ ଓଡ଼ିଆ ନାରୀ...ଆଶ୍ଚର୍ଯ୍ୟ ହେଲା ସୁକାନ୍ତ । ଏ ନାରୀ କିଏ ? ମାଧୁରୀକୁ ଅଜଣା ରହିଲା ନାହିଁ ସୁକାନ୍ତର ମନକଥା, ସେ ଡାକ୍ତର...ରୋଗୀ ଅଯଥା ଆନନ୍ଦ ବା ଭୟଭୀତ ହେଲେ ସ୍ୱାସ୍ଥ୍ୟ ପକ୍ଷେ ତାହା ଅମଙ୍ଗଳ । ତେଣୁ ଅନ୍ୟମନସ୍କ ଭାବ ଦେଖାଇ ମାଧୁରୀ କହିଲା– “ଆପଣ ଭାରତର ଶ୍ରେଷ୍ଠଶିଳ୍ପୀ, ଆପଣଙ୍କୁ ନ ଚିହ୍ନେ କିଏ ? ମୁଁ ଏଠାକାର ଜଣେ ଡାକ୍ତର, ସ୍ୱେଚ୍ଛାରେ ଆପଣଙ୍କ ଦାୟିତ୍ୱ ନେଇଛି, ଆପଣ ନିଶ୍ଚିନ୍ତରେ ଶୁଅନ୍ତୁ ।’’

 

ଆଖି ଖୋଲିବାକୁ ବି ଇଚ୍ଛା ହେଉ ନ ଥିଲା ସୁକାନ୍ତର । ଅଳ୍ପ ଆଗରୁ ତାକୁ ଇଞ୍ଜେକ୍‍ସନ୍‍ ଦିଆଯାଇ ଥିଲା–ରୋଗର ଯନ୍ତ୍ରଣା, ମୁଣ୍ଡବ୍ୟଥା ଭିତରେ ଆଖି ବୁଜିହେଇ ଆସୁଥିଲା, ଭାରି ଅବସନ୍ନ ଲାଗୁଥିଲା ।

 

ହାସ୍‍ପିଟାଲ୍‍ ବାରଣ୍ଡା କରରେ ଟ୍ୟାକ୍‍ସି ଅଟକିଲା–ଆଗେ ଆଗେ ମଦନ ଆଉ ତା’ ପଛେ ପଛେ ଓ୍ୟାର୍ଡ଼ ଭିତରକୁ ପଶିଗଲା ନମିତା । ମାଧୁରୀ ଟୁଲ୍‍ଟି ଉପରେ ବସିଥିଲା, ନମିତା ତାକୁ ହଲାଇ ଦେଇ କହିଲା ତୁ ଏଠି ମାଧୁରୀ ଅପା; ତୋ’ପାଇଁ ଆମର ଯେଉଁ ଚିନ୍ତା ଏ’ ଆତ୍ମୀୟଟି କିଏ ତୋର କହିଲୁ ?

 

ମାଧୁରୀ ନମିତାକୁ ଚୁପ୍‍ ରହିବାକୁ ନିର୍ଦ୍ଦେଶ ଦେଇ କହିଲା–“ଆସ୍ତେ କହ, ପାଟି କର ନା–ଚିହ୍ନିବାକୁ ଚେଷ୍ଟାକର–’’

 

“ମୋରାଣ, ଶୀଘ୍ର କହ, ମୁଁ ଆଦୌ ଚିହ୍ନି ପାରୁ ନାହିଁ’’–ଉତ୍ତର ଦେଲା ନମିତା ।

 

ମାଧୁରୀ ମୃଦୁ ହସି କହିଲା, “ଜାଣେ, ତୁ’ ଚିହ୍ନିପାରିବୁ ନାହିଁ । ଯିଏ ତୋହରି ପାଇଁ ଗୃହତ୍ୟାଗୀ...ସଂସାର ତ୍ୟାଗୀ ଆଉ ଯାହାପାଇଁ ମୁଁ ଆଜି ଡାକ୍ତର...ଏ’ ସେହି ତୋର ଆଗ ବର ସୁକାନ୍ତବାବୁ...’’ ମାଧୁରୀର ଆଖିରେ ଆନନ୍ଦାଶ୍ରୁ ଭରିଯାଇ କଣ୍ଠରୋଧ ହୋଇ ଆସିଲା, ସେ ଆଉ କିଛି କହିପାରିଲା ନାହିଁ ।

 

“ସୁକାନ୍ତବାବୁ’’–ଆନନ୍ଦରେ ଚିତ୍କାର କରି ଉଠିଲା ନମିତା । ଏତିକିବେଳେ ଶିବବାବୁ ପ୍ରଭୃତି ସେଠାରେ ପହଞ୍ଚି ଯାଇଥିଲେ । ଏକାଥରେ ସମସ୍ତଙ୍କ ପାଟିରୁ ବାହାରି ପଡ଼ିଲା–“ଏଁ, ସୁକାନ୍ତ-?’’

 

ସୁକାନ୍ତର ତନ୍ଦ୍ରା ତୁଟିଗଲା...ପରିଚିତ ସ୍ୱର ଶୁଣି ସେ ଆଖିଖୋଲି ଚାହିଁଲା । କଥା କହିବାକୁ ଚେଷ୍ଟାକରି ପାରିଲା ନାହିଁ । ଓଠ ଥରିଲା–

 

ଡିଉଟିରେ ଥିବା ଡାକ୍ତର ଆସି ମାଧୁରୀକୁ କହିଲେ, “ଆପଣ ଜଣେ ଡାକ୍ତର, ପେସେଣ୍ଟ୍‍ କିପରି ସିରିୟସ୍‍ ଜାଣି ମଧ୍ୟ ଏଠାରେ ଗୋଳମାଳ କରିବାକୁ ପ୍ରଶ୍ରୟ ଦେଉଛନ୍ତି କିପରି ?’’ ମାଧୁରୀ ନିଜର ଭ୍ରମ ବୁଝିପାରି କହିଲା–

 

ଟିକିଏ ଭୁଲ୍‍ ହୋଇଗଲା । ଆଜ୍ଞା, ଆଉ ଯେପରି ଗୋଳମାଳ ନ ହେବ ସେହି ବ୍ୟବସ୍ଥା କରୁଛି । ସମସ୍ତେ ଏକଥା ଶୁଣିବା ପରେ ବାରଣ୍ଡାକୁ ଚାଲିଆସିଲେ । ମାଧୁରୀ ତାଙ୍କ ସଙ୍ଗେ ଆସି ମୂଳରୁ ସବୁକଥା ବୁଝାଇ କହିଲା ।

 

ବ୍ୟଥା ଭିତରେ ଆନନ୍ଦର ଲହରୀ ସମସ୍ତଙ୍କ ମୁହଁରେ ଖେଳିଗଲା । ବିଶ୍ଵନିୟନ୍ତା ପରମେଶ୍ୱରଙ୍କୁ ସୁକାନ୍ତର ଆରୋଗ୍ୟ ପାଇଁ ସମସ୍ତେ ପ୍ରାର୍ଥନା କଲେ–

 

ଶିବବାବୁଙ୍କ ଟେଲିଗ୍ରାମ ପାଇ ଗୌରବାବୁ କଳିକତାକୁ ଚାଲିଆସିଲେ । ପରେଶ ଆଉ ବିନୟଙ୍କର ଛୁଟି ସରି ଯାଇଥିଲା ଅନିଚ୍ଛାସତ୍ତ୍ଵେ ସେ ଦୁହେଁ ଚାକିରିକୁ ଫେରିଗଲେ । ମାଧୁରୀ ପୁଣି ମାସେ ଛୁଟି ନେଇ ରହିଲା । ପ୍ରମିଳା, ନମିତା, ଶିବବାବୁ, ଗୌରବାବୁ ମଧ୍ୟ କଲିକତାରେ ରହିଲେ । ସୁକାନ୍ତ ଭଲ ହୋଇଗଲେ ମାଧୁରୀ ସୁକାନ୍ତଙ୍କୁ ସଙ୍ଗରେ ନେଇ ଏକାଥରେ ସେମାନେ ଫେରିବେ, ଏହା ହିଁ ତାଙ୍କର ଜିଦ୍‍ ।

 

ଗୌବାବୁଙ୍କୁ ଦେଖିଲେ ନମିତାକୁ ଲଜ୍ଜା ଲାଗେ । ସେ ହେଇଥାନ୍ତେ ଶ୍ୱଶୁର ଆଉ ଏହି ସୁକାନ୍ତବାବୁ ହୋଇଥାନ୍ତେ ସ୍ୱାମୀ । ଭାଗ୍ୟଚକ୍ର ଘୂରିଯାଇଛି...ଏହି ମାଧୁରୀ ପାଇଁ ସେ ଫେରିପାଇଛି ତା’ର ପ୍ରିୟତମ ପରେଶବାବୁଙ୍କୁ...

 

ସୁକାନ୍ତକୁ ସ୍ୱତନ୍ତ୍ର କେବିନରେ ରଖାଯାଇଛି । ମାଧୁରୀ ଛାଇ ପରି ତା’ର ପାଖେ ପାଖେ ରହି ସେବା କରୁଛି । ଗୌରବାବୁ ମାଧୁରୀର ପ୍ରଶଂସାରେ ଶତମୁଖ । ସୁକାନ୍ତର ସାମନାରେ କଥା କହିବାକୁ ଲାଜଲାଗେ ନମିତାକୁ । ସେ ସୁକାନ୍ତକୁ ‘ସୁକାନ୍ତ ଭାଇ’ କହେ ।

 

ସୁକାନ୍ତର ସ୍ୱାସ୍ଥ୍ୟ କ୍ରମାନ୍ୱୟେ ଭଲହୋଇ ଆସୁଛି । ଗୌରୀଶଙ୍କରବାବୁ ମାଧୁରୀକୁ କେତେବେଳେ ମାଆ, କେତେବେଳେ ଝିଅ ତ କେତେବେଳେ ବୋହୂ ବୋଲି ଡାକୁଛନ୍ତି । ବିଚରା ମାଧୁରୀ–ଏହି ବୁଢ଼ା ପୁଅଟିର ଉପଦ୍ରବରେ ବ୍ୟତିବ୍ୟସ୍ତ ହେଇ ପଡ଼ୁଛି ।

 

ସୁକାନ୍ତକୁ କୁଣ୍ଢାଇ ପକାଇ ତା’ ବାପା ବେଳେ ବେଳେ କହନ୍ତି, ‘‘କେମିତି ତୋ ମନ ପଥର ହେଲା, ଏ’ ବୁଢ଼ା ବାପାଟାକୁ ଛାଡ଼ି ତୁ ଏତେଦିନ ହେଲା ନିଶ୍ଚିନ୍ତ ରହିପାରିଲୁ ? ମୋ’ ଆଗରେ ତୋ ମନକଥା ଯଦି ଖୋଲି କହିଥାନ୍ତୁ ଆଜି କି ସୁଖରେ ମୋର ଦିନ କଟୁଥାନ୍ତା, ତାହା ତୁ କଳ୍ପନା କରିପାରିବୁ ନାହିଁ । ଯଦି ମାଆ ମୋର ତା’ ନିଜ ଚେଷ୍ଟା ଫଳରେ ତତେ ଉଦ୍ଧାର କରିପାରି ନ ଥାନ୍ତା ତେବେ ଆଜି କ’ଣ ହୋଇଥାନ୍ତା ଆମର ଅବସ୍ଥା ? ନିଜ ପରିଚୟ ଲୁଚାଇ ବୁଲିବାରେ ତୋର କ’ଣ ଆବଶ୍ୟକ ଥିଲା ?’’

 

ଏହି ପ୍ରଶ୍ନ ଗୋଟିକ ବି ସମସ୍ତେ ପଚାରନ୍ତି, ମାତ୍ର ତା’ର ଉତ୍ତର ଦେଇପାରେ ନା ସୁକାନ୍ତ-। ନୀରବରେ ଭାବିଚାଲେ ସେ, ମୃତ୍ୟୁ ଛଡ଼ା ଆଉ କ’ଣ ହେଇଥାନ୍ତା ?

 

ସୁକାନ୍ତ ଆଖିରେ ଆଜି ମାଧୁରୀ ଖାଲି ନାରୀ ନୁହେଁ–ସେ ଆଦର୍ଶମୟୀ ଦେବୀରୂପା ନାରୀ ! କି ଧୈର୍ଯ୍ୟ, କି ଶକ୍ତି ତା’ର ?

 

ପ୍ରମିଳା ପଚାରେ, “ସତ କୁହ ସୁକାନ୍ତବାବୁ । ତମେ ଆମକୁ ଓ ତମ ବାପାଙ୍କୁ ଭୁଲିଯାଇ ପାରିଲ କିପରି ? ନିଃସଙ୍ଗ ଅବସ୍ଥାରେ କିମିତି କଟାଇଲ ଦିନଗୁଡ଼ା ?’’

 

ସୁକାନ୍ତ ଯାହା କହିଲା, ତା’ର ମର୍ମ ଏହି ଯେ, ଯେଉଁଦିନ ସୁକାନ୍ତ ଘରୁ ଅନିର୍ଦ୍ଦିଷ୍ଟ ପଥରେ ଯାତ୍ରାକଲା, ଘରଠୁ ଚାରି ମାଇଲ ଦୂର ରେଲ୍‍ ଷ୍ଟେସନରେ ପହଞ୍ଚିଲା ବେଳକୁ ହାଉଡ଼ା ଏକ୍‍ସପ୍ରେସ ଆସିବା ପାଇଁ ସମୟ ଅଳ୍ପ ବାକି ଅଛି । ସହଯାତ୍ରୀମାନଙ୍କ ସହ ସେ ବି ହାଉଡ଼ାକୁ ଟିକେଟ କାଟି ଗାଡ଼ି ଚଢ଼ିଲା ।

 

କଲିକତାରେ ଚାରି ଆଠ ଦିନ ଘୂରି ବୁଲିଲା ପରେ ଦିନେ ସ୍ଥିର କଲା, ସେ ଶାନ୍ତିନିକେତନରେ ଆର୍ଟ ପଢ଼ିବ, ଚିତ୍ରବିଦ୍ୟା ତ ତା’ର ଅଭ୍ୟାସ ଥିଲା, ତା’ ପ୍ରତି ଅନୁରାଗ ବଢ଼ିଗଲା-। କିନ୍ତୁ ପଢ଼ିବା ପାଇଁ ଯେତେ ଟଙ୍କା ଦରକାର ହେବ, ତାହା ତା’ ପାଖରେ ନ ଥିଲା । କଥାରେ ଅଛି ମନ ଥିଲେ ଧନ ମିଳେ । ତାହା ହିଁ ହେଲା । ଦୁଇ ତିନୋଟି ପିଲାଙ୍କୁ ଟିଉସନ୍‍ କରି ସେ ତା’ର ଖର୍ଚ୍ଚ ଉଠାଇଲା ।

ବାପାଙ୍କ ପ୍ରତି ତ ବହୁତ ଅଭିମାନ ଥିଲା–ଘରକୁ ଫେରିବା କିମ୍ବା ଘରୁ ଟଙ୍କା ସାହାଯ୍ୟ ଆଣିବା କିଛି ସେ ଚାହୁଁ ନ ଥିଲା । ଅତୀତର ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଭୁଲି ସେ ତା’ର ନୂତନ ଜୀବନ ଆରମ୍ଭ କଲା ।

ଅତୀତ ଜୀବନ ସଙ୍ଗେ ଅତୀତ ନାମକୁ ଭୁଲିଯିବାକୁ ସେ ନିଜ ନାମ ରଖିଲା ପୁଲିନ୍‍ ମିତ୍ର । ସେହି ନାମରେ ସେ ସବୁଠାରେ ପରିଚିତ ହେଲା । ଅତୀତକୁ ଯେତେବେଳେ ଭୁଲିବ, ନୂଆ ଜୀବନ ପାଇଁ ଏଣିକି ତା’ର ନୂଆ ନାଁର ପ୍ରୟୋଜନ । ସୁକାନ୍ତ ମରିଛି । ତା’ ଭିତରୁ ଜନ୍ମନେଇଛି ପୁଲିନ୍‍ ମିତ୍ର ।

ମଝିରେ ମଝିରେ ଅବଶ୍ୟ ବହୁତ ଅଭାବ ଅସୁବିଧା ହୁଏ । ତଥାପି ଚଳିଯାଉଛି କୌଣସି ପ୍ରକାର । ଟିଉସନ୍‍ର ଅର୍ଥ ଆଉ ସାମାନ୍ୟ ଛାତ୍ରବୃତ୍ତି ନେଇ ଦୁଃଖେ ସୁଖେ କଟିଗଲା କେଇଟା ବର୍ଷ ।

ତା’ପରେ ସେ ଫେରି ଆସିଛି କଲିକତା । କଳା ସାଧନା ପାଇଁ ବାଛି ନେଇଛି ମହର୍ଷି ଦେବେନ୍ଦ୍ର ରୋଡ଼ର ସେହି ଛୋଟ ଘର ଖଣ୍ଡିକ । ବଡ଼ ଘର ନେଇ ଚଳିବାକୁ ଧନ କାହିଁ ? ଏ ଦେଶରେ କଳାର ମହତ୍ତ୍ୱ ବା ବୁଝନ୍ତି କେତେ ଜଣ ? ନାନାପ୍ରକାର ଅନୁଷ୍ଠାନକୁ ସେ ଛବିଆଙ୍କି ଦେଇଛି । କଲିକତାର ଓଡ଼ିଆ ପତ୍ରିକା ଆସନ୍ତାକାଲିରେ ମଧ୍ୟ ବହୁତ ଥର ଛବି ସେ ଦେଇଛି, ମାତ୍ର କେହି ତା’ର ପ୍ରକୃତ ପରିଚୟ ଜାଣି ନାହାନ୍ତି ।

ଜୀବିକା ନିର୍ବାହର ଅନ୍ୟ କୌଣସି ପନ୍ଥା ନ ଦେଖି ଗୋଟିଏ କଳାବିକାଶ କେନ୍ଦ୍ରରେ ସାମାନ୍ୟ ଶିକ୍ଷକତା କିଛିଦିନ ଗ୍ରହଣ କରିଛି । ଅଭାବ ଅନାଟନ ତ ବରାବର ଲାଗି ରହିଛି । କଳାର ବିକାଶ ସହ ପେଟପୋଷା ପାଇଁ ଯେତିକି ଧନ ଦରକାର ସେତିକି ସେ ଚାହେଁ । ବେଶି ଟଙ୍କା କ’ଣ ହବ ? ପାଖ ହୋଟେଲରେ ଦି’ବେଳା ଦି ମୁଠା ଶସ୍ତାରେ ଖାଇଦେଇ ଅବସର ସମୟତକ ଛବି ଅଙ୍କାରେ କଟାଇ ଦିଏ ।

ବାପାଙ୍କ କଥା–ସମସ୍ତଙ୍କ କଥା ମନେପଡ଼େ । ମାତ୍ର ଆଉ କାହିଁକି ଫେରିବାକୁ ଇଚ୍ଛା ହୁଏନା । ନାନାପ୍ରକାର ମାନସିକ ଦୁଶ୍ଚିନ୍ତା ଭିତରେ ଦିନୁଁଦିନ ସ୍ୱାସ୍ଥ୍ୟ ଭାଙ୍ଗିପଡ଼ି ପ୍ରଥମେ ମୁଣ୍ଡଘୂରା, ଜର ଆରମ୍ଭ ହେଲା । ତା’ପରେ ତାହା ବଢ଼ିଚାଲିଲା ।

ପ୍ରଥମେ କୌଣସି ଡାକ୍ତରଙ୍କ ପାଖକୁ ଯିବାକୁ ଇଚ୍ଛା ହେଲା ନାହିଁ, ତା’ପରେ ହଠାତ୍‍ ରୋଗର ପ୍ରକୋପ ଅତି ବଢ଼ିଗଲା । ଯିବା ଭଳି ଶକ୍ତି ଆଉ ନ ଥିଲା । କଳାବିକାଶ କେନ୍ଦ୍ରର ଜଣେ ସଭ୍ୟଙ୍କ ସହ ମନାନ୍ତର ହେବାରୁ ବହୁଦିନ ପୂର୍ବରୁ ସେ ଚାକିରି ମଧ୍ୟ ଛାଡ଼ି ଦେଇଥିଲା । ତେଣୁ ତା’ର ଅସୁସ୍ଥତା ବିଷୟ ଜାଣିବା ମଧ୍ୟ କାହାରି ପକ୍ଷରେ ସମ୍ଭବ ନ ଥିଲା, କାହା ସଙ୍ଗେ ବି ସମ୍ପର୍କ ନ ଥିଲା ।

ଅନାହାର, ରୋଗ ଯନ୍ତ୍ରଣାରେ ଛଟପଟ ହେଲେ ବି କାହାକୁ ଡାକି ଔଷଧ ପଥ୍ୟ ଅଣାଇବାର ଉପାୟ ନ ଥିଲା । କଲିକତା ଭଳି ବିରାଟ ସହରରେ କିଏ ବା କାହା ଖବର ରଖୁଛି । କେତେଦିନ ସେ ସେପରି ରହି ବଞ୍ଚିଛି ତାହା ନିଜେ ଜାଣେନା । ତା’ର ଚେତ୍‍ ହେଲା ଏହି ହାସ୍‍ପିଟାଲରେ ।

ମାଧୁରୀକୁ ସେ ମଧ୍ୟ ପ୍ରଥମେ ଚିହ୍ନିପାରିଲା ନାହିଁ । ଯେତେବେଳେ ଦୋ ଦୋ ଚିହ୍ନା ଲାଗିଲା, ସେତେବେଳେ ମନେହେଲା ମାଧୁରୀ ବହୁଦିନୁ ବିଭାହୋଇ ପିଲାଛୁଆର ସଂସାର ନେଇ ସୁଖରେ ଥିବ । ସେ ବା କାହିଁକି ଏଠାକୁ ଆସିବ ।

ମାଧୁରୀକୁ ସେ ଭୁଲି ନାହିଁ । ମାଧୁରୀର ବଡ଼ ସାଇଜ୍‍ର ଛବିଟିଏ ଅଙ୍କନ କରି ନିଜ ଘରେ ଟାଙ୍ଗିଥିଲା ।

କଥା ଶୁଣୁ ଶୁଣୁ ପ୍ରମିଳା ଆଖିରୁ ଧାର ଧାର ହୋଇ ଲୁହ ଖସି ପଡ଼ୁଥିଲା । ମାଧୁରୀ ଅର୍ଦ୍ଧମୂର୍ଚ୍ଛିତ ହୋଇ ଆଉଜି ପଡ଼ିଥାଏ ଚେୟାର ଉପରେ । ତା’ର ମନେ ପଡ଼ୁଥାଏ ସୁକାନ୍ତର ସେ ଦିନର ଅବସ୍ଥା–ହୁଏତ ସେହି ଦିନ କିମ୍ବା ରାତି ଭିତରେ ଚିକିତ୍ସା ଅଭାବରେ ସୁକାନ୍ତର ଜୀବନଦୀପର ଶିଖା ନିର୍ବାପିତ ହୋଇଥାନ୍ତା ।

–ଭଗବାନ ବଡ଼ଲୋକ, ତା’ ନ ହେଲେ କଟକ ସହର, କଲିକତାର ପୂଜା ବଜାର ଛାଡ଼ି ମାଧୁରୀ ବା କାହିଁକି ଧାଇଁ ଯାଇଥାନ୍ତା ଚିତ୍ରଶିଳ୍ପୀ ପୁଲିନ୍‍ ମିତ୍ର ପାଖକୁ ଏକା ଏକା ? ପ୍ରଭୁ ତୁମେ ମୋର ସହାୟ କହି ଟେବୁଲ୍‍ ଉପରେ ମୁଣ୍ଡ ପିଟି ଦେଲେ ଗୌରବାବୁ ।

ନମିତା ବିସ୍ମିତ ହୋଇ କହିଲା, “ଆଚ୍ଛା ଅପା, ତୋର କାହିଁକି ପୁଲିନ୍‍ ମିତ୍ରକୁ ସାକ୍ଷାତ କରିବାକୁ ଏତେ ଇଚ୍ଛା ହେଲା ଆଉ ସୁକାନ୍ତ ଭାଇଙ୍କୁ ଏ’ ରୋଗା ଦାଢ଼ିଆ ବେଶରେ ଦୀର୍ଘ କେତେ ବର୍ଷ ପରେ ମଧ୍ୟ କିପରି ଚିହ୍ନି ପାରିଲୁ ?’’

ମାଧୁରୀ ଫିକାହସ ହସି କହିଲା, “ଭଗବାନଙ୍କର ଉଦ୍ଦେଶ୍ୟ ଭିନ୍ନ ପ୍ରକାର ଲୋ ନିମି–ସେଦିନ ମୋ’ ମୁଣ୍ଡ ବିନ୍ଧା ନ ହୋଇଥିଲେ ମୁଁ ତ ତମମାନଙ୍କ ସଙ୍ଗେ ବୁଲି ଯାଇଥାନ୍ତି….

 

ପୁଲିନ୍‍ ମିତ୍ରଙ୍କୁ ସାକ୍ଷାତ୍‍ କରିବାର ଇଚ୍ଛା...ମୋର ଏବେ ନୁହେଁ । ଯେବେଠୁ ସେ ଏକମାତ୍ର ଭାରତୀୟ ଶ୍ରେଷ୍ଠଶିଳ୍ପୀ ଭାବରେ ଆମେରିକାରୁ ପ୍ରଥମ ପୁରସ୍କାର ପାଇ ଫେରିଲେଣି, ସେବେଠୁ ମୋର ଇଚ୍ଛା ମୁଁ ତାଙ୍କୁ ସାକ୍ଷାତ୍‍ କରିବି । ଆସନ୍ତାକାଲି ଓ ଅନ୍ୟାନ୍ୟ ପତ୍ରିକାମାନଙ୍କରେ ପୁଲିନ୍‍ ମିତ୍ର ଯେଉଁ ଚିତ୍ରସବୁ ପ୍ରକାଶ କରନ୍ତି ମୁଁ ପୂର୍ବରୁ ଅଧିକାଂଶ ଦେଖିଥିଲି ସୁକାନ୍ତବାବୁଙ୍କ ପାଖରେ ।

 

ଏଣୁ ମୋର ଧାରଣା–ହୁଏତ ସୁକାନ୍ତବାବୁଙ୍କୁ ପୁଲିନ୍‍ ମିତ୍ର ଚିହ୍ନନ୍ତି...ଜାଣନ୍ତି...ତାଙ୍କ ଛବିସବୁ ୟା’ଙ୍କ ମାଧ୍ୟମରେ ପ୍ରକାଶ କରୁଛନ୍ତି କିମ୍ବା କୌଣସି କାରଣରୁ ସୁକାନ୍ତବାବୁଙ୍କ ଛବିତକ ପୁଲିନ୍‍ ମିତ୍ର ହସ୍ତଗତ କରି ନେଇଛନ୍ତି । ପୁଲିନ୍‍ ମିତ୍ରଙ୍କୁ ସାକ୍ଷାତ୍‍ କଲେ ସମ୍ପୂର୍ଣ୍ଣ ନ ହେଲେ ବି ସୁକାନ୍ତର ଆଂଶିକ ସମ୍ବାଦ ନିଶ୍ଚୟ ଜଣାପଡ଼ିବ । ଏହା ମୋର ଦୃଢ଼ ଧାରଣା ହେଲା ।’’

 

ଶିବବାବୁ ଆନନ୍ଦରେ ଅଭିଭୂତ ହୋଇପଡ଼ି କହିଲେ, ‘‘କି ଉଚ୍ଚକଳ୍ପନା ମୋ ମାଆଟାର...? ଆମେ ସମସ୍ତେ ତ ସେ ଛବି, ସେ ସମ୍ବାଦ ଦେଖିଛେ, କାହିଁ କାହା ମନରେ ତ ଏ ପ୍ରକାର ଭାବନା ପଶି ନଥିଲା–’’

 

ଗୌରୀଶଙ୍କରବାବୁ କହିଲେ, “ସେକଥା ଆଉ କାହିଁକି କହୁଛନ୍ତି ମହାପାତ୍ରବାବୁ, ମାଆଟା ମୋର ଗୋଟାଏ ରତ୍ନ । ବହୁ ପୁଣ୍ୟ ବଳରେ ସେ ଆପଣଙ୍କ କୋଳକୁ ଆସିଛି । ଦେଖିବେ, ଏହା ପରେ ସେ ଦେଶର କେତେ ଭଲ କାମ କରିବ । ଅପେକ୍ଷା କରନ୍ତୁ ସେହି ଶୁଭ ଦିନକୁ ।

 

‘‘–ଆପଣ ତାକୁ ତାହା ହିଁ ଆଶୀର୍ବାଦ କରନ୍ତୁ’’ ଆନନ୍ଦାଶ୍ରୁ ଧାର ଧାର ବହିପଡ଼ିଲା ଶିବବାବୁଙ୍କ ଆଖିରୁ । ମାଧୁରୀ ନୀରବରେ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ମୁଣ୍ଡ ନଇଁ ପ୍ରଣାମ କଲା ।

 

ଆଜି ଦିନଟା ପରେ ସୁକାନ୍ତ ହାସ୍‍ପିଟାଲ୍‍ରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଉ ଆସିବ । ଆଉ ଦି’ ଚାରି ଦିନ ପରେ ସମସ୍ତେ କଲକାତା ଛାଡ଼ି ଚାଲିଯିବେ । ମହର୍ଷି ଦେବେନ୍ଦ୍ର ରୋଡ଼ର ସେ ଘରୁ ସୁକାନ୍ତର ସବୁ ଜିନିଷ, ରଙ୍ଗ, ତୂଳି, ଚିତ୍ର ଅଣାଇ ଘର ଛାଡ଼ି ଦିଆସରିଲାଣି । ସୁକାନ୍ତ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଲାଣି ।

 

ପ୍ରଫେସର ଡା. ଗାଙ୍ଗୁଲିଙ୍କ ସଙ୍ଗେ ଶିବବାବୁ ଓ ଗୌରବାବୁ ଉଭୟଙ୍କର ଆଳାପ ପରିଚୟ ପରେ ରୋଗୀ କଟକ ଗଲେ ତା’ର ସ୍ଵାସ୍ଥ୍ୟର ଅବସ୍ଥା ଖରାପ ହେବ କି ନାହିଁର ଉତ୍ତରରେ ଆଉ କିଛି ଖରାପ ହେବ ନାହିଁ ବୋଲି ଗାଙ୍ଗୁଲିବାବୁ କହିଲେ । ତେଣୁ ସମସ୍ତଙ୍କ ମନରେ ଅସୀମ ଆନନ୍ଦ ।

 

ମାଧୁରୀ ସେଦିନ ହାସ୍‍ପିଟାଲ୍‍ରୁ ଫେରି ବସାରେ କହିଲା, “ବାପା, ମୋର ଗୋଟିଏ କଥା ନିଶ୍ଚୟ ରଖିବେ ।’’

 

ଶିବବାବୁ ଆଗ୍ରହ ପ୍ରକାଶ କରି କହିଲେ, କି କଥା ମାଆ କହ । ରଖିବାର ହେଲେ ରଖିବି ।

 

ମାଧୁରୀ ଆଗ୍ରହ ଦେଖାଇ କହିଲା, “ଗାଙ୍ଗୁଲିବାବୁ, ମୋ ଉପରେ ଭାରି ଖୁସି, ସେ କହୁଛନ୍ତି–ତୁମର ପ୍ରତିଭା ଅଛି ଝିଅ । ତମେ ଏତିକିବେଳେ ଚୁପ୍‍ ହୋଇ ନ ବସି ଆହୁରି ଅଗ୍ରସର ହୁଅ । ମୋର ବି ଇଚ୍ଛା ଥିଲା–ମୁଁ ଏବର୍ଷଠୁ ଏମ୍‍.ଡି. ପଢ଼ିବି । ଯଦି ଭାଗ୍ୟରେ ଥାଏ, ଭଲରେ ପାସ୍‍ କରେ, ତା’ପରେ ବିଲାତ କି ଆମେରିକାକୁ ଯିବା ପାଇଁ ଚେଷ୍ଟା କରିବି । କ’ଣ କହୁଛନ୍ତି ବାପା ?’’

 

ଶିବବାବୁ ଉତ୍ତର ଦେବା ପୂର୍ବରୁ, ଗୌରୀଶଙ୍କରବାବୁ ହସିଲେ । କହିଲେ, “ଏ କଥାକୁ ଏତେ ଶୀଘ୍ର ମୁଁ ମଧ୍ୟ ଅନୁମତି ଦେଇପାରିବି ନାହିଁ ମାଆ–ତୋର ଏ ବୁଢ଼ା ପୁଅଟାକୁ ଛାଡ଼ି ତୁ ଆଉ ଅଧିକା କି ନାଆଁ ଅର୍ଜନ କରିବାକୁ ବିଦେଶକୁ ଯିବୁ ? ତମ ଘରଦ୍ୱାରକୁ ତମେ ଦୁହେଁ ଫେରିଚାଲ, ତୋରି ସେବାକୁ ଚାହିଁ ଚାହିଁ ମୋର ଆସି ଶେଷ ଅବସ୍ଥା ହେଲାଣି–ତୋରିଠାରୁ ସେବା ପାଇଲେ ମୁଁ ଶାନ୍ତିରେ ଆଖି ବୁଜିବି ।’’

 

ଶିବବାବୁ ଆନନ୍ଦରେ ହସିଉଠି କହିଲେ, “ମୋର ମନର କଥା ଅବିକଳ ଆପଣଙ୍କ ମୁହଁରେ ପ୍ରକାଶ ପାଇଛି । ଆମେ ବା ଆଉ କେତେଦିନ ବଞ୍ଚିବୁ ଏଣିକି ? ମାଆ, ତୋରି ଖୁସି ଦେଖିଲେ ଆମେ ଶାନ୍ତିରେ ଆଖି ବୁଜିବୁ ।’’

 

ମାଧୁରୀ ନତମସ୍ତକରେ ଠିଆ ହୋଇଥିଲା । କ’ଣ କହିବ କିଛି ଭାବି ପାରୁ ନ ଥିଲା । ଥଙ୍ଗେଇ ଥଙ୍ଗେଇ କହିଲା, ଏମ୍‍.ଡି. କେତେ ଦିନ ଲାଗିବ ଯେ–ଅନ୍ତତଃ ସେତିକି ପଢ଼ିସାରି…..

 

“ନାଁ, ନାଁ, ନାଁ, ତା’ ହେବ ନାହିଁ । ଆସନ୍ତା ମାର୍ଗଶିର ଶୁକ୍ଳ ଦଶମୀ ଗୁରୁବାରରେ ହିଁ ମାଆ ଲକ୍ଷ୍ମୀ ମୋ ଘରେ ତୁ ପାଦ ପକାଇବୁ..., ସେ ପାଗଳାଟା ତା’ର ଚିତ୍ର ଆଙ୍କୁଥାଉ, ତୁ ସେଇଠି ଖୋଲିବୁ ତୋର ସେବାଶ୍ରମ । ତୋର ଏମ୍‍.ବି.ବି.ଏସ୍‍ ସାର୍ଟିଫିକେଟର କାର୍ଯ୍ୟସ୍ଥଳୀ ହେବ ସେହି ମଫସଲ ଗାଁ, ଯେଉଁଠାରେ ଶିକ୍ଷାର ଆଲୋକ ନାହିଁ କି ନାହାନ୍ତି ଚିକିତ୍ସକ । ପିତୃପିତା ଅମଳର ମୋର ଯେଉଁ ଜମିଜମା ରହିଛି, ତା’ ସଙ୍ଗେ ସଙ୍ଗେ ମୁଁ ଯେଉଁ ବ୍ୟବସାୟ ସବୁ ଖୋଲିଦେଇଛି, ତହିଁରେ ତମ ଦୁହିଁଙ୍କର ଅଭାବ କିଛି ରହିବ ନାହିଁ । ଜନକଲ୍ୟାଣ ପାଇଁ ତୁ ମଧ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସେଠାରେ ଖୋଲି ପାରିବୁ–’’

 

ଏ ପ୍ରସ୍ତାବଟି ସମସ୍ତଙ୍କ ମନକୁ ପାଇଲା । ପ୍ରମିଳା ଖୁସି ହୋଇ କହିଲା, ମଉସାଙ୍କର କଳ୍ପନା ନିଶ୍ଚୟ କାର୍ଯ୍ୟକାରୀ ହେବ–ମୁରବୀମାନଙ୍କ ଆଦେଶ ଭାଙ୍ଗିବା ଭଳି ପିଲା ମାଧୁରୀ ନୁହନ୍ତି । ସେ ନିଶ୍ଚୟ ଆଦେଶ ପାଳନ କରିବେ ।

 

ମାଧୁରୀର ଉତ୍ତର ଦେବାଭଳି ଆଉ କିଛି ନାହିଁ । ଯାହାପାଇଁ ସେ ଚିରକୁମାରୀ ବ୍ରତ ଗ୍ରହଣ କରିଥିଲା ତାଙ୍କୁ ପାଇ ପୁଣି ହାତଛଡ଼ା କଲେ ରୋଗରୁ ଉଠି ସେ ପୁଣି ରୋଗରେ ପଡ଼ିବା ହିଁ ସାରହେବ ! ଏକଥା କହିବାକୁ ମଧ୍ୟ ପ୍ରମିଳା ଭୁଲିଲା ନାହିଁ । ମାଧୁରୀ ମନେ ମନେ ଭାବି ଦେଖିଲା, ନୂଆବୋହୂଙ୍କ କଥା ହିଁ ଠିକ୍‍, ତେଣୁ ସେ କିଛି ଉତ୍ତର ଦେଇପାରିଲା ନାହିଁ ।

 

କଲିକତା ବୁଲାବୁଲି କାମ ସରିଗଲା । ସୁକାନ୍ତ ମଧ୍ୟ ଭଲରେ ହାସ୍‍ପିଟାଲ୍‍ରୁ ଆସିଲା–ମାଧୁରୀ ସହ ତା’ର ବାହାଘର ପ୍ରସ୍ତାବ ଶୁଣି ହସି ହସି କହିଲା, “ଦିନ ଆଗେଇଛି ନୂଆବୋହୂ, ସେଦିନ କଥା ଅଲଗା ଥିଲା ବର୍ତ୍ତମାନର ଲେଡି ଡାକ୍ତର...ମାଧୁରୀ ମହାପାତ୍ର କୌଣସି ବିଦେଶୀ ଡିଗ୍ରିଧାରୀ ଡାକ୍ତରଙ୍କ ସଙ୍ଗେ ବିବାହ କରିବା ଉଚିତ–ମୋ’ଭଳି ନଗଣ୍ୟ ଲୋକ, ଯିଏ କି–ଏମ୍‍.ଏ.ଟା ମଧ୍ୟ ପରୀକ୍ଷା ଦେଇ ପାରିନାହିଁ ସେ ତାଙ୍କର ଯୋଗ୍ୟ ନୁହେଁ–ସେମାନେ ତାଙ୍କୁ ଏଥିପାଇଁ ବାଧ୍ୟ କରିବା ଅନୁଚିତ ।’’

 

ପ୍ରମିଳା ଗମ୍ଭୀର ହୋଇ କହିଲା, ‘‘ସେକଥା ଆଉ କୁହନା–ସୁକାନ୍ତବାବୁ...ମାଧୁରୀ ଶୁଣିଲେ ଭୀଷଣ ଦୁଃଖ ପାଇବେ, ଏ ଯାଏଁ ତାଙ୍କ ହୃଦୟ ତମେ ଚିହ୍ନିପାରିଲ ନାହିଁ ?’’

 

ମୃଦୁ ହସି ସୁକାନ୍ତ ଉତ୍ତର ଦେଲା–“ଚିହ୍ନିଛି ନୂଆବୋହୂ, ଚିହ୍ନି ନ ଥିଲେ ଗୃହତ୍ୟାଗୀ ହୋଇଥାନ୍ତି କାହିଁକି ? ମାଧୁରୀ–ଆଉ ସାଧାରଣ ନାରୀ ଭିତରେ ବହୁତ ପ୍ରଭେଦ–’’

 

–“ସେଇଟା ତମର ସୌଭାଗ୍ୟ ସୁକାନ୍ତବାବୁ । ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି, ତୁମ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ । ଦୁହେଁ ଦୁହିଁଙ୍କୁ ପାଇ ସୁଖୀ ହୁଅ–’’

 

ମଣ୍ଟୁକୁ କୋଳକୁ ଟେକି ନେଇ ସୁକାନ୍ତ କହିଲା, “ମୁଁ ଯଦି ମରିଯାଇଥାନ୍ତି, ୟା’କୁ ଆଉ ଦେଖି ପାରି ନ ଥାନ୍ତି ଭାରି ସୁନ୍ଦର ହେଇଛି ମଣ୍ଟୁ, ସତେକି ଗୋଟିଏ କଣ୍ଢେଇ–’’ ସୁକାନ୍ତ କୋଳ ଭିତରେ ମୃଦୁ ହସୁଥିଲା ମଣ୍ଟୁ–

 

ଏତିକିବେଳେ ମାଧୁରୀ, ନମିତା ଦୁହେଁ ସଜବାଜ ହୋଇ ଆସିଲେ । ନୂଆବୋହୂ ଆସ-। ଶୀଘ୍ର କାଳୀମନ୍ଦିର ଯିବା ପରା, କହିଲା ମାଧୁରୀ । ପ୍ରମିଳା ଦୁଇ ହାତରେ ଦୁହିଁଙ୍କୁ ଧରି କହିଲା, “ସୁକାନ୍ତବାବୁ, ଏ ଦୁହେଁ ତ ତମରି କନିଆଁ–ୟାଙ୍କରି ଦାଉରେ ପଡ଼ି ତମେ ଘର ଛାଡ଼ିଛ, ତଥାପି ଏ ଦୁହେଁ ତମ ଉପରେ ଦାଉ ସାଧୁଛନ୍ତି । ଟିକିଏ ମନ ଖୁସିରେ ଗପ ବି କରାଇ ଦେଉ ନାହାନ୍ତି ।’’

 

ସୁକାନ୍ତ ନମିତାକୁ ବରାବର ଦେଖୁଛି; କିନ୍ତୁ ନମିତା ତା’ ସଙ୍ଗେ ହସି ଖୁସି କଥା କହିବାକୁ ଲଜ୍ଜା ପାଏ, ଏହା ସେ ଜାଣି ପାରୁଛି, ତେଣୁ ସେ ମଧ୍ୟ ତା’ ସଙ୍ଗେ କଥାବାର୍ତ୍ତା କରି ପାରେନା । ନମିତା ସୁନ୍ଦରୀ, ଅତି ଚପଳା । ତା’ର ପୁଅଟିକୁ କଲିକତା ଆସିବାବେଳେ ସେ ତା’ ଶାଶୁଙ୍କ ପାଖରେ ଛାଡ଼ି ଆସିଥିଲା, ପିଲାଛୁଆ ଧରି ବୁଲିବାଟା ସୁବିଧା ହେବ ନାହିଁ ବୋଲି । ଶାଶୁ ବି ପିଲାଟିକୁ ଖୁବ୍‍ ଶ୍ରଦ୍ଧା ସେବା କରୁଥିବାରୁ ଖୁସିରେ ରଖିଥିଲେ । ଏବେ ନମିତା ପୁଣି ଅନ୍ତଃସତ୍ତ୍ୱା । ଦୁଇଟି ପିଲାର ମା’ ହେବାକୁ ବସିଲାଣି ସେ, ତଥାପି ବେଶ ସୁସ୍ଥ ସବଳ ରହିଛି ।

 

ନମିତା ପ୍ରମିଳାକୁ ହଲାଇ ଦେଇ କହିଲା, “ମୋ କଥା କାହିଁକି ନୂଆବୋହୂ, ମତେ ନ ଦେଖି ମଧ୍ୟ ସୁକାନ୍ତ ଭାଇ ଜାଣିଥିଲେ ଯେ ମୁଁ ରଣଚଣ୍ଡୀ...ତାଙ୍କ କନିଆ ଯିଏ ତା’ କଥା କୁହ, ତା’ପାଇଁ ସିଏ ଘର ଛାଡ଼ିଥିଲେ–’’

 

“ହେଲେ ବି ତମର କ’ଣ ସେଥିରେ ଅଂଶ ନ ଥିଲା ?’’ ଉତ୍ତର ଦେଲା ପ୍ରମିଳା । ସୁକାନ୍ତ ମୃଦୁ ହସି କହିଲା, “ବଡ଼ ଦୁଷ୍ଟ ତମେ ନୂଆବୋହୂ । ଚାଲ କାଳୀମନ୍ଦିର ଯିବା ପରା–’’ ସୁକାନ୍ତ ଉଠିଗଲା । ପ୍ରମିଳା ଲୁଗା ବଦଳାଇଲା ।

 

ଶିବବାବୁ, ଗୌରବାବୁ ଆଗରୁ ପ୍ରସ୍ତୁତ ହେଇ ସାରିଥିଲେ । କଲିକତା ଛାଡ଼ିବା ପୂର୍ବରୁ ମାଆ କାଳୀଙ୍କୁ ପ୍ରଣତି ଜଣାଇବା ପାଇଁ ସମସ୍ତେ ବାହାରି ପଡ଼ିଲେ । ପରଦିନ କଟକ ଫେରିବା ସ୍ଥିର ହୋଇଥିଲା ।

 

ମାର୍ଗଶିର ଶୁକ୍ଳ ଦଶମୀ....

 

ମାଧୁରୀ ଆଉ ସୁକାନ୍ତଙ୍କର ବାହାଘର ବହୁ ଆଡ଼ମ୍ବର ଓ ସର୍ବଶୁଭରେ ସମ୍ପନ୍ନ ହେଲା । ଏଥିରେ ବହୁ ଭଦ୍ରବ୍ୟକ୍ତି ଭଦ୍ରମହିଳା ଯୋଗ ଦେଇଥିଲେ । ନମିତା ପରେଶ ତ ଘରର ଝିଅ ଜୋଇଁ, ତାଙ୍କ ଉପରେ ଦାୟିତ୍ୱ ବହୁତ ଥିଲା ।

 

ଶିବବାବୁ ଆଉ ଗୌରବାବୁଙ୍କ ଆନନ୍ଦ କହିଲେ ନ ସରେ । ଦୁହେଁ ଏକ ମନ, ଏକ ପ୍ରାଣ ହୋଇ ଏ ଆନନ୍ଦ ଉପଭୋଗ କରୁଛନ୍ତି । ଗୌରବାବୁଙ୍କର ବାରଣ ନ ମାନି ବହୁତ ଯୌତୁକ ଶିବବାବୁ ଦେଇଛନ୍ତି ।

 

ତା’ଛଡ଼ା ହରମୋହନବାବୁ ଓ ତାଙ୍କ ସ୍ତ୍ରୀ ମଧ୍ୟ ଆସି କେତେକ ମୂଲ୍ୟବାନ୍‍ ଉପହାର ଦେବା ସଙ୍ଗେ ସଙ୍ଗେ ବିବାହ କାର୍ଯ୍ୟରେ ଆନ୍ତରିକ ସହଯୋଗ କରନ୍ତି ।

 

ମାଧୁରୀ ଆଜି ବଧୂ ବେଶରେ ବିଦାୟ ନେଇଛି । ଆନନ୍ଦାଶ୍ରୁ ଝରିପଡ଼ୁଛି ଶିବବାବୁଙ୍କ ଆଖିରୁ । ପୁଅ ବୋହୂ, ଦାନ ଯୌତୁକ ଧରି ଆନନ୍ଦରେ ସେ ଘରକୁ ଫେରିଲେ । କେଡ଼େ ଆନନ୍ଦ, ଆଗ୍ରହ ସହକାରେ ତିଳୋତ୍ତମା ଚାହିଁଥିଲେ ଏ ଶୁଭ ଦିନଟିକୁ ? ମାଧୁରୀ ଭଳି ଶାନ୍ତ, ସରଳା, ସୁନ୍ଦରୀ ଡାକ୍ତରାଣୀ ବୋହୂ ପାଇଥିଲେ କେତେ ଖୁସି ସେ ହେଇ ନ ଥାନ୍ତେ ? କାହାନ୍ତି ଆଜି ତିଳୋତ୍ତମା ? ପଛ କଥା ଭାବି ଆଖିରୁ ଲୁହ ଝରାଇଲେ ଗୌରବାବୁ । ଯାହା ଯାଇଛି ଆଉ ଫେରିବ ନାହିଁ ।

 

ଚନ୍ଦନପୁର ଗାଁ ହୁଲସ୍ଥୁଲ । ଏ ଅନ୍ଧାରି ମୁଲକକୁ ଜମିଦାର ଘର ଡାକ୍ତରାଣୀ ବୋହୂ ଆଣିଛନ୍ତି । ଗୋବିନ୍ଦ ଗୁମାସ୍ତା କହି ବୁଲୁଛି–ମାଗଣାରେ ଡାକ୍ତରଖାନା ତୋଳା ହେବ, ମାଗଣାରେ ରୋଗୀ ଆରୋଗ୍ୟ ହେବେ । ଦେଶବାସୀ ନବଦମ୍ପତିଙ୍କୁ ଆଶୀର୍ବାଦ କରୁଛନ୍ତି । ଦେଶର ଦୁଃଖ ଦୂର ହେଉ । ଜମିଦାରଙ୍କ ପୁଅ ବୋହୂ ସୁଖରେ ରହନ୍ତୁ । ଚନ୍ଦନପୁରରେ ଖେଳି ବୁଲୁଛି ବିବାହ ଉତ୍ସବର ଆନନ୍ଦବନ୍ୟା ।

 

ଦୁଃଖ ପରେ ସୁଖ ଆସେ । ଅମାବାସ୍ୟା ପରେ ଆସେ ପୂର୍ଣ୍ଣମୀ । ଭାଗ୍ୟ-ଆକାଶରୁ ଅମା-ଅନ୍ଧାର କଟିଯାଇଛି ।

 

ପଛ କଥା ଭାବି ଦୁଃଖ କରିବ କାହିଁକି ? ଭଗବାନ ସେ ଦୁର୍ଦ୍ଦିନ ନେଇ ଯାଇଛନ୍ତି । ଘରୁ ଗଲାବେଳଠୁଁ ଆଜିପର୍ଯ୍ୟନ୍ତ ଏ କେତୋଟି ବର୍ଷର ଟିକିଟିକି କଥାଗୁଡ଼ିକ ଭାବି ଯାଉଛି ସୁକାନ୍ତ–ଚଳଚ୍ଚିତ୍ର ପରି ତା’ ଆଖି ଆଗରେ ଭାସି ଯାଉଛି ଗୋଟି ଗୋଟି ହୋଇ ସବୁ ଦୃଶ୍ୟ–

 

ଆଜି ମାଧୁରୀକୁ ଏହି ସାତ ପ୍ରସ୍ତ ଓଢ଼ଣା ତଳେ ଦେଖିଲେ କିଏ ବିଶ୍ୱାସ କରିବ, ଏ ସେହି କଲିକତା ସହରରେ ଘୂରି ବୁଲୁଥିବା ଡାକ୍ତରାଣୀ ମାଧୁରୀ ବୋଲି ? ହସିଲା ସୁକାନ୍ତ...ମାଧୁରୀର ସେବା-ତ୍ୟାଗ-ଆଦର୍ଶ ନିକଟରେ ସେ କେତେ ଛୋଟ ସତେ ?

 

ଅବଗୁଣ୍ଠନବତୀ ମାଧୁରୀକୁ ଚାହିଁ ଚାହିଁ ହସିଲା ସୁକାନ୍ତ–ନାରୀର ରୂପ କେତେ ପ୍ରକାର...? ସବୁ କ୍ଷେତ୍ର... ସବୁ ଅବସ୍ଥାରେ ହିଁ ସେ ଆନନ୍ଦ ଦେଇପାରେ ପୁରୁଷକୁ–

 

ସୁକାନ୍ତ ମୃଦୁ ହସି କହିଲା, “ମୋର ବୋଲି ତ ନିଜସ୍ଵ ମୋର କିଛି ନାହିଁ । ବହୁ ଦିନୁ ତମକୁ ଦେଇ ସାରିଛି ମନ । ଆଉ ରୋଗାକ୍ରାନ୍ତ ଦେହଟାକୁ ସତୀ ସାବିତ୍ରୀ ପରି ଯମ ମୁହଁରୁ ଟାଣିଆଣି ବଞ୍ଚାଇଛ ତମେ । ତେଣୁ ତମ ପାଖରେ ସ୍ଵତଃ ଆଜି ମୋର ମଥା ନଇଁ ଯାଉଛି ମାଧୁରୀ-। ତମେ ଦେବୀ ! ତମ ଭଳି ମହୀୟସୀ ମହିଳା ଲାଭ କରିବାର ସୌଭାଗ୍ୟ ଆଜି ମୋର ଆସିଛି–କିନ୍ତୁ ଏହିପରି ଦିନେ ପରେଶବାବୁ...ଆନନ୍ଦ ହୋଇ ମାଧୁରୀର ଓଢ଼ଣା ଟେକି ଆବିଷ୍କାର କଲେ ନମିତାକୁ । ଆଜି ମୁଁ ଏହି ଓଢ଼ଣା ତଳୁ ଆଉ କାହାକୁ ଆବିଷ୍କାର କରିବି ନାହିଁ ତ ? ତା’ ଯଦି ହୁଏ ମୋର ସବୁ ମଧୁକଳ୍ପନା ଧୂଳିସାତ୍‍ ହୋଇ ଏ ଦେହ ମିଶିବ ମାଟିରେ ।’’ କମ୍ପିତ କରରେ ସୁକାନ୍ତ ଓଢ଼ଣାଟି ଖୋଲିଦେଲା ।

 

ଓଢ଼ଣା ତଳେ ମାଧୁରୀର ଚନ୍ଦ୍ରଉଦିଆ ମୁହଁ ଝଟକି ଉଠିଲା । ମୁହଁରେ ତୃପ୍ତିର ହସ ଭରି ରହିଥିଲା । ମାଧୁରୀ ଧୀର ସ୍ୱରରେ ଉତ୍ତର ଦେଲା, “ତପନଙ୍କ କର ସ୍ପର୍ଶ ନ ହେଲା ଯାଏ କମଳ ମୁଦ୍ରିତ ରହିବ ହିଁ ରହିବ–କମଳର ସୃଷ୍ଟି ତ ଚନ୍ଦ୍ରପାଇଁ ନୁହେଁ–ତେଣେ ବିଷାଦିନୀ କୁମୁଦଟି ଚନ୍ଦ୍ର ପାଇଁ ଝୁରି ଝୁରି ମରୁଛି । ଏହା ଚିନ୍ତା ନ କରି କମଳକୁ କରଗତ କରିବାପାଇଁ ଇଚ୍ଛାକଲେ ହେବ କିପରି ? ବ୍ୟତିକ୍ରମ ତ ଘଟିବାର କଥା, ଘଟିବ ।’’

 

ସୁନ୍ଦର ଯୁକ୍ତି ମାଧୁରୀର–ଉତ୍ତର ଦେବାକୁ ଆଉ ଭାଷା ଖୋଜି ପାଇଲା ନାହିଁ ସୁକାନ୍ତ । ଆକାଶରେ ହସୁଥିଲା ଶୁକ୍ଳ ଦଶମୀର ଚାନ୍ଦ । ମାର୍ଗଶିରର ଶୀତୁଆ ପବନରେ ଥରି ଥରି ଜଳୁଥିଲା ଦୀପଶିଖା ।

 

ନବଦମ୍ପତି ମନେ ମନେ କଳ୍ପନା କରୁଥିଲେ ତାଙ୍କ ଭବିଷ୍ୟତର ସ୍ଵପ୍ନ ନୀଡ଼ ।

 

ନୀଡ଼ହରା ପକ୍ଷୀଦୁଇଟି ବହୁ ଝଡ଼ଝଞ୍ଜା ଅତିକ୍ରମ କରି ପୁଣି ଏହି ଧୂଳିର ଧରଣୀରେ ରଚନା କରି ବସିଲେ ତାଙ୍କର ଚିରକଳ୍ପିତ ସ୍ଵପ୍ନ ନୀଡ଼–

Image